ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ବିଜେପି ପାଇଁ ଆଗକୁ ମାଡ଼ିଆସୁଛି ବିପଦ!

0

ସାଧାରଣ ନିର୍ବାଚନ ପରେ କୌଣସି ନିର୍ବାଚନ ଜିତିନି

ପିପିଲି ଉପନିର୍ବାଚନ ଆଣିଲା ରାଜନୈତିକ ଉଷ୍ଣତା

ବିଜେପି କୁରୁଳୁଛି, ବିଜେପି ନେତାଙ୍କ ତୁଣ୍ଡରେ ଭାଷା ନାହିଁ

ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ ଲଢେଇ

ମୋଦୀଙ୍କ ଲୋକପ୍ରିୟତା ରାଜ୍ୟ ବିଜେପିର ଏକମାତ୍ର ସମ୍ବଳ

ଚାହିଁବସିଛନ୍ତି ନୂଆଦିଲ୍ଲୀକୁ, ନିଜର ଖସଡା କିଛି ବି ନାହିଁ

ସଂଗଠନ ଦୋହଲିଲାଣି, ନେତୃତ୍ବ ସଙ୍କଟ ଜଳଜଳ

ଅଟଳଙ୍କ ସମୟକୁ ଝୁରୁଛନ୍ତି ରାଜ୍ୟ ବିଜେପିର ତୁଙ୍ଗ ନେତା

ଭୁବନେଶ୍ବର: ଭାରତର ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ଆସନ୍ତା ୩୦ ତାରିଖ ଦିନ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଅକ୍ଟୋବର ୩ ତାରିଖ ଦିନ ଫଳାଫଳ ଘୋଷଣା। ୨୦୧୯ ସାଧାରଣ ନିର୍ବାଚନ ପରେ ଏହା ଚତୁର୍ଥ ଉପନିର୍ବାଚନ ଓ ପଞ୍ଚମ ନିର୍ବାଚନ। କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ପରେ ଏଠାରେ କମିସନ ନିର୍ବାଚନ ସ୍ଥଗିତ ରଖିଥିଲେ। ସାଧାରଣ ନିର୍ବାଚନର ବହୁଦିନ ପରେ ଏଠାରେ ବିଜୁ ଜନତା ଦଳ ସାନି ପ୍ରାର୍ଥୀ ଦେବା ସହିତ ନିର୍ବାଚନ ହୋଇଥିଲା।

ପାଟକୁରା ନିର୍ବାଚନରେ ଦଳ କଡ୍ଡା ଟକର ଦେଇଥିଲେ ହେଁ ଜିତିପାରିନଥିଲା। ସେହିଭଳି ବିଜେପୁର, ବାଲେଶ୍ବର (ବିଜେପି ଦଖଲରେ ଏହି ଆସନ ଥିଲା) ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ଲାଭ କରିଛି। ପିପିଲି ଉପନିର୍ବାଚନ ତାରିଖ ଘୋଷଣା ପରେ ପରେ ବିଜେଡି ଏବେଠାରୁ ବଡ ଜୋରରେ ଦାବି କଲାଣି ଯେ ସେମାନେ ଏହି ଆସନ ମଧ୍ୟ ୪୦ ହଜାର ଭୋଟ ବ୍ୟବଧାନରେ ଜିତିବେ। ଅନ୍ୟ ରାଜନୈତିକ ଦଳ ସେତିକି ଦୃଢତାର ସହିତ ବିଜୟ ସଂପର୍କରେ ପୂର୍ବାନୁମାନ କରିପାରିନାହାନ୍ତି। ଏଥିସହିତ ରାଜ୍ୟ ସରକାର ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ କରୁଥିବା ପରିପ୍ରେକ୍ଷୀରେ ଓଡ଼ିଶା ରାଜନୀତିକୁ ନିର୍ବାଚନୀ ଉଷ୍ଣତା ଫେରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୧ ବର୍ଷ ଧରି ରାଜ୍ୟ ଶାସନରେ ରହିଛନ୍ତି। ୨୦୦୦ ମସିହାରେ ଜନ୍ମଲାଭ କରିଥିବା ପୁଅ ଓ ଝିଅମାନେ ଏବେ ରାଜ୍ୟର ଭୋଟର। ଏମାନଙ୍କ ମଧ୍ୟରୁ ଅନେକ ନିଜର ଚାକିରି ବା ରୋଜଗାର କ୍ଷେତ୍ର ବାଛିନେଇସାରିଲେଣି। ଏତେ ପରିବର୍ତ୍ତନ ଭିତରେ ଗୋଟିଏ ଚିତ୍ର ବା ଦୃଶ୍ୟପଟ୍ଟ କିନ୍ତୁ ସେମାନଙ୍କ ପାଇଁ ଅପରିବର୍ତ୍ତିତ ରହିଛି; ତାହା ହେଲା ରାଜ୍ୟ ଶାସନ ମୁଖ୍ୟ ବଦଳିନାହାନ୍ତି। ସେବେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ, ଏବେ ବି ସେ ଅଛନ୍ତି।

