ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଗାନ୍ଧୀ ପରିବାରର ସମୟ ଏବେ ଭଲ ନାହିଁ!

0

ରାହୁଲଙ୍କୁ ନେଇ କଂଗ୍ରେସରେ କମ୍ପନ, ଦଳ ଭିତରୁ ବିରୋଧର ସ୍ବର ଉଠିଲାଣି

ବରୁଣ, ମାନେକାଙ୍କ ସ୍ଥିତି ତଦ୍ରୁପ, ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ନାଁ ନାହିଁ

ଲଖିମପୁର ଖେରି ମାମଲାରେ ବରୁଣଙ୍କ ଟ୍ବିଟ୍ ବିଜେପି ଅଡୁଆ ବଢ଼ାଇଥିଲା

ଦୋଷୀଙ୍କୁ ୩୦୨ରେ ବାନ୍ଧ, ସିବିଆଇ ତଦନ୍ତ ପାଇଁ ଯୋଗୀଙ୍କୁ କହିଥିଲେ ବରୁଣ

ଲକ୍ଷ୍ନୌ: ଗୋଟିଏ ପଟେ କଂଗ୍ରେସର ଗାନ୍ଧୀ ପରିବାର ବିରୋଧରେ ବିଜେପି ତାର ଅସ୍ତ୍ରକୁ ଶାଣିତ କରିଥିବା ବେଳେ ଅନ୍ୟପଟରେ ବିଜେପି ଭିତରେ ଥିବା ଗାନ୍ଧୀ ପରିବାରର କ୍ଷମତା ସଙ୍କୋଚନ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଯେଉଁ ବିଶାଳ ଜାତୀୟ କାର୍ଯ୍ୟକାରିଣୀ କମିଟି ଗଠନ କରିଛନ୍ତି, ସେଥିରୁ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଏବଂ ତାଙ୍କ ପୁଅ ତଥା ପିଲଭିଟ୍ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିବା ବରୁଣ ଗାନ୍ଧୀଙ୍କ ନାମ ବାଦ୍ ପଡିଛି। ଉଭୟ ଏହି କମିଟିର ସଦସ୍ୟ ଥିଲେ। ଆସନ୍ତାବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ସେମାନଙ୍କୁ ଦଳ ଗୁରୁତ୍ବ ଦେବା ବଦଳରେ ଅଣଦେଖା କରିବା ଘଟଣାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଦୌ ଗ୍ରହଣ କରିପାରୁନାହାନ୍ତି।

ଗୋଟିଏ ମହଲ ତୁରନ୍ତ ପ୍ରତିକ୍ରିୟା ଦେଇ କହୁଛନ୍ତି ଯେ ଉତ୍ତରପ୍ରଦେଶର ଲଖମିପୁର ଖେରି ମାମଲାରେ ବରୁଣ ଗାନ୍ଧୀଙ୍କ ଟ୍ବିଟ୍ ଓ ପ୍ରତିକ୍ରିୟା ତାଙ୍କୁ ମହଙ୍ଗା ପଡିଛି। ଏହି ଘଟଣାକୁ ସେ ନାପସନ୍ଦ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ନିଜର ସ୍ପଷ୍ଟ ମତପୋଷଣ କରିଥିଲେ। କହିଥିଲେ ଯେ ଦଳ ଏବେ କଠିନ ନିଷ୍ପତ୍ତି ନେବାର ସମୟ ଆସିଯାଇଛି ଓ କମ୍ ଭୁଲ୍ କରିବାର ବେଳ ବି ଉପନୀତ। ଶ୍ରୀ ଗାନ୍ଧୀ ଗାଡି ମାଡିଯାଉଥିବାର ଭିଡ଼ିଓ ପୋଷ୍ଟିଂ କରି ଦାବି କରିଥିଲେ ଯେ ଏଭଳି ନିଷ୍ଠୁର କାଣ୍ଡଟି ସବୁ ଚାଷୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଜରୁରୀ ଅଟେ। ହତ୍ୟାକାରୀ ବିରୋଧରେ ଦଫା ୩୦୨ ଲଗାଇବା ପାଇଁ ବରୁଣ ଦାବି କରିବା ସହିତ ଚାଷୀଙ୍କ ଆକ୍ରୋଶକୁ ଧୈର୍ଯ୍ୟର ସହିତ ସମାଧାନ କରିବା ଲାଗି ପରାମର୍ଶ ଦେଇଥିଲେ।

