ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

କଣ୍ଟ ପୂରିଗଲା, ଟାସ୍କଫୋର୍ସ ରିପୋର୍ଟ ଆସୁନି କାହିଁକି?

0
  • ମଣିଷ-ବନ୍ୟଜନ୍ତୁ ସଂଘର୍ଷକୁ ଗୁରୁତ୍ବ ଦେଇ ଟାସ୍କଫୋର୍ସ କରିଥିଲେ ରାଜ୍ୟ ସରକାର
  • ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ନେତୃତ୍ବରେ ୧୮ଜଣିଆ ଟାସ୍କଫୋର୍ସ ହୋଇଥିଲା
  • ୬ସପ୍ତାହ ମଧ୍ୟରେ ମାଷ୍ଟରପ୍ଲାନ୍ କରି ସରକାରଙ୍କୁ ଦେବା କଥା କୁହାଯାଇଥିଲା
  • ଏବେ ବି ଅଧପନ୍ତରିଆ ୩ବର୍ଷରେ ଏ ସଂକ୍ରାନ୍ତ ମାମଲା କମାଇବାକୁ ଲକ୍ଷ୍ୟ ଥିଲା

ଭୁବନେଶ୍ବର: ମଣିଷ ଏବଂ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ କମାଇବା ଉଦ୍ଦେଶ୍ୟରେ ୨୦୨୦ ମସିହାରେ ରାଜ୍ୟ ସରକାର ଗୋଟିଏ ଟାସ୍କଫୋର୍ସ ଗଠନ କରିଥିଲେ। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏହି ଟାସ୍କଫୋର୍ସରେ ୧୮ ଜଣ ସଦସ୍ୟ ଥିଲେ। ରାଜ୍ୟ ସରକାର ଏହି ଟାସ୍କଫୋର୍ସକୁ ୬ସପ୍ତାହ ସମୟ ଦେଇଥିଲେ। ୬ ସପ୍ତାହ ତ ଦୂରର କଥା, ଇତିମଧ୍ୟରେ ୬ମାସ ବିତିଗଲାଣି, ଏହି ଟାସ୍କଫୋର୍ସ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇପାରିନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ମଣିଷ-ବନ୍ୟପ୍ରାଣୀ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାର ଏହି ଟାସ୍କଫୋର୍ସ ଗଠନ କରି ସମୁଦାୟ ପ୍ରସଙ୍ଗକୁ ଆଖି ବୁଜିଦେଇଛନ୍ତି। କାହିଁକି ଏହି ଟାସ୍କଫୋର୍ସ ରିପୋର୍ଟ ଦେଇପାରୁନି, କେଉଁ ସ୍ତରରେ ସମସ୍ୟା ରହିଛି, ସେ ସଂପର୍କରେ ମଧ୍ୟ ଠୋସ୍ ଅନୁଧ୍ୟାନ ହେଉନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଟାସ୍କଫୋର୍ସ ଗଠନ ବେଳେ ବିଦ୍ୟୁତ କ୍ଷେତ୍ରକୁ ପ୍ରତିନିଧିତ୍ବ କରିବା ଲାଗି ସେ ସମୟରେ ସେସୁ, ଓ୍ବେସ୍କୋ, ନେସ୍କାେ, ସାଉଥ୍‌କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏବେ ରାଜ୍ୟର ସମସ୍ତ ଚାରିଟି ଯାକ ବଣ୍ଟନ କଂପାନିର ମାଲିକାନା ବଦଳିଯାଇଛି। ଟାଟା ପାଓ୍ବାର ଏବେ ଏସବୁର ରକ୍ଷଣାବେକ୍ଷଣ କରୁଛନ୍ତି। ଏପରିସ୍ଥଳେ ଟାସ୍କଫୋର୍ସ ଟାଟା ଅଧିକାରୀଙ୍କୁ ସାମିଲ କରାଯାଇଛି ନା ନାହିଁ? ଏ ସଂକ୍ରାନ୍ତରେ ସାନି ନିର୍ଦେଶନାମା ପ୍ରକାଶ ପାଇଛ ତ? ଏମିତି ଅନେକ ପ୍ରଶ୍ନ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କରୁଛି।

