ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ପେପର ଲିକ୍ରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଶୀଘ୍ର ବିଚାର ଓ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ଯୁବକମାନଙ୍କ କଲ୍ୟାଣ ଓ ଭବିଷ୍ୟତଠାରୁ ବଡ଼ କିଛି ନାହିଁ। ପେପର ଲିକ୍ରେ ସମ୍ପୃକ୍ତ ଲୋକଙ୍କୁ ତୁରନ୍ତ ଓ କଠୋର ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ।” ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଟ -ୟୁଜି ୨୦୨୬ ପରୀକ୍ଷାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।
ଫାଷ୍ଟ ଟ୍ରାକ୍ କୋର୍ଟର ମୂଳ ଉଦ୍ଦେଶ୍ୟ ହେଉଛି ଏଭଳି ମାମଲାର ତ୍ୱରିତ ଶୁଣାଣି କରି ଶୀଘ୍ର ରାୟ ପ୍ରଦାନ କରିବା। କେତୋଟି କୋର୍ଟ ଗଠନ ହେବ, ସେମାନଙ୍କ କ୍ଷେତ୍ରାଧିକାର କ’ଣ ରହିବ ଏବଂ କେବେଠାରୁ କାର୍ଯ୍ୟକ୍ଷମ ହେବ, ସେନେଇ ସରକାର ଖୁବଶୀଘ୍ର ବିସ୍ତୃତ ରୂପରେଖ ପ୍ରକାଶ କରିବେ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ଆଇନ, ୨୦୨୪ ଅନୁଯାୟୀ ପେପର ଲିକ୍ ଓ ପରୀକ୍ଷାରେ ସଂଗଠିତ ଦୁର୍ନୀତିକୁ ଗୁରୁତର ଅପରାଧ ଭାବେ ଗଣାଯାଏ। ଏହି ଆଇନରେ ଦୋଷୀଙ୍କ ପାଇଁ ୩ରୁ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ସଂଗଠିତ ଗ୍ୟାଙ୍ଗ୍ ସମ୍ପୃକ୍ତ ଥିଲେ ୫ରୁ ୧୦ ବର୍ଷ କାରାଦଣ୍ଡ ଏବଂ ସର୍ବନିମ୍ନ ୧ କୋଟି ଟଙ୍କା ଜରିମାନା ହୋଇପାରିବ। ସରକାରଙ୍କ ଏହି ପଦକ୍ଷେପ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବାରେ ଏକ ଦୃଢ଼ ପ୍ରୟାସ ବୋଲି ମନେ କରାଯାଉଛି।