ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ନେତାଙ୍କ ଆଚରଣରେ ରାଗିଗଲେଣି ବିଜେପି କର୍ମୀ

0
  • ପଞ୍ଚାୟତ ନିର୍ବାଚନ ସରିଥିଲା, ପୌର ନିର୍ବାଚନ ବି ଗଲା
  • ବିଜେପିର ତୁଙ୍ଗ ନେତାଙ୍କୁ ଦେଖପାରିଲେନି କର୍ମୀ
  • ପ୍ରଚାରକୁ ଆସିଲେ ନାହିଁ କି ଭରସା ଦେଲେ ନାହିଁ

ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାର ସରିଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କିମ୍ବା ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଓଡ଼ିଶା ଭୋଟର ଦେଖିପାରିଲେ ନାହିଁ। କେବଳ ଏଇ ତିନିଜଣ ନୁହଁନ୍ତି, ବିଶେଶ୍ବର ଟୁଡୁଙ୍କର ସକ୍ରିୟତା ନାହିଁ ଏବଂ ଏହି ସମୟ ମଧ୍ୟରେ ଥରୁଟିଏ ବି ରାଜ୍ୟରେ ପାଦ ପକାଇନାହାନ୍ତି ଓଡ଼ିଶାରୁ ବିଜେଡି-ବିଜେପି ଖାତାରେ ରାଜ୍ୟ ସଭାକୁ ଯାଇଥିବା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୋଟ ଫଳାଫଳ କଣ ହେବ, ତାହା ସମୟ କହିବ। କିନ୍ତୁ ଏହି ନେତାଙ୍କ ଅନୁପସ୍ଥିତି ବିଜେପିର କର୍ମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି। ଖୋଲାଖୋଲି କହିଲେଣି ଯେ ନେତାମାନେ ସେମାନଙ୍କୁ ଲଢିବାକୁ ଛା଼ଡିଦେଇ ଦୂରେଇ ଗଲେ। ଅମୁକ ନେତା ବିଜେପି ବୁଡିବା ପାଇଁ ଦାୟୀ। ସମୁକ ନେତା ବିଜେଡି ସହିତ ଯୋଗାଯୋଗରେ ଅଛନ୍ତି।

ପଞ୍ଚାୟତ ନିର୍ବାଚନରେ ବିଜେପି ଶୋଚନୀୟ ପ୍ରଦର୍ଶନ କରିଥିଲା। ଏବେ ପୌର ନିର୍ବାଚନ ପୂର୍ବରୁ ନେତାମାନେ ଧରି ନେଲେଣି, ସେମାନଙ୍କୁ ବିଶେଷ ସଫଳତା ମିଳିବାର ନାହିଁ। ଅଳ୍ପ କିଛି ଆସନରେ ସଫଳତା ମିଳିପାରେ। ଅନେକ ସହରାଞ୍ଚଳ ସେମାନଙ୍କ ଖାତାରୁ କଟିଯାଇ ବିଜେଡି ଖାତାରେ ଯୋଡି ହେବ। କେବଳ ସରକାରୀ ବିରୋଧୀ ହାଓ୍ବା ଓ ବିଜେଡି ଭିତରେ ଥିବା ଅନ୍ତଃକନ୍ଦଳରୁ କିଛି ଭୋଟ ଆପେ ଆପେ ବିଜେପି ଖାତାକୁ ଯାଇପାରେ। ଅନ୍ୟଥା ଦଳର ପ୍ରଦର୍ଶନ ମୋଟାମୋଟି ସନ୍ତୋଷଜନକ ହେବ ନାହିଁ। ଏହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି।

