ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଅଣକାଶ୍ମୀରବାସୀଙ୍କ ମୁଣ୍ଡ ଖୋଜୁଛନ୍ତି ଆତଙ୍କବାଦୀ

0

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚଳିତ ମାସ ଆରମ୍ଭରୁ ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି। ସେମାନଙ୍କ ଟାର୍ଗେଟରେ ଅଛନ୍ତି ମୁଖ୍ୟତଃ ସଂଖ୍ୟାଲଘୁ ଓ ଅଣକାଶ୍ମୀର ବ୍ୟକ୍ତି। ଏହା ଏବେ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଘଟଣା ସଂପର୍କରେ ସୁରାକ ପାଇବା ପରେ ଜମ୍ମୁ କାଶ୍ମୀର ପ୍ରଶାସନଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଯାଏ ସମସ୍ତେ ସତର୍କ ହୋଇଯାଇଛନ୍ତି।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଆତଙ୍କବାଦୀଙ୍କ ବିରୋଧରେ ସେନା ମଧ୍ୟ ନିଜ ଅପରେସନ ଜୋରଦାର କରିଛି। ଅନେକ ଆତଙ୍କୀ ସେନା ଗୁଳିରେ ପ୍ରାଣ ହରାଇଲେଣି, ପାଖାପାଖି ୭୦୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଋବିବାର ଆତଙ୍କବାଦୀ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଶ୍ରମିକ ଭାବେ କାମ କରୁଥିବା ୩ ଜଣଙ୍କୁ ଗୁଳି କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଏମାନେ ସମସ୍ତେ ବିହାରର। ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଶ୍ରୀନଗରର ଦୁଇ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ମଧ୍ୟ ବିହାରର ବାସିନ୍ଦା ଥିଲେ।

କୁହଯାଉଛି ଯେ ଆତଙ୍କବାଦୀ ସେମାନଙ୍କ ଋଣନୀତି ବଦଳାଇ ଟାର୍ଗେଟ କିଲିଙ୍ଗ ଆରମ୍ଭ କରିଦେଇଛନ୍ତି, ଯେଉଁଥିରେ ଲୋକଙ୍କୁ ନିକଟରୁ ଗୁଳି ମାରି ହତ୍ୟା କରୁଛନ୍ତି। ଏହି ମାସରେ ହତ୍ୟା କରିଥିବା ଅନେକ ଲୋକଙ୍କ ମଧ୍ୟରେ ଅଛନ୍ତି-

()ମହମ୍ମଦ ଶାଫି ଦାର: ମାସ ଆରମ୍ଭରୁ ଶାଫି ଦାରଙ୍କୁ ଆତଙ୍କବାଦୀ ଟାର୍ଗେଟ କରି ହତ୍ୟା କରିଥିଲେ। ଅକ୍ଟୋବର ୨ରେ ସୁରକ୍ଷାକର୍ମୀଙ୍କ ସହ ଲିଙ୍କ ଅଭିଯୋଗରେ ତାଙ୍କୁ ହତ୍ୟା କରିଥିଲେ।

() ମାଜିଦ ଅହମ୍ମଦ ଗୋଜ୍ରି: ଶ୍ରୀନଗର ଚଟାବଲ ନିବାସୀ ଗୋଜ୍ରିଙ୍କୁ ଅକ୍ଟୋବର ୨ରେ ମଦିନା କମ୍ପେକ୍ସ ନିକଟରେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ।

() ମାଖନ ଲାଲ ବିନ୍ଦ୍ରୁ:ଶ୍ରୀନଗରର ଜଣାଶୁଣା କାଶ୍ମୀର ପଣ୍ଡିତ ମାଖନ ଲାଲ ବିନ୍ଦ୍ରୁଙ୍କୁ ଅକ୍ଟୋବର ୫ରେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ। ୬୮ ବର୍ଷୀୟ ବିନ୍ଦ୍ରୁଙ୍କୁ ତାଙ୍କ ଫାର୍ମାସୀରେ ଆତଙ୍କବାଦୀ ମାନେ ଟାର୍ଗେଟ କରିଥିଲେ।

