ନବୀନ ସ୍ୱଚ୍ଛତାର ପୁଣି ପ୍ରମାଣ ଦେଲେ
ସଶକ୍ତ ଲୋକାୟୁକ୍ତ ଗଠନ ରାସ୍ତା ଖୋଲିଲା
କମିଟିର ସବୁ ସଦସ୍ୟଙ୍କ ମତ ମିଶିଗଲା
ମାର୍ଚ ୧୯ରେ ଚୟନ ହେବେ ଅନ୍ୟ ସଦସ୍ୟ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସଶକ୍ତ ଲୋକାୟୁକ୍ତ ଗଠନ କରିବା ଲାଗି ଅଣ୍ଟାଭିଡିଛନ୍ତି । ରାଜ୍ୟର ପ୍ରଥମ ଲୋକାୟୁକ୍ତ ଭାବେ ଦେଶର ଜଣେ ପ୍ରତିଷ୍ଠିତ ବିଚାରପତି ଦାୟିତ୍ୱ ନେବେ । ବିଶ୍ୱସ୍ତ ସୂତ୍ରରୁ ଏମିତି ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟର ପ୍ରଥମ ଲୋକାୟୁକ୍ତଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ନିର୍ଦେଶନାମା ପ୍ରକାଶ ପାଇବ ।
ମିଳିଥିବା ସୂଚନା ଅନୁସାରେ, ଚୟନ କମିଟି ଲୋକାୟୁକ୍ତ ଅଧ୍ୟକ୍ଷ ପଦବି ପାଇଁ ଯେଉଁ ନାମ ଉପରେ ମୋହର ଲଗାଇଛନ୍ତି ସେ ଓଡ଼ିଶାର ନୁହଁନ୍ତି କିମ୍ୱା ଓଡ଼ିଆ ମଧ୍ୟ ନୁହଁନ୍ତି । ବରଂ ଦେଶର ଜଣେ ନାମକରା ବିଚାରପତିଙ୍କ ନାମକୁ କମିଟି ମୋହର ଲଗାଇଛନ୍ତି । ଚୟନ କମିଟିରେ ଏ ନେଇ କେହି ଆପତ୍ତି ବି ଉଠାଇଛନ୍ତି । ଖୋଦ୍ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଏହି କମିଟିରେ ଅଛନ୍ତି । କେବଳ ସେତିକି ନୁହେଁ, ଜଣେ ପ୍ରତିଷ୍ଠିତ ଆଇନଜୀବୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚୟନ କମିଟିର ସଭ୍ୟ ଅଛନ୍ତି ।
ଆସନ୍ତା ମାର୍ଚ୍ଚ ୧୯ ତାରିଖ ଦିନ ଚୟନ କମିଟିର ପରବର୍ତୀ ବୈଠକ ବସିବ ଓ ଲୋକାୟୁକ୍ତର ଅନ୍ୟ ସଦସ୍ୟଙ୍କ ନାମ ସ୍ଥିର ହେବ । ମାର୍ଚ ୩୧ ତାରିଖ ସୁଦ୍ଧା ଏ ସମସ୍ତ ପ୍ରକ୍ରିୟା ଶେଷ ଏବଂ ଏପ୍ରିଲ ୮ ତାରିଖ ସୁଦ୍ଧା ଲୋକାୟୁକ୍ତଙ୍କ ଅଫିସ କାର୍ଯ୍ୟ କରିବ ବୋଲି ମୁଖ୍ୟଶାସନ ସଚିବ ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ।
ଏଠାରେ ପ୍ରକାଶଥାଉକି, ଲୋକାୟୁକ୍ତ ଚୟନ ପ୍ରକ୍ରିୟାରେ ଜଣେ ଅଣଓଡ଼ିଆ ବିଚାରପତି ଯଦି ସ୍ଥାନ ପାଆନ୍ତି, ତେବେ ଏହା ଏହି ସଂସ୍ଥାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନର ନାରାକୁ ଆହୁରି ବଳିଷ୍ଠ କରିବାରେ ମଧ୍ୟ ସାହାଯ୍ୟ କରିବ । କାରଣ କେନ୍ଦ୍ରରେ ଲୋକପାଳ ଆଇନ ଅନୁମୋଦନ ହେବା ପରେ ପରେ ଓଡ଼ିଶା ପ୍ରଥମ ରାଜ୍ୟଭାବେ ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏ ସଂକ୍ରାନ୍ତ ବିଲ୍କୁ ବିଧାନସଭାରେ ପାରିତ କରିଥିଲେ ।
ପ୍ରମୁଖ ଖବର
ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ
ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ
ରାଜଧାନୀରେ ପୁଣି ପିଲା ଚୋରି
ୟୁପିଏସସିର ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର
ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର