ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

କାହିଁକି ହାରିଲେ ବିଜେପିର ଆଶ୍ରିତ ପଟ୍ଟନାୟକ?

0

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଜଣେ ଭଲ ନେତା, ସଂଗଠକ। ତାଙ୍କର ନିର୍ବାଚନମଣ୍ଡଳୀରେ ପତିଆରା ଅଛି, ପ୍ରତିଷ୍ଠା ବି। ତାଙ୍କର ପିପିଲିରେ ଗ୍ରହଣୀୟତା କିଛି କମ୍ ନାହିଁ। ଦଳମତ ନିର୍ବିଶେଷରେ ପୁରୀ ଜିଲ୍ଲାରେ ଯେଉଁ ‘ଭଲ’ ନେତା ଆଜି ଦିନରେ ସକ୍ରିୟ ଅଛନ୍ତି, ସେମାନଙ୍କ ଭିତରେ ସେ ଗଣାଯିବେ। ତାଙ୍କ ବିରୋଧୀ ବି ଏହାକୁ ମାନିବେ। ହେଲେ ଆଶ୍ରିତ ସାଧାରଣ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କଠାରୁ ହାରିଲେ, ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରଙ୍କୁ ହରାଇ ପାରିଲେ ନାହିଁ।

ଆଶ୍ରିତଙ୍କୁ ଯେତିକି ଭୋଟ ମିଳିଛି (ପୂର୍ବରୁ ୪୧.୬୨ ପ୍ରତିଶତ, ଏବେ ୪୨ ପ୍ରତିଶତ), ତାକୁ ପର୍ଯ୍ଯାଲୋଚନା କଲେ ଏକଥା ସ୍ପଷ୍ଟ ହୋଇଯାଉଛି ଯେ ଗତ ନିର୍ବାଚନରେ ବିଜେପିର ଏତେ ନେତାଙ୍କର କୋଳାହଳ ନ ଥାଇ ସେ ଯେତିକି ଭୋଟ ପାଇଥିଲେ, ଏଥର ପାଖାପାଖି ସେତିକି ଭୋଟ ହାତେଇଛନ୍ତି। ସେଭଳି ବଡ ବ୍ଯବଧାନ ହୋଇପାରିଲା ନାହିଁ। ଏତିକି ତଥ୍ଯ ରାଜ୍ଯ ବିଜେପି ନେତା ଅନୁଶୀଳନ କରିବା ଦରକାର। କାହିଁକି ବିଜେପି ବାରମ୍ବାର ପ୍ରତ୍ଯାଖ୍ଯାତ ହେଉଛି? ଏଥିପାଇଁ ପ୍ରାର୍ଥୀ ଦାୟୀ ନା ରାଜ୍ଯ ସଂଗଠନ? ଦଳର ନିର୍ବାଚନ କୌଶଳ ବା ରଣନୀତି ଠିକ୍ ଥଲା ତ?

ଏମିତି ମାଳ ମାଳ ପ୍ରଶ୍ନ ଉପରେ ରାଜନୈତିକ ପର୍ଯ୍ଯବେକ୍ଷକ ମହଲରେ ତର୍ଜମା ଚାଲିଛି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ କଂଗ୍ରେସ ଭଳି ବିଜେପି ମଧ୍ଯ ଥରୁଟିଏ ତାର ପରାଜୟ ସମୀକ୍ଷା କରିନାହିଁ। ଏପରିକି ବାଲେଶ୍ବର ନିର୍ବାଚନ ହାରିବା ପାଇଁ ବି ଦଳ କାହା ଉପରେ ଉତ୍ତରଦାୟିତ୍ୱ ନ୍ଯସ୍ତ କଲା ନାହିଁ। କେବଳ ଜିତୁଥିବା ଦଳ ପ୍ରତି ଆଙ୍ଗୁଠି ଉଠାଇ ଚାଲିଲେ, ହାରିବାର ଉତ୍ତର ମିଳିବନାହିଁ। ଏଥିପାଇଁ ମାନସମନ୍ଥନର ଆବଶ୍ଯକତା ରହିଛି।

