ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ ୩ରୁ “ପଖାଳ ଉତ୍ସବ” ଆରମ୍ଭ

0

ଭୁବନେଶ୍ୱର, ୧ ଏପ୍ରିଲ : ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ପ୍ରତ୍ୟେକ ଓଡ଼ିଆଙ୍କର ଏହି ପସନ୍ଦର ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ ) ପକ୍ଷରୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି ।

ସୁଚନାଯୋଗ୍ୟ, ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି । ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ପଖାଳ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟ ପଖାଳ ହୋଇଥିବା ବେଳେ ଏହା ଶ୍ରୀମନ୍ଦିରରେ ଭୋଗ ଲାଗିଥାଏ । ସେହିପରି ନେପାଳ, ବାଂଲାଦେଶ, ମିଆଁମାର ଭଳି ଦେଶଗୁଡ଼ିକରେ ମଧ୍ୟ ଲୋକମାନେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି ।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ । ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ ମାନେ ହିଁ ସଂଚାଳନ କରିବେ । ଏହି ୫ ଦିନିଆ ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ହେବ । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, ପୋହଳା ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ମାଛ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ , ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଚିପ୍ସ, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ , ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ସହିତ କାକୁଡି, ପିଆଜ, ଲଙ୍କା ଓ ଲେମ୍ବୁ ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.