ପଶ୍ଚିମବଙ୍ଗ: ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନକୁ ନେଇ ଚାଲିଥିବା ସବୁ ଚର୍ଚ୍ଚାରେ ବିରାମ ଲାଗିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ଉପନିର୍ବାଚନ ଲଢ଼ିବେନି। ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ନନ୍ଦିଗ୍ରାମ ପାଇଁ ସଞ୍ଚିତା ପ୍ରଧାନ ଏବଂ ରେଜିନଗର ପାଇଁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି।
ଆସନ୍ତା ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଉପନିର୍ବାଚନ ହେବ। ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେବା ପରେ ଏହି ଆସନ ଖାଲି ହୋଇଥିଲା। ସେହିପରି ରେଜିନଗର ଆସନରୁ ଆମ ଜନତା ଉନ୍ନୟନ ପାର୍ଟିର ପ୍ରତିଷ୍ଠାତା ହୁମାୟୁଂ କବୀର ଇସ୍ତଫା ଦେବା ପରେ ଏହା ଖାଲି ପଡ଼ିଥିଲା।
ଦୀର୍ଘଦିନ ଧରି ନନ୍ଦିଗ୍ରାମ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ସଂଘର୍ଷର ପ୍ରମୁଖ କେନ୍ଦ୍ର ରହିଆସିଛି। ୨୦୦୭ରେ ଭୂମି ଅଧିଗ୍ରହଣକୁ ବିରୋଧ କରି ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନ ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଥିଲା। ଏହି ଆନ୍ଦୋଳନ ମମତାଙ୍କ ରାଜନୈତିକ ଉତ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।