ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ
୦-୧୮ ବର୍ଷରେ ୭୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ
ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟ ୪୫୫୪ ରହିଛି
ରାଜ୍ୟର ବିଭିନ୍ନ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ଛୁଇଁଲା ୮୩୧୨
ମୋଟ ଉପରେ ୬୪,୭୦୯ ନମୁନା ପରୀକ୍ଷଣ ହୋଇଥିଲା, ଟିପିଆର୍, ୦.୬୫%
ରାଜ୍ୟରେ ସମୁଦାୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ହଜାର ୮୩୬
ଖୋର୍ଦ୍ଧାରେ ୨୧୧ କୋଭିଡ୍ ପଜିଟିଭ୍ ଚିହ୍ନଟ ଓ କଟକ ୪୦

ମୋଡି ଦେଲେଣି ସୂଚନା ଅଧିକାର ଆଇନର ଡଙ୍କ

0
  • ଆଇନ ରାସ୍ତାରେ ବାବୁମାନେ ହିଁ କଣ୍ଟା; ସ୍ବତଃ ଦେଉନାହାନ୍ତି, ମାଗିଲେ ବି କୁନ୍ଥକୁନ୍ଥ
  • ୨୦୦୫ ଅକ୍ଟୋବର ୧୨ ତାରିଖରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ଏହି ଆଇନ
  • ଜଳଦ ତ୍ରିପାଠୀ ଦାୟିତ୍ବ ନେଲା ପରେ ସ୍ଥିତି ବଦଳିବ କି ନାହିଁ, ତାହା ଉପରେ ଏବେ ନଜର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକସେବା ଭବନ ଓ ଖାରବେଳ ଭବନରେ ଥିବା ବଡ଼ ବଡ଼ ବିଭାଗ ନିଜ ସ˚ପର୍କରେ ସ୍ବତଃ ତଥ୍ୟ ଓ୍ବେବ୍ ସାଇଟରେ ଦେବାକୁ ଥତମତ। କିଛି ବିଭାଗ ତଥ୍ୟ ଦେଇଛନ୍ତି, ମାତ୍ର ତାହା ସମ୍ପୂର୍ଣ୍ଣ ନୁହେଁ। ସେଗୁଡିକ ମଧ୍ୟରୁ ଅନେକ ଓଡ଼ିଆରେ ନାହିଁ, ଅପଡେଟ୍‌ ମଧ୍ୟ ହେଉନାହିଁ। ସବୁ କାର୍ଯ୍ୟାଳୟ ସାମ୍ନାରେ ଡିସ୍‌ପ୍ଲେ ବୋର୍ଡ ବା ତଥ୍ୟ ପ୍ରଦର୍ଶନ ଫଳକ ଶୋଭା ପାଉନାହିଁ। କେବଳ ଲୋକସେବା ଭବନ ଓ ଖାରବେଳ ଭବନରେ ଏ ସ୍ଥିତି ତା ନୁହେଁ, ଜିଲ୍ଲା ଓ ବ୍ଲକ, ତହସିଲ, ପଞ୍ଚାୟତ, ଥାନାସ୍ତରରେ ଆହୁରି ଗମ୍ଭୀର ପରିସ୍ଥିତି।

ଦେଶରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୭ ବର୍ଷ ପରେ ଓଡ଼ିଶାରେ ଏହା ଏଭଳି ବିକଳ ଅବସ୍ଥାରେ ଅଛି। ଏହି ଆଇନ କାର୍ଯ୍ୟକାରୀ କରିବା ଲାଗି ବାବୁମାନେ କୁନ୍ଥକୁନ୍ଥ, ସରକାର ବି। ଆଜି ଦିନରେ ରାଜ୍ୟରେ ହଜାର ହଜାର ସରିକି ମକଦ୍ଦମା ବିଚାର ଅପେକ୍ଷାରେ ରହିଛି। ସୂଚନା ଅଧିକାରୀ କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ, ବୁଦ୍ଧିଜୀବୀ ସମସ୍ତେ ଏଥିପାଇଁ ସରକାରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି। ତେବେ ଏହା ଭିତରେ ଆଶ୍ବାସନାର କଥା ହେଲା, ସୂଚନା ଅଧିକାର ନେଇ ଜନ ସଚେତନତା ଅପେକ୍ଷାକୃତ ବୃଦ୍ଧି ପାଇଛି ଓ ରାଜ୍ୟ ସରକାର ମଧ୍ୟ କମିସନର ଆକାର ବଢାଇଛନ୍ତି।

