ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ନିର୍ମଳ ଓ ଜଗନ୍ନାଥଙ୍କ ଲାଗି ସରକାର କାହିଁକି ବିପଦରେ ପଡିବେ?

0

ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ଓ ସଦସ୍ୟ ନୈତିକତାର ଉତ୍ତରଦାୟିତ୍ବ ମୁଣ୍ଡାଇବାକୁ କୁନ୍ଥକୁନ୍ଥ

ଆଉ ମନୋନୟନରେ ନୁହେଁ, ସବୁ ନିଯୁକ୍ତି ଆୟୋଗରେ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ବେଳ ଆସିଛି

ଅବସରପ୍ରାପ୍ତ ଅଧିକାରୀ ସରକାରଙ୍କୁ ମହଙ୍ଗା ପଡୁଛନ୍ତି, ସରକାରଙ୍କ ସ୍ବଚ୍ଛତା ପ୍ରତି ବିପଦ ବଢାଉଛନ୍ତି

ସରକାର ବାହାରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି, କିଛି ହାତଗଣତି ବାବୁ କାହିଁକି ସବୁ ସୁବିଧା ନେବେ?

ଭୁବନେଶ୍ବର: ଓଡ଼ିଶାରେ ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ସରକାରୀ ନିଯୁକ୍ତିର ମାପକାଠି ଧାର୍ଯ୍ୟ କରୁଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ଓ ସଦସ୍ୟଙ୍କର ନିଯୁକ୍ତି ତରିକା ଠିକ୍ ଅଛି କି? ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ ଭଳି ସଂସ୍ଥା?

ଏଠାରେ କାହିଁକି କେବଳ ଅବସରପ୍ରାପ୍ତ ଅଧିକାରୀ ନିଯୁ୍କ୍ତି ପାଇବେ? ଏସବୁ ସଂସ୍ଥା ସ୍ବାଧୀନ ହୋଇଥିବା କାରଣରୁ ଅନ୍ୟ ଆୟୋଗ ମାନଙ୍କ ଭଳି ଏଠାରେ କାହିଁକି ନିଯୁକ୍ତି କ୍ଷେତ୍ରରେ ସ୍ବତନ୍ତ୍ର କମିଟି ରହିବ ନାହିଁ? ସମସ୍ତଙ୍କ ଭାଗ୍ୟ ପରୀକ୍ଷା କରୁଥିବା ଏସବୁ ସଂସ୍ଥାର ପଦାଧିକାରୀ ମନୋନୀତ ନ ହୋଇ ପରୀକ୍ଷା ବ୍ୟବସ୍ଥା ଭିତରେ ନିଯୁକ୍ତି ପାଇଲେ ଅସୁବିଧା କଣ?

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ୍ ବା ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ହେଲେ ଏହି ପ୍ରସଙ୍ଗ ଉପରେ କିନ୍ତୁ ଚର୍ଚ୍ଚା ଧୀରେ ଧୀରେ ତୃଣମୂଳସ୍ତର ପର୍ଯ୍ୟନ୍ତ ଛୁଇଁଲାଣି। ଓଡ଼ିଶାରେ ଶିକ୍ଷିତ ପରିବାର ମଧ୍ୟରୁ ସିଂହଭାଗ ଘର ଏହି ସଂସ୍ଥା ସହିତ ପରୋକ୍ଷ ଭାବେ ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ବା ଏହି ଆୟୋଗ ସଂପର୍କରେ ଜାଣନ୍ତି। ଏବେ ଏସବୁ ପରିବାରରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି। ଆୟୋଗ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚୟନ ପଦ୍ଧତିକୁ କେହି ଗ୍ରହଣ କରିପାରୁନାହାନ୍ତି। ୧୯୯୪ ମସିହାରେ ତତ୍କାଳୀନ ସରକାର ଯେଉଁ ସୂତ୍ର ପ୍ରୟୋଗ କରିଥିଲେ, ତାହାର ଏବେ ପରିବର୍ତ୍ତନ ସମୟ ଆସିଯାଇଛି ବୋଲି ବୁଦ୍ଧିଜୀବୀ ମହଲ ମଧ୍ୟ ମତ ରଖିଲେଣି।

