ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ବଡ କାର୍ଡ ଧରି ଓହ୍ଲାଉଛନ୍ତି ଭର୍ତ୍ତୃହରି, ପ୍ରଜାତନ୍ତ୍ର

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ ସଂପର୍କକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। ସାଂସଦ ଶ୍ରୀ ମହତାବଙ୍କ ସହିତ ବିଜେଡିର ସଂପର୍କ ଏବେ ଖଟା-ମିଠା ବୋଲି କେହି କେହି କହିଲେଣି। ଶ୍ରୀ ମହତାବ ଏକଦା ମୁଖ୍ୟମନ୍ତ୍ରୀଙ୍କର ଅତି ନିକଟତମ ବୋଲି କୁହାଯାଉଥିଲା। ଏବେ କିନ୍ତୁ ସରକାରଙ୍କୁ ମଝିରେ ମଝିରେ ଯେମିତି ଶ୍ରୀ ମହତାବ ତେରଚ୍ଚା ମାରୁଛନ୍ତି,ତାହା ସୂଚାଇ ଦେଉଛି ଯେ ପୂର୍ବ ସଂପର୍କ କିଛି ପରିମାଣରେ ପ୍ରଭାବିତ ହୋଇଛି ନିଶ୍ଚୟ। କେତେବେଳେ ନିଜ ଖବରକାଗଜ ସଂପାଦକୀୟରେ ତ ଆଉ କେବେ ନିଜେ ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି।

ହେଲେ ଆମେ ଏସବୁ କଥା ଏବେ ଆଲୋଚନା କରିବାକୁ ଚାହୁଁନୁ। ଯେଉଁ କଥାଟି ଆଗକୁ ଏମାନଙ୍କ ସଂପର୍କକୁ ଯଥେଷ୍ଟ ପ୍ରଭାବିତ କରିବ ଓ ବିରୋଧୀ ରାଜନୈତିକ ଶକ୍ତି ଏଥିରୁ ଯଥେଷ୍ଟ ଫାଇଦା ନେବେ ବୋଲି କୁହାଯାଉଛି, ତାହା ହିଁ ଆମର ଆଲୋଚନାର ପ୍ରସଙ୍ଗ।

ଆଗକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେଡି-ଭର୍ତ୍ତୃହରିଙ୍କ ସଂପର୍କ ଆହୁରି ବିଗିଡିପାରେ। ବିଜେଡିର ଆଦର୍ଶ ପୂରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବେସିତ। ବିଜେଡି ତାର ରାଜନୈତିକ କାର୍ଯ୍ୟକ୍ରମ, ସରକାରଙ୍କ ଯୋଜନାରେ ବିଜୁ ବାବୁଙ୍କୁ ରଖି ଆଗକୁ ବଢୁଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ବାବୁଙ୍କ ସ୍ବପ୍ନକୁ ଧରି ରାଜ୍ୟ ଶାସନର ଧାରା ନିର୍ଣ୍ଣୟ କରିଥିବା କଥା କହିସାରିଛନ୍ତି। ହେଲେ ଭର୍ତ୍ତୃହରି କିନ୍ତୁ ନିଜ ପିତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବାଧୀନତା ସଂଗ୍ରାମୀ ହରେକୃଷ୍ମ ମହତାବଙ୍କୁ ପୁଣି ଚର୍ଚ୍ଚାକୁ ଆଣିସାରିଲେଣି।

ନୂଆଦିଲ୍ଲୀରେ ହରେକୃଷ୍ମ ମହତାବଙ୍କ ଓଡ଼ିଶା ଇତିହାସର ଭାଷାନ୍ତର ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଏହାର ଅୟମାରମ୍ଭ ବୋଲି କୁହାଯାଉଛି। ବିଜେପି ମଉକା ଦେଖି ଚୌକା ମାରିବାକୁ ଯାଇ ବିଜୁଙ୍କୁ ଲୋକପ୍ରିୟତାକୁ ଚ୍ୟାଲେଞ୍ଜ କରିବା ଲାଗି ମହତାବଙ୍କୁ ଅଧିକ ଗୁରୁତ୍ବ ଦେବା ବି ଆରମ୍ଭ କରିଛି। ଆଗକୁ ଏହି ପ୍ରସଙ୍ଗକୁ ନେଇ ସେମାନେ ଆଗକୁ ବଢିବେ। ଏଥିରେ କଟକ ରାଜନୀତିକୁ ପ୍ରୟୋଗଶାଳା କରିବ ଦଳ। ମହତାବ ବନାମ ବିଜୁ ହେବ ରାଜନୈତିକ ପ୍ରସଙ୍ଗ। ସ୍ବାଧୀନତା ପରେ କାହାର ଅବଦାନ ରାଜ୍ୟ ପାଇଁ କଣ, ତାକୁ ନେଇ ଘମାଘୋଟ ଆଲୋଚନା ଲାଗି ପ୍ରସ୍ତୁତି ଚାଲିଲାଣି।

ସେପଟେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, କଟକ ବିହାରୀବାଗକୁ ଚଳଚଞ୍ଚଳ କରିବା ଲାଗି ଇତିମଧ୍ୟରେ ଶ୍ରୀ ମହତାବ ବିଶାଳ ଯୋଜନା କରିଛନ୍ତି। ଏଥିରେ କୋଭିଡ୍ ବାଧକ ସାଜିଥିଲେ ହେଁ, ଏହା ବେଶୀ ପ୍ରଭାବିତ କରିବ ନାହିଁ ବୋଲି ତାଙ୍କ ନିକଟତମ ମହଲରୁ ଖବର ଆସୁଛି। ଅବଶ୍ୟ ଏକଥା ସତ ଯେ ଏହା ଉଦ୍ଦେଶ୍ୟ ମୂଳକ ନୁହେଁ। ଚଳିତବର୍ଷ ଠାରୁ ୨୦୨୪ ସାଧାରଣ ନିର୍ବାଚନ ଯାଏ ଏମିତି ଏକ ସଂଯୋଗର ବେଳ ଆସିଛି ଯେଉଁଥିରେ ଭର୍ତ୍ତୃହରି ମହତାବ ତାଙ୍କ ଗଣମାଧ୍ୟମ ପ୍ରଜାତନ୍ତ୍ର ଏବଂ ଶ୍ରୀ ମହତାବଙ୍କୁ ଚର୍ଚ୍ଚାକୁ ଆଣିବାକୁ ବାଧ୍ୟ।

ଗତକାଲି ଦେଶ ସ୍ବାଧୀନତାର ୭୫ବର୍ଷ ପାଳନ କରିଛି। ପୂରା ବର୍ଷେ ଅମୃତ ମହୋତ୍ସବ ପାଳନ କରିବେ କେନ୍ଦ୍ର ସରକାର। ବିଜେପି ଏହାକୁ ନେଇ ବଡ଼ କାର୍ଯ୍ୟକ୍ରମ ଲାଗି ଯୋଜନା ଚଳାଇଛି। ଏପଟେ ହରେକୃଷ୍ଣ ମହତାବଙ୍କ ପ୍ରଜାତନ୍ତ୍ରକୁ ବି ୭୫ବର୍ଷ ଛୁଇଁଛି। ଅଗଷ୍ଟ ୯ ତାରିଖରେ ପ୍ରଜାତନ୍ତ୍ର ପରିସରରେ ଶ୍ରୀ ମହତାବ ଯେଉଁ ରାଜନୈତିକ ବାତାବରଣର ମୂଳଦୁଆ ପକାଇଲେ, ସେହି ଉତ୍ସବର ବ୍ୟାନରରେ ସେ ୭୫ବର୍ଷ କଥା ଉଲ୍ଲେଖ କରିଛନ୍ତି। ସ୍ବାଭାବିକ ଭାବେ ଏକଥା କୁହାଯାଇପାରିବ ଯେ ବର୍ଷେ ବ୍ୟାପି ଏଭଳି କାର୍ଯ୍ୟକ୍ରମ ହେବ।

