ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚି ୩ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ କରିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଆଜି ସେ କଟକ ଜିଲ୍ଲା ବାଆଁରାସ୍ଥିତ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ। ୪ ଅଗଷ୍ଟରେ ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁର ଯାଇ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୫ ଅଗଷ୍ଟରେ ସେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରି ବାୟୁସେନା ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଗଞ୍ଜାମରେ ବ୍ଲୁ-ବୁକ୍ ଅନୁଯାୟୀ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁରରୁ ତପ୍ତପାଣି ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ସମଗ୍ର ଯାତ୍ରାପଥକୁ ୪ ଓ ୫ ଅଗଷ୍ଟ ପାଇଁ ‘ନୋ-ଫ୍ଲାଇ ଜୋନ୍’ ଓ ‘ନୋ-ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି। ସେହିପରି ୪୦ ପ୍ଲାଟୁନ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ଟ୍ରାଫିକ କର୍ମଚାରୀଙ୍କୁ ସୁରକ୍ଷା ଏବଂ ଯାତାୟାତ ପରିଚାଳନା ପାଇଁ ମୁତୟନ କରାଯାଇଛି।