ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ?

0

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଓଡ଼ିଶାର ପ୍ରମୁଖ ତିନି ରାଜନୈତିକ ଦଳରେ ଘୁଣ ଲାଗିଯାଇଛି। ରାଜନୈତିକ କାର୍ଯ୍ୟକ୍ରମ ତ ଦୂରର କଥା ଗଣମାଧ୍ୟମ ସାମ୍ନାରେ ବୟାନବାଜି ଛଡ଼ା ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କୌଣସି ଠୋସ୍ ନିଷ୍ପତ୍ତି ନେବା ଲାଗି ଆଗ୍ରହୀ ନାହାନ୍ତି ବିଜେଡି, ବିଜେପି ଓ କଂଗ୍ରେସ। କୌତୂହଳର କଥା ହେଲା, ବିଜେଡି ସାଂଗଠନିକ ନିର୍ବାଚନ ଶେଷ ହୋଇଥିଲେ ହେଁ ରାଜ୍ୟସ୍ତରୀୟ ସାଂଗଠନିକ ପଦ ପଦବିରେ ନେତା ନିଯୁକ୍ତି ସରିନି। ବିଜେପିରେ ନିର୍ବାଚନ ସରିଛି ଓ ନେତା ନିଯୁକ୍ତି ବି। ଆଉ କଂଗ୍ରେସ ନେତୃତ୍ବ ପରିବର୍ତନ ପ୍ରସଙ୍ଗ ଧୀରେ ଧୀରେ ପୁଣି ଥରେ ଜୋର ଧରିଲାଣି।

ତିନି ରାଜନୈତିକ ଦଳର ଏଭଳି ସ୍ଥିତିକୁ ରାଜନୈତିକ ମହଲ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏଇଥିପାଇଁ ଯେ ଏବେ ଏହି ଦଳମାନେ ସାଂଗଠନିକ କାର୍ଯ୍ୟକ୍ରମ ଭିତରକୁ ଆସିବା ମାତ୍ରେ ଆଭ୍ୟନ୍ତରୀଣ ବିବାଦ ତେଜିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ବିରୋଧୀ ରାଜନୈତିକ ଶକ୍ତି ପରିବର୍ତେ ଏବେ ବେଶ୍ କିଛି ଦିନ ରାଜନୈତିକ ଦଳଙ୍କୁ ନିଜର ଦଳର ବିବାଦ ତୁଟାଇବା ପାଇଁ ଅବଶ୍ୟ ସମୟ ଦେବାକୁ ପଡ଼ିବ।

ବିଜୁ ଜନତା ଦଳରେ ପରାଜିତ ଅନେକ ନେତା ଏବେ ଥଇଥାନ ଅପେକ୍ଷାରେ ଅଛନ୍ତି। ଦ୍ବିତୀୟ ଧାଡ଼ିର କିଛି ନେତାଙ୍କୁ ଦଳ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେଇ ସାରିବା ପରେ ବି ଆହୁରି ଅନେକ ନେତା ଅଛନ୍ତି, ଯେଉଁମାନେ ଏବେ ସାଂଗଠନିକ ନିଯୁକ୍ତି ପାଇଁ ଲବି ଚଳାଇଛନ୍ତି। ଏମାନଙ୍କ ବାଦ୍ ପ୍ରତି ଜିଲ୍ଲାରେ ଗତ ଦିନରେ ସଂଗଠନରେ ଏମିତି କିଛି ନେତା ରହିଛନ୍ତି,ଯେଉଁମାନେ ଦାବି କରୁଛନ୍ତି ଯେ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ପଛରେ ସେମାନଙ୍କର କିଛି କମ୍ ଭୂମିକା ନାହିଁ।