୨୦୨୪ ମସିହାରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ହେବ। ଫାଇନାଲ୍ ମ୍ୟାଚ୍ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସେମି ଫାଇନାଲ୍ ବୋଲି କୁହାଯାଇପାରେ। ସ୍ବାଭାବିକ ଭାବେ ସରକାରୀ ଦଳ ଅପେକ୍ଷା ବିରୋଧୀ ଦଳ କିଭଳି ଏହି ମ୍ଯାଚ୍ ଖେଳିବ, ତାହା ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ରହିଛି। କାରଣ ବିଜେଡି ସେତେବେଳେ ଯାଇ ଶାସନ ଗାଦିରୁ ହଟିବ, ଯେତେବେଳେ ବିରୋଧୀ ଦଳ ସଶକ୍ତ ବା ସକ୍ରିୟ ହେବେ। ଏ ଦୃଷ୍ଟିକୋଣରୁ ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର ପ୍ରସ୍ତୁତି ଏବେ ସବୁଠାରୁ ବଡ଼ ଆକର୍ଷଣର ବିନ୍ଦୁ।

ରାଜ୍ୟ ବିଜେପି ନେତାଙ୍କୁ ସେମାନଙ୍କ ନିର୍ବାଚନୀ ସାମର୍ଥ୍ୟ ସଂପର୍କରେ ପଚାରିଦେଲେ, ସେମାନେ ତାଙ୍କର ସାଂଗଠନିକ ଶକ୍ତିବୃଦ୍ଧି ନେଇ ଅନେକ ଭାଷଣବାଜି କରୁଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସଂଗଠନକୁ ସକ୍ରିୟ କରିବା ଲାଗି ଢେର୍ କସରତ କରୁଥିବା ମଧ୍ୟ ଦାବି କରୁଛନ୍ତି। ହେଲେ ଭାରତୀୟ ଜନତା ପାର୍ଟି ଭଳି ଗୋଟିଏ କ୍ୟାଡର ଭିତ୍ତିକ ଦଳର ତୃଣମୂଳଯାଏ ଗୋଟିଏ ବାର୍ତ୍ତା ଚାଲିଗଲାଣି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଉପରେ ସେମାନେ ଏବେ ମୁଖ୍ୟତଃ ନିର୍ଭରଶୀଳ।

ନିଜର ସବୁ ଭଲ କାମର ଶ୍ରେୟ ସେମାନେ ଅଯାଚିତ ଭାବେ ମୋଦୀଙ୍କ ପକେଟ୍‌ରେ ପୂରାଇ ଚାଲିଛନ୍ତି। ସେହିଭଳି କେନ୍ଦ୍ର ସରକାରଙ୍କର ସବୁ ସଫଳତା ବି ମୋଦୀଙ୍କ ଖାତାରେ ଯାଉଛି। ଏହାଦ୍ବାରା ବିଜେପି ଭିତରେ ମୋଦୀ ଏବଂ ଅମିତ ଶାହଙ୍କ ଶକ୍ତି ବୃଦ୍ଧି ହେଉଛି ଓ ପୂରା ଦେଶ ଉପରେ ଏହାର ବଡ଼ ପ୍ରଭାବ ପଡୁଛି। ବିଜେପିକୁ ଏହା ଜାତୀୟସ୍ତରରେ ସଫଳତା ଆଣିଦେଇଛି ଓ କ୍ଷମତା ରାଜନୀତି ପାଇଁ ଗୋଟିଏ ଭଲ ସୂତ୍ର ବୋଲି ମଧ୍ୟ କୁହାଯାଇପାରେ। ହେଲେ ଏହି ରାଜନୈତିକ କୌଶଳକୁ ତନ୍ନ ତନ୍ନ କରି ତର୍ଜମା କରୁଥିବା ରଣନୀତିକାରମାନେ ପ୍ରାଦେଶିକସ୍ତରରେ ଏହାର ପ୍ରଭାବ ରଖୁଥିବା ଆଉ ଗୋଟିଏ ବିପଜ୍ଜନକ ଦିଗର ଉଦ୍‌ଘାଟନ କଲେଣି। ଓଡ଼ିଶା ଭଳି ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳରେ ଥାଇ ନିଷ୍ପ୍ରଭ ହେବା ପଛରେ ଏହା ମଧ୍ୟ ଅସଲ ବା ପ୍ରମୁଖ କାରଣ ବୋଲି କୁହାଯାଇପାରେ।