ଦଳର ଅନେକ ନେତା ବି ଶୀର୍ଷ ନେତୃତ୍ବର ଆଚରଣକୁ ନେଇ ଚିନ୍ତାରେ ଅଛନ୍ତି। କଂଗ୍ରେସ ଭଳି ବିଜେପିରେ ଅନ୍ତଃକନ୍ଦଳ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। କ୍ଷମତାର ଚୌକି ଧରିବା ପୂର୍ବରୁ ନେତାମାନେ ଯେଭଳି ନିଜ ନିଜ ଭିତରେ ଗୋଡ ଟଣାଟଣି ହେଲେଣି, ସେଥିରେ ଦଳର ଭବିଷ୍ୟତ ରାଜ୍ୟରେ ସେତେ ଭଲ ହେବ ନାହିଁ ଏକଥା ଊଣାଅଧିକେ ଜାଣିସାରିଲେଣି। ଏଥିରେ ୨୦୨୪ ନିର୍ବାଚନ ଦଳ ଯେ ଲଢ଼ିବ ଏକଥା ସେମାନେ ଅନୁମାନ ଲଗାଇ ପାରୁନାହାନ୍ତି। ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଯେଉଁମାନଙ୍କ ଭୁଲ ଲାଗି ଏବେ ଦଳ ଖରାପ କଲା, ସେମାନେ ନିଜ ମୁଣ୍ଡରୁ ଦୋଷ ଝାଡିବା ପାଇଁ ଏବେ ପ୍ରତିଯୋଗିତା ଚଳାଇଛନ୍ତି। ଦଳର ଜାତୀୟ ମୁଖିଆଙ୍କୁ ଜଣାଇବେ ଯେ ସେମାନେ ଏ ପରାଜୟର ଭାଗୀଦାର ନୁହଁନ୍ତି। ସମ୍ଭବତଃ ସେଇଥିପାଇଁ ଉତ୍ତର ପ୍ରଦେଶ, ଆସାମ, ମଣିପୁର ଆଦିର ନିର୍ବାଚନ ସରିବା ପରେ ମଧ୍ୟ କୌଣସି ନେତା ଓଡ଼ିଶା ଆସିଲେ ନାହିଁ। ହେଲେ ସତ କଣ ଆଉ କାହାକୁ ଅଛପା ନାହିଁ।

୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବିଜେପ ବେଶ୍ ତିନି ବର୍ଷ ଧରି ରାଜ୍ୟରେ ତାଉ ଦେଖାଇଥିଲା। ନେତାମାନେ ରାଜ୍ୟକୁ ଆସି ଘନ ଘନ ପ୍ରଚାର କରୁଥିଲେ ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷୁଥିଲେ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ବାର ଓଡ଼ିଶା ଆସିଛନ୍ତି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବି। ହେଲେ ନେତାମାନେ ହାଓ୍ବାରେ ବିଶ୍ବାସ କରିବା ସଂଗଠନ ପ୍ରତି ଆଖିବୁଜି ଦେବାରୁ ଏହା ଭୋଟରେ ରୂପାନ୍ତରିତ ହୋଇପାରିଲା ନାହିଁ। ଫଳରେ ଅମିତ ଶାହଙ୍କ ମିସନ ୧୨୦ ସଂଖ୍ୟା ଶୂନ୍ୟରେ ମିଳାଇଗଲା। ୨୦୧୯ ନିର୍ବାଚନ ଫଳାଫଳ ପୂର୍ବରୁ ବିଜେପି ତାର ଚେହେରା ବଦଳାଇ ଦେଇଛି। ବିଜେଡି ସହିତ ସଂପର୍କକୁ ନିବିଡ କରିଛି। ଏହାକୁ ବିଜେପି କର୍ମୀ ଗ୍ରହଣ କରିଥିଲେ। ହେଲେ ଦଳ ତୃଣମୂଳସ୍ତରରେ ନିର୍ବାଚନରେ ବି ହାତ ଝାଡିଦେବ ଏକଥାକୁ କେହି ବିଶ୍ବାସ କରିପାରୁନାହାନ୍ତି। ବିଜେପିର ମିସନ ପୂର୍ବୋଦ୍ୟୋୟକୁ ନାରାକୁ ବି ସନ୍ଦେହ କରିବା ଆରମ୍ଭ କରିଦେଲେଣି।

ଗୋଟିଏ ମହଲରେ ଏକଥା ମତ ପ୍ରକାଶ ପାଇଲାଣି ଯେ ବିଜେପି ସ୍ବଭାବରେ ପରିବର୍ତ୍ତନ ନ ଆସିଲେ ଅନେକ ଦଳକୁ ମୁହଁ ମୋଡ଼ି ଦେଇପାରନ୍ତି। ଆଉ ଗୋଟିଏ ଗୋଷ୍ଠୀ କହିଲେଣି ଯେ ଶୀର୍ଷ ନେତୃତ୍ବକୁ ବାଧ୍ୟ କରାଯିବ ସେମାନେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଅନ୍ୟଥା ରାଜ୍ୟରେ ବିରୋଧର ଶିକାର ହେବେ। ଦଳର କର୍ମୀଙ୍କୁ ରାସ୍ତା ମଝିରେ ଛିଡା କରିଦେଇ ନେତୃତ୍ବ ସଲାସୁତୁରାରେ ରହିବେ, ଏକଥାକୁ ବେଶୀ ସମୟ ବରଦାସ୍ତ କରିହେବ ନାହିଁ।

Leave A Reply

Your email address will not be published.