() ବୀରେନ୍ଦ୍ର ପାଶୱାନ: ବିହାର ଭାଗଲପୁରର ବାସିନ୍ଦା ବୀରେନ୍ଦ୍ର ପାଶୱାନ ଶ୍ରୀନଗରର ଲାଲ ବଜାରରେ ରାସ୍ତାକଡ଼ରେ ବିକ୍ରି କରନ୍ତି। ବିନ୍ଦ୍ରୁଙ୍କୁ ଗୁଳି କରିବାର କିଛି ଘଣ୍ଟା ପରେ ଆତଙ୍କୀ ପାଶୱାନଙ୍କୁ ଗୁଳି କରିଥିଲେ।

() ମହମ୍ମଦ ଶାଫି ଲୋନ: ବାନ୍ଦିପୋରାରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡର ଚେୟାରମ୍ୟାନ ତଥା କ୍ୟାବ ଡ୍ରାଇଭର ଶାଫିଙ୍କୁ ସେହି ଦିନ ଗୁଳି କରି ହତ୍ୟା କରାଯାଇଥିଲା।

()ସୁପିନ୍ଦର କୌର:ଶ୍ରୀନଗରର ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁପିନ୍ଦର କୌରଙ୍କୁ ଅକ୍ଟୋବର ୭ରେ ହତ୍ୟା କରାଯାଇଥିଲା।

() ଦୀପକ ଚାନ୍ଦ: ସୁପିନ୍ଦର କୌରଙ୍କ ସ୍କୁଲର ଶିକ୍ଷକ ଥିବା ଦୀପକ ଚାନ୍ଦ ଜମ୍ମୁର ଜଣେ ହିନ୍ଦୁ ଥିଲେ। ସେହିଦିନ ସକାଳ ୧୧ଟାରେ ସ୍କୁଲରେ କୌରଙ୍କ ସହ ଚାନ୍ଦଙ୍କୁ ହତ୍ୟା କରିଥିଲେ ଆତଙ୍କୀ।

() ସାଗର ଅହମ୍ମଦ: ପୁଲୱାମାରେ ଆତଙ୍କବାଦୀ ମାନେ ଉତ୍ତରପ୍ରଦେଶର ସାଗର ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଥିଲେ। ଅହମ୍ମଦ ସହରାନପୁରର ବାସିନ୍ଦା ଥିଲେ।

()ଅରବିନ୍ଦ କୁମାର ଶାହ: ଶ୍ରୀନଗରରେ ଶନିବାର ଦିନ ଆତଙ୍କବାଦୀ ମାନେ ଗୁପଚୁପ ବିକାଳୀ ଅରବିନ୍ଦ କୁମାର ଶାହଙ୍କୁ ହତ୍ୟା କରିଥିଲେ। ସେ ବିହାରର ବାଙ୍କାର ବାସିନ୍ଦା ଥିଲେ।

() ରାଜା ଦେବ: ସେ ବିହାରର ଜଣେ ଦିନ ମଜୁରିଆ ଥିଲେ। ରବିବାର କୁଲଗାମ ବାନପୋହରେ ତାଙ୍କୁ ଆତଙ୍କବାଦୀ ଗୁଳି କରି ମାରିଥିଲେ।

() ଯୋଗୀନ୍ଦର ଦେବ: ଆତଙ୍କବାଦୀ ମାନେ ରାଜା ଦେବଙ୍କ ସହ ରହୁଥିବା ଯୋଗୀନ୍ଦର ଦେବଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବାରମ୍ବାର ବିହାର ନାଗରିକ ମାନେ ହତ୍ୟାର ଶିକାର ହୋଇଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପଟେ ଜମ୍ମୁ କାଶ୍ମୀରରେ ଥିବା ସମସ୍ତ ଅଣ କାଶ୍ମୀର ଶ୍ରମିକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ପୁଲିସ କ୍ୟାମ୍ପ କିମ୍ବା ସେନା କ୍ୟାମ୍ପକୁ ଆଣି ଏହି ଅଣ କାଶ୍ମୀର ଶ୍ରମିକଙ୍କୁ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.