ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ବାପାଙ୍କ ପରେ ପୁଅକୁ ଭରସା

0
  • ରୁଦ୍ର ମହାରଥୀ ପିପିଲି ବିଧାୟକ ଭାବେ ନିର୍ବାଚିତ
  • ପୁଣି ପ୍ରମାଣିତ ହୋଇଗଲା ନବୀନ ଆଗରେ
  • ଟକ୍କର ଦେଇପାରିଲାନି ବିଜେପି, ଆଶ୍ରିତ ହାରିଲେ
  • ବିଜେଡି ଯେତିକି ଆଶା କରିଥିଲା, ସେତିକି ମିଳିଲାନି
  • ପୁରୀ ଜିଲ୍ଲା ଭୋଟ ବ୍ଯାଙ୍କକୁ ବିଗାଡିଛନ୍ତି ଅଫିସର
  • ବେଳହୁଁ ସାବଧାନ ନହେଲେ ଆଗକୁ ବିପଦ ହିଁ ବିପଦ

ଭୁବନେଶ୍ବର: ୧ଲକ୍ଷ ୮୦ ହଜାର ୯୩୦ଲୋକ ପିପିଲି ନେତା ବାଛିବା ଦାୟିତ୍ଵ ହାତକୁ ନେଇଥିଲେ। ସେମାନଙ୍କ ମଧ୍ଯରୁ ୫୩.୬ ପ୍ରତିଶତ ଲୋକଙ୍କର ନିଷ୍ପତ୍ତି ହେଉଛି ଯେ ଦିବଂଗତ ବିଜେଡି ବିଧାଯକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ସେମାନଙ୍କ ନେତା ହେବା ପାଇଁ ଯୋଗ୍ଯ। ଆହୁରି ସରଳ ଭାବେ କହିଲେ ୯୬ ହଜାର ୯୭୨ ଜଣ ଏଭଳି ଭୋଟରଙ୍କ ମତ ବଳରେ ରୁଦ୍ର ପିପିଲି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ସେ ଅଧିକ ୨୦ହଜାର ୯୧୬ ଜଣ ଭୋଟରଙ୍କ ସମର୍ଥନ ଲାଭ କରି ଆସନ୍ତା ନିର୍ବାଚନ ଯାଏ ପିପିଲି ଆସନକୁ ପ୍ରତିନିଧିତ୍ବ କରିବେ। ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ସପକ୍ଷରେ ୭୬ ହଜାର ୫୬ ଜଣ ମତ ଦେଇଥିଲେ। ଅନ୍ଯପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କୁ ପିପିଲି ପ୍ରତ୍ଯାଖ୍ଯାନ କରିଛି ଓ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ଅମାନତ ହରାଇଛନ୍ତି। ଏକଦା ଦୁଇ ନମ୍ବର ସ୍ଥାନରେ ରହୁଥିବା ଏହି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମାତ୍ର ୪୨୬୧ ଜଣ ନିଜର ସମର୍ଥନ ଘୋଷଣା କରି ଭୋଟ ଦେଇଥିଲେ।

ଆଜିର ଏହି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଧାନସଭାରେ ବିଜେଡି ଭୋଟରଙ୍କ ସଂଖ୍ଯା ୧୧୪କୁ ବୃଦ୍ଧି ପାଇଛି। ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପାଖାପାଖି ବର୍ଷେ ଧରି ପୁରୀ ଜିଲ୍ଲାର ଏହି ସମ୍ବେଦନଶୀଳ ଆସନଟି ମୁରବୀ ଶୂନ୍ଯ ହୋଇପଡିଥିଲା। ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଉପନିର୍ବାଚନ ଜିଣି ବିଜେଡି ଆଜି ପ୍ରମାଣ କରିଦେଇଛି ଯେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାଯକ ଅପରାଜେୟ। କେବଳ ସେତିକି ନୁହେଁ, ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ତୁଳନାରେ ରୁଦ୍ର ଅଧିକ ଭୋଟ ବ୍ଯବଧାନରେ ଜିତିବା ଫଳରେ ଆହୁରି ସଙ୍କେତ ମିଳିଛି ଯେ ପାଞ୍ଚଥରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭୋଟରଙ୍କର ଭଲପାଇବା, ବିଶ୍ବାସ, ଭରସା ପୂର୍ବଭଳି ଅତୁଟ ରହିଛି।

ସେହିଭଳି ପିପିଲି ଉପନିର୍ବାଚନ ଏକଥା ବି ଜଣାଇଦେଇଛି ଯେ ବିଜେଡି ସହିତ ଲଢିବା ଭଳି ଶକ୍ତି ଏଯାଏ ବିଜେପିର ନାହିଁ। ଓଡ଼ିଶାରେ ବିଜେଡିର ସମକକ୍ଷ ହେବାକୁ ହେଲେ ବିଜେପିକୁ ଢେର୍ କସରତ କରିବାକୁ ପଡିବ। କାହିଁକି ନା, ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ନଯାଇ, ଶେଷ ପର୍ଯ୍ଯାଯରେ ଭୋଟରଙ୍କ ସହିତ ଆଦୌ ସଂପର୍କରେ ନ ରହି ମଧ୍ଯ ବିଜେଡି ଯେତିକି ଭୋଟ ସାଉଁଟିପାରିଲା; ବିଜେପିର ପୁଳା ପୁଳା ନେତା, କେନ୍ଦ୍ରମନ୍ତ୍ରୀ ଗସ୍ତ କରି ସେତିକି ସଂଖ୍ଯାରେ ଭୋଟରଙ୍କୁ ଆକର୍ଷିତ ବା ପ୍ରଭାବିତ କରିପାରିଲେ ନାହିଁ। ବିଜେପି ପାଖରେ ନବୀନଙ୍କ ଭାବମୂର୍ତ୍ତି ସହିତ ସମକକ୍ଷ ଜଣେ ନେତାର ବି ଅଭାବ ରହିଛି, ଏକଥା ଭୋଟର ଜଣାଇଦେଲେ।

କଂଗ୍ରେସ କଥା ନ କହିବା ଭଲ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ ପୁଣି ଥରେ ଫେଲ ମାରିଲେ। ଦଳ ଏତେ ଦୁର୍ବଳ ଅବସ୍ଥାକୁ ଆସିଯାଇଛି ଯେ ନେତାମାନେ ଅମାନତ ରଖିପାରୁନାହାନ୍ତି। ଦଳର ସବୁ ଛାମୁଆ ନେତା ରହୁଥିବା ଭୁବନେଶ୍ବର ଠାରୁ ମାତ୍ର ୨୦ କିଲୋମିଟର ଦୂରବର୍ତ୍ତୀ ଅଞ୍ଚଳର ସ୍ଥିତି ଯଦି ଏହା, ତେବେ…। ତୁରନ୍ତ କଂଗ୍ରେସ କର୍ମୀ ଆଜି ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି। ଉଭୟ ନିରଞ୍ଜନ ଓ ଦଳର ଓଡ଼ିଶା ପ୍ରଭାରୀ ଡାକ୍ତର ଚେଲ୍ଲାକୁମାରଙ୍କୁ ତଡିବା ଦାବି ଜୋର କରିଛନ୍ତି। କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରି ସେମାନଙ୍କର ଅସନ୍ତୋଷ ଝାଡିଛନ୍ତି।

ଏସବୁ ଭିତରେ ପିପିଲି ଉପନିର୍ବାଚନରୁ ଗୋଟିଏ ବଡ ବାର୍ତ୍ତା ବିଜେଡିକୁ ବି ଯାଇଛି। ତାହା ହେଲା, ଦଳକୁ ଆସନ୍ତା ଦିନରେ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରସ୍ତୁତ ହେବାକୁ ପଡିବ। କଂଗ୍ରେସ ଆଦୌ ମଇଦାନରେ ନ ରହିବା କାରଣରୁ ବିଜେପିର ଭୋଟ ପ୍ରତିଶତ ବଢି ସିଧା ୪୨.୦୪ ପ୍ରତିଶତରେ ପହଞ୍ଚିଛି। କଂଗ୍ରେସ ଖାତାକୁ ମାତ୍ର ୨.୩୬ ପ୍ରତିଶତ ଭୋଟ ଯାଇଛି। ଏଣୁ କଂଗ୍ରେସ ଭୋଟରୁ କେତେ ପ୍ରତିଶତ ବିଜେଡିକୁ ଏବଂ କେତେ ପ୍ରତିଶତ ବିଜେପିକୁ ଗଲା, ତାର ଗୋଟିଏ ବଡ ହିସାବନିକାସ କରିବା ଦଳ ପାଇଁ ଏବେ ପ୍ରମୁଖତା ରଖେ।

