ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ନବୀନଙ୍କ କାର୍ଡ ବଦଳାଇବ କି ଭୋଟ ଗଣିତ?

0

୧୨୭ତମ ସମ୍ବିଧାନ ସଂଶୋଧନ ପରେ ନୂଆ କାର୍ଡ ଖେଳିଲେ ନବୀନ

ତୁରନ୍ତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଯେ କୌଣସି ମୁହୂର୍ତରେ ବିଜେଡି ସାଂସଦ ଅମିତ ଶାହଙ୍କୁ ଭେଟିବେ

୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଲାଗି ଦାବି ଜୋରଦାର କରିବ ଓଡ଼ିଶା

ଭୁବନେଶ୍ବର: ବିନା ବିରୋଧରେ ଓବିସି ବିଲ୍ ମଙ୍ଗଳବାର ସଂସଦରେ ଅନୁମୋଦନ ଲାଭ କରିଛି। ରାଜ୍ୟମାନଙ୍କୁ ତାଲିକା ପ୍ରସ୍ତୁତି କ୍ଷମତା ଦେଇଛି ସଂସଦ। ରାଜ୍ୟମାନେ ଓବିସି ତାଲିକା ପ୍ରସ୍ତୁତ କରିବାରେ ସ୍ବାଧୀନତା ପାଇଛନ୍ତି। ଆଶା କରିବା ଅମୂଳକ ହେବ ନାହିଁ ଯେ ଏବେ କେହି ସାମାଜିକ ତଥା ଆର୍ଥିକ ନ୍ୟାୟରୁ ବଞ୍ଚିତ ହେବେ ନାହିଁ।

୨୦୧୮ ମସିହାରେ ବିଜେଡି ଏହି ପ୍ରସଙ୍ଗ ଉଠାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମୟରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ଓ ତତ୍କାଳୀନ ବିଜେଡି ସଂସଦୀୟ ନେତା ଭର୍ତ୍ତୃହରି ମହତାବ ସଂସଦର ପଟ୍ଟଳ ଉପରେ ଏହି ପ୍ରସଙ୍ଗ ଉଠାଇବା ବେଳେ ବିଜେପି ନେତାମାନେ ତତ୍କାଳ ଏହାକୁ ସମର୍ଥନ କରିନଥିଲେ। ବିଳମ୍ବରେ ହେଲେ ବି କେନ୍ଦ୍ର ସରକାର ତାଙ୍କ ତ୍ରୁଟି ସଂଶୋଧନ କରି ନେଇଛନ୍ତି।

ଏହା ଓଡ଼ିଶା ସମେତ ପ୍ରାୟ ସବୁ ରାଜ୍ୟ ସରକାରମାନଙ୍କୁ ଲାଭ ଦେବ। ହେଲେ ଓଡ଼ିଶା କ୍ଷେତ୍ରରେ ଅସଲ ରାଜନୀତି କିନ୍ତୁ ସେଠି ନାହିଁ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଯେଉଁ ମୁହୂର୍ତରେ ସଂସଦରେ ଏହି ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଅନୁମୋଦନ ଲାଭ କଲା, ତାର ଠିକ୍ ପରବର୍ତ୍ତୀ କ୍ଷଣରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଭିନ୍ନ ଏକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖାଯାଇଛି। ଏଥିରେ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଲାଗି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଆଜି ଯେ କୌଣସି ମୁହୂର୍ତରେ ବିଜେଡି ସାଂସଦମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏ ସଂପର୍କରେ ବିଧିବଦ୍ଧ ଭାବେ ଦାବି ରଖିବେ।

ଏହି ଖେଳ ଆଗକୁ ଓଡ଼ିଶାରେ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିବ। ଯେଉଁ ରାଜନୈତିକ ଦଳ ଏଥିରୁ ଯେତେ ଅଧିକ ଫାଇଦା ନେବେ, ସିଏ ଆଗକୁ ଓଡ଼ିଶାରେ ତାଙ୍କର ପକ୍ଷକୁ ସେତିକି ସୁଦୃଢ କରିବେ।

ଓଡ଼ିଶା ଭଳି ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଆଦି ବିଭିନ୍ନ ବର୍ଗକୁ ମିଶିଲେ ପାଖାପାଖି ୩୯ ପ୍ରତିଶତ ସଂରକ୍ଷଣ ସୀମା ଟପିଯାଉଛି। ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କେମିତି ଦିଆଯିବ? ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ସର୍ବୋଚ୍ଚ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ଏଣୁ ଓଡ଼ିଶା ଭଳି ରାଜ୍ୟରେ ମାତ୍ର ୧୧ ପ୍ରତିଶତ ଓବିସି ଲାଭ ପାଇପାରିବେ।

