ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଗୋଟି ଚଳାଇଲେ ନବୀନ: ବିଜେପିରେ କମ୍ପନ, କଂଗ୍ରେସରେ ବି

0

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜ୍ଞ କପିଲ ଶିବଲଙ୍କ ଜନ୍ମଦିନରେ ନୂଆଦିଲ୍ଲୀରେ ଅନୁ୍ଷ୍ଠିତ ରାତ୍ରିଭୋଜନ ରାଜନୀତି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। କିଛି ଦିନ ତଳେ ଗାନ୍ଧୀ ପରିବାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଶ୍ରୀ ଶିବଲଙ୍କ ଘରେ ଏହି ଭୋଜିର ଗୁରୁତ୍ବ ଜାତୀୟ ରାଜନୀତି ପାଇଁ ଅଲଗା। କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଏହି ନୈଶ୍ୟ ଭୋଜି ସବୁଠାରୁ ଅଧିକ ତାତ୍ପର୍ଯ୍ୟ ରଖେ। ଏହି ଭୋଜିରେ ବିଜେଡିର ଦୁଇ ସାଂସଦ ପିନାକୀ ମିଶ୍ର ଏବଂ ଅମର ପଟ୍ଟନାୟକଙ୍କର ଯୋଗଦାନ ରାଜ୍ୟ ରାଜନୀତି ପାଇଁ ବହୁତ ବଡ ସଙ୍କେତ ଦେଉଛି।

ଏକଥା ସମସ୍ତେ ମାନିବାକୁ ବାଧ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ସଙ୍କେତରେ ଏହି ନେତାମାନେ ଯାଇନଥିବେ। ବିଜେଡି ଭିତରେ ସେତିକି ଅନୁଶାସନ ତ ନିଶ୍ଚିତ ଅଛି। ହେଲେ ଏମାନଙ୍କ ଯୋଗଦାନକୁ ନେଇ ପ୍ରଶ୍ନ ଉଠୁଛି ଏଇଥିପାଇଁ ଯେ ନୂଆଦିଲ୍ଲୀରେ ଗତ ବର୍ଷମାନଙ୍କରେ ହୋଇଥିବା ଅନେକ ଭୋଜି ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଆସିଥିବା ବିଜେଡି ହଠାତ୍ ଦଳର ଦୁଇ ସାଂସଦଙ୍କୁ କାହିଁକି ଶିବଲଙ୍କ ଘରକୁ ପଠାଇଲା? ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିକୁ ନବୀନ ଏହାଦ୍ବାରା କି ସଙ୍କେତ ଦେଲେ? କଂଗ୍ରେସ ରାଜନୀତି ଠାରୁ ଯୋଜନ ଯୋଜନ ଦୂରରେ ରହୁଥିବା ବିଜେଡି ହଠାତ୍ ନିଜ ସାଂସଦଙ୍କୁ କଂଗ୍ରେସ ନିକଟତର ହେବା ପାଇଁ ସୁଯୋଗ ଦେବା ପଛରେ କି ରହସ୍ୟ ଲୁଚି ରହିଛି? ବିଜେଡି ରଣକୌଶଳ ବଦଳାଇ ଦେଲା କି?

କଂଗ୍ରେସ ଭୋଟ ବ୍ୟାଙ୍କ ବିରୋଧ ରାଜନୀତିରୁ ପ୍ରଥମେ ଜନତା ଦଳ ଏବଂ ପରେ ବିଜେଡିର ଜନ୍ମ। ଏବେ ବିଜେଡିରେ ଥିବା ଅଧିକାଂଶ ନେତା ଜନତା ଦଳରେ ଥିଲେ। କିଛି ଅଣକଂଗ୍ରେସ ରାଜନୀତି ପାଇଁ ବିଜେପିକୁ ଯାଇଛନ୍ତି, କିନ୍ତୁ ସଂଖ୍ୟାଧିକ ଏବେ ବି ବିଜେଡିରେ। ବିଜେଡି ବାହାରେ କିଛି ନେତା ଏମିତି ଅଛନ୍ତି; ଯେଉଁମାନେ ଏଭଳି ଭାବେ ଅଣକଂଗ୍ରେସ ରାଜନୀତିକୁ ନିୟନ୍ତ୍ରଣ କରିଥିଲେ ଯେ ସେମାନଙ୍କର କଂଗ୍ରେସ ଯୋଗଦାନ ତାଙ୍କର ରାଜନୀତିରେ ପୂର୍ଣ୍ଣଛେଦ ଟାଣିଦେଇପାରେ। ଯେମିତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର।

