ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ସୋଆ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଅନୁଷ୍ଠିତ

0

ଭୁବନେଶ୍ୱର, ଅକ୍ଟୋବର ୨୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍‌ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋମବାର ଦିନ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨, ଫୁଲନଖରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଶନିବାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଆୟୋଜିତ ହ୍ୱାଇଟ୍ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ହିପୋକ୍ରାଟିକ୍ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ଶପଥ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଏହା କେବଳ ଏକ କୋଟ ନୁହେଁ ବରଂ ପ୍ରତି ଡାକ୍ତରର ପ୍ରଥମ ପରିଚୟ ଅଟେ ବୋଲି କହିଥିଲେ। ତେଣୁ ଏହାକୁ ପିନ୍ଧି ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ଅଧ୍ୟୟନରେ ମନୋନିବେଶ କରିବା ସହ ସମାଜ ସେବା ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ନେଇ ଉତମ ଡାକ୍ତର ହେବା ପାଇଁ ବାର୍ତା ଦେଇଥିଲେ। ଏହି ଅବସରରେ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୋମବାର ଦିନ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ ଫୁଲନଖରା କ୍ୟାମ୍ପସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଥମ ବ୍ୟାଚ ତଥା ୨୦୨୪-୨୫ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ହ୍ୱାଇଟ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ଆପ୍ରୋନ୍ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ନଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଆପ୍ରୋନ୍ ପ୍ରଦାନ କରାଯିବା ଦ୍ୱାରା ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ବିଷୟରେ ସେମାନଙ୍କୁ ସଚେତନ କରାଯାଇଛି।
ଭରସା, ବିଶ୍ୱାସ, ଶକ୍ତି, ନୈତିକତା, ସହନଶୀଳତା ଓ ସମୟାନୁବର୍ତିତା ଭଳି ଗୁଣକୁ ଗୋଟିଏ ଡାକ୍ତର ନିଜ ଭିତରେ ସଦାସର୍ବଦା ଗୁରୁତ୍ୱ ଦେବା ଜରୁରୀ ବୋଲି ପ୍ରଫେସର ମହାନ୍ତି କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କହିଥିଲେ ଯେ ଡାକ୍ତର ହେବାର ସ୍ୱପ୍ନ ନେଇ ଆସିଥିବା ଏହି ଛାତ୍ରଛାତ୍ରୀମାନେ ନିଜର ଦାୟିତ୍ୱକୁ କିପରି ସୁଚାରୁ ରୂପେ ତୁଲାଇବେ ତାହା ଜାଣିବା ଆବଶ୍ୟକ। ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି କହିବା ସହ ସେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଯୋଗ ଦେଇ କହିଥିଲେ ଯେ ପ୍ରତି ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଦିନଟି ହେଉଛି ଗୁରୁତ୍ୱପୂର୍ଣ୍ଣ। ସେମାନେ ଏହି ଆପ୍ରୋନ୍ ପିନ୍ଧିବା ପରେ ଏହାର ମହତ୍ୱ ଓ ଦାୟିତ୍ୱ ବିଷୟରେ ଜାଣିବା ଆବଶ୍ୟକ। ଡାକ୍ତରୀ ବୃତିରେ ଆଚାର ଓ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ସେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ନୂତନ ବର୍ଷର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ସିଦ୍ଧାର୍ଥ ଗୌତମ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.