ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ନୂଆ ଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନିର୍ମାଣ ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ଆସିଛି ବଡ଼ ଖୁସି ଖବର। ଉପରାଜ୍ୟପାଳ ତରନଜିତ ସିଂହ ସାନ୍ଧୁ ‘ଦିଲ୍ଲୀ ବିଲ୍ଡିଂ ୱର୍କର୍ସ ହେଲ୍ଥ୍ ସ୍କିମ୍’କୁ ଔପଚାରିକ ଭାବେ ମଞ୍ଜୁରି ଦେଇଛନ୍ତି। ଏହା ଲାଗୁ ହେବା ପରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ସେମାନଙ୍କ ଯୋଗ୍ୟ ଆଶ୍ରିତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମାଗଣାରେ ମିଳିବ। ଦିଲ୍ଲୀ ବିଲ୍ଡିଂ ଆଣ୍ଡ ଅଦର କନଷ୍ଟ୍ରକ୍ସନ ୱର୍କର୍ସ ୱେଲଫେୟାର ବୋର୍ଡରେ ପଞ୍ଜୀକୃତ ୨.୭ ଲକ୍ଷରୁ ଅଧିକ ସକ୍ରିୟ ଶ୍ରମିକ ଏବଂ ସେମାନଙ୍କ ଯୋଗ୍ୟ ପରିବାର ସଦସ୍ୟ ଏହି ଯୋଜନାରେ ସାମିଲ ହେବେ। ସାମାଜିକ ସୁରକ୍ଷା ସଂହିତା, ୨୦୨୦ ଅଧୀନରେ ଆସୁଥିବା ଏହି ଯୋଜନାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ମଞ୍ଜୁରି ଦେଇଥିଲେ।
ଯୋଜନା ଅନୁସାରେ ପ୍ରତ୍ୟେକ ପଞ୍ଜୀକୃତ ଶ୍ରମିକ ଓ ଯୋଗ୍ୟ ଜୀବନସାଥୀଙ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଚୁକ୍ତିବଦ୍ଧ ହସ୍ପିଟାଲରେ ସିଜିଏଚ୍ଏସ୍ ଦରରେ ଓପିଡି ପରାମର୍ଶ, ରୋଗ ନିରୂପଣ ପରୀକ୍ଷା, ଔଷଧ ଏବଂ ହସ୍ପିଟାଲରେ ଭର୍ତ୍ତି ଚିକିତ୍ସା କ୍ୟାଶ୍ଲେସ୍ ଭାବେ ମିଳିବ। ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ବର୍ଷକୁ ୨ ଲକ୍ଷ ଟଙ୍କା ଏବଂ ପରିବାର ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭର ରହିବ।
ଦୁର୍ଘଟଣା, ବୃତ୍ତିଗତ ରୋଗ, ଦୀର୍ଘକାଳୀନ ରୋଗ, ବିଶେଷ ଚିକିତ୍ସା, ମାତୃତ୍ୱ ସ୍ୱାସ୍ଥ୍ୟ ଓ ପୁନର୍ବାସ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛି। କାର୍ଯ୍ୟସ୍ଥଳରେ ଦୁର୍ଘଟଣା କିମ୍ବା ଜରୁରୀ ଚିକିତ୍ସା ଆବଶ୍ୟକ ହେଲେ ଶ୍ରମିକ ନିକଟସ୍ଥ ଯେକୌଣସି ହସ୍ପିଟାଲରେ ଚିକିତ୍ସା ନେଇପାରିବେ। ଯୋଜନାର ସୁଚାରୁ ପରିଚାଳନା ପାଇଁ ମୋବାଇଲ ମେଡିକାଲ ୟୁନିଟ୍, ଡିଜିଟାଲ ରେକର୍ଡ ବ୍ୟବସ୍ଥା ଏବଂ ଥାର୍ଡ ପାର୍ଟି ଯାଞ୍ଚ ବ୍ୟବସ୍ଥା କରାଯିବ। ଏହାର ନିରୀକ୍ଷଣ ପାଇଁ ‘ବିଲ୍ଡିଂ ୱର୍କର୍ସ ହେଲ୍ଥ୍ କମିଟି’ ଗଠନ କରାଯାଇଛି। ଯୋଜନା ଲାଗୁ ହେବା ପରେ ଦିଲ୍ଲୀର ନିର୍ମାଣ ଶ୍ରମିକମାନେ ଏକ ଦୃଢ଼ ସାମାଜିକ ସୁରକ୍ଷା କବଚ ପାଇପାରିବେ।