କେବଳ ସେତିକି ନୁହେଁ, ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ବରୁଣ ଗାନ୍ଧୀ। ପୀଡିତଙ୍କ ପରିବାରକୁ ଯୋଗୀ ସରକାର ୧ କୋଟି ଟଙ୍କା ଦେବା ଉଚିତ୍ ବୋଲି ରୋକ୍ ଠୋକ୍ ଶୁଣାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀଙ୍କୁ ଚିଠି ଲେଖି ୩ ତାରିଖ ଘଟଣା ପାଇଁ ଅସନ୍ତୋଷ ଜାହିର କରିବା ସହିତ ଶ୍ରୀ ଗାନ୍ଧୀ କହିଥିଲେ ଯେ ଚାଷୀ ଯଦି ରାସ୍ତାକୁ ଚାଲିଆସିଛନ୍ତି, ଏହାର ଧୈର୍ଯ୍ୟପୂର୍ବକ ସମାଧାନ ହେବା ଉଚିତ୍। ସେମାନଙ୍କ ଅସନ୍ତୋଷକୁ ଶୁଣିବାର ଆବଶ୍ୟକତା ରହିଛି। ସେମାନଙ୍କୁ ଏଥିରୁ ବିରତ ରହିବାକୁ ପରାମର୍ଶ ଦିଆଯିବା ଦରକାର। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦଫା ୩୦୨ ଲଗାଇବାକୁ ସେ ଦାବି କରିଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି ଯେ ଲଖିମପୁର ଖେରି ମାମଲାରେ ଶ୍ରୀ ଗାନ୍ଧୀଙ୍କ ରଣନୀତି ସମ୍ଭବତଃ ବିଜେପି ନେତୃତ୍ବଙ୍କର ଗ୍ରହଣୀୟ ହୋଇନାହିଁ। କାରଣ ଶ୍ରୀ ଗାନ୍ଧୀଙ୍କ ଟ୍ବିଟ୍ କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ଦୋଷ ବିଜେପି ନେତୃତ୍ବ ନିକଟରେ ହିଁ ରହିଛି। ସ୍ଥାନୀୟ ବିଜେପି ନେତା ତୁରନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେତେବେଳେ ବିରୋଧୀ ରାଜନୈତିକ ଦଳ ଟାର୍ଗେଟ କରି ଘେରୁଛନ୍ତି, ସେବେ ଶ୍ରୀ ଗାନ୍ଧୀଙ୍କର ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ସେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବାର କଥା।

ଦଳର ଆଉ କିଛି ନେତାଙ୍କର କହିବା କଥା ହେଉଛି, ଜାତୀୟ କାର୍ଯ୍ୟକାରିଣୀରେ କିଏ ରହିବ, ନ ରହିବ ତାହା ରାଷ୍ଟ୍ରୀୟ ସଭାପତିଙ୍କ ଇଚ୍ଛାଧୀନ ବ୍ୟାପାର। କେବଳ ସେତିକି ନୁହେଁ, ଯେଉଁମାନଙ୍କୁ ଏହି କମିଟିରେ ଉତ୍ତରପ୍ରଦେଶରୁ ନିଆଯାଇଛି, ସେମାନେ ମଧ୍ୟ ଏଥିପାଇଁ ଯୋଗ୍ୟ। ଏଣୁ ଏହା ଗୋଟିଏ ବିବାଦର ବିଷୟ ନୁହେଁ।

ଏଠାରେ ଉଲ୍ଲେଖଥାଉକି, କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କାଙ୍କ କାର୍ଯ୍ୟକୁ ନେଇ କଂଗ୍ରେସରେ ବି ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇ ଉଠିଛନ୍ତି। ଦଳର ଅତି ବରିଷ୍ଠ ନେତାମାନେ ସେମାନଙ୍କ ବିରୋଧରେ ଖୋଲା ଅସନ୍ତୋଷ ଜାହିର କରିବା ଆରମ୍ଭ କଲେଣି। ନଟବର ସିଂହଙ୍କ ଭଳି ବରିଷ୍ଠ ନେତା ଗଣମାଧ୍ୟମରେ ଏହି ତିନି ନେତାଙ୍କ ଲାଗି କଂଗ୍ରେସର ଶୋଚନୀୟ ସ୍ଥିତି ସଂପର୍କରେ କହିବାକୁ ଭୁଲିନାହାନ୍ତି। ଏପରିସ୍ଥଳେ ମାନେକାଙ୍କ ପରିବାର ପ୍ରତି ଆସୁଥିବା ରାଜନୈତିକ ବିପଦ ରାଜନୈତିକ ମହଲରେ ଆଲୋଚନା ପାଇଁ ଖୋରାକ ଯୋଗାଇବା ସ୍ବାଭାବିକ।

Leave A Reply

Your email address will not be published.