ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକେଟ୍ରେ ବୀମା ସୁବିଧା ଯୋଗାଇଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୭ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି। ନିର୍ଦ୍ଦେଶର ଅନୁପାଳନ ନ ହେଲେ ରେଳବାଇ ବୋର୍ଡକୁ ସିଧାସଳଖ ଦାୟୀ କରାଯିବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି।
୨୦୨୩ ଜୁନ୍ରେ ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା ସମ୍ପର୍କିତ ଏକ ଆବେଦନର ଶୁଣାଣି ବେଳେ ଗତ ୬ ତାରିଖରେ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ଅହସନୁଦ୍ଦିନ ଅମନୁଲ୍ଲା ଓ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ରେଳ ସୁରକ୍ଷା ବ୍ୟବସ୍ଥାର ଅଗ୍ରଗତି ନେଇ ଚିନ୍ତା ପ୍ରକାଶ କରିଥିଲେ। ଆବେଦନକାରୀ କବଚ ଆଣ୍ଟି-କଲିଜନ୍ ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବାକୁ ଦୁର୍ଘଟଣାର ଏକ କାରଣ ଦର୍ଶାଇ ଏହାର ତଦନ୍ତ ପାଇଁ କମିଶନ ଗଠନ ଏବଂ ସମସ୍ତ ଟ୍ରେନ୍ରେ ଶୀଘ୍ର କବଚ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଥିଲେ। ଏଥିସହ ରେଳଲାଇନ କଡ଼ରେ ବାଡ଼ ଓ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଭଳି ସୁରକ୍ଷା ପଦକ୍ଷେପର ଅଗ୍ରଗତି ଉପରେ ମଧ୍ୟ ଅଦାଲତ ଗୁରୁତ୍ୱ ଦେଇଥିଲେ।
ଲାଇନ୍ରେ ଟିକେଟ୍ ବୁକିଂ କରିପାରୁ ନ ଥିବା ଯାତ୍ରୀଙ୍କୁ ମଧ୍ୟ ବୀମା ସୁବିଧା ଯୋଗାଇବା ପାଇଁ ରେଳବାଇକୁ ପୂର୍ବରୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା। ତଥାପି ଏହା କାର୍ଯ୍ୟକାରୀ ନ ହେବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ସମସ୍ତ କାଉଣ୍ଟର ଟିକେଟ୍କୁ ବୀମାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।