ରାଜନୈତିକ ମହଲ ବିଜେପିର ଯେଉଁ କିଛି କଥା ଆଡକ ଆଙ୍ଗୁଳି ଉଠାଇଛନ୍ତି, ତାହା ମଧ୍ଯରେ ସବୁଠାରୁ ଆଗରେ ଅଛି ରାଜ୍ଯ ସଂଗଠନରେ ନିଷ୍କ୍ରିୟତା। ଉପସଭାପତି ଭାବେ ସମୀର ମହାନ୍ତିଙ୍କ ପ୍ରଦର୍ଶନ ରାଜ୍ଯ ଦେଖିଛି। ହେଲେ ସଭାପତି ବେଳେ ତାଙ୍କର ସେ ତାଉ ନାହିଁ। କାହା ଚାପରେ ସେ ଚୁପ୍? ଗଣମାଧ୍ଯମ ବୟାନବାଜିରେ ଦଳୀୟ ନେତା ବେଶ୍ ସକ୍ରିୟ ଅଛନ୍ତି। ହେଲେ ହାତଗଣତି କିଛି ନିର୍ବାଚନମଣ୍ଡଳୀ ଛାଡିଦେଲେ, ଅନ୍ଯଠାରେ ବିଜେପିର କିଛି ବି ସାଂଗଠନିକ କାର୍ଯ୍ଯକ୍ରମ ନାହିଁ। ଗର୍ଜୁଥିବା ନେତାଙ୍କ ମଧ୍ଯରୁ ଅନେକଙ୍କର ନିର୍ବାଚନମଣ୍ଡଳୀ କେଉଁଟା, କେହି ଏକଥା ଜାଣନ୍ତି ନାହିଁ।

ଏଠାରେ ସ୍ମରଣଯୋଗ୍ଯ, ୨୦୧୪ ନିର୍ବାଚନ ସହିତ ଗୋଟିଏ କଥା ସାମ୍ନାକୁ ଆସିଥିଲା ଯେ ଓଡ଼ିଶାର ମୁହଁ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଆଜି ଦିନରେ ବିଜେପିର ସକ୍ରିୟତା ପାଇଁ ଏକାକୀ ଦାୟୀ। ହେଲେ ବିଜେପିର ଅନ୍ତଃକନ୍ଦଳ ଭିତରେ ତାଙ୍କ ସ୍ବର ନିରବି ଯାଇଛି। ସେ ପୂର୍ବଭଳି ଓଡ଼ିଶାରେ ତନାଘନା କରୁନାହାନ୍ତି। ଧର୍ମେନ୍ଦ୍ରଙ୍କ ସ୍ଥାନରେ ଆଉ କିଏ ଦାୟିତ୍ୱରେ ଅଛନ୍ତି, କିଏ ରାଜ୍ଯ ବିଜେପିକୁ ସକ୍ରିୟ କରିବାର ଦାୟିତ୍ୱ ମୁଣ୍ଡାଇଛନ୍ତି ଏକଥା କାହାକୁ ମାଲୁମ ନାହିଁ।

ବିଜେପୁର ଉପନିର୍ବାଚନ ଦେଖିଛି ଧର୍ମେନ୍ଦ୍ର କିଭଳି ହଇଚଇ କରିଥିଲେ। ମାଳ ମାଳ କେନ୍ଦ୍ରୀୟ ନେତା, ମନ୍ତ୍ରୀଙ୍କୁ ନେଇ କମ୍ପନ ସୃଷ୍ଟି କରିଥିଲେ। ହାରିଥଲେ ବି ଲଢେଇ ଓଡ଼ିଶା ଦେଖିଥିଲା। ହେଲେ ଏହା ପରେ…।

ଆଶ୍ରିତଙ୍କ ପାଇଁ ବିଜେପି ସେମିତି କିଛି ବି କଲାନି। ଧର୍ମେନ୍ଦ୍ର ଶେଷ ପର୍ଯ୍ଯାୟରେ ଦିନଟିଏ ମାତ୍ର କାର୍ଯ୍ଯକ୍ରମ କରି ଦାୟିତ୍ୱ ସାରିଦେଲେ। ଅନ୍ଯ କେନ୍ଦ୍ରମନ୍ତ୍ରୀଙ୍କ କଥା ନ କହିବା ଭଲ। ସାଂସଦ ଅପରାଜିତା ଷଡଙ୍ଗୀ କ୍ଯାମ୍ପ କରିଥିଲେ ବି ଫଳ ଅଲଗା ହୋଇଥାନ୍ତା। ତାହା ମଧ୍ଯ ହେଲାନି।