ଏକଥା ସତ ଯେ ଏତିକି ବି ସଂରକ୍ଷଣ ପଛୁଆ ବର୍ଗ ପାଇଁ ନିଯୁକ୍ତିରେ ନା ଅନ୍ୟ କେଉଁଠାରେ ଧାର୍ଯ୍ୟ କରାଯାଇନାହିଁ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ସଂରକ୍ଷଣ କ୍ଷେତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି, ଯେଉଁମାନେ କ୍ରିମି ଲେୟର ବର୍ଗର ବା ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ, ସେମାନେ ଏହି ତାଲିକାରେ ରହିପାରିବେ ନାହିଁ। ପ୍ରତି ତିନିବର୍ଷରେ ଏସବୁ ଚୟନ ହେବା କଥା। ହେଲେ ଓଡ଼ିଶା ଏକଥା କରିନି କି ଅନ୍ୟ ରାଜ୍ୟମାନେ ବି। ଏହାଫଳରେ ଓବିସିରେ ରହିଥିବା ପ୍ରଭାବାଶାଳୀ ଗୋଷ୍ଠୀଙ୍କ ପାଇଁ ଅନେକ ଯୋଗ୍ୟ ବାଦ୍ ପଡୁଛନ୍ତି।

ମଙ୍ଗଳବାର ଯେବେ ସଂସଦରେ ଓବିସି ସଂଶୋଧନ ବିଲ୍ ଆଲୋଚନା ହେଉଥିଲା, ସେବେ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି କରାଯାଇଥିଲା। ଶିବସେନା ସାଂସଦମାନେ ଏକଥା ଉଠାଇଥିଲେ। ବିଜେଡି ବି ଏଥିରେ ସାମିଲ ହୋଇଥିଲା। କିନ୍ତୁ ବିଜେଡିର ଉପସ୍ଥାନ ଏତେ ନଗଣ୍ୟ ଥିଲା ଯେ ସ୍ବର ନିଷ୍ପ୍ରଭ ମନେ ହୋଇଥିଲା। ଆଜି ବିଜେଡି ସାଂସଦମାନେ ଏହି ପ୍ରସଙ୍ଗ କେନ୍ଦ୍ର ସାମ୍ନାରେ ରଖିଲେ ବି ଏକଥା ସ୍ପଷ୍ଟ ଯେ ବିଶେଷ କିଛି ନ୍ୟାୟ ମିଳିବାର ନାହିଁ। କାରଣ, ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚର ଏହି ନିଷ୍ପତ୍ତିକୁ ବଦଳାଇବା ଲାଗି କେନ୍ଦ୍ର ସରକାର ଆଉଥରେ ଆବେଦନ କରିବା ସମ୍ଭାବନା କ୍ଷୀଣ।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ବିଜେଡି ଏହି ନୂଆ କାର୍ଡ ଧରି ଧୀରେ ଧୀରେ ଆଗକୁ ବଢୁଛି। ସେବେ କ୍ୟାବିନେଟରେ ନବୀନ ଗୋଟିଏ ସଂକଳ୍ପ ପାରିତ କରିଥିଲେ। ଜନଗଣନା ପ୍ରକ୍ରିୟାରେ ସାମିଲ କରି ଓବିସି ଓ ଏସଇବିସି ବର୍ଗଙ୍କ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ଓ ଏହାକୁ ଆଧାର କରି ସେମାନଙ୍କ ବିକାଶ ପାଇଁ ନକ୍ସା ଆଙ୍କିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ବିଜେଡିର ଦାବି ହେଉଛି, ଜନଗଣନା ତାଲିକାରେ ଆଉ ଗୋଟିଏ ସ୍ତମ୍ଭ ଯୋଡି ଦିଆଯାଉ। ସେଥିରେ ଜାତି ସଂପର୍କରେ ଲେଖାଗଲେ, ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଯିବ। ଏହି ପ୍ରସଙ୍ଗରେ ତତ୍କାଳୀନ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ବି ଚିଠି ଲେଖିଥିଲେ।

