ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଓଡ଼ିଶା ପୁଲିସ କେଉଁ କାମରେ ବ୍ୟସ୍ତ ଅଛି?

0

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ ତନାଘନା ଜାରି ରଖିଛି। ଘଟଣା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ଅଧିକାରୀ, ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ। ଗଜପତି ପୁଲିସ କ୍ଲିନ୍‌ଚିଟ୍ ଦେଇଥିବା ଡିଏଫଓଙ୍କୁ ଯେ କୌଣସି ମୁହୂର୍ତରେ ପୁଣିଥରେ ଜେରା କରାଯାଇପାରେ। ଘଟଣାରେ କ୍ରାଇମବ୍ରାଞ୍ଚକୁ କେତେ ସଫଳତା ମିଳିବ, ତାହା ଅଲଗା କଥା। କିନ୍ତୁ ଏହି ଘଟଣାଟି ଯେଉଁ ବଡ଼ ଦିଗଟିକୁ ସୂଚାଉଛି, ତାହା ହେଲା, ଗଜପତି ଜିଲ୍ଲା ପୁଲିସ ମାମଲା ଉପରୁ ରହସ୍ୟ ଉଠାଇପାରିଲାନି। ମାସାଧିକ ସମୟ ନେଲା, କିନ୍ତୁ ଅଧିକାରୀମାନେ କୌଣସି ନିଷ୍କର୍ଶରେ ପହଞ୍ଚିପାରିଲେନି। ଅର୍ଥାତ୍ ତଦନ୍ତ ଫେଲ୍ ମାରିଲା।

ଏହି ଗୋଟିଏ ମାମଲା ନୁହେଁ, ନୟାଗଡର ପରି ହତ୍ୟାକାଣ୍ଡ ହେଉ କିମ୍ବା ରାଜଧାନୀର ଗୋଟିଏ ଫାଣ୍ଡିରୁ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯିବା ଏବଂ କୁଆଖାଇ ନଦୀ ପଠାରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ଭଳି ଅନେକ ମାମଲା ଏବେ ବି ଲୋକଙ୍କ ଭିତରେ ଚର୍ଚ୍ଚାରେ ରହିଛି। କାରଣ ଏସବୁ ଉପରୁ ପୁଲିସ ପରଦା ଉଠାଇପାରିନାହିଁ। ଏପରିକି ମାନବପ୍ରେମୀ ବୋଲି କୁହାଯାଉଥିବା ଆଦିତ୍ୟ ମୃତ୍ୟୁ ମାମଲା ବି। ଗଣମାଧ୍ୟମ ପୃଷ୍ଠାରୁ ଏସବୁ ପ୍ରସଙ୍ଗ ହଜିଯାଇଛି ସତ। ହେଲେ ପୁଲିସ ସଫଳତା ତାଲିକାରେ କିନ୍ତୁ ଏସବୁ ମାମଲାକୁ ପୁଲିସ ଯୋଡିପାରିନାହିଁ।

ସବୁଠାରୁ ବଡ଼ କଥା ହେଲା, ଖୋଦ୍ ପୁଲିସ ମହାନିର୍ଦେଶକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀମାନେ ଏ ଦିଗକୁ ଗୁରୁତ୍ବ ଦେବା ଭଳି ମନେ ହେଉନାହିଁ। କାହିଁକି ପୁଲିସ ବାରମ୍ବାର ତଦନ୍ତରେ ବିଫଳ ହେଉଛି? ପୁଲିସ ଅପରାଧ ଧରିବା ପ୍ରକ୍ରିୟା ଭୁଲିଗଲାଣି କି? ନା ଆଉ କିଏ ତଦନ୍ତ ପ୍ରକ୍ରିୟାରେ ବାଧକ ସାଜୁଛି?

ଏହି ଘଟଣାଟି ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଆଜି ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଯଦି କୌଣସି ପ୍ରସଙ୍ଗରେ ବିଫଳତା ମୁଣ୍ଡାଉଛି ବା ଅପବାଦ ସହୁଛି, ତାହା ବିଶେଷତଃ ପୁଲିସ ପାଇଁ। ଏଇ ଦୁଇବର୍ଷ ଭିତରେ ନୟାଗଡରୁ ଆରମ୍ଭ କରି ପୁରୀ, ଭୁବନେଶ୍ବର, ଯାଜପୁର, ବାଲେଶ୍ବର ସବୁଠି ପୁଲିସ କାର୍ଯ୍ୟ ହିଁ ସରକାରଙ୍କୁ ଭୁଲ କାମ ପାଇଁ ଚର୍ଚ୍ଚାକୁ ଆଣିଛି ଓ ବିରୋଧୀ ଦଳକୁ ଘେରିବା ପାଇଁ ଅସ୍ତ୍ର ଦେଇଛି।

