ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମହରଗରୁ ଯାଇ କାନ୍ତାରରେ ପଡିଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର: ବିଜେପି ରାଜନୀତିରେ ହଠାତ୍‍ କୋଣଠେସା କରି ଦିଆଗଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ । ଗୋଟିଏ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇଦେଲେ ଯେ ବିଜୟ ତାଙ୍କ ରାସ୍ତାରେ କଣ୍ଟା ହୋଇପାରନ୍ତି । ଏକଦା ଅତ୍ୟନ୍ତ ଘନିଷ୍ଠ ଥିବା ବିଜୟ ମହାପାତ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବ୍ୟବଧାନ ବଢିଲା । ଆଉ ଶେଷରେ ବିଜୟ ମହାପାତ୍ର ବିଜେପି ଛାଡିଦେଲେ ।

ହେଲେ ଯେଉଁ କଥାକୁ ଭୟ କରୁଥିଲେ କେନ୍ଦ୍ରମନ୍ତ୍ରୀ, ଏବେ ସେହି ଗାତରେ ପଡିଛନ୍ତି । ଜଣେ ବିଜୟ ସିନା ଗଲେ, ଏବେ ଜଣକ ପରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ନେତା ତାଙ୍କ ରାସ୍ତା ଓଗାଳିବା ପାଇଁ ଓଡ଼ିଶା ମଇଦାନରେ ପାଦ ଥାପିଲେଣି । କେନ୍ଦ୍ରୀୟ ନେତୃତ୍ୱ ଏମିତି ଗୋଟିଚାଳନା କରୁଛନ୍ତି, ଯେଉଁଥିରେ ଧୀରେ ଧୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଙ୍କୁଚିତ ହେବାରେ ଲାଗିଛନ୍ତି । ପ୍ରଥମେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କର ଆବିର୍ଭାବ ଘଟିଲା, ଆଉ ସୋମବାର ଶିବରାତ୍ରିରେ ମୁଖ୍ୟମନ୍ତ୍ରୀ ହେବା ଲାଗି ସ୍ୱପ୍ନ ଦେଖୁଥିବା ବୈଜୟନ୍ତ ପଣ୍ଡା ବିଜେପି ରାଜନୀତିରେ ପାଦ ଥାପି ପଦ୍ମ ଧରିଛନ୍ତି ।

କୌତୂହଳର କଥା ହେଲା, ବିଜୟ ମହାପାତ୍ରଙ୍କର ରାଜ୍ୟର ରାଜନୀତିରେ କିଛିଟା ପତିଆରା ଥିଲା ସତ, କିନ୍ତୁ କେନ୍ଦ୍ରରେ ସେ ଚେଷ୍ଟା କରିଥିଲେ ବି ଧର୍ମେନ୍ଦ୍ରଙ୍କ ପତିଆରାରେ ସାମାନ୍ୟ ଆଘାତ ଆଣିପାରିନଥାନ୍ତେ । ଜାତୀୟ ଦଳ ହିସାବରେ କେନ୍ଦ୍ରୀୟ ନେତୃତ୍ୱର ଦ୍ୱାହି ଦେଇ ବିଜୟଙ୍କୁ ଯେମିତି ଚାହିଁଥାନ୍ତେ ଧର୍ମେନ୍ଦ୍ର ବ୍ୟବହାର କରିପାରିଥାନ୍ତେ । ବିଜୟଙ୍କୁ ସାମ୍ନାରେ ରଖି ଧର୍ମେନ୍ଦ୍ର ଯେଉଁ ଖେଳ ଆରମ୍ଭ କରିଥିଲେ ,ସେଥିରେ ଆଜି ଦିନରେ ବିଜେଡି ପାଇଁ ଅଣ୍ଟା ସଳଖି ଛିଡା ହେବା କାଠିକର ପାଠ ହୋଇପଡିଥାନ୍ତା । ହେଲେ ଉଭୟ ଅପରାଜିତା ଓ ବୈଜୟନ୍ତ ରାଜ୍ୟରେ ବିଜେପି ଖାତାରେ ବେଶୀ ସଂଖ୍ୟା ଯୋଡିପାରିବେନି, କିନ୍ତୁ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଯେଉଁ ପତିଆରା ଥିଲା, ସେଥିରେ ଆଗାମୀ ଦିନରେ ଭାଗ ବସାଇବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ସଂପ୍ରତି ବିଜେପିରେ ଜଣେ ପରେ ଜଣେ ନେତା ଯେଉଁଭଳି ଯୋଗ ଦେଉଛନ୍ତି ତାହାକୁ ନେଇ ରାଜନୈତିକ ମହଲ ଅଙ୍କକଷା, ଆଲୋଚନା ପର୍ଯ୍ୟାଲୋଚନା ତଥା ତର୍ଜମା ଜାରି ରଖିଛନ୍ତି । ଗୋଟିଏ କଥା ସଙ୍କେତ ମିଳିଲାଣି ଯେ କେଉଁଠି ନା କେଉଁଠି ବିଜେପିର ଚେହେରା ଧର୍ମେନ୍ଦ୍ର ବୋଲି ଯେଉଁ ଧାରଣା ପ୍ରତୀୟମାନ ହେଉଥିଲା, ତାହା ପ୍ରଭାବିତ ହେବା ଆରମ୍ଭ କଲାଣି । ଏହା ଆଗାମୀ ଦିନରେ ଅଧିକ ବିପଦ ଟାଣିଆଣିପାରେ । କାରଣ ବିଜୟଙ୍କ ଭଳି ବିଜେପିର ଏହି ଦୁଇ ମହାନ ଶକ୍ତି, ଯିଏ କି କେନ୍ଦ୍ରରେ ଦବଦବା ରଖିଛନ୍ତି, ସେମାନେ ବୟସ୍କ ନୁହଁନ୍ତି । ବରଂ ସମସ୍ତେ ପାଖାପାଖି ସମାନ ବୟସର ବ୍ୟକ୍ତି । ଲମ୍ୱା ସମୟ ଖେଳିବା ପାଇଁ ତାଙ୍କ ପାଖରେ ସମୟ ରହିଛି । ଏମିତିରେ ବି ଅପରାଜିତା ପ୍ରଚଣ୍ଡ ପ୍ରଭାବୀ ଓ ବୈଜୟନ୍ତ କ୍ଷମତାଲିପ୍‍ସୁ । ଯେଉଁଥିପାଇଁ ଜଣେ କେନ୍ଦ୍ରରେ ସଚିିବ ଓ ରାଜ୍ୟରେ ମୁଖ୍ୟ ସଚିବ ହୋଇଥାନ୍ତେ, ରାଜନୀତିରେ ଯୋଗଦେଇ ପ୍ରତ୍ୟକ୍ଷ କ୍ଷମତା ଆହରଣ ପାଇଁ ଆଗ୍ରହ ଦେଖାଇଲେ । ଆଉ ଜଣକୁ ଯେଉଁ ନବୀନ ପଟ୍ଟନାୟକ ଚାରି ଚାରି ଥର ରାଜ୍ୟସଭା ଓ ଲୋକସଭାକୁ ପଠାଇଲେ, ତାଙ୍କୁ ପଛ କରି ଚାଲିଯିବାକୁ କ୍ଷଣେ ସୁଦ୍ଧା ଭାବିଲେନି ।