ରାଜ୍ୟ ସରକାରଙ୍କ ଯୁକ୍ତି ଥିଲା, ଆନୁଷ୍ଠାନିକ ଭାବେ ଜାତି ଭିତ୍ତିକ ଜନଗଣନା ଶେଷ ଥର ପାଇଁ ରାଜ୍ୟରେ ୧୯୩୧ ମସିହାରେ ହୋଇଥିଲା। ଏବେ ଅବିକଳ ପରିସଂଖ୍ୟାନର ଅଭାବ ରହିଛି। ପଛୁଆ ବର୍ଗର ବିକାଶକୁ ରାଜ୍ୟ ସରକାର ସର୍ବାଦୌ ଗୁରୁତ୍ବ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ସହିତ ୨୦୨୧ ଜନଗଣନା ବେଳେ ଏସ୍‌ଇବିସି ଓ ଓବିସି ବର୍ଗଙ୍କ ଗଣନା ସଂପର୍କରେ ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ୍ ବୋଲି ତତ୍କାଳୀନ ମୁଖ୍ୟଶାସନ ସଚିବ ସେବେ ନିବେଦନ କରିଥିଲେ। ଇତିମଧ୍ୟରେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିସାରିଛନ୍ତି ଓ ବିଜେଡି ସରକାର ମଧ୍ୟ ଚୁପ୍ ବସିନାହାନ୍ତି। ଓବିସି କମିସନ ଗଠନ କରି ପଛୁଆ ବର୍ଗଙ୍କ ଗଣତି ଦାୟିତ୍ବ ତାଙ୍କୁ ଦେଇଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ୨୦୨୧ ଜନଗଣନା ସହିତ ରାଜ୍ୟର ଏସଇବିସି ବର୍ଗ ଅନ୍ତଭୃକ୍ତ ଜାତି ଗୁଡିକର ଗଣନା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସମସ୍ତେ ଜାଣିବା କଥା ଯେ ୨୦୯ଟି ଜାତିବିଶେଷ ରାଜ୍ୟରେ ଏସଇବିସି ବର୍ଗ ଐତିହାସିକ ଭାବେ ଦାରିଦ୍ୟ ଓ ଅଶିକ୍ଷାର ପୀଡିତ ଅଛନ୍ତି। ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ।ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ବି ଓଡିଶା ସରକାର ଏହା ନିଷ୍ଠାର ସହ ପାଳନ କରିପାରିନାହାନ୍ତି। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଏହା ଲାଗୁ ହୋଇପାରିନାହିଁ। ନବୀନ ପଟ୍ଟନାୟକ ଏକଥା ଜାଣିନାହାନ୍ତି ତା ନୁହେଁ। ଏହାର ଅନୁପାଳନ ପାଇଁ ବି ଉଦ୍ୟମ ଚାଲିଛି ବୋଲି ଏବେ ଏହି ପ୍ରସଙ୍ଗଟି ରାଜନୀତିର ମୁଖ୍ୟ ବିନ୍ଦୁ ପାଲଟିଯାଇଛି। ବିଶେଷକରି ପଞ୍ଚାୟତ ଓ ପୌର ନିର୍ବାଚନରେ ଏହା ଗୋଟିଏ ବଡ଼ କାର୍ଡ ହେବ।

ସେପଟେ ବିଜେପିର ଯୁକ୍ତି ହେଉଛି, ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୂନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଛନ୍ତି। କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତାମିଲନାଡୁରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ରହିଛି। ମାତ୍ର ଓଡିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଞ୍ଚିତ ଅଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି। ପୂର୍ବରୁ ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ବିଜେଡିର କହିବା କଥା ହେଉଛି, ଯଦି ବିଜେପିର ଏହି ବର୍ଗଙ୍କ ବିକାଶ ପ୍ରତି କୌଣସି ପ୍ରତିବଦ୍ଧତା ଥାଏ, ତେବେ ୨୦୧୧ରେ ହୋଇଥିବା ଜାତିଭିତ୍ତିକ ଜନଗଣନା ପରିସଂଖ୍ୟାନ ପ୍ରକାଶ କରିବା ଆବଶ୍ୟକ। କେନ୍ଦ୍ର ସରକାର ୨୦୧୧ର ଜାତିଭିତ୍ତିକ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କଲେ ଓଡ଼ିଶା ସରକାର ସେହି ଆଧାରରେ ଏହି ବର୍ଗକୁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରିବେ। ଯଦି ପଛୁଆ ବର୍ଗଙ୍କ ପ୍ରତି ବିଜେପିର କୌଣସି ପ୍ରତିବଦ୍ଧତା ରହିଛି, ତେବେ ୨୦୨୦ ଜନଗଣନାରେ ଜାତି ଭିତ୍ତିକ ଗଣନା ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଗ୍ରହଣ କରିଥାନ୍ତେ। ସେମାନେ ଏମିତି କଲେନି କାହିଁକି?

ଉଲ୍ଲେଖଥାଉକି, ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ ପାଇସାରିଛି। ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ତେବେ ସେ ଯାହା ହେଉ, ଅନ୍ୟ ରାଜ୍ୟ ପାଇଁ ଓବିସି ପ୍ରସଙ୍ଗ କେତେ ଲାଭଦାୟକ ହେବ, ତାହା ଅଲଗା କଥା ଓଡ଼ିଶା ରାଜନୀତିରେ କିନ୍ତୁ ଭୋଟ ଗଣିତ ଏହା ବଦଳାଇ ଦେବା ନିଶ୍ଚିତ।

Leave A Reply

Your email address will not be published.