ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ମନ୍ଦିର-ପାର୍କ-ଭୋଜିକୁ ନା, ନେତାଙ୍କୁ ଫୁଲତୋଡା ପାଇଁ ହଁ

0

ନୂଆବର୍ଷ କଟକଣାକୁ ଫୁ କରି ଉଡ଼ାଇ ଦିଆଗଲା

ସମସ୍ତେ ସବୁ ଦେଖିଲେ, କିଛି କାର୍ଯ୍ୟାନୁଷ୍ଠାନ ନାହିଁ

କେହି କାହାକୁ ବାରଣ କିମ୍ବା ତାଗିଦ୍ କଲେନାହିଁ

କରୋନା ସଂକ୍ରମଣ ବଢ଼ିଲେ କିଏ ଦାୟୀ ହେବ?

ଥୋକାଏ ଲୋକ କଟକଣା ମାନିବେନି, ତା ପରେ..


ଭୁବନେଶ୍ବର: ଦେଶର ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କୋଭିଡ୍ ତୃତୀୟ ଲହର ପରିସ୍ଥିତି ସୃଷ୍ଟି ହୋଇଛି। କିଛି ସପ୍ତାହ ବ୍ୟବଧାନ ପରେ ଓଡ଼ିଶାରେ ବି ସଂକ୍ରମଣ ଉପରମୁହାଁ ହେଲାଣି। କରୋନାର ନୂଆ ପ୍ରଜାତି ଓମିକ୍ରନ୍ ବି ଓଡ଼ିଶାରେ ଆସି ପହଞ୍ଚିସାରିଛି। କାଳେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିଯିବ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ଷର ଶେଷ ଦିନ ଅର୍ଥାତ୍ ଡିସେମ୍ବର ୩୧, ଜାନୁଆରି ପହିଲା ବା ନୂଆବର୍ଷ ପାଇଁ କଟକଣା ଜାରି କରିଥିଲେ।

ସ୍ବତନ୍ତ୍ର ରିଲିଫ୍ କମିସନର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ରାଜ୍ୟବାସୀଙ୍କୁ ସତର୍କ କରାଇଲେ। ସରକାରୀ ଅଫିସରେ ବି ଫୁଲ ଦିଆନିଆ ଓ ଶୁଭେଚ୍ଛା ଉପରେ କଟକଣା ଜାରି ହେଲା। ନୂଆବର୍ଷରେ ଲୋକେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଦିନ ଆରମ୍ଭ କରନ୍ତି। ସରକାର ମନ୍ଦିର, ପାର୍କ, ଭୋଜି ଆଦି ମଧ୍ୟ ବନ୍ଦ କରିଦେଲେ।

ହେଲେ ସରକାରଙ୍କ କଟକଣାକୁ ରାଜନୈତିକ ନେତାମାନେ ଫୁ କରି ଉଡ଼ାଇ ଦେଲେ। ଅଧିକାଂଶ ନେତାଙ୍କ ଘର ଆଗରେ ଆଜି ଅସମ୍ଭବ ଭିଡ। ଶୁଭେଚ୍ଛା ଦିିଆନିଆ ପାଇଁ ଦଳୀୟ ନେତା ଓ କର୍ମୀ ଏଭଳି ଭିଡ଼ ଜମାଇଥିଲେ ଯେ ଏହା କୌଣସି ବଡ ମହୋତ୍ସବ ଠାରୁ କମ୍ ନଥିଲା। ହେଲେ ନା ପୁଲିସ ସେମାନଙ୍କୁ ଘଉଡାଇଲା ନା ସଂପୃକ୍ତ ନେତାମାନେ ଏ ସଂକ୍ରାନ୍ତରେ ନିଜ ଶୁଭେଚ୍ଛୁ ବା କର୍ମୀଙ୍କୁ ବାରଣ କଲେ। ବରଂ ସରକାରଙ୍କ ମହାମାରୀ ଆଇନକୁ ସମସ୍ତେ ମିଶି ଦଳିଚକଟି ଦେଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ନେତାଙ୍କ ବିରୋଧରେ କିଛି ମାମଲା ହୋଇଥିବା ସଂକ୍ରାନ୍ତରେ ଖବର ନାହିଁ।

ଏବେ ପ୍ରଶ୍ନ ଉଠୁଛି, ଯଦି ନେତାଙ୍କ ପାଇଁ ଛାଡ କରାଗଲା, ତେବେ ମନ୍ଦିର କାହିଁକି ବନ୍ଦ କରାଗଲା? ଇଏ କି ନିଷ୍ପତ୍ତି?

