ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ବଢ଼ିଲାଣି କାଶ୍ମୀରରେ ଆତଙ୍କବାଦର ଭୟ

0

ନୂଆଦିଲ୍ଲୀ: କାଶ୍ମୀର ଘାଟିରେ ଅବସ୍ଥା ଖରାପ ହେବାରେ ଲାଗିଛି। ସେନା ଜୋରଦାର ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଆତଙ୍କବାଦୀ ମାନେ ଏହି ମାସରେ ୧୧ ଜଣ ସାଧାରଣ ନାଗରିକକୁ ହତ୍ୟା କରିଛନ୍ତି,ଯେଉଁମାନଙ୍କ ମଧ୍ୟରେ ୭ ଜଣ ଅଣ ମୁସଲମାନ ଅଛନ୍ତି। ଏହା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଘାଟିରେ ଭୟର ବାତାବରଣ ଖେଳିଯାଇଛି। ସେଠାରୁ ସାଧାରଣ ଲୋକମାନେ ପଳାୟନ କରୁଛନ୍ତି। କାଶ୍ମୀର ଘାଟିରେ ଏପରି ପରିସ୍ଥିତି ପୁଣି ଥରେ ୯୦ ଦଶକର କଥା ମନେ ପକାଇଦେଇଛି।

ମାର୍ଚ୍ଚ ୨୦୧୦ରେ କାଶ୍ମୀର ପଣ୍ଡିତଙ୍କୁ ନେଇ ଜମ୍ମୁ କାଶ୍ମୀର ବିଧାନସଭାରେ ଏକ ପ୍ରଶ୍ନ କରାଯାଇଥିଲା। ସେତେବେଳେ ସରକାର କହିଥିଲେ ଯେ, ଘାଟିରେ ୧୯୮୯ରୁ ୨୦୦୪ ମଧ୍ୟରେ ୨୧୯ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି। ଜମ୍ମୁ କାଶ୍ମୀରର ମାଇଗ୍ରେଣ୍ଟ ରିଲିଫ ପୋର୍ଟାଲ ଅନୁଯାୟୀ, କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଘଟଣା ବଢିବା ପରେ ୬୦ ହଜାରରୁ ଅଧିକ ପରିବାର ଉପତ୍ୟକା ଛାଡି ପଳାୟନ କରିଛନ୍ତି।

ସେଥିମଧ୍ୟରୁ ୪୪ ହଜାର ପରିବାର ରାଜ୍ୟ ରିଲିଫ ପୁନର୍ବାସ କମିସନରଙ୍କ ନିକଟରେ ପଞ୍ଜୀକୃତ ହୋଇଥିଲେ। ୪୪ ହଜାର ପରିବାରରୁ ୪୦ ହଜାର ୧୪୨ ହିନ୍ଦୁ ପରିବାର, ୨ ହଜାର ୬୮୪ ମୁସଲମାନ ପରିବାର ଏବଂ ୧ ହଜାର ୭୩୦ ଶିଖ୍ ପରିବାର ଥିଲେ। ୧୯୯୦ ପରେ କାଶ୍ମୀରରେ ପୁଣି ସମାନ ପରିସ୍ଥିତି ଉପୁଜିଛି। ଲୋକମାନେ ଉପତ୍ୟକା ଛାଡି ଭୟରେ ପଳାଉଛନ୍ତି। ଜଣେ କାଶ୍କୀର ପଣ୍ଡିତ ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ସେ ଗତ ୨୦ ବର୍ଷ ହେବ ଶିକ୍ଷକ ଭାବେ କାମ କରୁଥିଲେ। ଏବଂ କିଛି ବର୍ଷ ପରେ ପ୍ରମୋସନ ହେବା ପରେ ଘାଟିକୁ ଫେରିଥିଲେ। କିନ୍ତୁ ଏବେ ପରିସ୍ଥିତି ଖରାପ ହେବାରୁ ସେ ଜମ୍ମୁ ପଳାଇଆସିଥିବା କହିଛନ୍ତି।

କାଶ୍ମୀର ପଣ୍ଡିତ ସଂଘର୍ଷ ସମିତି ଅଧ୍ୟକ୍ଷ ସଂଜୟ ଟିକୁ ଗତ ସପ୍ତାହରେ କହିଥିଲେ ଯେ, ବଡଗାମ, ଅନନ୍ତନାଗ ଓ ପୁଲୱାମାରୁ ୫୦୦ରୁ ଅଧିକ ଲୋକ ପଳାୟନ କରୁଛନ୍ତି। ଆତଙ୍କବାଦୀମାନେ କିଛି ଦିନ ପୂର୍ବରୁ ଶ୍ରୀନଗର ସ୍ଥିତ ସରକାର ସ୍କଲର ପ୍ରିନ୍ସପାଲ ସୁପିନ୍ଦର କୌର ଓ ଶିକ୍ଷକ ଦୀପକ ଚାନ୍ଦଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଦୀପକଙ୍କ ଜଣେ ସଂପର୍କୀୟ କହିଛନ୍ତି ଯେ, କାଶ୍ମୀର ତାଙ୍କ ପାଇଁ ସ୍ୱର୍ଗ ନୁହେଁ ନର୍କ।

୨୦୧୯ ଅଗଷ୍ଟରେ ଜମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ସେଠାରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲା । ସରକାର ମଧ୍ୟ ଏହାକୁ ନିଜର ଏକ ବଡ଼ ସଫଳତା ବୋଲି କହିଥିଲେ। ଜୁଲାଇରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଥିଲେ ଯେ,ଘାଟିରେ ସ୍ଥିତି ସୁଧୁରୁଥିବାରୁ ଲୋକେ ପୁଣି କାଶ୍ମୀର ଫେରୁଛନ୍ତି। କିନ୍ତୁ ଏବେ ପୁଣି ଥରେ ସ୍ଥିତି ବିଗିଡିବାରେ ଲାଗିଛି। କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟାକୁ ନେଇ ଘାଟିରେ ଅଶାନ୍ତି ଲାଗିରହିଛି।

ଘାଟିରେ ୧୯୮୯ରୁ ଆତଙ୍କବାଦର ଜନ୍ମ ହେବା ଆରମ୍ଭ ହୋଇଥିଲା। ୧୯୮୯ ସେପ୍ଟେମ୍ବରରେ ବିଜେପି ନେତା ଓ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। କୁହାଯାଏ ଯେ, ଉପତ୍ୟକାରେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିବା ଏହା ପ୍ରଥମ ଘଟଣା ଥିଲା। ଏବେ ପୁଣି ଘାଟିରେ କାଶ୍ମୀର ପଣ୍ଡିତ ଓ ଅଣକାଶ୍ମୀରଙ୍କୁ ୧୯୯୦ ଭଳି ଡର ଘାରିଛି। ସବୁ ଲୋକ ସରକାରଙ୍କୁ ନିଜର ସୁରକ୍ଷା ମାଗିଛନ୍ତି।

Leave A Reply

Your email address will not be published.