ଜଗତସିଂହପୁର: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି। ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୁଦାନରେ ବିଦ୍ରୋହୀ ଆତଙ୍କୀ ସଂଗଠନ ଆରଏସଏଫ ଆଦର୍ଶଙ୍କୁ ଅପହରଣ କରି ନେଇଥିଲା। ଫେରିବା ପରେ ନିଜ ଯନ୍ତ୍ରଣା କହି ଭାବବିହ୍ୱଳ ହୋଇ ପଡିଛନ୍ତି ଆଦର୍ଶ। ଭୁବନେଶ୍ବରରେ ପହଞ୍ଚିବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୋତେ ସୁଦାନରୁ ସୁରକ୍ଷିତ ଫେରାଇ ଆଣିବାରେ କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଁ ଆଜୀବନ କୃତଜ୍ଞ ରହିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି।
ସୂଚନାଯୋଗ୍ୟ ଯେ ଆଦର୍ଶ ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍ ଫାସର୍ ସହରରେ ନିଖୋଜ ଥିଲେ। ଭାରତ ସରକାର ତାଙ୍କୁ କିଛି ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଉଦ୍ଧାର କରିଛନ୍ତି। ଆଦର୍ଶଙ୍କ କହିବାନୁଯାୟୀ, ସୁରକ୍ଷିତ ସ୍ଥାନକୁ ଯିବା ବେଳେ ତାଙ୍କୁ RSF (ରାପିଡ ସପୋର୍ଟ ଫୋର୍ସ)ର ୧୫ରୁ ୨୦ ଜଣ ସଦସ୍ୟ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ। ସେମାନେ ପ୍ରଥମେ ସେ ଭାରତୀୟ ବୋଲି ଜାଣି ନଥିଲେ।
ଅପହରଣ ପରେ ତାଙ୍କୁ ୨ରୁ ୩ ଦିନ ଜଙ୍ଗଲରେ ଓ ପରେ ଏକ ଜେଲରେ ରଖିଥିଲେ। ସେ ବଞ୍ଚିବେ ବୋଲି ଭାବି ନଥିଲେ, କାରଣ ସେଠାରେ ଦିନେ ଖାଇଲେ ଦିନେ ଖାଉ ନଥିଲେ। ତାଙ୍କୁ ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ ଅପହରଣକାରୀମାନେ ତାଙ୍କୁ ‘ଶାହରୁଖ ଖାନଙ୍କୁ ଜାଣିଛ କି?’ ବୋଲି ପଚାରୁଥିଲେ। ସେମାନେ ମୋ ସହ ଆଉ ଦୁଇ ଜଣଙ୍କୁ ଅପହରଣ କରି ନେଇଥିଲେ, କିନ୍ତୁ ପରେ ମାଲିକଙ୍କୁ ଛାଡ଼ି ଦେଇଥିଲେ। ତାଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଆଶ୍ୱସ୍ତି ଖେଳିଯାଇଛି।