ଭୁବନେଶ୍ବର କମିସନରେଟ୍ ପୁଲିସ ଅନ୍ତର୍ଗତ ଜାଆଁଳା ଫାଣ୍ଡି ଭିତରେ ଥିବା ଗୋଟିଏ ଗାଡିରୁ ଜଣେ ମହିଳାଙ୍କ ଶବ ବାହାରିଲା। ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି କି ଅନାହାରରେ ସେ ପ୍ରାଣ ହରାଇଲେ, ତାହା ଗୋଟିଏ ଦିଗ। କିନ୍ତୁ ଅସଲ କଥା ହେଲା, ଫାଣ୍ଡି ଭିତରେ ଏତେ ବଡ ଘଟଣା ଘଟିଗଲା, ଏକଥା କଣ ପୁଲିସ ଅଜାଣତରେ ହୋଇଗଲା? ଯଦି ହୋଇଥାଏ, ତେବେ ଏହା କଣ ସୂଚାଉନି ଯେ ଯେଉଁ ପୁଲିସକୁ ଗୋଟିଏ ବଡ଼ ଅଞ୍ଚଳର ସୁରକ୍ଷା ପାଇଁ ଦାୟିତ୍ବ ଦିଆଯାଇଛି, ଅଥଚ ସେ ନିଜ ଘର ଚାରିପାଖକୁ ଜଗି ପାରୁନି? ପୁଲିସ ପକ୍ଷରୁ ଏକ ସ୍କେଚ୍ ଜାରି କରାଗଲା। କଣ ଫଳ ବାହାରିଲା? ଭୁବନେଶ୍ବର କମିସନରେଟ୍ ପୁଲିସରେ ସିପି, ଏସିପି, ଡିସିପିଙ୍କ ଭଳି ଏକାଧିକ ଆଇପିଏସ୍ ଅଫିସର ଅଛନ୍ତି। ସବୁ ବରିଷ୍ଠ ଓ ଅଭିଜ୍ଞ ପୁଲିସ ବାବୁ ବି। କାହା ମୁଣ୍ଡରେ କିଛି ପଶିଲାନି?

ଇତିମଧ୍ୟରେ ଆହୁରି ଏକ ବଡ଼ ଘଟଣା ଆସିଲା କୁଆଖାଇ ନଦୀ ପଠାରୁ। ଏଠାରେ ସମାନ କଥା। ଏଯାଏ ଘଟଣାର ମୂଳ ଖୋଜି ପାଉନି ପୁଲିସ। ଥାନା ବାବୁ ତଦନ୍ତ କରିବାକୁ ସମୟ ପାଉନାହାନ୍ତି ନା ତଦନ୍ତ ବା ଅପରାଧର ରହସ୍ୟ ଉନ୍ମୋଚନ ପୁଲିସର ମୁଖ୍ୟ ଏଜେଣ୍ଡାରେ ଆଉ ନାହିଁ? ମାନବ ପ୍ରେମୀ ଆଦିତ୍ୟ ମାମଲାକୁ ନେଇ ଏମିତି ନାଟକବାଜି ହେଲା, ତାହା ଚଳଚ୍ଚିତ୍ର ତାରକା ସୁଶାନ୍ତ ହତ୍ୟା ମାମଲା ସହିତ କେହି କେହି ଯୋଡିବାକୁ ବି ପଛାଇଲେ ନାହିଁ। ହେଲେ କାହିଁକି ଆଦିତ୍ୟ ଆତ୍ମହତ୍ୟା କରିବାକୁ ଗଲେ, ଏ କଥାଟି ପୁଲିସ କାହାକୁ କହିଲାନି କାହିଁକି?

