ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ମହାପ୍ରଭୁଙ୍କ ଘୋଷଯାତ୍ରାରେ ବଡଦାଣ୍ଡ ଆଜି ଜନସମୁଦ୍ର

0

ପୁରୀ: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗା ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। କାଳିଆ ପ୍ରେମରେ ଭିଜୁଛନ୍ତି ଭକ୍ତ। କାଳିଆର ଗୁଣ୍ଡିଚା ଯାତ ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ। ଇତିମଧରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ନନ୍ଦିଘୋଷ ରଥରେ ବିରାଜମାନ କରିଛନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହୋଇଥିଲେ। ଦେବୀ ସୁଭଦ୍ରାଙ୍କ ରଥାରୂଢ଼ ପରେ ଶେଷରେ ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏନେଇ ଶଙ୍ଖ, ଘଣ୍ଟ, ହରିବୋଲରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ୯ଟାରେ ରଥ ପ୍ରତିଷ୍ଠା, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା କାର୍ଯ୍ୟ ସାରି। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହୋଇଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରାୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଅଭୂତପୂର୍ବ ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା ପାଇଁ ୨୦୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରଥ କର୍ଡନ ଦାୟିତ୍ୱରେ ରାପିଡ ଆକ୍ସନ ଫୋର୍ସ ରହିଛନ୍ତି। ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ଜାତୀୟ ସୁରକ୍ଷା ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ନିୟୋଜିତ ହୋଇଛନ୍ତି। ଦୁଇ ହଜାରରୁ ଊର୍ଦ୍ଧ୍ବ ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱ ଦିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ତିନିରଥ ଓ ବଡ଼ଦାଣ୍ଡ ପାଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି। ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକ ସମେତ ପୁରୀ- ଭୁବନେଶ୍ୱର ଓ ପୁରୀ- କୋଣାର୍କ ଜାତୀୟ ରାଜପଥରେ ୨୭୫ କ୍ଲୋଜ୍‌ ସର୍କିଟ କ୍ୟାମେରା ଲଗାଯାଇଛି। ତଟରକ୍ଷୀ ବାହିନୀ ଏବଂ ମେରାଇନ ପୁଲିସ ସମୁଦ୍ରରେ ପଇଁତରା ମାରୁଛନ୍ତି। ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ନୋ ଫ୍ଲାଇଂ ଜୋନ୍‌ କରାଯାଇଛି। ମହାକୁମ୍ଭ ମେଳା ଢାଞ୍ଚାରେ ସବୁ ବିଭାଗ ଅଧିକାରୀଙ୍କୁ ନେଇ ସମନ୍ୱିତ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ପୁରୀ ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତେବେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଏକ ପୋଷ୍ଟ ଜାରି କରି ରାଷ୍ଟ୍ରପତି ଲେଖିଛନ୍ତି, “ପବିତ୍ର ରଥଯାତ୍ରା ଅବସରରେ, ମୁଁ ଭାରତ ଏବଂ ବିଦେଶରେ ରହୁଥିବା ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଲକ୍ଷ ଲକ୍ଷ ଭକ୍ତ ରଥ ଉପରେ ପ୍ରଭୁ ବଳଭଦ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଦିବ୍ୟ ଆନନ୍ଦ ଅନୁଭବ କରନ୍ତି।”

ଏଥି ସହିତ ରାଷ୍ଟ୍ରପତି ମୁର୍ମୁ ତାଙ୍କ ବାର୍ତ୍ତାରେ ବିଶ୍ୱ ଶାନ୍ତି, ବନ୍ଧୁତା ଏବଂ ସଦ୍ଭାବ ପାଇଁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ରଥଯାତ୍ରାର ବିଶେଷତ୍ୱ ​​ହେଉଛି ଦେବତାମାନଙ୍କର ମାନବୀୟ ଦିବ୍ୟ ଲୀଳା। ଏହି ପବିତ୍ର ଅବସରରେ, ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସମଗ୍ର ବିଶ୍ୱରେ ଶାନ୍ତି, ମୈତ୍ରୀ ଏବଂ ସଦ୍ଭାବନା ବିରାଜମାନ ହେଉ।”

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା। ବିଶ୍ୱାସ ଏବଂ ଭକ୍ତିର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ, ଏହା ମୋର କାମନା। ଜୟ ଜଗନ୍ନାଥ ।

Leave A Reply

Your email address will not be published.