୨୦୦୫ ଅକ୍ଟୋବର ୧୨ ତାରିଖରେ ଦେଶରେ ସୂଚନା ଅଧିକାର ଆଇନ ଲାଗୁ ହୋଇଥିଲା। ଆଉ ଦୁଇ ଦିନ ପରେ ଏହି ଆଇନକୁ ୧୭ବର୍ଷ ଛୁଇଁବ। ଅର୍ଥାତ୍ ଯୁବକ ହେବାକୁ ଗଲାଣି। ରାଜ୍ୟ ସରକାର ଏହି ଆଇନ କାର୍ଯ୍ୟକାରୀ କରିବାରେ ଆଦୌ ବିଳମ୍ବ କରିନାହାନ୍ତି। ବରଂ ଓଡ଼ିଶା ସରକାର ସେହି ବର୍ଷ ଅକ୍ଟୋବର ୨୯ ତାରିଖରେ ଏ ସ˚କ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପରେ ପରେ ସେହିବର୍ଷ ନଭେମ୍ବର ୨୦ ତାରିଖରେ ଡି ଏନ୍‌ ପାଢୀ ଓଡ଼ିଶାର ପ୍ରଥମ ମୁଖ୍ୟ ସୂଚନା କମିସନର ଭାବେ ଶପଥ ନେଇଥିଲେ।

ହେଲେ ଯେଉଁ ଆଭିମୁଖ୍ୟ ରଖି ଦେଶରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା, ୧୬ ବର୍ଷ ପରେ ଶତପ୍ରତିଶତ ହାସଲ ହୋଇପାରିନାହିଁ। ଏ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ କ୍ଷୋଭ ଯେତିକି, ସୂଚନା ଅଧିକାର କର୍ମୀ, ସାଧାରଣ ନାଗରିକ ସେତିକି ଅସନ୍ତୁଷ୍ଟ।

ସୂଚନା ଅଧିକାର କର୍ମୀଙ୍କ କହିବା କଥା ହେଉଛି, ରାଜ୍ୟ ସରକାରଙ୍କ ସବୁ ବିଭାଗ ଏବେ ବି ଏଯାଏ ସ୍ବତଃ ଲୋକଙ୍କ ନିକଟରେ ତଥ୍ୟ ରଖିବା ଲାଗି ଆଗ୍ରହ ରଖୁନାହାନ୍ତି। ବିଶେଷ କରି ସାଧାରଣ ଲୋକଙ୍କର ସ˚ପୃକ୍ତି ରହୁଥିବା କାର୍ଯ୍ୟାଳୟରେ ଏହି ଚିତ୍ର ଆଦୌ ଗ୍ରହଣୀୟ ନୁହେଁ। ଯେଉଁ ସବୁ ବିଭାଗମାନେ ତଥ୍ୟ କିଛି ଦେଇଛନ୍ତି, ସେସବୁରୁ ଅଧିକାଂଶ ଇ˚ରାଜୀରେ ଲେଖାଯାଇଛି। ଫଳରେ ସାଧାରଣରେ ଏହା ବିଶେଷ ଆଦୃତି ଲାଭ କରିପାରୁନାହିଁ। ତା ଠାରୁ ସା˚ଘାତିକ କଥା ହେଉଛି, ଅଧିକା˚ଶ ବିଭାଗର ତଥ୍ୟ ଅପଡେଟ୍‌ କରାଯାଉନାହିଁ। ଏସବୁ ତଥ୍ୟ ଲୋକଙ୍କ କାମରେ ଲାଗିପାରୁନାହିଁ।

ସ୍ବତଃ ତଥ୍ୟ ତ ଦେଉନାହାନ୍ତି, ବିଭିନ୍ନ ବିଭାଗରେ ଥିବା ଜନ ସୂଚନା ଅଧିକାରୀମାନଙ୍କର ବି ଏ କ୍ଷେତ୍ରରେ ସାମାନ୍ୟ ତତ୍ପରତା ଦେଖିବାକୁ ମିଳୁନାହିଁ। ସେମାନେ ଲୋକାଭିମୁଖୀ ହେବା ଉଚିତ୍‌। ସାଧାରଣ ଲୋକଙ୍କୁ ନିରାଶ ନ କରି ତଥ୍ୟ ଦେଇଦେବା ଦରକାର। ମାତ୍ର ଓଡ଼ିଶାରେ ଚିତ୍ର ଠିକ୍‌ ତାର ବିପରୀତ। ବିଭିନ୍ନ ବିଭାଗରେ ଥିବା ଏହି ଅଧିକାରୀମାନେ ସାଧାରଣ ଲୋକଙ୍କ ଭିତରେ ଏହି ଆଇନ ସ˚ପର୍କରେ ଭରସା ସୃଷ୍ଟି କରିପାରୁନାହାନ୍ତି। ତଳସ୍ତରରେ ତଥ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯିବା ଯୋଗୁଁ, ସୂଚନା କମିସନରେ ମଧ୍ୟ ମାମଲା ବଢୁଛି। ସେହିଭଳି ସୂଚନା କମିସନଙ୍କ ବାର୍ଷିକ ରିପୋର୍ଟ ଠିକ ସମୟରେ ପ୍ରକାଶ ପାଇପାରୁ ନାହିଁ। ଓଡ଼ିଶା ସରକାରଙ୍କ ସୂଚନା ଅଧିକାର ନିୟମ ସ˚ଶୋଧନ ହେବାର ଆବଶ୍ୟକତା ରହିଛି। ଏ ନେଇ ରାଜ୍ୟ ସରକାର ଆଲୋଚନା କଲେ, ହେଲେ ସେହିଠାରେ ଏ ପ୍ରସଙ୍ଗ ଅଟକିଗଲା।

