ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା ୩୪୯ଟି ନୂଆ ଆମ୍ବୁଲାନ୍ସ

0

ଭୁବନେଶ୍ଵର: ସ୍ୱାସ୍ଥ୍ୟ ସେବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ। ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଲୋକାର୍ପିତ ଆମ୍ବୁଲାନ୍ସ ମଧ୍ୟରୁ ୨୭୯ଟି ସେବାରେ ସାମିଲ କରାଯାଇଛି । ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଓ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ । ଏଥିପାଇଁ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି ।

ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ଏହି ଆମ୍ବୁଲାନ୍ସ ସ୍ବାସ୍ଥ୍ୟସେବାରେ ସାମିଲ ହୋଇଛି । ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଲୋକଙ୍କୁ ଯୋଗାଇବେ ସେବା । ନୂଆ ଆମ୍ବୁଲାନ୍ସ ସାମିଲ ହେବା ପରେ ରାଜ୍ୟରେ ଆମ୍ବୁଲାନ୍ସ  ସଂଖ୍ୟା ୧୩୬୬ରେ ପହଞ୍ଚିଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ୧୦୮ ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ସ୍ବାସ୍ଥ୍ୟ ସେବା ଆହୁରି ତ୍ଵରିତ ଓ ସୁବିଧାଜନକ ହେବ ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକୁ ଯୋଗା ଯାଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରରେ ବ୍ୟବହାର ହେବ । ଏହାସହ ଜିଲ୍ଲାସ୍ତରରେ ଅନ୍ୟ ରୋଗୀଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବ ।

ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.