ପ୍ରମୁଖ ଖବର

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ବସ
ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌
ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

0
  • ଗୀତ ବାଜିଲେ, ଭୋଟ ବଢିବ ପଞ୍ଚାୟତ ନିର୍ବାଚନରେ ଏହି ଫର୍ମୁଲା ବିଜେଡିକୁ କେତେ ସୁହାଇବ?
  • ଗୀତ ବାଜୁଛି ମୋବାଇଲରେ, ନବୀନ ପହଞ୍ଚିଲେଣି ଘରେ ଘରେ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ହେଉଥିଲେ ମଧ୍ୟ ଏବେ ଗାଁ ଦାଣ୍ଡ ପୂରା ଶାନ୍ତ ପଡିଛି । କରୋନା କଟକଣା ପାଇଁ ବଡ ଧରଣର ରାଲି ହେଉନି କି ଗାଁ ଦାଣ୍ଡରେ କୋଳାହଳ ନାହିଁ । ପ୍ରାର୍ଥୀ ମାତ୍ର ହାତଗଣତି କେଇ ଜଣଙ୍କୁ ଧରି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି, ଯାହା ପଞ୍ଚାୟତ ନିର୍ବାଚନର ଉଷ୍ମତାକୁ କିଛି ମାତ୍ରାରେ ଶିଥିଳ କରିଛି । କଟକଣା ପାଇଁ ପ୍ରାର୍ଥୀ ସିନା ଭୋଟରଙ୍କ ପାଖେ ପହଞ୍ଚି ପାରୁନାହାନ୍ତି କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗାଁ ଗହଳିରେ ଘରେ ଘରେ ପହଞ୍ଚିଲେଣି । ଆଉ ତାହା ବି ପୁଣି ମୋବାଇଲ ମାଧ୍ୟମରେ । ଗାଁ ଗହଳିରେ ପିଲାଠୁ ବୟସ୍କଙ୍କ ନଜରରେ ଏବେ ନବୀନ ହେଉଛନ୍ତି ରଜା । ଏକଥା ଆମେ କହୁନାହୁଁ, ବରଂ ପିଲାଠୁ ବୁଢା ଏମିତି କିଛି ଗୁଣୁଗୁଣୁ ହେଉଥିବାର ଶୁଣିବାକୁ ପାଇଲୁ । ଆଉ ବୁଝୁ ବୁଝୁ ଜାଣିବାକୁ ପାଇଲୁ ନବୀନଙ୍କ ନାଁରେ କିଛି ଏଭଳି ଗୀତ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅଥାର୍ତ ଗୀତ ମାଧ୍ୟମରେ ଏବେ ନବୀନ ଘରେ ଘରେ । ତେବେ ଗୀତରେ ଏମିତି କଣ ଅଛି ତାହା ଜାଣିବାକୁ ପୂରା ଗୀତ ଶୁଣିଲୁ । ଆଉ ଗୀତ ଶୁଣିବା ପରେ ଲାଗିଲା, କରୋନା କଟକଣା ଭିତରେ ବିରୋଧୀଙ୍କୁ ନିର୍ବାଚନରେ ମାତ୍ ଦେବାକୁ ଏହା ଠାରୁ ବଡ ଅସ୍ତ୍ର ବିଜେଡି ପାଇଁ ଆଉ ବୋଧହୁଏ କିଛି ହୋଇନଥାନ୍ତା ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବୀନଙ୍କ ନାଁରେ ଯେଉଁ ଗୀତ ବାହାରିଛି ତାହା କେବଳ ବିଜେଡିର ପ୍ରଚାରକୁ ସହଜ କରିନି ବରଂ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ସାମ୍ନାକୁ ଆଣିଛି । ଗୀତର ପ୍ରତିଟି ଧାଡିରେ ଶିକ୍ଷା ଠାରୁ ସ୍ୱାସ୍ଥ୍ୟ, କୃଷି ଠାରୁ କ୍ରୀଡା, ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଝଲକ ଦେଖିବାକୁ ମିଳିଛି । ଗରିବ ଓ ଅସହାୟଙ୍କ ପାଇଁ ନବୀନ କିଭଳି ସହାୟତାର ହାତ ବଢାଇଛନ୍ତି, ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ପ୍ରୟାସ କରିଛନ୍ତି ତାହା ଦର୍ଶାଯାଇଛି । ବିପର୍ଯ୍ୟୟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିବା ଓଡ଼ିଶାକୁ ବିକଶିତ କରିବାକୁ ନବୀନ କିଭଳି ବିଶ୍ୱକର୍ମା ସାଜିଛନ୍ତି ସେ ବାବଦରେ ଉଲ୍ଲେଖ କରାଯାଇଛି । ଯାହାଦ୍ୱାରା ନବୀନଙ୍କୁ ନେଇ ଲୋକଙ୍କ ମନରେ କେବଳ କ୍ରେଜ ବଢୁନି ବରଂ ବିଜେଡିର ଭୋଟବ୍ୟାଙ୍କରେ ଅଧିକରୁ ଅଧିକ ଭୋଟରଙ୍କ ସଂଖ୍ୟା ଯୋଡି ହୋଇ ଯାଉଛି । ଆଉ ଗୀତ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାର ଏହି ଷ୍ଟ୍ରାଟେଜି ବିରୋଧୀଙ୍କ ଠାରୁ ବିଜେଡିକୁ ପଞ୍ଚାୟତ ନିର୍ବାଚନରେ ଦୁଇ ପାଦ ଆଗରେ ରଖିଛି ।

