ଭୁବନେଶ୍ବର: ୧୫୮ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରଚଳିତ ପୁଲିସ ଆଇନ ପରିବର୍ତନ ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମ ଶୀତଳଭଣ୍ଡାରରେ ରହିଗଲା। ତତ୍କାଳୀନ ରାଜ୍ୟପାଳ ଡ. ଏସ୍.ସି ଜମିର୍ ଏହି ବିଲ ଉପରେ ଆପତ୍ତି କରି ୨୦୧୫ ନଭେମ୍ବରରେ ଫେରାଇବା ପରେ ସରକାର ତା ଉପରେ ଆଉ ଆଗକୁ ବଢିବାକୁ ଚାହୁଁନାହାନ୍ତି। ଇତିମଧ୍ୟରେ ୫ବର୍ଷରୁ ଅଧିକ ସମୟ ବିତିଗଲାଣି। ଫଳରେ ସୁପ୍ରିମକୋର୍ଟ ପୁଲିସ ସଂସ୍କାର ନେଇ ଯେଉଁ ନିର୍ଦେଶନାମା ଜାରି କରିଥିଲେ, ସେ କ୍ଷେତ୍ରରେ ଓଡ଼ିଶା ପଛରେ ପଡିଯାଇଛି।
୨୦୧୫ ଅଗଷ୍ଟ ୨୭ ତାରିଖ ଦିନ ବିରୋଧୀ ଦଳ ଅନୁପସ୍ଥିତିରେ ଅତ୍ୟନ୍ତ ତରବରିଆ ଭାବେ ତଥା କେଇ ମିନିଟ୍ ମଧ୍ୟରେ ଏହି ବିଲ୍ ବିଧାନସଭାରେ ଶାସକ ଦଳ ପାରିତ କରାଇ ନେଇଥିଲେ। କିନ୍ତୁ ବିରୋଧୀ ଦଳ ସରକାରଙ୍କ ବିରୋଧରେ ଯାଇ ରାଜ୍ୟପାଳଙ୍କ ନିକଟରେ ସେବେ ଫେରାଦ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶନାମାକୁ ସରକାର ଏଡାଇ ଯାଇଛନ୍ତି ବୋଲି ତତ୍କାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭା ଭିତରେ ଓ ବାହାରେ ଗର୍ଜନ ତର୍ଜନ କରିଥିଲେ। ରାଜ୍ୟପାଳ ମଧ୍ୟ ଗମ୍ଭୀରତା ଉପଲବ୍ଧି କରି ପାଞ୍ଚଟି କ୍ଷେତ୍ରରେ ସଂଶୋଧନ ପ୍ରସ୍ତାବ ରଖି ଏହାକୁ ସରକାରଙ୍କୁ ଫେରାଇ ଦେଇଥିଲେ।
ସେ ସମୟରେ ରାଜ୍ୟପାଳ ପରାମର୍ଶ ଦେଇଥିଲେ ଯେ ଆବଶ୍ୟକ ସ˚ଶୋଧନ ସହ ଏହି ବିଲ୍କୁ ଆଉଥରେ ବିଧାନସଭାରେ ଉପସ୍ଥାପିତ କରାଯାଉ।
ଇତିମଧ୍ୟରେ ରାଜ୍ୟପାଳ ବଦଳିଗଲେଣି। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରି ସେ ଏବେ ପଞ୍ଚମ ପାଳିରେ ଶାସନ କରୁଛନ୍ତି। ହେଲେ ସରକାର ଏହି ବିଲକୁ ଯେମିତି ଭୁଲିଯାଇଛନ୍ତି। ଅଥବା ଏହା ଉପରେ ଆଉ କାହିଁକି ଆଗକୁ ବଢୁନାହାନ୍ତି, ତାହା ବୁଝାପଡୁନାହିଁ। ସେ ସମୟରେ ତମ୍ବିତୋଫାନ କରିଥିବା ବିରୋଧୀ କଂଗ୍ରେସ ଓ ବିଜେପି ସମେତ ସାମାଜିକ ସଂଗଠନ ବି ଅସମ୍ଭବ ନିରବତା ଅବଲମ୍ବନ କରିଥିବା ଦେଖିବାକୁ ମିଳୁଛି।
