ହରିୟାନା: ହରିୟାଣାର କୈଥଲ-କୁରୁକ୍ଷେତ୍ର ରାସ୍ତାରେ ଗୁରୁବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର-ଟ୍ରଲି ଓଲଟି ପଡ଼ିବାରୁ ୨ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପ୍ରାୟ ୧୨ ଜଣ ଆହତ ହୋଇଥିବାବେଳେ କେତେକଙ୍କ ଅବସ୍ଥା ଗୁରୁତର ରହିଛି।
ପୁଲିସ ସୂଚନା ଅନୁସାରେ, କାଲାଲ ମାଜରା ଗାଁର ପ୍ରାୟ ୧୫ରୁ ୨୦ ଜଣଙ୍କ ଏକ ଦଳ ରାଜସ୍ଥାନର ଗୋଗାମେଡ଼ି ଧାମକୁ ଯାଉଥିଲେ। ଗହରଡ଼ସୀ ଗାଁ ନିକଟରେ ଅନ୍ୟ ଏକ ଟ୍ରାକ୍ଟର-ଟ୍ରଲିକୁ ଓଭରଟେକ୍ କରିବା ସମୟରେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରଲିଟି ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରଲି ତଳେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ୩ଟି ଆମ୍ବୁଲାନ୍ସ ପଠାଇ ସମସ୍ତ ଆହତଙ୍କୁ କୁରୁକ୍ଷେତ୍ରର ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲକୁ ନେଇଥିଲା। ହସ୍ପିଟାଲର ମେଡିକାଲ ଅଫିସର ଡାକ୍ତର ଉପେନ୍ଦ୍ରଙ୍କ ଅନୁସାରେ, ୪ ଜଣଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ମୃତ ଘୋଷଣା କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଚାଳକଙ୍କ ଭୂମିକା ନେଇ ଯାଞ୍ଚ ଜାରି ରହିଛି। ଘଟଣା ପରେ କାଲାଲ ମାଜରା ଗାଁରେ ଶୋକର ଛାୟା ଖେଳିଯାଇଛି।