ଭୁବନେଶ୍ବରରେ ଅନେକ ନିର୍ବାଚନମଣ୍ଡଳୀର ବିଧାୟକଙ୍କ ପାଖରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଧର୍ମଶାଳା ବିଧାୟକଙ୍କ ଜାରକା ନିକଟସ୍ଥ ବିଜେଡି କାର୍ଯ୍ୟାଳୟ କଥା ନ କହିବା ଭଲ। ସ୍ଥିତି ଏମିତି ହୋଇଥିଲା ଯେ ଗାଡି ମୋଟର ଚଳାଚଳ ଏକରକମ ବନ୍ଦ ହୋଇଯାଇଥିଲା। ସମସ୍ତେ ଭୁଲିଯାଇଥିଲେ ଯେ ରାଜ୍ୟରେ କୋଭିଡ୍ ନିୟମ ବଳବତ୍ତର ରହିଛି। ଆହୁରି ଆଶ୍ଚର୍ଯ୍ୟ କଥା ହେଲା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦେଶନାମା ଗୋଟିଏ ମାମୁଲି କଥା ନୁହେଁ। ଏହାର ଉଲ୍ଲଂଘନ କଲେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ଏକଥା ଜାଣି ବି ଓଲଟା ବ୍ୟବହାର କଲେ।

କେବଳ ସରକାରୀ ଦଳର ବିଧାୟକଙ୍କ ଦୁଆରେ ଏମିତି ହୋଇଥିଲା ତା ନୁହେଁ, ବିରୋଧୀ ଦଳର ଟାଣୁଆ ନେତାମାନଙ୍କ ଦୁଆରେ ବି ଲୋକଙ୍କ ଭିଡ ଦେଖାଦେଇଥିଲା। ରାଜନୈତିକ ମହଲର କହିବା କଥା ହେଉଛି, ଏହା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ନିର୍ବାଚନ। ଆଗକୁ ପଞ୍ଚାୟତ ନିର୍ବାଚନରେ କିଏ ଟିକେଟ୍ ପାଇବ ଏହାକୁ ଆଖେଇ ଅନେକ କର୍ମୀ ନେତାଙ୍କ ଆଶୀର୍ବାଦ ନେବାକୁ ବ୍ୟସ୍ତ ହୋଇପଡିଥିଲେ। ତାଙ୍କ ମୁହଁଟି ନେତା ମନେ ରଖିଥିଲେ, ଆଗକୁ କାମ ଦେବ। ଏଣୁ ଭିଡ଼ ବୃଦ୍ଧିପାଇବାରେ କୌଣସି ଅସ୍ବାଭାବିକତା ନାହିଁ।

ହେଲେ ଉଦବେଗର ବିଷୟ ହେଲା, ଯଦି ସଚେତନ ନାଗରିକମାନେ ଏଭଳି ଆଚରଣ କରିବେ, ତେବେ ଅନ୍ୟମାନେ? ହେଲେ ପୁଲିସ ଏସବୁ କଥାକୁ କେମିତି ହଜମ କରିଗଲା? ରାଜ୍ୟ ସରକାର ଏସବୁକୁ କେମିତି ବରଦାସ୍ତ କଲେ?

ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ଆସନ୍ତା ଦିନରେ ଏହାର ଯେ ପ୍ରଭାବ ନ ପଡି଼ବ ଏକଥା କହିହେବ ନାହିଁ। ଆଗକୁ ଯଦି ସଂକ୍ରମଣ ବଢ଼ିବ, ତେବେ ଏଥିପାଇଁ କିଏ ଦାୟୀ ହେବ? କିଛି ସମୟର ଖୁସି ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ଜୀବନକୁ ବିପଦକୁ ଠେଲିଦେବା ବୁଦ୍ଧିମତାଙ୍କର କାର୍ଯ୍ୟ କି? ଯେବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି ଭାବେ ମାନିଲେ, ତାଙ୍କର ସରକାରର ସର୍ବୋଚ୍ଚ ଅଧିକାରୀ ବି ଉଲ୍ଲଂଘନ କଲେ ନାହିଁ, ସେବେ ଅନ୍ୟମାନେ ଏତେବଡ ଆଇନକୁ ଫାଙ୍କିବାକୁ କେମିତି ସାହସ କଲେ? ଏନେଇ ଦଳର ଶୀର୍ଷ ନେତାମାନେ ଯଦି ସତର୍କ ନହେବେ, ତାଗିଦ୍ ନ କରିବେ, ତେବେ ଆଗକୁ ପରିସ୍ଥିତି ବିଷମ ହେବା ସମ୍ଭାବନା ଏଡ଼ାଇ ଦେଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଲାଣି।

Leave A Reply

Your email address will not be published.