ବନ୍ୟପ୍ରାଣୀ-ମଣିଷ ମୁହାଁମୁହିଁ ହେବା ଓ ବିଭିନ୍ନ ବନ୍ୟପ୍ରାଣୀ ପ୍ରାଣ ହରାଇବା ଘଟଣାକୁ ଅତି ଗୁରୁତ୍ବର ସହିତ ନେଇ ରାଜ୍ୟ ସରକାର ଏହି ଟାସ୍କଫୋର୍ସ ଗଠନ କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଗଣମାଧ୍ୟମକୁ କହିଥିଲେ ଯେ ମାନବ-ପଶୁ ସଂଘର୍ଷକୁ ଯଥାସମ୍ଭବ କମାଇବା ପାଇଁ ସୁଚିନ୍ତିତ ପଦକ୍ଷେପ ନେବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏ ଦିଗରେ ଅର୍ଥରାଶି ଯୋଜନାବଦ୍ଧ ଓ ସମୟୋଜିତ ଢଙ୍ଗରେ ବିନିଯୋଗ ହେବା ଜରୁରୀ ହୋଇପଡିଛି। କାମ୍ପା, ମହାତ୍ମା ଗାନ୍ଧୀ ନରେଗା, ଡିଏମ୍‌ଏଫ୍‌ ଆଦି ପାଣ୍ଠିରୁ ଏ ଦିଗରେ ଖର୍ଚ୍ଚ ହେଉଥିବା କାର୍ଯ୍ୟକ୍ରମ ଅଧିକ ଫଳପ୍ରଦ ହୋଇପାରିବ। ବନ୍ୟଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳୀର ନିର୍ମାଣ ଓ ବିକାଶ, ଟ୍ରେଞ୍ଚ ଖନନ ଓ ସୁରକ୍ଷା ପଦକ୍ଷେପ, ଆଇଇସି ଅଭିଯାନ ଆଦି ସୁରୁଖୁରୁରେ ଚାଲିପାରିବ ସେ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଏଣୁ ନିଷ୍ପତ୍ତି ହୋଇଛି, ୬ ସପ୍ତାହ ମଧ୍ୟରେ ଟାସ୍କଫୋର୍ସ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ରାଜ୍ୟ ସରକାରଙ୍କ ବିଧିବଦ୍ଧ ମଞ୍ଜୁରୀ ମିଳିବା ପରେ ଏହି ମାଷ୍ଟରପ୍ଲାନ୍‌ ଅନୁଯାୟୀ ଅର୍ଥବରାଦ କରାଯିବ ଏବଂ ଏହାକୁ ବିନିଯୋଗ କରି ଆଗାମୀ ୩ ବର୍ଷ ମଧ୍ୟରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ପାଇଁ ପଦକ୍ଷେପ ନିଆଯିବ।

ଆଜି ଦିନର ତଥ୍ୟ କହୁଛି, ଏ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତି ଏବେ ବି ତୃଣମୂଳସ୍ତରରେ ଅଟକି ରହିଛି। ସରକାର ଯେତିକି ଗୁରୁତ୍ବର ସହିତ ଏହି ଟାସ୍କଫୋର୍ସ ଗଠନ କରିଥିଲେ, ତଳସ୍ତରରେ ଅଧିକାରୀମାନେ ଏହାକୁ ସେତିକି ଗୁରୁତ୍ବ ଦେଇନାହାନ୍ତି। ପରିଣାମ ହେଲା, ଏବେ ବି ଏହି ରିପୋର୍ଟ ସରକାରଙ୍କର ହସ୍ତଗତ ହୋଇନାହିଁ ଏବଂ ତତ୍କାଳ ହସ୍ତଗତ ହେବାର ସମ୍ଭାବନା କ୍ଷୀଣ। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁ ତଥ୍ୟ ମଗାଯାଇଥିଲା, ତାହା ଏଯାଏ ଆସିନାହିଁ। ଏସବୁଥରେ ମିଳିଗଲେ, ସବୁକୁ ଏକାଠି କରି ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରାଯିବ, ପରାମର୍ଶ ନିଆଯିବ। ତା ଆଧାରରେ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯିବ।

ବନ୍ଯପ୍ରାଣୀ ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ଜଙ୍ଗଲ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଯେଭଳି ତନାଘନା କରିବା କଥା ତାହା ଦେଖାଯାଉନାହିଁ। ଜଙ୍ଗଲ ସୁରକ୍ଷା ପାଇଁ ଯେତେ ସବୁ ଆଇନ ଅଛି, ତାହାକୁ ଯଦି ସେମାନେ ଶତ ପ୍ରତିଶତ ଅନୁପାଳନ କରିପାରନ୍ତେ, ତେବେ ମଣିଷ- ବନ୍ୟପ୍ରାଣୀ ଲଢେଇ ହୁଅନ୍ତା ନାହିଁ। ଗୋଟିଏ ବଡ଼ ପ୍ରସଙ୍ଗ ଏ କ୍ଷେତ୍ରରେ ରହିଛି, ଯାହା ଉପରେ ସରକାର ଏଯାଏ ବିଶେଷ ଧ୍ୟାନ ଦେଇନାହାନ୍ତି।