ଆହୁରି ବିସ୍ମୟ କର କଥା ହେଲା, ନିଜେ ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ନିର୍ମଳ ମିଶ୍ର ଏବଂ ସଦସ୍ୟ ଜଗନ୍ନାଥ ଲେଙ୍କା ଏବେ ନୈତିକତା ଆଧାରରେ ନିଜ ପଦରୁ ଓହରି ଆସିବା ଦରକାର। କିନ୍ତୁ ସେମିତି କିଛି ଦେଖାଯାଉନାହିଁ। ଓଲଟା ଶ୍ରୀ ମିଶ୍ରଙ୍କ ମନ୍ତବ୍ୟ ଯେ କୌଣସି ଲୋକଙ୍କୁ ତାଜୁବ୍ କରିବ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ସଂପୃକ୍ତ ବିରଞ୍ଚି ସାହୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ। ଏହା କେଉଁ ନୂଆ କଥା? ଏହା ସରକାରରେ ଗୋଟିଏ ସାଧାରଣ ପ୍ରକ୍ରିୟା। ଯାହା ଉପରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତାଙ୍କ ସଂପର୍କରେ ବିଭାଗୀୟ ତଦନ୍ତ ବି ଆରମ୍ଭ ହୁଏ। ହେଲେ ଥରେ ଯେବେ ନିଯୁକ୍ତିକାରୀ ସଂସ୍ଥାରେ ଦୁର୍ନୀତିର ଛିଟା ଲାଗିଲା, ସେବେ ଉତ୍ତରଦାୟିତ୍ବ ଉଭୟ ଅଧ୍ୟକ୍ଷ ଏବଂ ସଦସ୍ୟଙ୍କୁ ନେବାକୁ ହେବ। ସେମାନେ ଏହି ଦାୟିତ୍ବ ନ ତୁଲାଇ ନିଜେ ଇସ୍ତଫା ନ ଦେଇ ଯେତେ ଅଧିକ ସଫେଇ ଦେବେ, ସେବେ ସରକାର ତାଙ୍କ ଲାଗି ଅକଳରେ ପଡିବେ। କୌଣସି ବିଶେଷ ଭୂମିକା ନ ଥାଇ ସରକାରଙ୍କୁ ଅଯଥା ଅପମାନିତ ବା ଦୋଷ ମୁଣ୍ଡାଇବାକୁ ହେବ। ଏବେ ଶ୍ରୀ ମିଶ୍ରଙ୍କ ଲାଗି ସରକାରଙ୍କ ଭାବମୂର୍ତ୍ତି କାହିଁକି ବିପଦକୁ ଆସିବ? କାହିଁକି ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ଲାଗି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଙ୍ଗୁଠି ଉଠାଇବାକୁ ସାହସ କରିବେ?