୨୦୦୦ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଜେପିର ସଫଳତା ଓ ବିଫଳତାକୁ ତନ୍ନ ତନ୍ନ କରି ତର୍ଜମା କଲେ ଦେଖାଯାଉଛି ଯେ ପ୍ରଥମ ଦଶବର୍ଷ ଚୁଳନାରେ ଓଡ଼ିଶାରେ ପରବର୍ତ୍ତୀ ଏଗାର ବର୍ଷରେ ବିଜେପିର ଭୋଟ ପ୍ରତିଶତ ବଢିଛି, ପତିଆରା ବି। କିନ୍ତୁ ସେ ସମୟ ଓ ଏ ସମୟ ମଧ୍ୟରେ ଆଉ ଗୋଟିଏ କଥା ବି ହୋଇଛି। ତାହା ହେଲା ବିଜେପି ସାଂଗଠନିକସ୍ତରରେ ଦୁର୍ବଳ ହୋଇଯାଇଛି ଓ ଦଳରେ ନେତୃତ୍ବ ସଙ୍କଟ ଅତ୍ୟନ୍ତ ଉତ୍କଟ ସ୍ଥିତିରେ ପହଞ୍ଚିଯାଇଛି। ରାଜନୈତିକ ରଣନୀତିକାରମାନେ ପ୍ରଥମ ସଫଳତା ଅପେକ୍ଷା ଦ୍ବିତୀୟ ବିଫଳତାକୁ ଅତି ଗୁରୁତ୍ବ ଦେଉଛନ୍ତି। ପ୍ରମୁଖ ବିରୋଧୀ ଦଳରେ ଥାଇ ବି ପଦ୍ମ ଯେଭଳି ଅନ୍ୟମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା କଥା ତାହା ପରିଲକ୍ଷିତ ହେଉନାହିଁ ବରଂ ମଉଳିବା ଭଳି ପଡିରହିଛି ବୋଲି ଏହି ମହଲର ମତ।

ରଣନୀତିକାରମାନଙ୍କର ତର୍ଜମା କହୁଛି, ଜାତୀୟ ରାଜନୀତିରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଆବିର୍ଭାବ ସହିତ ବିଜେପି ଭିତରକୁ ଦୁଇଟି ତତ୍ତ୍ବ ପ୍ରବେଶ କରିଥିଲା। ଏକମାତ୍ର ମୋଦୀ ହେଲେ ବିଜେପିର ଚେହେରା। ଏହି ଚେହେରା ପ୍ରତି ଲୋକଙ୍କ ଆକର୍ଷଣକୁ ଭୋଟରେ ରୂପାନ୍ତରିତ କରିବା ଦାୟିତ୍ବ ନେଲେ ଶାହ। ନିର୍ବାଚନ ଲଢିବା, ଜିତିବା ଆଦି ସବୁର ଫର୍ମୁଲା ନୂଆଦିଲ୍ଲୀରୁ ଆସିଲା ଓ ରାଜ୍ୟ ୟୁନିଟ୍ କେବଳ ଆସୁଥିବା ନିର୍ଦେଶ ବା ଆଦେଶର କାର୍ଯ୍ୟାନ୍ବୟନ କଲେ। ଭୋଟରେ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ନେଲେ, ଅମିତ ଶାହ ବି। କିନ୍ତୁ ଯେଉଁଠି ଦଳ ପରାଜିତ ହେଲା, ସେଠି ରାଜ୍ୟ ବିଜେପି ୟୁନିଟ୍ ବା ନେତା ଦୋଷ ମୁଣ୍ଡାଇଲେ। ଓଡ଼ିଶାରେ ମିସନ-୧୨୦ ବିଫଳ ପାଇଁ ବି ରାଜ୍ୟ ବିଜେପି ଆଖିବୁଜି ଦୋଷ ମୁଣ୍ଡେଇଥିଲା। ଏହାଦ୍ବାରା ଶୀର୍ଷ ନେତୃତ୍ବର ପତିଆରା ସୁରକ୍ଷିତ ରହିଲା।

