ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଓଡ଼ିଶାରେ ବେଦାନ୍ତ ଅଛି, କିନ୍ତୁ ବିଶ୍ବବିଦ୍ୟାଳୟ?

0

ସ୍ବପ୍ନରେ ରହିଗଲା ପୁରୀରେ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବବିଦ୍ୟାଳୟ

ଏମଓୟୁ ହେଲା, ବିଧାନସଭାରେ ବିଲ୍ ଅନୁମୋଦନ ବି

ରାଜ୍ୟପାଳ ଦସ୍ତଖତ କଲେନି, ବିଲ୍ ରଖିଦେଲେ; ଫେରାଇନାହାନ୍ତି

କୋର୍ଟରେ ଝୁଲୁଛି ମାମଲା, ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ସ୍ଥିତି ସଙ୍ଗିନ୍

ମହାପ୍ରଭୁଙ୍କର ଅମୃତ ମଣୋହୀ ଜମି କାହା ପାଖରେ, କିଭଳି ଅଛି?

ଲୋକପାଳ ଦେଇଥିବା ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ କଣ ହେଲା?

ସରକାର,ସଂଘର୍ଷ ସମିତି, ବିରୋଧୀ, ସମାଜସେବୀ ସମସ୍ତେ ଚୁପ୍ ରହିଗଲେ?

ଭୁବନେଶ୍ବର: ୨୦୦୬ ମସିହା ଜୁଲାଇ ମାସ। ବେଦାନ୍ତ ଫାଉଣ୍ଡେସନ୍ ( ଯାହା ପରେ ନାମ ବଦଳାଇ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେସନ୍ କଲା) ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ପାଇଁ ଓଡ଼ିଶା ସରକାରଙ୍କ ସହିତ ଏମଓୟୁ ସ୍ବାକ୍ଷର କଲା।

୨୦୦୬ ସେପ୍ଟେମ୍ବର ମାସ। ବିଶ୍ବବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଗଲା। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୪ ଅନୁଯାୟୀ ଜମି ଅଧିଗ୍ରହଣ ଆରମ୍ଭ ହେଲା ବୋଲି ସରକାର ଦାବି କଲେ।

୨୦୦୬ ମସିହା ଡିସେମ୍ବର ମାସ। ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ସଂସ୍ଥା ୮୦୦୦ ଏକର ଜମି ମାଗିଥିଲା। ବ୍ୟାପକ ତମ୍ବିତୋଫାନ୍ ପରେ ଏହାକୁ ୬୮୯୨ ଏକରକୁ ଖସାଇ ଦିଆଗଲା।

୨୦୦୭ ଜାନୁଆରି। ପୁରୀର ୨୨ଟି ଗାଁର ଲୋକେ ବେଦାନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କଲେ। ଏହା ସତ୍ତ୍ବେ ସରକାର କିନ୍ତୁ ନିଧଡକ ଥିଲେ।

୨୦୦୮ ଡିସେମ୍ବର ମାସରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିଲ୍ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଲା। ସେହି ମାସରେ ବିଶିଷ୍ଟ ଟ୍ରେଡ୍ ୟୁନିୟନ୍ ନେତା ଦ୍ବାରିକା ମୋହନ ମିଶ୍ର ଜମି ଅଧିଗ୍ରହଣ ବେଆଇନ ଦର୍ଶାଇ ତତ୍କାଳୀନ ଲୋକପାଳଙ୍କ ନିକଟରେ ଆବେଦନ କରିଥିଲେ। ତଥାପି ସରକାର ହଟିଲେ ନାହିଁ।

୨୦୦୯ ଜୁଲାଇ ମାସ। ବିରୋଧୀ ଦଳର ତୀବ୍ର ପ୍ରତିବାଦ ସତ୍ତ୍ବେ ୨୦୦୯ ଜୁଲାଇ ମାସରେ ଓଡ଼ିଶା ବିଧାନସଭାରେ ବିଶ୍ବବିଦ୍ୟାଳୟ ଅନୁମୋଦନ ଲାଭ କଲା।

୨୦୧୦ ମାର୍ଚ୍ଚ ମାସରେ ଲୋକପାଳ ଜମି କାରବାର ଯାଞ୍ଚ ପାଇଁ ନିର୍ଦେଶ ଦେଲେ।

୨୦୧୦ ନଭେମ୍ବର ମାସ। ଓଡ଼ିଶା ହାଇକୋର୍ଟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ବୋଲି କହିଲେ।