କେବଳ ସେତିକି ନୁହେଁ, ଉଭୟ ଅପରାଜିତା ଓ ବୈଜୟନ୍ତ ନିର୍ବାଚନମଣ୍ଡଳୀରୁ ରାଜନୀତି ଆରମ୍ଭ କରିଛନ୍ତି । ଯଦି ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଜିତନ୍ତି, ତେବେ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ରାସ୍ତାରେ କଣ୍ଟା ସାଜିପାରନ୍ତି । ଆଉ ଯଦି ବୈଜୟନ୍ତ କେନ୍ଦ୍ରାପଡାରୁ ନିର୍ବାଚନ ଲଢି ଜିତିଯାଆନ୍ତି, ତେବେ ଏହି ବିପଦ ଆହୁରି ସଙ୍ଗିନ ରୂପ ଧାରଣ କରିପାରେ ।

ଏମିତିରେ ବି ପୂର୍ବରୁ କେବଳ ଧର୍ମେନ୍ଦ୍ରଙ୍କୁ ନେଇ ବିଜେପିରେ ପ୍ରଚାର ହେଉଥିଲା । ଅସନ୍ତୁଷ୍ଟ ଆଜି ନ ହେଲେ କାଲି ମୋଡି ମକଚି ହୋଇ ତାଙ୍କ ସାଙ୍ଗେ ଯିବାକୁ ବାଧ୍ୟ ହୋଇଥାନ୍ତେ । ଏବେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ସିନା ଯୋଗଦାନ ପ୍ରକ୍ରିୟାରେ ଉଭୟ ଅପରାଜିତା ଏବଂ ବୈଜୟନ୍ତଙ୍କୁ ସଙ୍କୁଚିତ କରିବାରେ ସକ୍ଷମ ହେଲେ, ପ୍ରଧାନମନ୍ତ୍ରୀ ବା କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମାନଙ୍କୁ ଅଟକାଇ ଦେବେ, ହେଲେ ବିଜେପିର ଭୁବନେଶ୍ୱରରେ ତିନି ତିନିଟି ଅଫିସ ଖୋଲିଲା ଓ ପତିଆରା, ପ୍ରତିଷ୍ଠା ଆଦିରେ ଉଭୟ ନବାଗତ ଭାଗ ବସାଇବେ । ବୈଜୟନ୍ତଙ୍କ ଟିଭି ବିଜେପି ପାଇଁ ଲାଭଦାୟକ ହେବ ନିଶ୍ଚୟ, କିନ୍ତୁ ଯେଉଁଭଳି ଭାବେ ମିଶ୍ରଣ ପର୍ବ ଆୟୋଜନ ହେଲା ଓ ତା ପରେ କୌଣସି ବି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କୁ ବେଶୀ ଶ୍ରେୟ ଦେବେ ନାହିଁ କିମ୍ୱା ତାଙ୍କୁ ନେତା କରିବା କେବେ ବି ପ୍ରଚାର ପ୍ରସାର କରିବେ ନାହିଁ, ଏ ସମ୍ଭାବନା ବି ଅଧିକ । ଏମିତିହେଲେ, ବୈଜୟନ୍ତଙ୍କୁ କେବଳ ସାଂସଦ ହୋଇ ରହିବାକୁ ହେବ । ଯାହା ବିଜେଡିରେ ତାଙ୍କୁ ନିମିଷକେ ମିଳିପାରିଥାନ୍ତା ।