ଖାସ ଏହି ଫର୍ମୁଲାର ପ୍ରଭାବ ଏବେ ଦଳର ସଂଗଠନ ଏବଂ ଭବିଷ୍ୟତ ରାସ୍ତାରେ ମେଞ୍ଚା ମେଞ୍ଚା କଣ୍ଟା ବିଞ୍ଝିଦେବା ଭଳି ପରିସ୍ଥିତି ସୃଷ୍ଟି କଲାଣି। ଭାରତୀୟ ଜନତା ପାର୍ଟି ଏହାର ବଡ଼ ପରିଣାମ ଭୋଗ କରିବାକୁ ଯାଉଛି।

ଓଡ଼ିଶା ରାଜନୀତିକୁ ଲକ୍ଷ୍ୟ କଲେ ଯେଉଁ ଦୁଇଟି କଥା ସାମ୍ନାକୁ ଆସୁଛି ତାହା ହେଲା, ଉପରୁ ସବୁ ନିର୍ଦେଶ ଆସିବା ଏବଂ ରାଜ୍ୟ ୟୁନିଟ୍ କେବଳ କାର୍ଯ୍ୟକାରୀ କରୁଥିବା କାରଣରୁ ଅତି ଶୃଙ୍ଖଳିତ ତଥା କ୍ୟାଡର ଭିତ୍ତିକ ଏହି ଦଳର ଆଭ୍ୟନ୍ତରୀଣ ଶୃଙ୍ଖଳା ଓ ଭାରସାମ୍ୟ ବିଗିଡିଗଲାଣି। ରାଜ୍ୟ ୟୁନିଟ୍‌ରେ ଥିବା ନେତାଙ୍କ ସ୍ବାଧୀନତା ଧୀରେ ଧୀରେ ସଙ୍କୁଚିତ ହୋଇଯାଇଛି ଓ ସେମାନେ ଏକରକମ ଶ୍ବାସରୁଦ୍ଧ ହୋଇଯାଇଥିବା ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି। କାରଣ କି ଖେଳ ଖେଳିଲେ ରାଜ୍ୟ ରାଜନୀତିରେ ବା ସେମାନଙ୍କ ନିର୍ବାଚନମଣ୍ଡଳୀରେ ଭୋଟ ଗଣିତ ଓଲଟପାଲଟ ହେବ, ଏଥିପାଇଁ ସେମାନେ ଆଉ କସରତ କରୁନାହାନ୍ତି କି କରିବାକୁ ଅଥବା ଭାବିବାକୁ ପଡୁନାହିଁ। ବରଂ ଯେତିକି କୁହାଯିବ, ଯେମିତି କୁହାଯିବ, ସେତିକି ଓ ସେମିତି ହିଁ ସେମାନେ କରିବେ। ଏଣୁ ସେମାନେ ପ୍ରତିପକ୍ଷଙ୍କୁ ମାତ୍ ଦେବା ଲାଗି ଯେଉଁ ଚବିଶ ଘଣ୍ଟିଆ କସରତ କରୁଥିଲେ ଓ ସେ ଜରିଆରେ ତାଙ୍କ ଭିତରେ ଥିବା ନେତୃତ୍ବର ଆଭାସ ଭୋଟର ପାଉଥିଲେ, ତାହାର ଅଭାବ ଜଳ ଜଳ।

ଦ୍ବିତୀୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଦଳର ଶୀର୍ଷ ନେତାଙ୍କ ପ୍ରଶଂସା ଗାନରେ ଓଡ଼ିଶା ବିଜେପି ନେତା ଅତ୍ୟନ୍ତ ସକ୍ରିୟତା ଦେଖାଇଛନ୍ତି ଏବଂ ଅଥବା ରାଜ୍ୟ ସରକାରଙ୍କ ବିରୋଧରେ ମପାଚୁପା ଗର୍ଜନ କରୁଛନ୍ତି। ନିର୍ବାଚନମଣ୍ଡଳୀରେ ଦୁଆର ଦୁଆର ବୁଲି ଲୋକଙ୍କ ସହିତ ସଂପର୍କ ସ୍ଥାପନ କରିବା, ସେମାନଙ୍କ ଭଲ ମନ୍ଦରେ ଯୋଡି ହେବା, ତୃଣମୂଳସ୍ତରରେ ସାଂଗଠନିକ ଶକ୍ତି ସୃଷ୍ଟି କରିବା ଆଦି କାର୍ଯ୍ୟ ସେମାନେ ଆପାତତଃ ଭୁଲିଗଲେଣି ବା ଏଥିପ୍ରତି ଆଉ ବିଶେଷ ମନୋନିବେଶ କରୁନାହାନ୍ତି। ନିଜର ସାମର୍ଥ୍ୟ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ଲୋକପ୍ରିୟ ସରକାରର ପ୍ରତିଷ୍ଠା ବା ପ୍ରଭାବ ନିର୍ବାଚନ ରାଜନୀତିର ପ୍ରମୁଖ ଅସ୍ତ୍ର ବୋଲି ଏମାନେ ଏକପ୍ରକାର ମାନି ନେଇସାରିଛନ୍ତି। ଗୋଟିଏ ଧାଡିରେ କହିଲେ, ବିଜେପି ନେତାଙ୍କ ମନରେ ବିଶ୍ବାସ ଆସିଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଳରେ ବା ରାଜ୍ୟ ସରକାରକୁ ବଦନାମ କରିଦେଲେ ସେମାନେ ନିର୍ବାଚନୀ ମଇଦାନ ପାର ହୋଇଯିବେ।

ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପରିପ୍ରେକ୍ଷୀରେ ଦଳର ପତିଆରା ଓ ଭୋଟ ପ୍ରତିଶତ ବଢିଛି। ଏହାକୁ କେହି ଅମାନ୍ଯ କରିବେ ନାହିଁ। କିନ୍ତୁ ନେତାମାନଙ୍କର ଶୀର୍ଷ ନେତୃତ୍ବ ପ୍ରତି ମାତ୍ରାଧିକ ନିର୍ଭରଶୀଳତା ବି ଦିଲ୍ଲୀରୁ ଆସୁଥିବା ରାୟକୁ ଶତ ପ୍ରତିଶତ ଅପେକ୍ଷା କାରଣରୁ ଦଳର ସଂଗଠନ ଦୋହଲିବା ଆରମ୍ଭ କଲେଣି।

ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଓଡ଼ିଶାରେ ମେଣ୍ଟ ସରକାର ଥିଲା। ବିଜେପିର କିନ୍ତୁ ଏକମାତ୍ର ସାମର୍ଥ୍ୟ ଶ୍ରୀ ବାଜପେୟୀ ବା ତାଙ୍କ ପ୍ରତି ଭଲପାଇବା ନଥିଲା। ବରଂ ରାଜ୍ୟର ପାଖାପାଖି ଅଧା ଅଞ୍ଚଳରେ ବିଜେପି ନେତାମାନେ ତାଙ୍କର ନିଜସ୍ବ ପ୍ରଭାବ ବା ବଳରେ ଗୋଟିଏ ସ୍ଥିତିକୁ ଆସିଥିଲେ। ମୁଣ୍ଡ ଟେକିଥିବା ଏହି ଶକ୍ତିକୁ ବିଜେଡି ଅଣଦେଖା କରିପାରିଲା ନାହିଁ। ଆଉ ସେଥିଲାଗି କ୍ଷମତା ରାଜନୀତିର ଚୌକି ହାସଲ ପାଇଁ ବିଜେଡି ସେମାନଙ୍କ ହାତ ଧରିବାକୁ ବାଧ୍ୟ ହେଲା। ଆଜି ଦିନରେ ସେ ସ୍ଥିତି ବା ସମ୍ବଳ ଆଉ ବିଜେପି ପାଖରେ ନାହିଁ।

ଗତ ପଞ୍ଚାୟତ ନିର୍ବାଚନ ପରେ ବିଜେପିର ଭୋଟ ପ୍ରତିଶତ ବଢିଛି। କିନ୍ତୁ ରାଜ୍ୟରେ ବିଜେପି ପାଖେ ସେଭଳି ଆଉ ଅନେକ ନେତା ନାହାନ୍ତି ,ଯେଉଁମାନେ ମୋଦୀ ବା ଶାହଙ୍କୁ ଓଡ଼ିଶାରେ କ୍ଷମତା ଫେରାଇ ଦେଖାଇ ପାରିବେ। ଦଳରେ ଟାଣୁଆ ନେତାମାନେ ନିରବି ଯାଇଛନ୍ତି ବା ଦୂରେଇ ରହୁଛନ୍ତି। ସେମାନଙ୍କ ସ୍ଥାନରେ ଯେଉଁମାନେ ଅତ୍ୟନ୍ତ ସକ୍ରିୟ ବୋଲି ଦାବି କରୁଛନ୍ତି, ସେମାନଙ୍କ ସାଂଗଠନିକ ଶକ୍ତି ଏତେ ଦୁର୍ବଳ ଅବସ୍ଥାରେ ରହିଛି ଯେ ବିଜେପିର ଚିକ୍ ଚିକ୍ କରୁଥିବା ଗେରୁଆ ରଙ୍ଗ ନିଷ୍ପ୍ରଭ କରିସାରିଲେଣି। ଏବେଠୁ ଯଦି ନ ଚେତିବେ, ଆଗକୁ….।

Leave A Reply

Your email address will not be published.