ନୂଆଦିଲ୍ଲୀ: ବର୍ଷକୁ ୨ ଥର ସିବିଏସଇ ମାଟ୍ରିକ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୦୨୬ରୁ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ସୁପାରିସ କରିଛି। ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ସିବିଏସଇ।
ସିବିଏସଇ ଦଶମ ପରୀକ୍ଷା ଦୁଇଥର କରିବାକୁ ନେଇ ଚିଠାନୀତି ପ୍ରସ୍ତୁତ କରାଯିବ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷାବିତ୍ ଏବଂ ସାଧାରଣ ନାଗରିକ ସିବିଏସଇ ୱେବସାଇଟ୍ www.cbse.gov.inକୁ ଲଗିନ୍ କରି ନିଜର ମତାମତ ମାର୍ଚ୍ଚ ୯ସୁଦ୍ଧା ପ୍ରେରଣ କରିପାରିବେ।ବିଭିନ୍ନ ସୋପାନରୁ ଆସିଥିବା ମତାମତକୁ ସିବିଏସଇ ବିଚାର କରି ଦୁଇଟି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ମଙ୍ଗଳବାର ସିବିଏସଇ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି।
ଶିକ୍ଷାବର୍ଷ ୨୦୨୬ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଫେଜ୍ ଫେବୃଆରୀ ୧୭ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ। ଏହି ଫେଜ୍ର ପରୀକ୍ଷା ଫଳ ଏପ୍ରିଲ ୨୦ରେ ପ୍ରକାଶ ପାଇବ। ଦ୍ବିତୀୟ ଫେଜ୍ ପରୀକ୍ଷା ମେ ୫ରୁ ମେ ୨୦ ପର୍ଯ୍ୟନ୍ତ ଚାଲିବ। ଜୁନ ୩୦ ସୁଦ୍ଧା ଦ୍ବିତୀୟ ଫେଜ୍ ପରୀକ୍ଷା ଫଳ ପ୍ରକାଶ କରାଯିବ। ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୫ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ସୁଦ୍ଧା ଏହାର ଫଳ ପ୍ରକାଶ କରାଯିବ।