ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କଲା ଭାରତ । ଦିନ ୨ଟା ୩୫ରେ ଦ୍ବିତୀୟ ଲଞ୍ଚପ୍ୟାଡରୁ GSLV-3 ହେଭି ଲିଫ୍ଟ ଲଞ୍ଚ ଭେହିକିଲରେ ଚନ୍ଦ୍ରଯାନର ସଫଳ ଲଞ୍ଚିଂ କରାଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ତିନିଟି ସୋପାନ ସଫଳତାର ସହ ଅତିକ୍ରମ କରିଛି ଚନ୍ଦ୍ରଯାନ-ଥ୍ରୀ । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ୨୩ ଅଗଷ୍ଟରେ ଚନ୍ଦ୍ରପୃଷ୍ଠରେ ଏହାର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ସାଉଥ୍ ପୋଲରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ମୁଖ୍ୟ ।
ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । ଏହି ମିସନ ମାଧ୍ୟମରେ ଚନ୍ଦ୍ର ଉପରେ ପୃଥିବୀର ବିକିରଣର ଅଧ୍ୟୟନ କରାଯିବ । ସେହିପରି ଚନ୍ଦ୍ର ପୃଷ୍ଠର ମାଟି ଓ ଧୂଳିର ଅଧ୍ୟୟନ ବି କରାଯିବ । ଯଦି ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରରେ ଅବତରଣ କରେ, ତେବେ ଏହା କରିବାରେ ଭାରତ ଚତୁର୍ଥ ଦେଶ ହୋଇଯିବ। ଏହା ପୂର୍ବରୁ ଆମେରିକା, ରୁଷିଆ ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି।
ଚନ୍ଦ୍ରଯାନ-୩ ମହାକାଶଯାନରେ ୩ଟି ଲ୍ୟାଣ୍ଡର/ରୋଭର ଏବଂ ପ୍ରୋପଲସନ ମଡ୍ୟୁଲ ରହିଛି । ପ୍ରାୟ ୪୦ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୩ କିମ୍ବା ୨୪ତାରିଖରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବେ । ଦୁହେଁ ୧୪ ଦିନ ଧରି ଚନ୍ଦ୍ରର କକ୍ଷପଥରେ ପରିକ୍ରମଣ କରିବା ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ । କିନ୍ତୁ ପ୍ରୋପଲସନ ମଡ୍ୟୁଲ ଚନ୍ଦ୍ରର ପରିକ୍ରମଣ କରି ଚନ୍ଦ୍ରକୁ ପୃଥିବୀକୁ ଆସୁଥିବା ବିକିରଣ ଉପରେ ଅଧ୍ୟୟନ କରିବ ।