ଏହି କଥା କହିବାର ଉଦ୍ଦେଶ୍ୟ ହେଉଛି, କଂଗ୍ରେସ-ଜନତା ଦଳ ଏବଂ କଂଗ୍ରେସ-ବିଜେଡିର ସମୀକରଣ ରାଜ୍ୟ ରାଜନୀତିରେ ଏମିତି ହିଁ ଥିଲା। ଆହୁରି ଟିକେ ସ୍ପଷ୍ଟ କରି କହିଲେ, ବିଜେପି ହାତ ଧରି ଏକଦା ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲା ବିଜେଡି। କ୍ଷମତାକୁ ଆସିଥିଲା। ଏଣୁ ବିଜେପି ସହିତ ଦଳର ନେତାମାନେ ନିକଟତର ହେବା ଘଟଣାକୁ ଅନେକ ଆଜି ପର୍ଯ୍ୟନ୍ତ ହାଲକା ଭାବେ ନେଇ ଆସିଛନ୍ତି, ଯଦିଓ ଉଭୟ ଏବେ ପରସ୍ପରର ବିରୋଧୀ ବୋଲି ଦାବି କରୁଛନ୍ତି।

ଏହି ପୃଷ୍ଠଭୂମିରେ ବିଜେଡି ଓଡ଼ିଶାରେ ରାଜନୀତି କରୁଛି।ଯେମିତିକି- ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଥିଲା ବୋଲି ୨୦୦୪ ମସିହାରେ ଯେବେ ଉପା କ୍ଷମତାକୁ ଆସିଲା, ଅନେକ ଦଳ ପାର୍ଶ୍ବ ପରିବର୍ତ୍ତନ କରିଥିଲେ ବି ନବୀନ ଏଥିରୁ ଦୂରେଇ ରହିଥିଲେ। ହେଲେ ୨୦୦୯ରେ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ପରେ କଂଗ୍ରେସ କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ଜୀବନ୍ୟାସ ଦେଇଥିଲା। ସେବେ ନବୀନ ସରକାର ପତନ କରିବାର କ୍ଷମତା କଂଗ୍ରେସର ଥିଲା। ରାଷ୍ଟ୍ରପତି ଶାସନ ଜାରି ହୋଇପାରିଥାନ୍ତା। ହେଲେ ସେମିତି ହେଲାନି। କେନ୍ଦ୍ରର କଂଗ୍ରେସ ନେତାମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ଯେବେ ଏହି ଘଟଣା ଘଟିଲା, ସେବେ କୁହାଯାଉଥିଲା ଯେ ନବୀନ-ସୋନିଆ ବି ପରସ୍ପର ଠାରୁ ଦୂରରେ ନାହାନ୍ତି।

ଏହା ସତ୍ତ୍ବେ ୨୦୦୯ରେ ନବୀନ ତାଙ୍କ ଆଭିମୁଖ୍ୟ ପରିବର୍ତ୍ତନ କରିନଥିଲେ। ବରଂ କଂଗ୍ରେସ ଠାରୁ ଦୂରେଇ ରହିଥିଲେ। ୨୦୧୪ରେ ଯେବେ ରାଜ୍ୟ ରାଜନୀତିରେ ବିଜେପି କଂଗ୍ରେସ ଠାରୁ ଅଧିକ ସକ୍ରିୟ ହେଲା, ସେବେ ବି ନବୀନ ଆଉ କେନ୍ଦ୍ରରେ ମେଣ୍ଟ ସରକାରକୁ ସମର୍ଥନ କଲେ ନାହିଁ। ବରଂ ସମଦ୍ବରତ୍ବ ଫର୍ମୁଲା କହି ବିଜେପି ନେତୃତ୍ବାଧୀନ ମୋଦୀ ସରକାରଠାରୁ ଦୂରରେ ରହିଲେ।