ସାଧାରଣତଃ ମଣିଷର ପ୍ରବୃତ୍ତି ହେଉଛି ଯେଉଁ ସଙ୍ଗୀତ ଭଲ ଲାଗିଥାଏ ତାହାକୁ ବେଶ କିଛି ଦିନ ପର୍ଯ୍ୟନ୍ତ ଗୁଣୁଗୁଣାଉ ଥାଏ । ନବୀନଙ୍କୁ ନେଇ ତିଆରି ହୋଇଥିବା ଗୀତକୁ ନେଇ ମଧ୍ୟ କିଛି ସେଭଳି ଦେଖିବାକୁ ମିଳୁଛି । ଗୀତ ମାଧ୍ୟମରେ ଗାଁ ଗହଳିର ପ୍ରତିଟି ଘରେ ପହଞ୍ଚିବାକୁ ଯେଉଁ ଅଙ୍କ କଷା ହୋଇଥିଲା ତାହା ଏକପ୍ରକାର ସଫଳ ହୋଇଛି । କାରଣ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଁ ଏହି ଗୀତକୁ ରିଲିଜ କରାଯାଇଥିଲା । ଆଉ ଏହି ଗୀତକୁ ଲୋକେ ଏତେ ଶୀଘ୍ର ମନରୁ ପାଶୋରିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ । କାରଣ ସୋସିଆଲ ମିଡ଼ିଆ ଖୋଲିବା କ୍ଷଣି କେଉଁ ନା କେଉଁ ବାଟରେ ଏହା ୟୁଜର୍ସଙ୍କ ପ୍ରୋଫାଇଲରେ ଆପଣାଛାଏଁ ଆସୁଛି । ଯାହା ଲୋକଙ୍କ ମନରେ ବିଜେଡି ଓ ନବୀନଙ୍କ ପ୍ରତି ଏକ ପଜିଟିଭ୍ ଇମେଜ୍ ତିଆରି କରି ସାରିଲାଣି । ତେଣୁ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାରେ ଗୀତ ଫର୍ମୁଲା ବିଜେଡିକୁ ବେଶ ସୁହାଇବ ବୋଲି କୁହାଯାଉଛି । ଯେଉଁଥିପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବୀନଙ୍କୁ ନେଇ ବ୍ୟାକ୍ ଟୁ ବ୍ୟାକ୍ ଗୀତ ରିଲିଜ୍ କରାଯାଉଛି । କାରଣ ଗୀତ ବାଜିଲେ ହିଁ ଭୋଟ ବଢୁଛି । ଗୀତ ମାଧ୍ୟମରେ କିଭଳି ଭୋଟରଙ୍କ ଭରସା ଜିତିହୁଏ ତାହାର ଉଦାହରଣ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ।

୨୦୧୯ ନିର୍ବାଚନର ଠିକ୍ ପୂର୍ବରୁ ହିଁ ନବୀନଙ୍କୁ ନେଇ ଏମିତି ଏକ ଜୋରଦାର ଭାଇରାଲ ହୋଇଥିଲା । ଗାଁରୁ ସହର, ସଭାରୁ ପ୍ରଚାର ସବୁଠି ଶୁଭିଥିଲା ହେ ନବୀନ ବାବୁ ଆମେ ତମ ଫ୍ୟାନ୍ । ଆଉ ଏହି ଗୀତରେ ମଧ୍ୟ ନବୀନଙ୍କ ବିକାଶମୂଳକ କାର୍ଯ୍ୟକୁ ସ୍ଥାନ ଦିଆଯାଇଥିଲା । ଏହି ଗୀତକୁ ସେତେବେଳେ ଲୋକେ ବେଶ ପସନ୍ଦ କରିଥିଲେ, ଆଉ ଏହାର ପ୍ରଭାବ ଭୋଟରେ ଦେଖିବାକୁ ମିଳିଥିଲା । ଆଉ ସତରେ ମଧ୍ୟ ନବୀନଙ୍କ ଫ୍ୟାନ୍ ହୋଇ ଯାଇଥିଲେ ଓଡ଼ିଶାବାସୀ, ପଞ୍ଚମଥର ପାଇଁ ବିଜେଡିକୁ ଶାସନ କ୍ଷମତାକୁ ଆଣି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ । ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେହି ସମାନ ଫର୍ମୁଲା ଆପଣାଇଛି ବିଜେଡି କ୍ୟାମ୍ପ । ଯେହେତୁ କରୋନା କଟକଣା ପାଇଁ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇବେ ନାହିଁ ତେଣୁ ଲୋକଙ୍କ ପାଖରେ ପହଞ୍ଚିବାକୁ ମୋବାଇଲ ମାଧ୍ୟମ ସାଜିଛି । ଭାଷଣ ଶୁଣିବାକୁ ଲୋକେ ବିରକ୍ତ ହୁଅନ୍ତି ତେଣୁ ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି ସବୁଜ ଶିବିର । ତେବେ ଭୋଟ ହାତେଇବାକୁ ବିଜେଡିର ଏହି ପ୍ରୟାସ କେତେ ଦୂର ସଫଳ ହେବ ତାହା ନିର୍ବାଚନର ଫଳାଫଳ ହିଁ କହିବ ।

Leave A Reply

Your email address will not be published.