ସେ ସମୟରେ ଗୃହ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଥିଲା ଯେ ରାଜ୍ୟପାଳ ଦେଇଥିବା ପରାମର୍ଶକୁ ସରକାର ଅନୁଧ୍ୟାନ କରୁଛନ୍ତି। ଆବଶ୍ୟକ ତର୍ଜମା ପରେ ଏହାର ଆଇନଗତ ଦିଗକୁ ପର୍ଯ୍ୟାଲୋଚନା କରାଯିବ। ଆବଶ୍ୟକସ୍ଥଳେ ଆଇନ ବିଭାଗର ମତାମତ ଲୋଡାଯିବ। ଏହା ପରେ ଯାଇ ଏହି ବିଲ୍କୁ ନେଇ କିଭଳି ଆଗକୁ ଯାଇହେବ, ତାହା ଉପରେ ମତ ରଖାଯାଇପାରିବ। ହେଲେତା ପରଠାରୁ ଏହି ପ୍ରସଙ୍ଗରେ ଗୃହ ବିଭାଗ ଆଉ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହେଁ।
ଉଲ୍ଲେଖଯୋଗ୍ୟ,ରାଜ୍ୟପାଳ ଯେଉଁ ୫ଟି ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ, ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶା ପୁଲିସ ବିଲ୍ରେ ବିରୋଧୀ ଦଳ ନେତା ରାଜ୍ୟ ନିରାପତ୍ତା ଆୟୋଗର ସଦସ୍ୟ ରହିବା ପ୍ରସ୍ତାବ ନଥିଲା। କୌଣସି ଅବସରପ୍ରାପ୍ତ ବିଚାରପତି ସଦସ୍ୟତା ସ˚ପର୍କରେ ବି କିଛି ଉଲ୍ଲେଖ ନଥିଲା। ସ୍ବାଧୀନ ସଦସ୍ୟଙ୍କୁ କୌଣସି କମିଟି ନୁହେଁ, ବର˚ ରାଜ୍ୟ ସରକାର ହିିଁ ବାଛିବା ଲାଗି ଆଇନରେ ପ୍ରସ୍ତାବ ରହିଥିଲା। ଫଳରେ ଏହା ଦନ୍ତହୀନ ଓ ପ୍ରଭାବହୀନ ହୋଇଯିବ ବୋଲି ରାଜ୍ୟପାଳ ଆଶଙ୍କା ବ୍ୟକ୍ତ କରିଥିଲେ।
ସେହିପରି ଜିଲ୍ଲାସ୍ତରରେ ପୁଲିସ କମ୍ପ୍ଲେଣ୍ଟ ଅଥରିଟି ନିଯୁକ୍ତି କ୍ଷେତ୍ରରେ ବିଲ୍ରେ ସରକାର ନିରବ ରହିଥିଲେ, ଯାହାକୁ ରାଜ୍ୟପାଳ ଗ୍ରହଣ କରିପାରିନଥିଲେ। ରାଜ୍ୟରେ ଆରକ୍ଷୀ ମହାନିର୍ଦେଶକ ନିଯୁକ୍ତି ସ˚କ୍ରାନ୍ତରେ ସରକାରଙ୍କ ଆଭିମୁଖ୍ୟକୁ ବି ରାଜ୍ୟପାଳ ସେବେ ନାପସନ୍ଦ କରିଥିଲେ। ରାଜ୍ୟର ତିନିଜଣ ବରିଷ୍ଠ ଅଫିସରଙ୍କ ମଧୢରୁ ଜଣକୁ ନିଯୁକ୍ତି ଦିଆଯିବା ସ˚କ୍ରାନ୍ତରେ ଯେଉଁ ବ୍ୟବସ୍ଥା ରହିବା କଥା, ସେକଥା ଏହି ବିଲ୍ରେ ନଥିଲା। ଆରକ୍ଷୀ ମହାନିର୍ଦେଶକଙ୍କୁ ଦୁଇବର୍ଷର କାର୍ଯ୍ୟକାଳ ଦିଆଯାଇଥିବା ବେଳେ ତାଙ୍କୁ ପଦୋନ୍ନତି ବା ସମାନସ୍ତରରେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଅଧୀନରେ କୌଣସି ପଦବିକୁ ବଦଳି କରାଯାଇପାରିବ ବୋଲି ଏଥିରେ ପ୍ରାବଧାନ ରହିଥିଲା। ଅର୍ଥାତ୍ ଆରକ୍ଷୀ ମହାନିର୍ଦେଶକଙ୍କୁ ସମାନ ପାହ୍ୟାରେ ଅନ୍ୟତ୍ର ପଦପଦବିକୁ ବଦଳି କରିବା ଲାଗି ଆଇନରେ ବାଟ କଢାଯାଇଥିଲା। ଯାହା ରାଜ୍ୟପାଳ ଗ୍ରହଣ କରିନଥିଲେ।ଅବସର ପରେ ପୁନଃନିଯୁକ୍ତି କଟକଣା ସ˚କ୍ରାନ୍ତରେ ମଧ୍ୟ ବିଲ୍ରେ କିଛି ନଥିଲା।