ଯଦିଓ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ମୋଦୀ ସରକାରଙ୍କ ବହୁ ବିବାଦୀୟ ଓ ବିତର୍କ ଭିତରେ ଥିବା ବିଲକୁ ବିଜେଡି ସମର୍ଥନ ଦେଇଛି, ଓଡ଼ିଶାରେ ଉଭୟ ମିଶି ରାଜ୍ୟସଭାକୁ ପ୍ରାର୍ଥୀ ପଠାଇଛନ୍ତି, ତଥାପି ସୁବିଧା ଦେଖି ଉଭୟ ଉଭୟଙ୍କ ସହିତ କିଛି କ୍ଷେତ୍ରରେ ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ବିଜେପି ଗୋଟିଏ କ୍ଷେତ୍ରରେ ତ ନିଶ୍ଚିତ ବିଜେଡିକୁ ଧନ୍ୟବାଦ ଦେବାକୁ ବାଧ୍ୟ ଯେ ଓଡ଼ିଶାରେ କଂଗ୍ରେସକୁ ଏକ ଅଙ୍କରେ ପରିଣତ କରିବାରେ ନବୀନଙ୍କର ହିଁ କେବଳ ଭୂମିକା ରହିଛି। ବିଜେପି ଚାହିଁଥିଲେ ଏକଥା କେବେ କରିପାରିନଥାନ୍ତା।

କିନ୍ତୁ, ହଠାତ୍ ଏମିତି କଣ ହେଲା ଯେ ନବୀନ ଜାତୀୟ ରାଜନୀତିରେ ଏକ ବଡ଼ ବିତର୍କକୁ ଓହ୍ଲାଇଗଲେ? ହଠାତ୍ ରାଜନୀତିରେ ୟୁ ଟର୍ଣ୍ଣ ମାରିଲେ? ଜାତୀୟ ରାଜନୀତିରେ ବିରୋଧୀ ଭୋଟକୁ ଏକାଠି କରିବା ଲାଗି ଯେଉଁ ନୂଆ ଗୋଟିଚାଳନା ଆରମ୍ଭ ହୋଇଛି, ସେଥିରେ ବିଜେଡି ଲମ୍ଫ ମାରିବା ପଛରେ କି ରାଜନୀତି ଅଛି?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଦିଲ୍ଲୀ ଗସ୍ତରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଭଲ ବନ୍ଧୁତା ରହିଛି। ଆଜି ନବୀନ ତାଙ୍କ ସହିତ ନାହାନ୍ତି ଅର୍ଥ ନୁହେଁ ଯେ ସେ ଭବିଷ୍ୟତରେ ରହିବେ ନାହିଁ। ଏହି କଥା କହିବାର ସପ୍ତାହେ ପୂରିନି, ଶିବଲଙ୍କ ଭୋଜିରେ ବିଜେଡିର ଯୋଗଦାନ ସଙ୍କେତ ଦେଉଛି ଯେ ବୋଧହୁଏ ମମତା ପୂର୍ବରୁ କିଛି ଗୋଟିଚାଳନା କରି ଏମିତି କହିଥିଲେ। ଅଥବା ମମତାଙ୍କ ମାନସିକତା ପାଖାପାଖି ବିଜେଡି ରହିଛି।

ଏହି ଘଟଣା ସବୁଠାରୁ ବଡ ବାର୍ତ୍ତା ଦେଇଛି ବିଜେପିକୁ। ବିଜେଡିର ପଦକ୍ଷେପ ଜଣାଇ ଦେଇଛି ଯେ ବିଜେପି ବେଶୀ ହଲଚଲ ହେଲେ, ସେମାନେ ଓଡ଼ିଶା ଓ ଦିଲ୍ଲୀରେ କଂଗ୍ରେସ ସାଙ୍ଗରେ ରହିଯିବେ। ଆହୁରି ସରଳ ଭାଷାରେ କହିଲେ, କଂଗ୍ରେସ କ୍ୟାମ୍ପସ୍ ବିଜେଡି ଠାରୁ ଦୂରରେ ନାହିଁ, ଏକଥା ନବୀନ ବିଜେପି କେନ୍ଦ୍ରୀୟ ନେତାଙ୍କୁ ପୁଣି ଥରେ ଜଣାଇ ଦେଇଛନ୍ତି। ସଂପ୍ରତି ଜାତୀୟ ରାଜନୀତିରେ ବିଜେଡି, ଟିଆର୍‌ଏସ୍, ଜଗନମୋହନ ରେଡ୍ଡିଙ୍କ ଦଳର ସମର୍ଥନ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ରାଷ୍ଟ୍ରପତି ନିର୍ବାଚନରେ ଏମାନେ ୯ ପ୍ରତିଶତ ଭୋଟ ରଖିଛନ୍ତି। ଯଦି ଉତ୍ତରପ୍ରଦେଶରେ ବିଜେପି ଭଲ ନ କରେ, ତେବେ ଏହି ତିନି ଦଳ କେନ୍ଦ୍ର ସରକାର ପାଇଁ ସଂଜୀବନୀ ହେବେ। ଏବେ ବିଜେଡିର ପରିବର୍ତ୍ତିତ କୌଶଳରେ ବିଜେପି କି ଆଭିମୁଖ୍ୟ ରଖିବ, ତାହା ଦେଖିବା କଥା।