ଏହି ତିନିଟି ପ୍ରସଙ୍ଗ ଉପରେ ଦଳ ବିଚାର କରି ଆଗକୁ ବଢ଼ିବା କଥା। ହେଲେ ଯେଉଁ ଅସଲ ସମସ୍ୟା ଏବେ ଦଳ ସାମ୍ନାରେ ରହିଛି, ତାହା ହେଲା ଯୁବ, ମହିଳା, ଛାତ୍ର ସଂଗଠନକୁ ଦଳ ବିଧାୟକମାନଙ୍କ ହାତରେ ଛାଡ଼ିବ ନା ଅଣ ବିଧାୟକମାନଙ୍କୁ ଦେବ। ଖର୍ଚ୍ଚ ଦୃଷ୍ଟିରୁ ବିଚାର କଲେ ଦଳ ବିଧାୟକମାନଙ୍କୁ ଦେବାର ସମ୍ଭାବନା ଅଧିକ। କିନ୍ତୁ ବିରୋଧୀ ରାଜନୈତିକ ଶକ୍ତିକୁ ପ୍ରତିହତ କରିବାକୁ ହେଲେ ଶୀର୍ଷ ନେତୃତ୍ବକୁ ଦଳ ଭିତରରୁ ତିନି ଜଣ ଏଭଳି ଟାଣୁଆ ନେତା ଓ ନେତ୍ରୀଙ୍କୁ ଖୋଜିବାକୁ ପଡ଼ିବ, ଯେଉଁମାନେ ଉଭୟ ବୁଦ୍ଧି ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇଥିବା ଦରକାର। ଅନ୍ୟଥା ଏକଥା ସ୍ପଷ୍ଟ ଯେ କିଛି ଦିନ ପରେ ସେମାନେ ଶୀର୍ଷ ନେତୃତ୍ବ ପାଇଁ ଚିନ୍ତାର କାରଣ ହୋଇପାରନ୍ତି।

ବିଧାୟକମାନଙ୍କୁ ଦିଆଗଲେ, ଆର୍ଥିକ ଦୃଷ୍ଟିରୁ ସେ ବୋଝ ଦଳକୁ ନେବାକୁ ନ ପଡ଼ିପାରେ, ହେଲେ ସେମାନେ ବେଶୀ ପ୍ରଭାବୀ ହେବା ସମ୍ଭାବନା କ୍ଷୀଣ। ସାଂଗଠନିକ ନିଯୁକ୍ତି ପ୍ରକ୍ରିୟା ପାଇଁ ନେତା ଚୟନ ବେଳେ ମନ୍ତ୍ରିମଣ୍ଡଳ ମଧ୍ୟ ଏକ ବଡ଼ ମାପକାଠି ହେବ। ଏଭଳି ପରିସ୍ଥିତିରେ ଯଦି ଦଳର ଟାଣୁଆ ନେତା ବଦଳରେ ଶୀର୍ଷ ନେତୃତ୍ବର ପାଖରେ ଘଷି ହେଉଥିବା ନେତାଙ୍କୁ ଗୁରୁ ଦାୟିତ୍ବ ମିଳେ, ତେବେ ଆଗକୁ କେବଳ ସମସ୍ୟା ହିଁ ସମସ୍ୟା ବୋଲି କୁହାଯାଉଛି।

ଏହାଠାରୁ ଆହୁରି ବଡ଼ କଥା ହେଲା, ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଶାସକ ଦଳର ନେତାମାନେ ଆଦୌ ମୁହଁ ନ ଖୋଲିବା ଘଟଣାକୁ ନେଇ ସାଧାରଣରେ ବଡ଼ ସମାଲୋଚନା ଆରମ୍ଭ ହୋଇଗଲାଣି। ରାଜ୍ୟର ବିକାଶ ଲାଗି କେନ୍ଦ୍ର-ରାଜ୍ୟ ମଧ୍ୟରେ ବୁଝାମଣା କରିବାରେ କୌଣସି ଅସୁବିଧା ନାହିଁ। ହେଲେ ସରକାର ଭିତରେ ରାଜନୈତିିକ ଦଳ ଛନ୍ଦି ହେବା ଆଦୌ ଶୁଭଲକ୍ଷଣ ନୁହେଁ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି। ବିଜେଡି ଦଳର ନିର୍ବାଚିତ ପ୍ରତିନିଧିମାନେ ସରକାର ଗଠନ କରିଛନ୍ତି ସତ, ହେଲେ ଦଳର ସବୁ ନେତା ସରକାର ଭିତରେ ନାହାନ୍ତି। ସେମାନେ ଯଦି ନିଜକୁ ସରକାର ବୋଲି ଭାବି ଆଗକୁ ବଢ଼ିବେ ଓ କ୍ଷମତାର ବଳୟ ଭିତରେ ଛନ୍ଦି ହୋଇଯାଇଥିବା କାରଣରୁ ଏବେ ପେଟ୍ରାଲ ଦର ପ୍ରସଙ୍ଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରିବେ, ତେବେ ତାହା ଦଳ ପାଇଁ ଆଗାମୀ ଦିନରେ ଘାତକ ହୋଇପାରେ।

ବିଜେପି ଯେତେ ରାଜନୈତିକ ପୁର୍ନବିନ୍ୟାସ କଲେ ବି ଏକଥା ସତ ଯେ ଦଳ ବିରୋଧୀ ଦଳ ଆସନରେ ବସିବାର ଯୋଗ୍ୟତା ହରାଇ ବସିଛି।ସଂଖ୍ୟା ଦୃଷ୍ଟିରୁ ଦ୍ବିତୀୟ ସ୍ଥାନରେ ଥିଲେ ବି ନେତାମାନଙ୍କ ଆଚରଣ ଏମିତି ଯେ ସେମାନେ ବେଶୀ ରାଜ୍ୟ ସରକାରଙ୍କର ଓ କମ୍ ଲୋକଙ୍କର, ଏ ଧାରଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଯେଉଁଭଳି ବିଜେଡି କେନ୍ଦ୍ର ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ଆଚରଣ ପ୍ରଦର୍ଶନ କରି ଆସିଛି, ବିଜେପି ଠିକ୍ ସେମିତି ଅନୁରୂପ ଭାବନା ରଖି ରାଜ୍ୟରେ ଆଗକୁ ଗଡୁଛି। ଏହାକୁ ନେଇ ତୃଣମୂଳସ୍ତରରେ ବିଜେପିର ଭାବମୂର୍ତି ଇତିମଧ୍ୟରେ ଢେର୍ ପ୍ରଭାବିତ ହେଲାଣି।

