ପଞ୍ଜାବ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଞ୍ଜାବର ଜଳନ୍ଧରସ୍ଥିତ ପିଇସି କ୍ୟାମ୍ପସରେ ୬,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରାସ୍ତା, ରେଳ, ସ୍ୱାସ୍ଥ୍ୟ ଏବଂ ଗୃହ ନିର୍ମାଣ ସମ୍ବନ୍ଧୀୟ ବିକାଶ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପଞ୍ଜାବ ବିଜେପି ସଭାପତି କେୱଲ ସିଂହ ଢିଲୋନ ପ୍ରଧାନମନ୍ତ୍ରୀଙ୍କୁ ଶାଲ ଓ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସବୁଜ ରଙ୍ଗର ପଗଡ଼ି ପିନ୍ଧିଥିଲେ।
ପ୍ରଧାନମନ୍ତ୍ରୀ ୫,୪୭୦ କୋଟି ଟଙ୍କା ମୂଲ୍ୟର ରେଳ ଓ ସଡ଼କ ପ୍ରକଳ୍ପର ଉଦଘାଟନ କରିବା ସହ ଦେଶବ୍ୟାପୀ ୭୫ଟି ଅମୃତ ଭାରତ ଷ୍ଟେସନକୁ ଭର୍ଚୁଆଲ୍ ମାଧ୍ୟମରେ ଲୋକାର୍ପଣ କରିଥିଲେ। ସେ ଦିଲ୍ଲୀ–ଅମୃତସର–କଟରା ଏକ୍ସପ୍ରେସୱେ, ଅମୃତସର–ବାରାଣସୀ ଏକ୍ସପ୍ରେସ ଟ୍ରେନ, କରତୌଲି ପଞ୍ଜାବ–ଅମ୍ବାଲା ଏକ୍ସପ୍ରେସ ସେବା ଏବଂ ଦୌଲତପୁର ଚୌକ–କରତୌଲି ପଞ୍ଜାବ ନୂତନ ରେଳ ଲାଇନର ଶୁଭାରମ୍ଭ କରିଥିଲେ। ଏହି ପ୍ରକଳ୍ପ ଓ ରେଳ ସେବାଗୁଡ଼ିକ ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶ ମଧ୍ୟରେ ଯାତାୟାତ ଏବଂ ସଂଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି କୁହାଯାଉଛି।
କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅମୃତସର–ବାରାଣସୀ ଟ୍ରେନରେ ଯାତ୍ରା କରୁଥିବା କିଛି ପିଲାଙ୍କ ସହ ମତବିନିମୟ କରିଥିଲେ। ସେ ସନ୍ଥ ନିରଞ୍ଜନ ଦାସଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ ସହ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଉତ୍ତର ଭାରତର ଭିତ୍ତିଭୂମି ବିକାଶ, ରେଳ ସଂଯୋଗ ଓ ଆର୍ଥିକ କାର୍ଯ୍ୟକଳାପକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।