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଂସ୍ଥା ସରକାରଙ୍କର ଏକ ପ୍ରମୁଖ ଅଙ୍ଗ। ଏହି ସଂସ୍ଥା ସରକାରଙ୍କ ପାଇଁ ମାନବସମ୍ବଳ ଚୟନ କରନ୍ତି। ଏମିତି ନୁହେଁ ଯେ ଏହି ପଦବି କିଛି ମହତ୍ତ୍ବ ରଖେନି। ସତ କଥା ହେଲା, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ପଦବିରେ ଯିଏ ରହିବେ ତାଙ୍କ ପାଇଁ ଆକର୍ଷଣୀୟ ଦରମା ବ୍ୟବସ୍ଥା ରହିଛି। ଚାକିରି ସର୍ତ୍ତାବଳୀ ଠାରୁ ଆରମ୍ଭ କରି ପ୍ରାୟ ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି, ଯାହା ଅନ୍ୟ ସଂସ୍ଥାମାନଙ୍କରେ ମଧ୍ୟ ଦିଆଯାଏ। କେବଳ ଷ୍ଟାଫ୍ ସିଲେକ୍ସନ କମିସନ ନୁହଁ, ଓଡ଼ିଶା ଲୋକସେବା ଆୟୋଗ ଓ ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ ପଦବିର ଗରିମା ବି କିଛି କମ୍ ନୁହେଁ। ଏହା ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ସର୍ବୋଚ୍ଚ ପଦବି। ଏସବୁ ଆୟୋଗର ଅଧ୍ୟକ୍ଷ ବା ସଦସ୍ୟଙ୍କ ନିଷ୍ପତ୍ତି ଓ ପଦକ୍ଷେପ ସହିତ ହଜାର ହଜାର ପିଲାଙ୍କ ଭବିଷ୍ୟତ ଯୋଡି ହୋଇରହିଛି। ଏଇ ଯେମିତି ପରୀକ୍ଷା କରିବାରେ ଯଦି ସାମାନ୍ୟ ବିଳମ୍ବ ହୋଇଯାଏ, ତେବେ ବୟସଗତ କାରଣରୁ ହଜାର ହଜାର ପିଲା ଏଥିରୁ ବଞ୍ଚିତ ହୋଇଯିବେ। ସେମାନଙ୍କ ଭାଗ୍ୟରେ ଆଉ ସରକାରୀ ଚାକିରି କରିବାର ସୁଯୋଗ ଜୁଟିନଥାଏ। ପରୀକ୍ଷା ପ୍ରକ୍ରିୟା ବି ସେମିତି।

ଏତେ ବଡ଼ ସମ୍ବେଦନଶୀଳ ବ୍ୟବସ୍ଥା ଉପରେ ସାମାନ୍ୟ ଧୁଳି ପଡିବା ଅର୍ଥ ଅନେକଙ୍କ ବିଶ୍ବାସ ଭାଙ୍ଗିଦେବାର ଭୟ ରଖୁଛି। ଯଦି ନିଯୁକ୍ତି ପ୍ରକ୍ରିୟା ଭିତରେ ଥରେ ସନ୍ଦେହ ବଢେ, ତାହା ଅନେକ ବିପଜ୍ଜନକ ସ୍ଥିତିକୁ ଟାଣିଆଣେ। ପ୍ରତ୍ୟକ୍ଷ ଭାବେ ସରକାରଙ୍କର ଏଥିରେ କୌଣସି ଭୂମିକା ନ ଥିଲେ ମଧ୍ୟ ପରୋକ୍ଷ ଭାବେ ଏସବୁ ସରକାରଙ୍କ ମୁଣ୍ଡକୁ ଚାଲିଯାଏ।

ଏବେ ବିରଞ୍ଚି ସାହୁ କେଳେଙ୍କାରୀ ନେଇ ସେଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ବିରଞ୍ଚି ଆୟ ବର୍ହିଭୂତ ସଂପତ୍ତି କେତେ ରଖିଛନ୍ତି, ସେସବୁ ଦିଗକୁ ଭିଜିଲାନ୍ସ ଯାଞ୍ଚ କରିବ। କିନ୍ତୁ ତାଙ୍କ ଘରୁ ପରୀକ୍ଷା ଆଡମିଟ୍ କାର୍ଡ ଜବତ ଘଟଣା ଗୋଟିଏ ଛୋଟିଆ ମାମଲା ନୁହେଁ ବା ଆୟ ବର୍ହିଭୂତ ସଂପତ୍ତି ମାମଲା ସହିତ ଏହାକୁ ଯୋଡା ଯାଇପାରିବ ନାହିଁ। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗଟି ଏତେ ଗମ୍ଭୀର ଯେ ଏହାକୁ ଯାଞ୍ଚ ପ୍ରକ୍ରିୟା ଭିତରେ ଦିନ ଦିନ ଧରି ଘାଣ୍ଟିଚକଟି ଦିଆଯାଇପାରିବ ନାହିଁ। କାରଣ ନିଯୁକ୍ତି ପ୍ରକ୍ରିୟାଟି ଯେତେ ସ୍ବଚ୍ଛ ହେବ, ସରକାର ସେତିକି ଅଧିକ କ୍ରିୟାଶୀଳ ହେବେ। ସରକାରରେ ସେତିକି ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳିବ। ଏଣୁ ଏହି ପ୍ରସଙ୍ଗଟି ଉପରେ ସ୍ବତନ୍ତ୍ର ତଦନ୍ତର ଆବଶ୍ୟକତା ରହିଥିବା ବରିଷ୍ଠ ପୁଲିସ ଅଧିକାରୀମାନେ ମତ ରଖୁଛନ୍ତି। ଏମିତିରେ ବି ଷ୍ଟାଫ୍ ସିଲେକ୍ସନ କମିସନ ଏବେ ପରୀକ୍ଷା ଜାରି ରଖିଛନ୍ତି। କେବଳ ବିରଞ୍ଚି ଏକୁଟିଆ ନଥିବେ, ଏହା ପଛରେ ଅନେକ ହସ୍ତୀଙ୍କର ଯେ ଯୋଗଦାନ ରହିଛି, ଏକଥା କେହି ଅସ୍ବୀକାର କରିପାରିବେ ନାହିଁ। ହେଲେ ଏହି ଘଟଣାର ପ୍ରଥମ ପାଞ୍ଚଦିନରେ ଭିଜିଲାନ୍ସ ଏ ଦିଗ ଉପରେ ସେଭଳି କୌଣସି ପଦକ୍ଷେପ ନେବା ଆରମ୍ଭ କରିନାହିଁ।

