କେରଳ: ଦକ୍ଷିଣ ଭାରତର ରାଜ୍ୟ କେରଳରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଘଟିଛି। ଗତ ୨୪ ଘଣ୍ଟାରେ ବର୍ଷାଜନିତ ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ମଲପ୍ପୁରମ୍ରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଟ୍ଟୟମ୍ ଓ ଇଡ୍ଡୁକିରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଅମରାମବଲମ୍ ଓ ନିଲାମ୍ବୁର ଅଞ୍ଚଳରେ ଆକସ୍ମିକ ବନ୍ୟାରେ ୫ ଜଣ ଭାସିଯାଇଥିବା ଜଣାପଡ଼ିଛି। ନିଖୋଜଙ୍କ ସନ୍ଧାନ ପାଇଁ ଏନ୍ଡିଆର୍ଏଫ୍ ଟିମ୍କୁ ନିୟୋଜିତ କରାଯାଇଛି। ଉଦ୍ଧାରକାରୀ ଦଳ ଦୁଇଟି ଭିନ୍ନ ସ୍ଥାନରୁ ଦୁଇଟି ମୃତଦେହ ଉଦ୍ଧାର କରିଛି।
ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ ଆଜି ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରିଛି। କୋଟ୍ଟୟମ୍, ଇଡ୍ଡୁକି, ଏର୍ଣ୍ଣାକୁଲମ୍, ତ୍ରିଶୂର, ମଲପ୍ପୁରମ୍ ଓ ପଲକ୍କଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଚେତାବନୀ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।