ଇଏ ହେଉଛି ବିଶିଷ୍ଟ ଶିଳ୍ପପତି ଅନୀଲ ଅଗ୍ରଓ୍ବାଲଙ୍କ ପୁରୀଠାରେ ପ୍ରସ୍ତାବିତ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବ ବିଦ୍ୟାଳୟର ଇତିବୃତ୍ତ। ଏହି ପ୍ରସଙ୍ଗ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଗଲା, ଆଉ ଝୁଲୁଛି। ଏଥିସହିତ ବିଶ୍ବସ୍ତରୀୟ ପ୍ରକଲ୍ପ ଭାଗ୍ୟ ବି। ରାଜ୍ୟ ସରକାର ଆଉ ଆଗକୁ ବଢୁନାହାନ୍ତି। ଅନୀଲ ଅଗ୍ରଓ୍ବାଲ ମଧ୍ୟ। ଇତିମଧ୍ୟକେ ତତ୍କାଳୀନ ପ୍ରଭାବଶାଳୀ ଅଧିକାରୀ ବିଜୟ ପଟ୍ଟନାୟକ ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟ କରି ଅବସର ନେଇସାରିଲେଣି। ବେଦାନ୍ତ କଂପାନିରେ କିଛି ଦିନ ଦାୟିତ୍ବରେ ରହିଲା ପରେ ସେ ପଦ ବି ତ୍ୟାଗ କରିସାରିଛନ୍ତି। କିନ୍ତୁ ଅନେକ ଲୋକଙ୍କ ଭାଗ୍ୟ, ପୁରୀର ବିକାଶ ଆଦିର ଡଙ୍କ ମୋଡି ହୋଇଗଲା।

ଏଠାରେ ସ୍ମରଣ ଥାଉକି, ସେବେ ବିଜେଡି-ବିଜେପି ମେଣ୍ଟ ସରକାର କହିଥିଲେ, ପୁରୀରେ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ହେବ, ତାହା ପୁଣି ଆଖି ଝଲସାଇ ଦେବା ଭଳି। ସଚିବାଳୟ (ଏବେ ଲୋକସେବା ଭବନ)ରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ କେତେ କଣ ଗପିଦେଇ ଗଲେ।  ଏମିତି ସମସ୍ତେ  ମାତିଲେ ଯେ ଓଡ଼ିଶାରେ ଏହି ବିଶ୍ବସ୍ତରୀୟ ପ୍ରକଳ୍ପକୁ ନେଇ ହଇଚଇ ସୃଷ୍ଟି ହେଲା। ବେଦାନ୍ତ ବିଶ୍ବବିଦ୍ୟାଳୟ ବିଲ୍ ଯେବେ ବିଧାନସଭାରେ ଅନୁମୋଦନ ଲାଭ କଲା, ସେବେ ରାଜ୍ୟବାସୀ ଏହାର ନକ୍ସା, ଚିତ୍ର ଦେଖି ଆଶା କରିଥିଲେ ଯେ ଓଡ଼ିଶାରେ ଏବେ ଅକ୍ସଫୋର୍ଡ ଭଳି ପାଠପଢା ହେବ।

 ସବୁ ଫୁସ୍।  ପ୍ରଶାସନିକ ପେଞ୍ଚରେ ଏହି ପ୍ରକଳ୍ପ ଦିଗହରା ହୋଇଯାଇଛି। ପନ୍ଦର ବର୍ଷ ପରେ ବି ଏହି ପ୍ରକଳ୍ପର ଭାଗ୍ୟ କେଉଁଠି ଅଛି, ତାହା ଜାଣିବା ମୁସ୍କିଲ୍। କେଇ ସେ ସଂପର୍କରେ ଆଉ ଉଁ କି ଚୁଁ କିଛି କହୁନାହାନ୍ତି। ଅଧିଗ୍ରହଣ ହୋଇଥିବା ଜମିର ଭାଗ୍ୟ କଣ, ବେଦାନ୍ତ ଦେଇଥିବା ଅର୍ଥ କୁଆଡେ ଗଲା, ସେ ସମୟରେ ଲୋକପାଳଙ୍କ ତଦନ୍ତ ନିର୍ଦେଶ ଉପରେ କି ପଦକ୍ଷେପ ନିଆଗଲା, ସେସବୁ ବି ଶୂନ୍ୟରେ ମିଳାଇଯାଇଛି। ଏବେ ବେଦାନ୍ତ କଂପାନି ଓଡ଼ିଶାରେ କାମ କରୁଥିଲେ ହେଁ, ତାକୁ କେହି ସେକଥା ପଚାରୁନାହାନ୍ତି, ବାସ୍ତବରେ ଯଦି କଂପାନି ଓଡ଼ିଶା ପାଇଁ ଏତେ ସ୍ବପ୍ନ ଦେଖୁଥିଲା, ସେସବୁ ମିଳାଇଗଲା କେମିତି?