ରାଜନୈତିକ ପର୍ଯ୍ଯବେକ୍ଷକ ଯେଉଁ ପ୍ରାରମ୍ଭିକ ମତ ରଖୁଛନ୍ତି, ତାହା ହେଲା, ବିଜେପିରେ କାହା ସହିତ କାହାର ସମନ୍ବୟ ନାହିଁ। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳ ଷ୍ଟାର କ୍ଯାମ୍ପେନର ଭାବେ ନେଇନଥିଲା। ଯେଉଁମାନଙ୍କୁ ଏହି ତାଲିକାରେ ରଖିଥିଲା, ସେମାନେ ଆସିଥିଲେ?

ଗୋଟିଏ ଉପନିର୍ବାଚନରେ ଓଡ଼ିଶା ଦାୟିତ୍ୱରେ ଥିବା ନେତ୍ରୀ ତଥା ପ୍ରଭାରୀ ପୁରନ୍ଦେଶ୍ବରୀ ଆସିବେନି କେମିତି? ଆଉ ତେବେ କେବେ ଆସିବେ? ପରୀ ମାମଲାରେ ନୟାଗଡ ପର୍ଯ୍ଯନ୍ତ ଯାଇଥିଲେ। ମାହାଙ୍ଗା ଡବଲ୍ ମର୍ଡର ହତ୍ଯାକାଣ୍ଡରେ ବି ସେ ଗର୍ଜନ ତର୍ଜନ କରୁଥିଲେ। ପିପିଲି କିନ୍ତୁ ତାଙ୍କୁ ଦେଖିବାକୁ ପାଇଲାନି। ତାଙ୍କର ଓଡ଼ିଶା ପ୍ରତି ମୋହଭଙ୍ଗ ହୋଇଗଲା କି?

ନିକଟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବରିଷ୍ଠ ନେତା ଆସି ରାଜ୍ଯ ବିଜେପିରେ ଠିକ୍ ଠାକ୍ ଚାଲୁନାହିଁ ବୋଲି ସଙ୍କେତ ଦେଇଗଲେ। ଯେଉଁମାନଙ୍କୁ ଦଳ ଆଗରେ ରଖିଛି,ସେମାନଙ୍କ ଗ୍ରହଣୀୟତା ନେଇ ପ୍ରଶ୍ନ ଉଠାଇଲେ? ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଥିବା ଏହି ଖବର ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ନଜରରେ ଯେ ପଡିନଥିବ, ସେ କଥା ନୁହେଁ। ହେଲେ ଏହାର ପ୍ରଭାବ କଣ ହେଲା?

ଏହି ମହଲ ଆହୁରି କହୁଛନ୍ତି ଯେ ପାଟକୁରାରେ ବିଜେପି ଯେଉଁ ଭୁଲ୍ କଲା, ପିପିଲିରେ ବି ସମାନ କଥା ଦୋହରାଇଲା। ବିଜୟ ମହାପାତ୍ର ସେବେଠାରୁ ଚୁପ୍। ଲଗାତାର ଦୁଇ ଦୁଇ ଥର ହାରିବା ପରେ ଆଶ୍ରିତ ଯେବେ ତାଙ୍କ ପରାଜୟର ସଠିକ କାରଣ ସବୁ ପାଇବେ, ସେବେ ତାଙ୍କର ଆଚରଣ ଓ ଉଚ୍ଚାରଣ କଣ ହେବ, ତାହା ଲକ୍ଷ୍ଯ କରିବା କଥା। ବିଜେପି ନେତାମାନେ ଏବେଠୁ ନ ହେଜିଲେ, ଆଗକୁ ଟାଣୁଆ ପ୍ରାର୍ଥୀମାନେ ମୁହଁ ମୋଡିଦେଇପାରନ୍ତି, ସେ ସମୟ ଆଉ ବେଶୀ ଦୂରରେ ନାହିଁ।

Leave A Reply

Your email address will not be published.