ଟିକେଟ ବଣ୍ଟନ ପ୍ରକ୍ରିୟାରେ ମଧ୍ୟ ଏହି ନେତାମାନଙ୍କର ଭାଗ ରହିବା କଥାକୁ ଏଡାଇ ଦିଆଯାଇପାରିବ ନାହିଁ । କାରଣ ଏମାନେ ନିର୍ବାଚନମଣ୍ଡଳୀ ରାଜନୀତିରେ ଅଛନ୍ତି । ନିଜ ନିଜ ଲୋକସଭା ଅଧୀନରେ ଥିବା ବିଧାନସଭା ଆସନ ଉପରେ ଏମାନେ ପ୍ରଭାବ ବିସ୍ତାର କରିବାକୁ ଚାହିଁବେ । ଏଥିରେ ଯଦି ବ୍ୟତିକ୍ରମ ହୁଏ ଏବଂ ସେମାନଙ୍କୁ ପରାଜୟ ମୁହଁ ଦେଖିବାକୁ ପଡେ, ତେବେ ଦଳ ଭିତରର ଷଡଯନ୍ତ୍ରର ଅପବାଦ ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କୁ ନେବାକୁ ପଡିବ, ଏ ସମ୍ଭାବନାକୁ ବି ଏଡାଇ ଦିଆଯାଇନପାରେ । ଏମିତି ହେଲେ ତାଙ୍କୁ କେନ୍ଦ୍ରରେ ତୁଚ୍ଛାଟାରେ ଯୁଝିବାକୁ ହେବ ।

ଏହି ମହଲର ଆହୁରି କହିବା କଥା ହେଉଛି, ସବୁଦିନ କେନ୍ଦ୍ରରେ ଅମିତ ଶାହଙ୍କ ଦବଦବା ନଥିବ । ଏପରି କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କୁୁ ମଉକା ଦେଖି ଏମାନେ କେନ୍ଦ୍ରରେ ଘେରିପାରିବେ । କାରଣ, ଉଭୟ ଅପରାଜିତା ଓ ବୈଜୟନ୍ତ ନିଜ କର୍ମୀଙ୍କ ଇଚ୍ଛାରେ ବିଜେପିରେ ଯୋଗଦେଇନାହାନ୍ତି । ବରଂ କେଉଁଠି କେଉଁଠି କେନ୍ଦ୍ରୀୟ ଆଶୀର୍ବାଦ କାରଣରୁ ଏମାନେ ହଠାତ ବିଜେପି ରାଜନୀତିରେ କ୍ଷମତା କେନ୍ଦ୍ର (ଛୋଟ ହେଉ ପଛେ) ଭାବେ ଉଭା ହୋଇଛନ୍ତି । ଏଣୁ ହାରିବାର ଶ୍ରେୟ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡକୁ ଯିବ, କିନ୍ତୁ ଦଳ ଭଲ କଲେ, ସେମାନେ ଏଥିରେ ଶ୍ରେୟ ମାଗିବେ ।

ସବୁଠାରୁ ବଡ କଥା ହେଲା, ଏବେ ବିଜେଡି ସହିତ ଲଢିବାକୁ ପାଗ ଭିଡିବାକୁ ଧର୍ମେନ୍ଦ୍ରଙ୍କ ପାଇଁ ନିଜ ଦଳରେ ପତିଆରା ସୃଷ୍ଟି ଓ ଏକକ ନେତୃତ୍ୱକୁ ବଳିଷ୍ଠ କରିବା ଏକ ଚ୍ୟାଲେଞ୍ଜ ହେବ ନିଶ୍ଚୟ । ଏଥିରେ କୋହଳ ମନୋଭାବ ପୋଷଣ କଲେ ବା ପ୍ରସଙ୍ଗକୁ ଅଣଦେଖା କଲେ ଆଜି ନ ହେଲେ ବି ଆସନ୍ତାକାଲି କିମ୍ୱା ପରଦିନ ତାଙ୍କୁ ମୂଲ୍ୟ ଦେବାକୁ ପଡିବ ବୋଲି ରାଜନୈତିକ ପଣ୍ଡିତମାନେ ପୂର୍ବାନୁମାନ କଲେଣି ।

Leave A Reply

Your email address will not be published.