ବୁଦ୍ଧିଜୀବୀ ମହଲରେ ଏସବୁ ନିଯୁକ୍ତି ଆୟୋଗର ଚୟନ ପଦ୍ଧତିର ପରିବର୍ତ୍ତନ ପାଇଁ ମତ ଉଠିଲାଣି। ସରକାର ସବୁ ସୁବିଧା ଯୋଗାଇ ଦେଉଥିବା ବେଳେ କାହିଁକି କିଛି ଅବସରପ୍ରାପ୍ତ ଅଧିକାରୀ ଏସବୁ ସ୍ଥାନକୁ ମାଡି ବସିବେ? ଚୟନ ବ୍ୟବସ୍ଥା ସହିତ ଅନେକ ପ୍ରସଙ୍ଗ ଯୋଡି ହୋଇରହିଛି। କିଭଳି ପ୍ରଶ୍ନ କରାଯିବ, ଦେଶର ଅନ୍ୟ ସବୁ ପରୀକ୍ଷା ମାନଙ୍କରେ ପ୍ରଶ୍ନ ଓ ପରୀକ୍ଷା ତରିକାରେ କି କି ପରିବର୍ତ୍ତନ ଆସିଲାଣି, ଏମିତି ଅନେକ। ଯେଉଁ ପ୍ରଶାସନିକ ଅଧିକାରୀ ଏଠାରେ ନିଯୁକ୍ତି ପାଉଛନ୍ତି, ସେମାନେ ତାଙ୍କର ଚାକିରି କାଳରେ ଦାୟିତ୍ବରେ ଥିବା ବିଭାଗ ବା କାର୍ଯ୍ୟରେ ମୁଖ୍ୟତଃ ସମୟ ଦେଇଥାନ୍ତି। ଏମାନେ ଏସବୁ ପଦବିରେ ରହି କି ପାରଦର୍ଶିତା ଆଉ ଦେଖାଇବେ? ସେମାନେ କାହିଁକି ମନୋନୀତ ହେବେ, କାହିଁକି ଚୟନ ପଦ୍ଧତିରେ ସେମାନଙ୍କୁ ବଛାଯିବ ନାହିଁ। ସେମାନେ ନିଜେ କାହିଁକି ପରୀକ୍ଷା ଦେଇ ଆସିବେ ନାହିଁ?