ସେ ସମୟରେ ସରକାର ବି ଆଖି ପିଛୁଳାକେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିଲ୍କୁ ଅନୁମୋଦନ କରାଇ ନେଲେ। ବିରୋଧୀଙ୍କ ମତକୁ ଭ୍ରୁକ୍ଷେପ କଲେନି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମି ବେଦାନ୍ତକୁ ଟେକିଦିଆଯିବା ନେଇ ଓଡ଼ିଶାରେ କମ୍ପନ ସୃଷ୍ଟି ହେଲା। ଶାଗମାଛ ଦରରେ ନେଇ ବେଦାନ୍ତ ହାତରେ ଜମି ଧରାଇ ଦେଲେ ବୋଲି ବିରୋଧୀ ତମ୍ବିତୋଫାନ କଲେ। ବେଦାନ୍ତ ସଂଘର୍ଷ ସମିତି ବ୍ୟାନରରେ ୧୦ ହଜାର ଲୋକ ପୁରୀରୁ ଭୁବନେଶ୍ବର ଯାଏ ଚାଲିଲେ। ଏହି ବିଶ୍ବବିଦ୍ୟାଳୟ ସିନା ହେଲାନି, ଏହି ଅମୃତ ମଣୋହି ଜମି ଏବେ କାହା ନିୟନ୍ତ୍ରଣରେ ରହିଛି?

ମଜାଦାର କଥା ହେଲା, ବେଦାନ୍ତ ବିଶ୍ବବିଦ୍ୟାଳୟ ବିଲ୍‌କୁ ରାଜ୍ୟପାଳ ଆଉ ଫେରାଉ ନାହାନ୍ତି। ନା ସଂେଶାଧନ ପାଇଁ ସୁପାରିସ କଲେ, ନା ବିଲ୍ ଅନୁମୋଦନ କରାଗଲା। ଇତିମଧ୍ୟରେ ଅନେକ ରାଜ୍ୟପାଳ ବଦଳିସାରିଲେଣି। ହେଲେ ଏହି ବିଲ୍‌ ଭାଗ୍ୟରେ ପରିବର୍ତନ ଘଟୁନାହିଁ। ରାଜଭବନରେ ରହିଗଲା, ସରକାରଙ୍କ ବେଦାନ୍ତ ବିଶ୍ବ ବିଦ୍ୟାଳୟ ସ୍ବପ୍ନ।

ଯାହା ଖବର ଆସୁଛି, ଅଧିଗ୍ରହଣ ହୋଇଥିବା ୧୩ଶହ ଏକର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି, ୭ଶହ ଏକର ସରକାରୀ ଜମି ଓ ପ୍ରାୟ ୬ ହଜାର ଏକର ବେସରକାରୀ ଜମି ଉପରେ ସ୍ଥିତାବସ୍ଥା ରହିଛି। ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟରେ ଚାଲିଛି ମାମଲା। ଇତିମଧ୍ୟରେ ଅନେକ ଶୁଣାଣି ହେଲାଣି। ରାଜ୍ୟ ସରକାର ଚାଷୀଙ୍କ ସ୍ବାର୍ଥରେ ଯାଇ ଏହି ମାମଲାରୁ ଓହରୁନାହାନ୍ତି କି ମାମଲା ଫଏସଲା ପାଇଁ ବାଟ ଖୋଲି ମହାପ୍ରଭୁଙ୍କ ଏହି ଜମିର ସଦବ୍ୟବହାର କରୁନାହାନ୍ତି।

କିନ୍ତୁ ସରକାର, ବେଦାନ୍ତ କଂପାନି ଓ ସମାଜସେବୀ ପ୍ରମୁଖ ବଡ଼ ବଡ଼ିଆ ଖେଳ ଭିତରେ ସ୍ଥାନୀୟ ଅଞ୍ଚଳର ୨୨ଟି ମୌଜାର ହଜାର ହଜାର ଚାଷୀଙ୍କ ଭାଗ୍ୟ ମୋଡି ହୋଇଯାଇଛି। ସ୍ଥିତାବସ୍ଥା କାରଣରୁ, ଯେଉଁମାନେ ଚାଷ ଜମି ଛାଡୁନଥିଲେ, ଅର୍ଥ ନେଇନଥିଲେ ଓ ତାଙ୍କ ଜମି ବାବଦ ଅର୍ଥ ସରକାରୀ ଟ୍ରେଜେରିରେ ଜମା ଅଛି, ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଲେଣି। ନା ସେମାନେ ଏ ଜମି ଉପରେ କୌଣସି ବୀମା ସୁବିଧା ପାଉଛନ୍ତି ନା ଅନ୍ୟ କିଛି। ଏହି ଜମିର ମୂଲ୍ୟ ଏବେ ଅମୂଲ୍ୟ। ବିକାଶ କାରଣରୁ ଜମିର ମୂଲ୍ୟ ବହୁଗୁଣିତ ହେଲାଣି। ହେଲେ ସେମାନଙ୍କ ଭାଗ୍ୟ ସରକାରୀ ଫାଇଲ ଓ ମାମଲାର ରାୟ ଭିତରେ ରୁନ୍ଧି ହୋଇ ରହିଛି। ସେମାନଙ୍କ କଥା ସମସ୍ତେ ଭୁଲିଗଲେଣି, ପୁରୀ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ବି।

