ପ୍ରମୁଖ ଖବର

ଏସିବିରେ ୧.୪୦ କୋଟି ଟଙ୍କା ହେରଫେର, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଲେଜ ପାଇଁ ନୂଆ ନିର୍ଦ୍ଦେଶ, କ୍ୟାଣ୍ଟିନ୍‌ରେ କମିବ ତେଲ ବ୍ୟବହାର, ପୁରି-ବରା-ଆଳୁଚପ
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା
‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’
ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା
ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ: ୨୨୧ ବରଫ ହ୍ରଦ ଚିହ୍ନଟ

ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା

0

ନ୍ୟୁଜ୍ ବ୍ୟୁରୋ: ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ରେଳ ଷ୍ଟେସନ୍‌, ପ୍ଲାଟଫର୍ମ କିମ୍ବା ଟ୍ରେନ୍‌ ଭିତରେ ଅଳିଆ ପକାଇବା ଏଣିକି ମହଙ୍ଗା ପଡ଼ିବ। ଭାରତୀୟ ରେଳବାଇ ପରିଚ୍ଛନ୍ନତା ନିୟମକୁ କଡ଼ାକଡ଼ି କରି ଅଳିଆ ଫିଙ୍ଗିବା ପାଇଁ ଜରିମାନା ୫୦୦ ଟଙ୍କାରୁ ବଢ଼ାଇ ୧,୦୦୦ ଟଙ୍କା କରିଛି। ଅଗଷ୍ଟ ୨୪ରେ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତି ଅନୁସାରେ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ନିର୍ଦ୍ଦିଷ୍ଟ ଡଷ୍ଟବିନ୍‌ କିମ୍ବା ସ୍ଥାନ ବ୍ୟତୀତ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ଫିଙ୍ଗିବା, ଛାଡ଼ିଯିବା କିମ୍ବା ଏଣେତେଣେ ପକାଇବା ଉପରେ ଜରିମାନା ଲାଗିବ। ଏହାସହ ରେଳ ପରିସରରେ ଅନୁମତି ବିନା ରୋଷେଇ କରିବା, ଗାଧୋଇବା, ଛେପ ପକାଇବା, ପରିସ୍ରା କିମ୍ବା ମଳତ୍ୟାଗ କରିବା ମଧ୍ୟ ନିୟମ ବିରୋଧୀ ହେବ।

ରେଳବାଇର ନୂଆ ନିୟମ ଅନୁସାରେ ପଶୁପକ୍ଷୀଙ୍କୁ ଖାଦ୍ୟ ଦେବା, ରେଳ ପରିସରରେ ଗାଡ଼ି, ବାସନ କିମ୍ବା କପଡ଼ା ଧୋଇବା ଏବଂ ଅନୁମତି ନଥିବା ସ୍ଥାନରେ ସାମଗ୍ରୀ ରଖିବା ଉପରେ ମଧ୍ୟ କଟକଣା ରହିଛି। ଟ୍ରେନ୍‌ କିମ୍ବା ଷ୍ଟେସନ୍‌ରେ ବିନା ଅନୁମତିରେ ପୋଷ୍ଟର ଲଗାଇବା, ସ୍ଲୋଗାନ୍‌ କିମ୍ବା ବାର୍ତ୍ତା ଲେଖିବା ଏବଂ ଚିତ୍ର ଆଙ୍କିବା ମଧ୍ୟ ଦଣ୍ଡନୀୟ ହେବ। ଏଭଳି ନିୟମ ଉଲ୍ଲଂଘନ ପାଇଁ ୧,୦୦୦ ଟଙ୍କା ଜରିମାନା ହୋଇପାରେ। ନିୟମ ଭାଙ୍ଗିଥିବା ଯାତ୍ରୀଙ୍କଠାରୁ ଷ୍ଟେସନ୍‌ ମାଷ୍ଟର, ଷ୍ଟେସନ୍‌ ମ୍ୟାନେଜର, କମର୍ସିଆଲ୍‌ ବିଭାଗର ଟିକେଟ୍‌ କଲେକ୍ଟର ଏବଂ ରେଳବାଇ ଦ୍ୱାରା ଅଧିକୃତ ଅନ୍ୟ ଅଧିକାରୀ ଜରିମାନା ଆଦାୟ କରିପାରିବେ। ଯଦି କେହି ଜରିମାନା ଦେବାକୁ ମନା କରନ୍ତି, ତେବେ ମାମଲା କୋର୍ଟକୁ ପଠାଯାଇପାରେ। ଏଭଳି କ୍ଷେତ୍ରରେ ସର୍ବାଧିକ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ରେଳ ଷ୍ଟେସନ୍‌ରେ ବ୍ୟବସାୟ କରୁଥିବା ଅଧିକୃତ ବିକ୍ରେତା ଓ ହକରମାନଙ୍କ ପାଇଁ ମଧ୍ୟ ଆବର୍ଜନା ପରିଚାଳନା ନେଇ ନିୟମ ରହିଛି। ସେମାନଙ୍କୁ ନିଜ ବ୍ୟବସାୟ ସ୍ଥାନରେ ଡଷ୍ଟବିନ୍‌ ରଖିବା ସହ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ପଡ଼ିବ। ରେଳବାଇର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଷ୍ଟେସନ୍‌ ଓ ଟ୍ରେନ୍‌ଗୁଡ଼ିକୁ ଅଧିକ ସ୍ୱଚ୍ଛ ରଖିବା। ଯାତ୍ରୀମାନେ ନିୟମ ମାନି ଆବର୍ଜନାକୁ ଡଷ୍ଟବିନ୍‌ରେ ପକାଇବା ସହ ରେଳ ପରିସରକୁ ସଫା ରଖିବାରେ ସହଯୋଗ କରିବାକୁ ରେଳବାଇ ପକ୍ଷରୁ ଆହ୍ୱାନ କରାଯାଇଛି।

Leave A Reply

Your email address will not be published.