ଏଭଳି ଗୋଟିଏ ପରେ ଗୋଟିଏ ମାମଲା ଲେଖୁଥିଲେ, ,ତାହା କେତେ ଲମ୍ବା ହେବ ଆକଳନ କରିବା ମୁସ୍କିଲ୍। ହେଲେ ପୁଲିସର ଏଭଳି ବିଫଳତା ଅପରାଧୀଙ୍କ ସାହସ ବଢାଉନି କି? ପୁଲିସ ଯାହା ଚାହିଁଲା, ଅଳ୍ପବହୁତେ ସରକାର ଦେଲେ। କର୍ମଚାରୀ ସଂଖ୍ୟା ବଢାଗଲା, ନୂଆ ବୈଷୟିକ ସହାୟତା ବି। ଆଜି ଦିନରେ ପୁଲିସ ପାଖରେ ଚିକ୍ ଚିକ୍ ଗାଡି ରହିଛି, ସିସିଟିଭି କ୍ୟାମେରା ବି ରାଜଧାନୀ ରାଜରାସ୍ତାରେ ଭୁଲୁଛି। ଏସବୁ ସତ୍ତ୍ବେ ମାଷ୍ଟର କ୍ୟାଣ୍ଟିନ୍ ଛକରେ କିଛି ଦୁର୍ବୃତ୍ତ ଯେଭଳି ଉତ୍ପାତ କଲେ, ତାହା କଣ ସୂଚାଇଲା? ମୁଖ୍ୟମନ୍ତ୍ରୀ ପୁଲିସ କମିସନର ଓ ଡିସିପିଙ୍କୁ ଡାକି ଥରେ ଏକଥା ପଚାରିବେନି?ପୁଲିସ ଡିଜି ଅଭୟ ଥରୁଟିଏ ଆସି ପୁଲିସ କମିସନରେଟ୍ ଅଫିସରେ ସମୀକ୍ଷା କରିବେନି? ଏସବୁ କି ବାର୍ତ୍ତା ଦେଉଛି, ତାହା ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ବି ବିସ୍ମିତ କରୁଛି।

ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ସୋମବାର ରାଜ୍ୟର ଆଇନଶୃଙ୍ଖଳା ସଂପର୍କରେ ବୈଠକ ପୁଲିସ ମହାନିର୍ଦେଶକଙ୍କ ସହିତ ନେଉଥିଲେ। ଏହି ଘଟଣାର ଜବରଦସ୍ତ ପ୍ରଭାବ ପଡୁଥିଲା। ଆଜି ଦିନରେ ସଚିବାଳୟ ଯାଇ ପୁଲିସ ମହାନିର୍ଦେଶକ ସରକାରଙ୍କ ସହିତ ଆଲୋଚନା କରୁଥିବା ଭଳି ଉଦାହରଣ ଦେଖିବାକୁ ମିଳୁନାହିଁ। ଏହା ପୁଲିସ ବ୍ୟବସ୍ଥାକୁ ହୁଗାଳି ଦେଲାଣି। ଆଇନଶୃଙ୍ଖଳା ସମୀକ୍ଷା ବୈଠକ ଶେଷ ଥର କେବେ ବସିଥିଲା, ତାହା ହଠାତ୍ କାହା ମନ ଭିତରକୁ ଆସିପାରିବ ନାହିଁ। ଆହୁରି କୌତୂହଳ ବିଷୟ ହେଲା, ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବରେ ଅଛନ୍ତି ଦିବ୍ୟଶଙ୍କର ମିଶ୍ର। ସେ ମଧ୍ୟ ଥରୁଟିଏ ବରିଷ୍ଠ ଅଧିକାରୀଙ୍କୁ ଡାକି ତନାଘନା କରିବା ଦେଖାଯାଉନାହିଁ। ଉପରୁ ପୁଲିସ ମୁଖିଆଙ୍କ ଉପରେ ଆଦୌ ଚାପ ନଥିବା କାରଣରୁ ସବୁକିଛି ବାଟବଣା ହେଉଛି କି?

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା କ୍ରାଇମବ୍ରାଞ୍ଚର ପାରଦର୍ଶିତା ଅନ୍ୟ ଓ୍ବିଙ୍ଗ୍ ମାନଙ୍କ ଠାରୁ ବେଶ୍ ଭଲ। ଭିଜିଲାନ୍ସ ବି ଅନେକ କ୍ଷେତ୍ରରେ ସାହସ ଦେଖାଇଛି।ନକ୍ସଲ ମୁକାବିଲାରେ ଓଡ଼ିଶା ପୁଲିସର ପାରଦର୍ଶିତା ବେଶ୍ ଉଲ୍ଲେଖନୀୟ। ହେଲେ ଅସଲ, ଯେଉଁ କଥାଟି ସାଧାରଣ ଲୋକଙ୍କର ଦୈନନ୍ଦିନ ଜୀବନ ସହିତ ଯୋଡି ହୋଇରହିଛି, ସେ କ୍ଷେତ୍ରରେ…।

Leave A Reply

Your email address will not be published.