କେବଳ ସେତିକି ନୁହେଁ, ପୁରୀର ଗୁରୁତ୍ବପୂର୍ଣ୍ଣ ଏହି ପିପିଲି ଆସନରେ ବିଜେଡି ଯେଉଁ ଭୋଟ ବ୍ଯବଧାନ ଆଶା କରୁଥିଲା, ତାହା ମଧ୍ଯ ମିଳିନାହିଁ। ଅନେକ କାରଣ ମଧ୍ଯରୁ ଗୋଟିଏ ବଡ କାରଣ ହେଲା, ତୃଣମୂଳସ୍ତରରେ ସରକାର ବିରୋଧରେ ଗୋଟିଏ ବଡ ଅସନ୍ତୋଷ ରହିଛି। ଫନି ବାତ୍ଯା ପରିଚାଳନା କ୍ଷେତ୍ରରେ ସରକାରୀ ଅଧିକାରୀମାନଙ୍କର ଖାମଖିଆଲ ନୀତି ଏବେ ଲୋକଙ୍କ ଅସନ୍ତୋଷ ଏମିତି ଅବସ୍ଥାରେ ନେଇ ରଖିଛି ଯେ ତାହା ବିଜେଡିକୁ କ୍ଷତବିକ୍ଷତ କରିଦେଲା। ଫନି ସମଯରେ ପୁରୀରେ କାର୍ଯ୍ଯ କରୁଥିବା ସବୁ ଅଧିକାରୀଙ୍କୁ ହଟାଇବା ସହିତ ଜିଲ୍ଲାରେ ପ୍ରଶାସନର ସକ୍ରିୟତା ବଢାଇବାକୁ ହେବ। ଅନ୍ଯଥା ଏହା ପଞ୍ଚାୟତ ନିର୍ବାଚନରେ ଦ୍ବିଗୁଣ କ୍ଷତି କରିପାରେ, ପୌର ନିର୍ବାଚନରେ ବି। କେବଳ ସେତିକି ନୁହେଁ, ଏହି ଅସନ୍ତୋଷ ସାଧାରଣ ନିର୍ବାଚନ ବେଳକୁ ବି ଅଡୁଆ କରିବ। କାରଣ ଫନିରେ ଘର ଭାଙ୍ଗିଥିବା ଲୋକଙ୍କୁ ଆଜିଯାଏ ବି ସରକାର ଘର ଦେଇପାରିନାହାନ୍ତି। ପ୍ରଶାସନିକ ପେଞ୍ଚ ଭିତରେ ନବୀନଙ୍କ ଘୋଷଣାକୁ ଅଫିସର ଗୋଷ୍ଠୀ ଏଭଳି ଢଙ୍ଗରେ ମୋଡି ଦେଇଛନ୍ତି, ଯାହାର ପରିଣାମ ଏବେ ଶାସକ ଦଳ ବିରୋଧରେ ଗୋଟିଏ ବଡ ଭୋଟ ବ୍ଯାଙ୍କ ସୃଷ୍ଟି କରିଛି।

ରାଜନୈତିକ ମହଲର କହିବା କଥା ହେଉଛି, ଉପନିର୍ବାଚନ ବୋଲି ସିନା ମାଳ ମାଳ ନେତା ଦଳ ସପକ୍ଷରେ ନିର୍ବାଚନମଣ୍ଡଳୀରେ ଏକାଠି ହୋଇପାରିଲେ, ପୌର, ପଞ୍ଚାଯତ ନିର୍ବାଚନରେ? ଏଭଳି ସ୍ଥିତିରେ ପୁରୀ ଜିଲ୍ଲା ସାଂଗଠନିକ ପୁନର୍ବିନ୍ଯାସ ଦିଗରେ ମଧ୍ଯ ବିଜେଡି ମୁଖିଆ ନଜର ଦେବାର ବେଳ ଆସିଯାଇଛି।

ଏଠାରେ ଉଲ୍ଲେଖଥାଉକି, ପିପିଲି ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ବିଜେଡି ଓ ବିଜେପିକୁ ଛାଡି ସମସ୍ତେ ଅମାନତ ହରାଇଛନ୍ତି। ୦.୪୬ ପ୍ରତିଶତ ଲୋକଙ୍କ ମନକୁ ପ୍ରାର୍ଥୀମାନେ ପ୍ରଭାବିତ କରିପାରିନାହାନ୍ତି। ୮୩୧ ଖଣ୍ଡ ଭୋଟ ନୋଟାରେ ପଡିଛି। ମୋଟ ୨୫ଟି ରାଉଣ୍ଡ ଗଣତି ପରେ ବିଜେଡି ୯୬ ହଜାର ୩୯୨ ଭୋଟ ପାଇଥିଲା ଓ ୫୮୦ ଖଣ୍ଡ ପୋଷ୍ଟାଲ ଭୋଟ ମିଶିବା ପରେ ରୁଦ୍ରଙ୍କ ସପକ୍ଷରେ ପଡିଥିବା ମୋଟ ଭୋଟ ସଂଖ୍ଯା ୯୬ ହଜାର ୯୭୨ (୫୩.୬ ପ୍ରତିଶତ) ଛୁଇଁଥିଲା। ସେହିଭଳି ଆଶ୍ରିତଙ୍କ ସପକ୍ଷରେ ଇଭିଏମରୁ ୭୫ ୭୭୦ ଖଣ୍ଡ ଭୋଟ ଆସିଥିଲା। ପୋଷ୍ଟାଲ ବାଲାଟରେ ୨୮୬ ଜଣ ତାଙ୍କୁ ସମର୍ଥନ ଜଣାଇଥଲେ। ଫଳରେ ମୋଟ ୪୨.୦୪ ପ୍ରତିଶତ ବା ୭୬ ହଜାର ୫୬ ଖଣ୍ଡ ଭୋଟ ସେ ପାଇଥିଲେ। କଂଗ୍ରେସ ଖାତାକୁ ଇଭିଏମରୁ ୪୨୩୭ ଖଣ୍ଡ ଯାଇଥଲା। ବିଶ୍ବକେଶନଙ୍କ ସପକ୍ଷରେ ୨୪ ଜଣ ପୋଷ୍ଟାଲ ବାଲାଟରେ ମତ ଦେଇଥିଲେ। ଏହିପରି ୨.୩୬ ପ୍ରତିଶତ ଅର୍ଥାତ୍ ୪୨୬୧ ଭୋଟ କଂଗ୍ରେସକୁ ମିଳିଥିଲା।

Leave A Reply

Your email address will not be published.