ଏମିତିରେ ବି ଓଡ଼ିଶାରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇବା ପାଇଁ ଯେଉଁ ଆବେଦନ ଫର୍ମ ରହିଛି, ତାହା ପୂରଣ କରିବା ସମୟସାପେକ୍ଷ ଓ ସାଧାରଣ ଲୋକଙ୍କ ପାଇଁ କଷ୍ଟସାଧ୍ୟ। ଏହାକୁ ସରଳ କରିବା ଲାଗି ବାରମ୍ବାର ଦାବି ସତ୍ତ୍ବେ ସରକାର ଧ୍ୟାନ ଦେଉନାହାନ୍ତି ବୋଲି ଏହି ମହଲ ଅଭିଯୋଗ କରିଛନ୍ତି। ଏବେ ବି ହଜାର ହଜାର ମାମଲା ସୂଚନା କମିସନରେ ଫଏସଲା ଅପେକ୍ଷାରେ ରହିଛି। ଫଳରେ ଆଇନର ଡଙ୍କ ମୋଡି ହୋଇଯାଉଛି।

ସବୁଠାରୁ ବଡ କଥା ହେଲା, ଏହି ଆଇନର ଧୀରେ ଧୀରେ ଅସଦବ୍ୟବହାର ହେବା ଆରମ୍ଭ ହେଲାଣି। ଗୋଟିଏ ପଟେ ତଥ୍ୟ ମାଗିବା କାରଣରୁ ଅସାଧୁମାନେ ସୂଚନା କର୍ମୀଙ୍କୁ ଆକ୍ରମଣ ଓ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ଅନ୍ୟପଟରେ କିଛି ବ୍ୟକ୍ତି ଏହି ତଥ୍ୟକୁ ଆୟୁଧ କରି ଅଧିକାରୀ ଓ ସଂସ୍ଥାକୁ ମଧ୍ୟ ବ୍ଲାକମେଲିଂ କରୁଥିବା ଅଭିଯୋଗ ହେଉଛି। ଉଭୟ ଘଟଣା ଆଦୌ ସ୍ପୃହଣୀୟ ନୁହେଁ। ଏହା ମଧ୍ୟ ଆଇନ ରାସ୍ତାରେ କଣ୍ଟା ଭଳି ବ୍ୟବହାର ହେଉଛି। ଏସବୁ ନେଇ ଆଇନରେ ସଂଶୋଧନ ଅପେକ୍ଷା ରଖୁଛି।

ଉଲ୍ଲେଖଯୋଗ୍ୟ, ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ ଜଳଦ କୁମାର ତ୍ରିପାଠୀ ଇତିମଧ୍ୟକେ ମୁଖ୍ୟ ସୂଚନା କମିସନର ଭାବେ ଦାୟିତ୍ବ ନେଇଛନ୍ତି। ତାଙ୍କ ବ୍ୟତୀତ ବାଳକୃଷ୍ଣ ମହାରଣା, ବିକ୍ରମ ସେନାପତି, ଦିଲ୍ଲୀପ କୁମାର ବିଶୋଇ ଓ ସଂଜୟ କେଶରୀ ସ୍ବାଇଁଙ୍କ ଭଳି ଚାରିଜଣ ସଭ୍ୟ ଅଛନ୍ତି। ଏହି ସଂଖ୍ୟା କିଛି କମ୍ ନୁହେଁ। ହେଲେ କମିସନରମାନେ ଓଡ଼ିଶାରେ ତଥ୍ୟ ଗିଳି ଦେଉଥିବା ଅଧିକାରୀଙ୍କ ବିରୋଧରେ ସେମିତି ଗୋଟିଏ ପ୍ରଭାବ ସୃଷ୍ଟି କରିପାରିନାହାନ୍ତି। ଫଳରେ ଏହି ଆଇନର ମୂଳ ଉଦ୍ଦେଶ୍ୟ ପରାହତ ହେଉଛି। ଏବେ ଦେଖିବା କଥା ଶ୍ରୀ ତ୍ରିପାଠୀଙ୍କ ନେତୃତ୍ବରେ ସୂଚନା କମିସନଙ୍କ କାର୍ଯ୍ୟାଳୟ ଚିତ୍ର ବଦଳୁଛି ନା ନାହିଁ।

Leave A Reply

Your email address will not be published.