ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ପଞ୍ଚଭୂତରେ ବିଲୀନ ହୋଇଗଲେ ନବକିଶୋର

0

ଝାରସୁଗୁଡ଼ା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଯାଇଛି ନବକିଶୋରଙ୍କ ମରଶରୀର । ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି | ମୁଖାଗ୍ନୀ ଦେଇଥିଲେ ପୁଅ ବିଶାଳ ଦାସ । ନିକଟରେ ଉପସ୍ଥିତ ରହିଥିଲେ ଆତ୍ମୀୟସ୍ବଜନ । ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ରହିଥିଲେ ସଂସଦୀୟ ବ୍ୟାପର ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବାଣିଜ୍ୟ, ପରିବହନ ଓ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ । ଫାଇବ୍-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଉଲ୍ଲେଖ ଥାଉ କି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ନବ ଦାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିଲା। ରାତିରେ ମୃତଦେହକୁ ବିଧାନସଭାକୁ ନିଆଯାଇଥିଲା। ସେଠାରେ ଗାର୍ଡ଼ ଅଫ୍‌ ଅନର ଦିଆଯାଇଥିଲା। ବାଚସ୍ପତିଙ୍କ ସମେତ ବିଧାୟକ ଓ ବିଧାୟକ ଶେଷଦର୍ଶନ କରିଥିଲେ। ଆଜି ଶେଷ ଦର୍ଶନ ପାଇଁ ନବଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ଆଜି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତା’ପରେ ମୃତଦେହକୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବିଜେଡିର ପ୍ରମୁଖ ନେତାମାନେ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ପରେ ଆଜି ତାଙ୍କ ମୃତଦେହକୁ ଝାରସୁଗୁଡାସ୍ଥିତ ବାସଭବନକୁ ଅଣାଯାଇଥିଲା | ଏହାପରେ ଶୋଭାଯାତ୍ରାରେ ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆକୁ ନିଆଯାଇଥିଲା | ସେଠାରେ ନବ ଦାସଙ୍କ ଶେ‌ଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା | ଏହାପରେ ଖେରୁଆଲରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ କଣ କହିଛନ୍ତି ସେନେଇ କ୍ରାଇମବ୍ରାଞ୍ଚ ଅଧିକାରୀ କୌଣସି ସୂଚନା ଦେଇନାହାନ୍ତି |

Leave A Reply

Your email address will not be published.