ସଂଯୋଗବଶତଃ, ଭାରତ ଛାଡ ଆନ୍ଦୋଳନକୁ ଏବର୍ଷ ୮୦ ବର୍ଷ ଛୁଇଁଛି। ଇତିମଧ୍ୟରେ ବମ୍ବେରେ କେନ୍ଦ୍ର ସାହିତ୍ୟ ଏକାଡେମି ଗୋଟିଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ଓଡ଼ିଶାର ବଚ୍ଛା ବଚ୍ଛା ସାହିତ୍ୟିକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସହିତ ଉତ୍କଳ କେଶରୀ ଶ୍ରୀ ମହତାବଙ୍କର ସଂପର୍କ ରହିଛି। ସେ ସେହିଠାରେ ଜେଲ୍ ଯାଇଥିଲେ ଓ ପରେ ବମ୍ବେରେ ରାଜ୍ୟପାଳ ବି ହୋଇଥିଲେ। ଏବେ ସେଠି ମହତାବଙ୍କ କଥା ଉଠିଛି ଓ ଏହି କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଓଡ଼ିଶାରେ ହେବ ବୋଲି ସୂଚନା ମିଳିଲାଣି। ତେବେ କେଉଁ ବ୍ୟାନରରେ ହେବ, ତାହା ସ୍ପଷ୍ଟ ହୋଇନାହିଁ।

କେବଳ ସେତିକି ନୁହେଁ, ୨୦୨୨-୨୩ ପ୍ରଜାତନ୍ତ୍ର କ୍ୟାମ୍ପସ ବି ଚଳଚଞ୍ଚଳ ହେବ। ସେବର୍ଷ ବିହାରୀବାଗରୁ ପ୍ରକାଶ ପାଉଥିବା ଏକଦା ଲୋକପ୍ରିୟ ପତ୍ରିକା ‘ଝଙ୍କାର’କୁ ୭୫ବର୍ଷ ଛୁଇଁବ। ଏହାକୁ ବି ଧୁମଧାମରେ ପାଳନ କରିବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି। ସବୁଠାରୁ ଗୁୁରୁତ୍ବପୂର୍ଣ୍ମ କଥା ହେଲା, ୨୦୨୪ ମସିହା, ଯେବେ ନିର୍ବାଚନ ବର୍ଷ, ସେହି ସମୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରିବା ଲାଗି ପ୍ରଜାତନ୍ତ୍ର ଓ ତାର ପୃଷ୍ଠପୋଷକମାନେ ନିଷ୍ପତ୍ତି ନେଇଛନ୍ତି। ଏହି ତିନିବର୍ଷ ଭିତରେ ପ୍ରଜାତନ୍ତ୍ର ପୁଣି ଥରେ ପୂରା ଓଡ଼ିଶାରେ ନିଜର ହଜିଯାଇଥିବା ସ୍ମୃତିକୁ ନୂଆ ପିଢି ପାଖରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛି।

ଭର୍ତ୍ତୃହରି ନିଜେ କିଛି କୁହନ୍ତୁ ବା ନ କୁହନ୍ତୁ, ପ୍ରଜାତନ୍ତ୍ର ଓ ହରେକୃଷ୍ଣ ମହତାବ ସକ୍ରିୟ ହେବା ଏବଂ ବିଜେପିର ମହତାବ କାର୍ଡ କେଉଁଠି ନା କେଉଁଠି ରାଜ୍ୟ ରାଜନୀତିରେ ବଡ ବିତର୍କ ସୃଷ୍ଟି ପାଇଁ ଖୋରାକ ଯୋଗାଇପାରେ। ଉଲ୍ଲେଖଥାଉକି, ବିଜେଡି ସଂସଦୀୟ ଦଳ ନେତା ପଦରୁ ଶ୍ରୀ ମହତାବଙ୍କୁ ଶ୍ରୀ ପଟ୍ଟନାୟକ ୨୦୧୯ ନିର୍ବାଚନ ପରେ ଦୂରେଇ ଦେଇଛନ୍ତି। ତାଙ୍କ ସ୍ଥାନରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ହେଲେ ଶ୍ରୀ ମହତାବଙ୍କ ପତିଆରା କିନ୍ତୁ ଦିଲ୍ଲୀରେ ଟିକିଏ ଭିନ୍ନ। ଦଳମତ ନିର୍ବିଶେଷରେ ତାଙ୍କର ଥିବା ଲୋକପ୍ରିୟତାକୁ ଧରି ସେ ଆଗକୁ ବଢୁଛନ୍ତି, ଯାହା ନବୀନ-ଭର୍ତ୍ତୃହରିଙ୍କ ସଂପର୍କକୁ ଟିକେ ଅଧିକ ରୋଚକ କରିଦେଉଛି।

Leave A Reply

Your email address will not be published.