ଏହି ମାମଲା ସହିତ ଆଉ ଏକ ସଙ୍ଗିନ୍ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ତତ୍କାଳୀନ ଲୋକପାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଙ୍ଗୁଠି ଦେଖାଇଥିଲେ। କେଉଁ ପରିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ବଦଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ଖୋଲିଲା,  କାହା ସ୍ବାର୍ଥରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାତ୍ରାଧିକ ଉତ୍ସାହ ପ୍ରଦର୍ଶନ କରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଲୋକପାଳଙ୍କ ରିପୋର୍ଟ ରାଜଭବନରେ ପହଞ୍ଚିବା ପରେ ଏ ନେଇ ରାଜ୍ୟପାଳ ଖୋଳତାଡ କଲେ। ସରକାରଙ୍କୁ ଏହା ଉପରେ ଜବାବ ମଗାଗଲା।

ହେଲେ କୋଳାହଳ ଭିତରେ ଏ ପ୍ରସଙ୍ଗଟି ବି ଏବେ ହଜିଯାଇଛି। ରାଜ୍ୟପାଳ ବେଦାନ୍ତ ବିଶ୍ବବିଦ୍ୟାଳୟ ଫାଇଲକୁ ଧରି ରଖିବା ଭଳି ଏହି ପ୍ରସଙ୍ଗରେ ବି କଣ ଚୂଡାନ୍ତ ପଦକ୍ଷେପ ନେଲେ, ତାହା ରାଜ୍ୟବାସୀ ଜାଣିପାରିଲେ ନାହିଁ। ବରଂ ଏୟା ହେଲା, ସେ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ବିଜୟ କୁମାର ପଟ୍ଟନାୟକ ମୁଖ୍ୟଶାସନ ସଚିବ ଭାବେ ଅବସର ପରେ ପ୍ରଥମେ କିଛି ଦିନ ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ପଦରେ ରହିଲେ। ସେଠାରୁ ଇସ୍ତଫା ଦେଇ ରାଜ୍ୟ ମାନବାଧିକାର କମିସନର  ସଦସ୍ୟ ଭାବେ ଯୋଗଦେଲେ। ସେ ପଦବିକୁ ତ୍ୟାଗ କରି ସେ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗ ପରେ ଛାଡିଦେଲେ। ସେତେବେଳେ ବି କୁହାଗଲା ଯେ ଶ୍ରୀ ପଟ୍ଟନାୟକ ଭୁବନେଶ୍ବରରେ ଅଫିସ ଖୋଲି ଅନୀଲ ଅଗ୍ରଵାଲ ଫାଉଣ୍ତେସନ ଅଧୀନସ୍ଥ ବିଶ୍ବବିଦ୍ୟାଳୟ ଓ ସ୍ମାର୍ଟ ସିଟି କାର୍ଯ୍ୟ ତଦାରଖ କରିବେ। ଶ୍ରୀ ପଟ୍ଟନାୟକ ସଂପର୍କ ଛିନ୍ନ କରିସାରିବା ପରେ ଏବେ ସେ ସଂପର୍କରେ ଆଉ କିଏ କହିବ?

ଏହି ପ୍ରକଳ୍ପକୁ କେବଳ ବେଦାନ୍ତ ବିଶ୍ବବିଦ୍ୟାଳୟ ସ˚ଘର୍ଷ ସମିତି ବିରୋଧ କରିଥିଲା ତା ନୁହେଁ, କ˚ଗ୍ରେସ ଓ ବିଜେପି ମଧ୍ୟ ବିରୋଧ କରିଥିଲେ। ବିଜେପି ନେତା ଚନ୍ଦନ ମିତ୍ର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତତ୍କାଳୀନ ବିଜେପି ରାଜ୍ୟ ସଭାପତି କନକ ବର୍ଧନ ସି˚ହଦେଓ ପ୍ରମୁଖ ସେ ସମୟରେ ପୁରୀ ଯାଇ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏବେ କିନ୍ତୁ ସମସ୍ତେ ଚୁପ୍।

ଏହି ବିଶ୍ବବିଦ୍ୟାଳୟ ହେଉ ବା ନ ହେଉ। କିନ୍ତୁ ସମୁଦାୟ ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇବାରେ ଅସୁବିଧା କଣ ଅଛି?

Leave A Reply

Your email address will not be published.