କିଛି ବରିଷ୍ଠ ଅଧିକାରୀଙ୍କର ମତ ହେଲା, ରାଜ୍ୟ ସରକାର ଏ କ୍ଷେତ୍ରରେ ଦୁଇଟି ସୂତ୍ର ପ୍ରୟୋଗ କରିପାରିବେ। ପ୍ରଥମତଃ, ଅନ୍ୟ ଆୟୋଗ ଭଳି ଏସବୁ ସଂସ୍ଥା ପାଇଁ ମଧ୍ୟ ଆବେଦନ ଆହ୍ବାନ କରାଯିବ। ସେ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟସଚିବ ପାହ୍ୟାର ଅଧିକାରୀ ବାଛିବେ ଓ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ପ୍ରମୁଖଙ୍କୁ ନେଇ କମିଟି ଯେଭଳି ଅନ୍ୟ ଆୟୋଗରେ ନିଯୁକ୍ତି ଦିଅନ୍ତି, ସେଭଳି ହୋଇପାରିବ। ଅନ୍ୟଥା ସେମାନେ ସିଧାସଳଖ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବା ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ସ୍ବତନ୍ତ୍ର କମିଟି ସାମ୍ନାରେ ସାକ୍ଷାତାକାର ଭିତ୍ତିରେ ଆସିବା କଥା। ଏହାଦ୍ବାରା ସେସବୁ ସଂସ୍ଥାର ମହତ୍ତ୍ବବଢିବ ଓ ଅତି ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀମାନେ ଏସବୁ ଗୁରୁତ୍ବପୂର୍ଣ୍ଣ ପଦବିକୁ ନିଜ ଅବସରକାଳୀନ ପଦବି ଭାବେ ଆଉ ବ୍ୟବହାର କରିପାରିବେ ନାହିଁ।

ଏଠାରେ ଉଲ୍ଲେଖଥାଉକି, ଅବସରପରେ ପ୍ରଶାସନିକ ଅଧିକାରୀଙ୍କ ସାନି ନିଯୁକ୍ତି ନେଇ ସାରା ଭାରତବର୍ଷରେ ପ୍ରଶ୍ନ ଉଠିଲାଣି। ଏଇଥିପାଇଁ ଯେ ସଂପୃକ୍ତ ଅଧିକାରୀମାନେ ପଦ ପଦବି ଆଶାରେ ନିଜ କ୍ୟାରିଅର ଏକ ବଡ ଅଂଶକୁ ଠିକ୍ ଭାବେ ବ୍ୟବହାର କରୁନାହାନ୍ତି। ଏପରିକି କାଳେ ସେମାନଙ୍କର ଟ୍ରାକ୍ ରେକର୍ଡ ପ୍ରଭାବିତ ହୋଇଯିବ, ଏଣୁ କୌଣସି ବଡ଼ ବା ରିସ୍କ ଥିବା ଭଳି ନିଷ୍ପତ୍ତି ନେବା ଲାଗି କୁଣ୍ଠା ପ୍ରକାଶ କରୁଛନ୍ତି। ଏହାଫଳରେ ସରକାର ହିଁ ଅସଲରେ କ୍ଷତିଗ୍ରସ୍ତ ହେଉଛନ୍ତି। ଦ୍ବିତୀୟତଃ ଏହି ଅଧିକାରୀମାନଙ୍କ କାରଣରୁ ସରକାର ବାହାରେ ଥିବା ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ବ୍ୟବହାର କରିବାରୁ ସରକାର ବଞ୍ଚିତ ରହୁଛନ୍ତି ବା ସେମାନଙ୍କ ଦିଗଦର୍ଶନ ସରକାର ପାଇପାରୁନାହାନ୍ତି।

ସଂପ୍ରତି ବିରଞ୍ଚି ସାହୁ ଘଟଣା ପରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନକୁ ଏବେ ନବକଳେବର କରିବା ଲାଗି ଗୋଟିଏ ସୁଯୋଗ ସୃଷ୍ଟି ହୋଇଛି। ସେଠାର ସମୁଦାୟ କର୍ମଚାରୀଙ୍କୁ ସରକାର ପରିବର୍ତ୍ତନ କରିବା ସହିତ କମିସନଙ୍କ ଚୟନ ପଦ୍ଧତିର ମଧ୍ୟ ଶତ ପ୍ରତିଶତ ପରିବର୍ତ୍ତନ କରିବା ଅପରିହାର୍ଯ୍ୟ ହୋଇପଡିଛି।

Leave A Reply

Your email address will not be published.