ନେପାଳ: ନେପାଳର ରାସୁୱା ଜିଲ୍ଲାରେ ହଠାତ୍ ମାଡ଼ି ଆସିଲା ବନ୍ୟା। କେହି କିଛି ବୁଝିବା ପୂର୍ବରୁ ପାଣି ସୁଅରେ ଭାସିଗଲା ଅନେକ ଘର, ଦୋକାନ ଓ ଅନ୍ୟାନ୍ୟ ସମ୍ପତ୍ତି। ବୁଧବାର ସକାଳ ପ୍ରାୟ ୯ଟାରେ ରାସୁୱା ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳ ବନ୍ୟାଜଳରେ ବୁଡ଼ିଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ମିଳିଥିବାବେଳେ ୩୮୪ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୯ ଜଣ ସୁରକ୍ଷାକର୍ମୀଙ୍କ ସହ ୧୦୫ ଜଣ ଭାରତୀୟ, ବିଦେଶୀ ଓ ଅନ୍ୟ ବାସିନ୍ଦା ଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନ ସୁଦ୍ଧା ଅତି କମରେ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ନେପାଳ ପୁଲିସ, ସଶସ୍ତ୍ର ପୁଲିସ ବାହିନୀ ଓ ନେପାଳୀ ସେନାର ଯବାନମାନେ ବ୍ୟାପକ ଭାବେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିପାଇଁ ୧୪ଟି ହେଲିକପ୍ଟର ବ୍ୟବହାର କରାଯାଉଛି। ନେପାଳ-ଚୀନ୍ ସୀମା ନିକଟ ତିମୁରେ ମୁତୟନ ଥିବା ସଶସ୍ତ୍ର ପୁଲିସ ବାହିନୀର ୯ ଜଣ କର୍ମଚାରୀ ମଧ୍ୟ ନିଖୋଜ ଅଛନ୍ତି। ରାସୁୱାର
ମୁଖ୍ୟ ଜିଲ୍ଲା ଅଧିକାରୀ ନରେନ୍ଦ୍ର ପରିୟାରଙ୍କ କହିବାନୁଯାୟୀ, ସ୍ୟାପ୍ରୁବେସି ସମେତ ବିଭିନ୍ନ ବଜାର ଅଞ୍ଚଳ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କଥା ହେଉଛି, ଘଟଣା ସମୟରେ ସ୍ଥାନୀୟ ଅଞ୍ଚଳରେ ବର୍ଷା ହେଉନଥିଲା। ହଠାତ୍ ବନ୍ୟା ଆସିବାରୁ ଲୋକମାନେ ସତର୍କ ହେବାକୁ ସମୟ ପାଇନଥିଲେ। ବନ୍ୟା ଯୋଗୁଁ ଅନେକ ଆବାସିକ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ରାସୁୱା ଜିଲ୍ଲା ପ୍ରଶାସନ ପକ୍ଷରୁ ରାସୁୱା, ନୂଆକୋଟ, ଧାଡିଙ୍ଗ, ଗୋରଖା ଓ ଚିତୱାନ ଜିଲ୍ଲାର ନଦୀକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତ୍ରିଶୁଳି ନଦୀର ଜଳସ୍ତର ବଢ଼ିଥିବାରୁ ନଦୀକୂଳବର୍ତ୍ତୀ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅଧିକାରୀମାନେ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ନେଇ ନେପାଳ ସରକାର ମଧ୍ୟ ତତ୍ପର ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ବନ୍ୟା ପରିସ୍ଥିତି ଓ ସରକାରଙ୍କ ଉଦ୍ଧାର ପ୍ରତିକ୍ରିୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।