କେବଳ ସେତିକି ନୁହେଁ, ରାଜ୍ୟ ବିଜେପିର ସବୁ ଚିହ୍ନା ମୁହଁ ଧୀରେ ଧୀରେ ଅପସରି ଗଲେଣି। ଥାେକାଏ ଯୁକ୍ତି ରଖୁଛନ୍ତି, ସେମାନଙ୍କର ଗତ ଦିନର ଭାବମୂର୍ତି ହିଁ ଦଳକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛି। ଏଣୁ ସେମାନଙ୍କୁ ଗୁରୁତ୍ବ ଦେଇ ଆଗକୁ ବଢ଼ିବା ଅର୍ଥ ଦଳ ପୁଣି ସେହି ଧାରାରେ ଚାଲିବ। ହେଲେ ଆଉ ଗୋଟିଏ ମହଲର ମତକୁ ହାଲକା ଭାବେ ନିଆଯାଇପାରିବ ନାହିଁ। ଯେମିତି ବୟସ୍କ ବ୍ୟକ୍ତିମାନଙ୍କୁ ଅଣଦେଖା କରିବାର ଫଳ ସେଦିନ ରାଜା ଭୋଗ କରିଥିଲେ, ସେଇ ଦଶା ଏବେ ବିଜେପିକୁ ଭୋଗିବାକୁ ପଡିପାରେ। ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା ସ୍ଥିତିରେ ଦଳ ଏବେବି ନାହିଁ।ରାଜନୈତିକ କାର୍ଯ୍ୟକ୍ରମ କରିବା ତ ଦୂରର କଥା। ସରକାର ବାହାରେ ସଂଗଠନ କରିବା ଓ ସରକାର ଭିତର ରାସ୍ତା ଦେଖିଥିବା ଲୋକଙ୍କୁ ସାମ୍ନାରେ ରଖି ତାଙ୍କ ମାଧ୍ୟମରେ ଆଗକୁ ବଢ଼ିବା ଭିନ୍ନ କଥା। ଦ୍ବିତୀୟ ସୂତ୍ରରେ ଏଭଳି ନେତାମାନଙ୍କୁ ଧରି ଆଗକୁ ବଢିଲେ, ସରକାର ଶୀଘ୍ର ଆହତ ହେବେ ହିଁ ହେବେ। ହେଲେ ପ୍ରତିଦ୍ବନ୍ଦ୍ବୀ ସୃଷ୍ଟି ହେବା ଭୟରେ ବିଜେପି ନେତାମାନେ ଏ ରାସ୍ତାରେ ଯିବା ଲାଗି ଆଦୌ ଗୁରୁତ୍ବ ମଣୁନାହାନ୍ତି, ଯାହା ସେମାନଙ୍କର କ୍ଷତି ବା କ୍ଷତକୁ ଦ୍ବିଗୁଣିତ କରିବା ଆରମ୍ଭ କଲେଣି।

କଂଗ୍ରେସ ସ୍ଥିତି ନ କହିବା ଭଲ। ଏଯାଏ ଦଳ ବରିଷ୍ଠଙ୍କୁ ନେଇ ଚାଲିବ କି ଦଳରେ ଥିବା ପ୍ରଭାବୀ ନୂଆ ସମ୍ଭାବନାକୁ ଖୋଜିବ, ତାହା ସ୍ଥିର କରିପାରିନାହିଁ। ନୂଆଦିଲ୍ଲୀରେ ହାଇକମାଣ୍ଡ ଯେଉଁ ସମସ୍ୟାରେ ପଡ଼ି ଛଟପଟ ହେଉଛନ୍ତି, ରାଜ୍ୟର ସ୍ଥିତି ବି ସେୟା। ସେଠାରେ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଅମଳର ନେତାଙ୍କୁ ନେଇ ରାହୁଲ ଆଗକୁ ବଢ଼ିବେ ନା ନିଜର ଏକ ଟାଣୁଆ ସଂଗଠନ କରି ତା ମାଧ୍ୟମରେ ମୁକାବିଲାମୂଳକ ପଦକ୍ଷେପ ନେବେ, ତାହା ଏଯାଏ ନିର୍ଣ୍ଣୟ କରିପାରିନାହାନ୍ତି।

ରାଜ୍ୟର ପାଖାପାଖି ଅଧା ନିର୍ବାଚନମଣ୍ଡଳୀରେ ଏବେ ଦଳର ମାମଲତକାର ବୋଲି ଯାହାକୁ କହିଲେ ବି ତାଙ୍କ ବୟସ ୬୦ ବର୍ଷରୁ କମ୍ ନୁହେଁ। ଗୋଟିଏ ପଟେ ଗାଁ ଗଣ୍ଡାରେ ଯୁବ ଗୋଷ୍ଠୀ ଏବେ ନିର୍ବାଚନ ପରିଚାଳନାରେ ଅସଲ ନେତୃତ୍ବ ନେଉଥିବା ବେଳେ ଦଳ ବରିଷ୍ଠଙ୍କ ଉପରୁ ନଜର ନ ହଟାଇ ପାରିବା ସଂଗଠନ ପାଇଁ ଘାତକ ହେଉଥିବା ରାଜନୈତିକ ମହଲର ମତ।

Leave A Reply

Your email address will not be published.