- ବାଧା ସୃଷ୍ଟି ପାଦହରା ପାଇଁ ଚିଠା ବାଇ-ଲ’ ଆଣିଲେ କେନ୍ଦ୍ର ସରକାର
- ଜୁଲାଇ ୧୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ମାଗିଲେ ଏନ୍ଏମ୍ଏ କର୍ତ୍ତୃପକ୍ଷ
- ପୂର୍ବ ବାଇ-ଲ ମାନଙ୍କରେ ଥିବା କଠୋରତା ନୂଆ ଚିଠା ବାଇ-ଲରେ ନାହିଁ
- ମୂଳ ସ୍ଥିତି ଅକ୍ଷତ ରଖି ସୁରକ୍ଷା ଓ ନବୀକରଣ କରାଯାଇପାରିବ
- ଏବେ ବି ଝୁଲି ରହିଛି ଅନନ୍ତ ବାସୁଦେବ ମନ୍ଦିର ବାଇ-ଲର ଭାଗ୍ୟ
- ଏକାମ୍ର ବିକାଶକୁ ଦୃଷ୍ଟିରେ ରଖି ଚିଠା ବାଇ-ଲକୁ ଅନୁଧ୍ୟାନ କରୁଛି ରାଜ୍ୟ
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ କରାଯାଇଥିବା ଚିଠା ବାଇ-ଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇ ଯାଇଛନ୍ତି। ଭୁବନେଶ୍ବର ଶୁକଶାରୀ, ଅନନ୍ତବାସୁଦେବ ମନ୍ଦିର ପାଇଁ ପ୍ରସ୍ତୁତ ବାଇ-ଲ ସ୍ଥଗିତ ରହିଛି। ଏହାର ଭାଗ୍ୟ କଣ ହେବ, ସେ ନେଇ ଏବେ ବି ସମସ୍ତେ ଅନ୍ଧାରରେ ଅଛନ୍ତି। ଠିକ୍ ଏମିତି ସମୟରେ ପୁରୁଣା ଭୁବନେଶ୍ୱର ସ୍ଥିତ ଦେବୀ ପାଦହରା (ସହସ୍ର ଲିଙ୍ଗ) ପୁଷ୍କରିଣୀର ସୁରକ୍ଷା ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍ଏମ୍ଏ) ପକ୍ଷରୁ ଚିଠା ବାଇ-ଲ’ ପ୍ରସ୍ତୁତ କରାଯାଇଛି। ଏ ସଂକ୍ରାନ୍ତରେ ନୋଟିସ୍ ଜାରି କରି କୁହାଯାଇଛି ଯେ ପ୍ରସ୍ତାବିତ ବାଇ-ଲ ସଂପର୍କରେ ଯଦି ଜନସାଧାରଣଙ୍କର କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ଜୁଲାଇ ୧୫ ତାରିଖ ସୁଦ୍ଧା ତାହା ଏନ୍ଏମ୍ଏଙ୍କଠାରେ ଦାଖଲ କରିବେ।
ତେବେ ଗୋଟିଏ କଥା ଏଥର ଚିଠା ବାଇ-ଲରେ ଦେଖାଯାଉଛି ଯେ କର୍ତ୍ତୃପକ୍ଷ ପୂର୍ବରୁ ହୋଇଥିବା ବିବାଦ ସଂପର୍କରେ ଅତ୍ୟନ୍ତ ସତର୍କ ଅଛନ୍ତି ଓ ଏହାକୁ ପ୍ରସ୍ତୁତ କରିବା ସମୟରେ ଏନ୍ଏମ୍ଏ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଭବିଷ୍ୟତ ଯୋଜନା ଆଦିକୁ ବିଶ୍ବାସକୁ ନେଇଛନ୍ତି। ଏଥିରେ କର୍ତ୍ତୃପକ୍ଷ ଠାରିଛନ୍ତି ଯେ ଦେବୀ ପାଦହରା ଏବେ ବିଡିଏ ବିକାଶ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ରାଜ୍ୟ ସରକାରଙ୍କ ଭବିଷ୍ୟତ ଯୋଜନା ଆଦି ସଂପର୍କରେ ବି ଉଲ୍ଲେଖ କରାଯାଇଛି। କର୍ତ୍ତୃପକ୍ଷ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଐତିହ୍ୟର କୌଣସିଠାରେ ସୁରକ୍ଷା ଓ ନବୀକରଣର ଆବଶ୍ୟକ ହେଲେ ତାହାକୁ ଅନୁମତି ଦିଆଯିବ। କିନ୍ତୁ ନୂତନ ନିର୍ମାଣ ପୁରାତନ କୀର୍ତ୍ତିରାଜିର ରଙ୍ଗ, ନିର୍ମାଣ ଶୈଳୀକୁ ଦୃଷ୍ଟିରେ ରଖି କରାଯିବା ଦରକାର। ଗାଲିଚା ବିଛାଯିବା, ପାଥ୍ ଓ୍ବେ ପ୍ରସ୍ତୁତ କରାଯିବା ଆଦି ସଂପର୍କରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଜାରି କରାଯାଇଥିବା ବାଇ-ଲରେ ଥିବା କଠୋରତା ଏଥିରେ ନାହିଁ। ବରଂ ନିର୍ମାଣ ଉଚ୍ଚତା ଠାରୁ ଆରମ୍ଭ କରି ବିକାଶ କାର୍ଯ୍ୟ ଆଦି କ୍ଷେତ୍ରରେ ଅନେକ ନମନୀୟତା ରହିଛି। ଏଥିରୁ ସଙ୍କେତ ମିଳୁଛି ଯେ ବାଇ-ଲ ପ୍ରସ୍ତୁତ ବେଳେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହୋଇଛି ଅଥବା ସରକାରଙ୍କ ପ୍ରସ୍ତାବିତ ଏକାମ୍ର ଯୋଜନାକୁ ଏଏସ୍ଆଇ ଧ୍ୟାନରେ ରଖି ଏହି ବାଇ-ଲ ପ୍ରସ୍ତୁତ କରିଛନ୍ତି।
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଐତିହ୍ୟ ପ୍ରାଧିକରଣ ପ୍ରସ୍ତୁତ କରିଥିବା ଚିଠା ବାଇ-ଲ ମୁଖ୍ୟତଃ ଆମ୍ସାର ଆଇନ୍, ୧୯୫୮କୁ ଆଧାର କରି ହୋଇଛି। ଏଥିରେ କୁହାଯାଇଛି ଯେ ଦେବୀ ପାଦହରା ପୁଷ୍କରିଣୀର ୩୦୦ ମିଟର ପରିଧି ଭିତରେ କୌଣସି ପ୍ରକାର ନୂତନ ନିର୍ମାଣ ହୋଇ ପାରିବ ନାହିଁ। ୩୦୦ ମିଟରର ଏହି ପରିଧିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଅର୍ଥାତ୍ ମୁଖ୍ୟ ଐତିହ୍ୟର ପ୍ରଥମ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଯାଇଥିବା ବେଳେ ଏଠାରେ କୌଣସି ପ୍ରକାରର ନୂତନ ନିର୍ମାଣ ହୋଇ ପାରିବ ନାହିଁ ବୂୋଲି କର୍ତ୍ତୃପକ୍ଷ ବାରଣ କରିଛନ୍ତି। ସେହିପରି ନିଷିଦ୍ଧାଞ୍ଚଳର ପରବର୍ତ୍ତୀ ୨୦୦ ମିଟର ପରିଧିକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ କିନ୍ତୁ କେନ୍ଦ୍ର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଡିଜିଙ୍କ ଅନୁମତି ନେଇ କୌଣସି ନବୀକରଣ ଓ ସୁରକ୍ଷା କାମ କରାଯାଇ ପାରିବ। ୧୨ଶତ ଶତାବ୍ଦୀର ଏହି ଦେବୀ ପାଦହରା ପୁଷ୍ପରିଣୀର ଚାରିପଟେ ୭୭ଟି ଛୋଟ ଶିବ ମନ୍ଦିର ରହିଥିବା ବେଳେ ସେଥିମଧ୍ୟରୁ ୫ଟି ଲିଙ୍ଗରେ ପୂଜା କରାଯାଉଛି।
କର୍ତ୍ତୃପକ୍ଷ ସ୍ବତନ୍ତ୍ର ସ୍କେଚ୍ ଜାରି କରି ଚିଠା ବାଇ-ଲରେ ଦର୍ଶାଇଛନ୍ତି ଯେ ଏହି ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ସମୁଦାୟ ୪୩୬୭.୩୮୯ ବର୍ଗ କିଲୋମିଟର ସଂରକ୍ଷିତ ଅଞ୍ଚଳ ରହିବ। ୬୨୨୨୮.୩୫୩ ବର୍ଗ କିଲୋମିଟର ନିଷିଦ୍ଧାଞ୍ଚଳ ଓ ୩୬୬୪୮୯.୪୮୬ ବର୍ଗକିଲୋମିଟର ଅଞ୍ଚଳ ନିୟନ୍ତ୍ରତ କ୍ଷେତ୍ର ଭାବେ ବିବେଚନା କରାଯିବ। ଆୟତକାର ବିଶିଷ୍ଟ ଏହି ପୁଷ୍କରିଣୀରେ ୧୬ଟି ପାହାଚ ରହିଛି। ପୁଷ୍କରିଣୀର ଦକ୍ଷିଣ ପାର୍ଶ୍ବରେ ଯେଉଁ ସଂରକ୍ଷିତ ଓ ନିଷିଦ୍ଧାଞ୍ଚଳର ପରିମାପ କରାଯାଇଛି ତା’ ଭିତରେ ବର୍ତ୍ତମାନ କିଛି ସ୍ଥାନୀୟ ବାସିନ୍ଦାଙ୍କ ଘର, କିଛି ପବ୍ଲିକ୍ ଜୋନ୍, ମନ୍ଦିର ଓ ମାର୍କେଟ୍ କମ୍ପେ୍ଲକ୍ସ ରହିଛି।। ପୁଷ୍ପରିଣୀର ଉତ୍ତର ପଟେ ଅନନ୍ତ ବାସୁଦେବ ମନ୍ଦିର ଓ ବିନ୍ଦୁସାଗର ରହିଛି।
ନିକଟରେ ବିଏମ୍ସି ଏସବୁ ଅଞ୍ଚଳରେ କିଛି ଉଚ୍ଛେଦ କରିଛି। ହେଲେ ଘର ଓ ମାର୍କେଟ୍ କଂପ୍ଲେକ୍ସ ଅଞ୍ଚଳ କିନ୍ତୁ ଏହି ନୂଆ ବାଇ-ଲରେ ପ୍ରଭାବିତ ହୋଇପାରେ।
ଏଠାରେ ଉଲ୍ଲେଖଥାଉକି, ଭୁବନେଶ୍ବର ଏକାମ୍ର କ୍ଷେତ୍ର ବିକାଶ ଯୋଜନାରେ ସରକାର ସଂପୃକ୍ତ ଅଞ୍ଚଳର ନବୀକରଣ ଓ ଐତିହ୍ୟର ସୁରକ୍ଷା ଦିଗରେ ପଦକ୍ଷେପ ନେଉଛନ୍ତି। ଦେବୀ ପାଦହରା କ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବା ଲାଗି ଖସଡ଼ା ପ୍ରସ୍ତୁତ ହେଉଛି, ସମ୍ଭବତଃ ତାହା ବିବାଦ ସୃଷ୍ଟି କରିନପାରେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହାକୁ ଅନୁଧ୍ୟାନ କରାଯାଉଛି। ଖୁବ୍ ଶୀଘ୍ର ରାଜ୍ୟ ସରକାର ଏ ସଂପର୍କରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ।