ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଫେରାନ୍ ଟରେସଙ୍କ ଗୋଲ୍‌ରେ ସ୍ପେନ୍ ବିଶ୍ୱ ଚାମ୍ପିୟନ

0

ନ୍ୟୁଜ୍ ବ୍ୟୁରୋ: ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣରେ ସ୍ପେନ୍ ଚମ୍ପିୟନ ହୋଇଛି। ରବିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଗତଥରର ଚମ୍ପିୟନ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ହାସଲ କରିଛି। ନିର୍ଦ୍ଧାରିତ ୯୦ ମିନିଟ୍‌ରେ ଉଭୟ ଦଳ ଗୋଲ୍‌ଶୂନ୍ୟ ରହିବା ପରେ ଅତିରିକ୍ତ ସମୟର ୧୦୬ତମ ମିନିଟ୍‌ରେ ଫେରାନ୍ ଟରେସ୍ ବିଜୟସୂଚକ ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ସ୍ପେନ୍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଲାମିନ୍ ୟାମାଲ୍, ଡାନି ଓଲ୍ମୋ, ଫାବିଆନ୍ ରୁଇଜ୍ ଏବଂ ମିକେଲ ଓୟାରଜାବାଲ୍ ବାରମ୍ବାର ଆର୍ଜେଣ୍ଟିନା ଗୋଲ୍‌ପୋଷ୍ଟ ଉପରେ ଚାପ ସୃଷ୍ଟି କରିଥିଲେ। କିନ୍ତୁ ଆର୍ଜେଣ୍ଟିନାର ଗୋଲ୍‌ରକ୍ଷକ ଏମିଲିଆନୋ ମାର୍ଟିନେଜ୍ ଏକାଧିକ ଚମତ୍କାର ସେଭ୍ କରି ଦଳକୁ ମ୍ୟାଚ୍‌ରେ ଟିକାଇ ରଖିଥିଲେ।

ଅନ୍ୟପକ୍ଷରେ, ସ୍ପେନ୍‌ର ସୁଦୃଢ଼ ରକ୍ଷଣଭାଗ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସିଙ୍କୁ ପ୍ରାୟ ସମଗ୍ର ମ୍ୟାଚ୍‌ରେ ନିୟନ୍ତ୍ରଣରେ ରଖିଥିଲା। ମ୍ୟାଚ୍‌ର ୮୦ତମ ମିନିଟ୍ ପରେ ଏଞ୍ଜୋ ଫର୍ଣ୍ଣାଣ୍ଡେଜ୍ ଦ୍ୱିତୀୟ ହଳଦିଆ କାର୍ଡ ପାଇ ବାହାରିଯିବାରୁ ଆର୍ଜେଣ୍ଟିନା ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା। ଅତିରିକ୍ତ ସମୟରେ ନିକୋ ୱିଲିୟମ୍ସଙ୍କ ଚମତ୍କାର କ୍ରସ୍‌କୁ ଫେରାନ୍ ଟରେସ୍ ଗୋଲ୍‌ରେ ପରିଣତ କରି ସ୍ପେନ୍‌କୁ ବିଜୟ ଦେଇଥିଲେ। ଏହି ବିଜୟ ସହିତ ସ୍ପେନ୍ ୨୦୧୦ ପରେ ପୁଣିଥରେ ବିଶ୍ୱ ଫୁଟବଲର ଶ୍ରେଷ୍ଠ ଦଳ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ, ତିନିଥରର ଚମ୍ପିୟନ ଆର୍ଜେଣ୍ଟିନା ସପ୍ତମ ଫାଇନାଲ ଖେଳି ଚତୁର୍ଥ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଛି।

Leave A Reply

Your email address will not be published.