ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମିଳିବ ମାସିକ ଭତ୍ତା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି

0

ଭୁବନେଶ୍ବର: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନିୟମିତ ପିଜି ଓ ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ୍‌ ବା ଭତ୍ତା ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି।

ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ଓୟୁଏଟିର ପିଜି ଛାତ୍ରୀଛାତ୍ରଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ୧୦ ହଜାର ଟଙ୍କା ଭତ୍ତା ମିଳିବ। ସେହିପରି ପିଏଚ୍‌ଡି ଗବେଷକମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ଅଧ୍ୟୟନ କରୁଥିବା ନିୟମିତ ପିଜି ଓ ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ ହେବ। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବିଶେଷ ପ୍ରଚେଷ୍ଟାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ମାଧ୍ୟମରେ କୃଷି କ୍ଷେତ୍ରରେ ଉଚ୍ଚଶିକ୍ଷା ଓ ଗବେଷଣାକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, “ଯୁବ ଗବେଷକଙ୍କ ଉପରେ ବିନିଯୋଗ କରିବା ଅର୍ଥ ହେଉଛି ଓଡ଼ିଶାର ଚାଷୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା।” ତାଙ୍କ କହିବା ଅନୁଯାୟୀ, ଏହି ଆର୍ଥିକ ସହାୟତା ମିଳିଲେ ଛାତ୍ରୀଛାତ୍ରମାନେ ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇ ନବସୃଜନ, ଉନ୍ନତ ଗବେଷଣା ଓ ବୈଜ୍ଞାନିକ ଅଧ୍ୟୟନରେ ଅଧିକ ମନୋନିବେଶ କରିପାରିବେ।

ତେବେ ଏହି ଭତ୍ତା ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ ହେବ ନାହିଁ। କଲେଜ୍ ଅଫ୍ ବେସିକ୍ ସାଇନ୍ସ, ସ୍ୱୟଂ ଅର୍ଥପୋଷିତ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡିଜ୍ ସେଣ୍ଟର ଏବଂ ଏନ୍‌ଆର୍‌ଆଇ କୋଟାରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ ନାହିଁ। ଏଥିସହ ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ଅନ୍ୟ କୌଣସି ଛାତ୍ରବୃତ୍ତି କିମ୍ବା ଆର୍ଥିକ ସହାୟତା ପାଉଛନ୍ତି, ସେମାନେ ଦୁଇଟି ସୁବିଧା ଏକାସାଙ୍ଗରେ ପାଇପାରିବେ ନାହିଁ। ସେମାନଙ୍କୁ ଏହି ନୂଆ ଭତ୍ତା କିମ୍ବା ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତା ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛିବାକୁ ପଡ଼ିବ।

ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ସନ୍ତୋଷଜନକ ଶିକ୍ଷାଗତ ପ୍ରଦର୍ଶନ ଆଧାରରେ ପ୍ରତିବର୍ଷ ଏହି ଭତ୍ତାର ନବୀକରଣ କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ ଭୁଲ୍ ତଥ୍ୟ ପ୍ରଦାନ କରନ୍ତି, ପାଠ୍ୟକ୍ରମ ମଝିରେ ଛାଡ଼ିଦିଅନ୍ତି କିମ୍ବା ଯୋଗ୍ୟତା ସର୍ତ୍ତ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କର ଭତ୍ତା ବାତିଲ୍ କରାଯାଇପାରିବ।

ଏହି ନୂଆ ବ୍ୟବସ୍ଥା ବିଜ୍ଞପ୍ତି ଜାରି ହେବା ଦିନଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ବିଭାଗର ସମ୍ମତି ପରେ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିଶନର-କମ୍-ସଚିବ ସଚିନ ରାମଚନ୍ଦ୍ର ଯାଦବ ଏହି ଆଦେଶ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ କୃଷି ଗବେଷଣା, ଉଚ୍ଚଶିକ୍ଷା ଓ ନବସୃଜନକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.