ରାଜନୀତି ରଣନୀତିକାରଙ୍କର କହିବା କଥା, ନବୀନଙ୍କର ଏହି ପଦକ୍ଷେପ ଏବେ ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଇପାରେ। ବାସ୍ତବରେ ବିଜେଡି ଠାରୁ ବିଜେଡି ଦୂରେଇ ଗଲା, ସେକଥା ନୁହେଁ। ସେହିଭଳି ଏହାଦ୍ବାରା କଂଗ୍ରେସର ରାଜ୍ୟ ବା ଶୀର୍ଷ ନେତୃତ୍ବ କେତେ ଲାଭବାନ୍ ହେବେ ତାହା ବି ନବୀନଙ୍କ ପାଇଁ ବହୁତ ଗୁରୁତ୍ବ ରଖେନାହିଁ। ଅସଲ କଥା ହେଲା, ପଞ୍ଚାୟତ ଓ ପୌର ନିର୍ବାଚନ ଆଗକୁ ଥିବା ବେଳେ ନବୀନ ଜାଣିଶୁଣି ଏଭଳି ଚାଲ୍ ଖେଳିଛନ୍ତି। ଏହାଦ୍ବାରା ହତୋତ୍ସାହିତ ହୋଇ ତୃଣମୂଳସ୍ତରରେ କାମ କରୁଥିବା କଂଗ୍ରେସ କର୍ମୀଙ୍କ ମନୋବଳ ବଢିଯିବ।

ସେମାନେ ଏବେ ଭାବି ବସିବେ ଯେ ଆଗକୁ ବିଜେଡି କଂଗ୍ରେସକୁ ସାଙ୍ଗରେ ନେବ ଓ ଉଭୟ ମିଶି ବିଜେପି ବିରୋଧରେ ଏକାଠି ଲଢିବେ। ଏହାଦ୍ବାରା କଂଗ୍ରେସରୁ ବିଜେପିକୁ ଯେଉଁ ଭୋଟ ସ୍ଥାନାନ୍ତରଣ ହେଉଥିଲା, ସେଥିରେ ଏକ ରୋକ୍ ଲାଗିବ। ସେହିଭଳି କଂଗ୍ରେସରୁ ବିଜେପି ଯାଇ ସେଠାରେ ଆକ୍ତାମାକ୍ତା ହୋଇ ରହିଥିବା ନେତାମାନେ ଏବେ ଘରବାହୁଡା କରିପାରନ୍ତି। ଉଭୟ ଘଟଣା ରାଜ୍ୟରେ ବିଜେପିକୁ ସଙ୍କୁଚିତ କରିବ। ଯଦି ବିଜେଡି ଅଧିକ ଆକ୍ରମଣାତ୍ମକ ଭୂମିକା ନିଏ କିମ୍ବା ରାଜ୍ୟରେ ବିଜେଡି କେବେ ବି ସଂଖ୍ୟା ଦୃଷ୍ଟିରୁ ପ୍ରଭାବିତ ହୁଏ, ନବୀନଙ୍କ ବିଜେଡି ସେବେ କଂଗ୍ରେସ କାନ୍ଧରେ ହାତ ରଖି ଆଗକୁ ବଢିଯାଇପାରେ।

ଏବେ ଦେଖିବା, ବିଜେପି ଆଗକୁ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛି, କଂଗ୍ରେସ ନେତାଙ୍କ ଆଚରଣରେ ନବୀନଙ୍କ ଗୋଟିଚାଳନା କେତେ ପ୍ରଭାବ ପକାଉଛି?

Leave A Reply

Your email address will not be published.