ଭଦ୍ରକ:୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ ଟ୍ରକକୁ ଧକ୍କା ଦେଇଛି। ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ମୃତକ ଦ୍ୱୟ ହେଲେ ପଥରାଆଡିର ଶିବସୁନ୍ଦର ମହାପାତ୍ର ଓ ବାରିକପୁରର ସୌରଭ ମିଶ୍ର। ଅନ୍ୟ ଜଣେ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ସୌରଭ ମିଶ୍ର ନାବାଳକ ବୋଲି ଜଣାଯାଇଛି। ତେବେ ବାଇକରେ ୩ ଜଣ ଯୁବକ ଜାତୀୟ ରାଜପଥରେ ରଙ୍ଗ ରୁଟରେ ଯାଉଥିବା ବେଳେ ଟ୍ରକ ସହ ମୁହାମୁହିଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।
ବିଳମ୍ବିତ ରାତିରେ ୩ ଜଣ ଏକ ବାଇକ ଯୋଗେ ଚରମ୍ପାରୁ ବନ୍ତ ଅଭିମୁଖେ ଆସୁଥିଲେ। ବନ୍ତ ଛକ ଠାରେ ରାସ୍ତାକଡ଼ରେ ଥିବା ଏକ ଟ୍ରକ୍କୁ ବାଇକଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ବାଇକରେ ଥିବା ୩ ଜଣ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।