ଓଡ଼ିଶାରେ କିଛି ସ୍ଥାନରେ ବାସ୍ତବରେ ଜଙ୍ଗଲ ରହିଛି, ଆଉ କିଛି ସ୍ଥାନରେ ଜଙ୍ଗଲ ଲୋପ ପାଇଗଲାଣି ଏବଂ କାଗଜପତ୍ରରେ କିନ୍ତୁ କିସମ ବଦଳିନାହିଁ। ଯେବେ ଲୋକସଂଖ୍ୟା ବଡୁଛି, ସହର, ଗାଁ, ବଜାରର ବିକାଶ ହେଉଛି, ସରକାର ଶି​ଳ୍ପାୟନକୁ ଯାଉଛନ୍ତି, ସେତେବେଳେ ଏହିସବୁ ଖାଲିସ୍ଥାନ ଉପରେ ପ୍ରଥମେ ନଜର ପଡୁଛି। ଏ ସଂକ୍ରାନ୍ତରେ କିଛି ନିର୍ଦେଶନାମା ପାଳନ ହେଉଛି, ବେଳେ ବେଳେ କିଛି ଉଲ୍ଲଂଘନ ହେଉଛି। ସେହିଭଳି ଯେବେ ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, କେଉଁଠି ରାସ୍ତା ନିର୍ମାଣ ହେଉଛି କିମ୍ବା ବିଦ୍ୟୁତ ତାର ବିଛାଯାଇ କୌଣସି ପଡାକୁ ଲାଇନ୍ ଆଦି ସଂଯୋଗ ହେଉଛି, ସେତେବେଳେ ତଳସ୍ତରରେ ଯେଭଳି ସତର୍କତା ବା ସମନ୍ବୟ ଦରକାର, ତାହା ପରିଲକ୍ଷିତ ହେଉନାହିଁ। ଯାହା ଉପରେ ସରକାର ଦୃଷ୍ଟି ଦେବାର ବେଳ ଆସିଛି।

ଏବେ ଟାସ୍କଫୋର୍ସ ତାଙ୍କ ରିପୋର୍ଟ ଦେବା ଯେତିକି ବିଳମ୍ବ କରୁଛି, ସରକାର ବିକାଶ ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଥିଲେ, ସେ ପ୍ରତିଶ୍ରୁତି ପାଳନ ସେତିକି ବିଳମ୍ବିତ ହେଉଛି। ଇତିମଧ୍ୟରେ ମଣିଷ ହେଉ ବା ପଶୁ ଯାହାର ଜୀବନ ଯାଉଛି, ସେ ବାବଦ ମୂଲ୍ୟ କିଏ ଦେବ ବା କାହାଠାରୁ ଭରଣା କରାଯିବ?

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଯେଉଁ ଟାସ୍କଫୋର୍ସ ଗଠନ କରିଥିଲେ, ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ-ପୂର୍ବ ରେଳବାଇ, ପୂର୍ବତଟ ରେଳବାଇର ପ୍ରତିନିଧି, ସେସୁ, ଓ୍ବେସ୍କା, ନେସ୍କୋ ଓ ସାଉଥ୍‌କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା), ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ ସିଜିଏମ୍‌(ଟି ଆଣ୍ଡ ଆର୍‌ଓ), ଅନୁଗୁଳ, ରାଉରକେଲା, ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ, ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ, ନ୍ୟୁଜ ଅନୁଗୋଳ, ଓୟୁଏଟିର ଓଡ଼ିଶା ପଶୁଚିକିତ୍ସା ମହାବିଦ୍ୟାଳୟର ଅସ୍ତ୍ରୋପଚାର ଓ ରେଡ଼ିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଇନ୍ଦ୍ରମଣି ନାଥ, ଚନ୍ଦକା (ବନ୍ୟପ୍ରାଣୀ) ଡିଭିଜନ୍‌ର ଆଞ୍ଚଳିକ ବନଖଣ୍ଡ ଅଧିକାରୀ, ଅତିରିକ୍ତ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ପି ଆଣ୍ଡ ଡି) ଏହି ଟାସ୍କଫୋର୍ସର ସଦସ୍ୟ ରହିଥିଲେ। ସରକାର ଏକଥା ବି କହିଥିଲେ ଯେ ଏହି କମିଟି ଚାହିଁଲେ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଟାସ୍କଫୋର୍ସର ସଦସ୍ୟ ଭାବେ ନେଇପାରିବେ ଓ ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନର ପରାମର୍ଶ ମଧ୍ୟ ଲୋଡ଼ିପାରିବେ।

Leave A Reply

Your email address will not be published.