ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ଚିଲିକାରେ ବଡ଼ ପରିବର୍ତ୍ତନ ସଙ୍କେତ ମିଳିଲା

0
  • ମଧୁର ଜଳ ଅଂଶ କମୁଛି,ଲୁଣା ପାଣି ବଢ଼ୁଛି
  • ମୁହଁ ମୋଡ଼ିଲେଣି ବିଦେଶରୁ ଆସୁଥିବା ପକ୍ଷୀ
  • ବେଆଇନ ଘେରି ନେଇ ତାଗିଦ୍ କରିଛନ୍ତି ହାଇକୋର୍ଟ
  • ସରକାର ବେଫିକର, କେଉଁଥିକି ବି ଧ୍ୟାନ ନାହିଁ

ଭୁବନେଶ୍ୱର: ନିକଟରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ରାଜ୍ୟ ସରକାର ଏହା ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିଛି। ହେଲେ ଏହି ସମୟରେ ଯେଉଁ ସୂଚନାଟି ମିଳିଛି, ତାହା ହେଲା, ଚିଲିକା ଭିତରେ ଥିବା ବେଆଇନ ଘେରି, ଚିଲିକା ଚାରିପାଖରେ ଖୋଳାଯାଉଥିବା ମାଛ ଘେରି ଓ ରାସାୟନିକ ଦ୍ରବ୍ୟର ବ୍ୟବହାରର ସାଂଘାତିକ ପ୍ରଭାବ ପଡ଼ିଲାଣି। ଏମିତି ଯେ ଖାସ୍ ଏହି କାରଣ ପାଇଁ ନିର୍ଦିଷ୍ଟ ପ୍ରଜାତିର ପକ୍ଷୀମାନଙ୍କ ସଂଖ୍ୟା କମିବାରେ ଲାଗିଛି।  ବିଶେଷକରି ନଳବଣ ଅଞ୍ଚଳରେ ଯେଉଁ ବଡ଼ ପରିବର୍ତ୍ତନ ବିଶେଷଜ୍ଞମାନେ ଲକ୍ଷ୍ୟ କରୁଛନ୍ତି, ତାହା ମଧ୍ୟ ନିର୍ଦିଷ୍ଟ ବିଦେଶାଗତ ପକ୍ଷୀଙ୍କୁ ବିମୁଖ କରୁଥାଇପାରେ ବୋଲି କୁହାଯାଉଛି। ନଳବଣ ଇକୋ ସିଷ୍ଟମ ଅଧିକ କାଦୁଅ ଥିବା କାରଣରୁ ଆସୁଥିବା ବିଦେଶାଗତ ପକ୍ଷୀମାନେ ସେଥିରୁ ପୋକଜୋକ ଖାଇ ବଞ୍ଚିଥାନ୍ତି। ହେଲେ ଏବେ ଦେଖାଯାଉଛି ଯେ ସେଠାରେ ଆର୍ଦ୍ରତା କମିବାରେ ଲାଗିଛି। ଏଣୁ ସେମାନେ ନଳବଣକୁ ମୁହଁ ମୋ଼ଡ଼ିବା ଆରମ୍ଭ କରିଛନ୍ତି।

କେବଳ ସେତିକି ନୁହେଁ, ଆଉ ଏକ ସଙ୍ଗିନ୍ ପ୍ରସଙ୍ଗ ବି ସାମ୍ନାକୁ ଆସିଲାଣି। ତାହା ହେଲା, ନୂଆ କରି ଖୋଳାଯାଇଥିବା ମୁହାଣ କାରଣରୁ ଚିଲିକା ଭିତରକୁ ଅଧିକ ସମୁଦ୍ର ପାଣି ପଶୁଛି। ଅନ୍ୟପକ୍ଷରେ କିନ୍ତୁ ବ୍ରହ୍ମଗିରି ହେଉ କି ବରବରା ଅଥବା ଧାନି ଜଙ୍ଗଲ କିମ୍ବା ଘୁମୁସର ଦକ୍ଷିଣ ଡିଭିଜନ୍, ଏସବୁ ଅଞ୍ଚଳ ଦେଇ ଚିଲିକାକୁ ଯେଉଁ ମଧୁର ଜଳ ପ୍ରବେଶ କରୁଥିଲା, ତାହା ଆଉ ଦେଖାଯାଉନାହିଁ। ଉପରମୁଣ୍ଡରେ ଚେକ୍‌ଡ୍ୟାମ୍ ଦ୍ବାରା ପାଣିକୁ ନିୟନ୍ତ୍ରଣ କରାଯିବା ଦ୍ବାରା ମଧୁର ଜଳ ପ୍ରବାହ କମିବାରେ ଲାଗିଛି। ଚିଲିକାରେ ପାଣିର ପରିବର୍ତ୍ତନ ମଧ୍ୟ ସେଠାକୁ ଆସୁଥିବା ପକ୍ଷୀଙ୍କ ଉପରେ ପ୍ରଭାବ ରଖିଲାଣି।

ପକ୍ଷୀ ଓ ଚିଲିକା ଉପରେ ଗବେଷଣା କରୁଥିବା ବିଶେଷଜ୍ଞଙ୍କୁ ଉଭୟ ପ୍ରସଙ୍ଗ ତାଜୁବ୍ କରୁଛି। ହେଲେ ରାଜ୍ୟ ସରକାର କିନ୍ତୁ ଏଭଳି ଏକ ବିପଜ୍ଜନକ ଚିତ୍ର ଦେଖି ଯେଭଳି ବିଚଳିତ ହେବା କଥା, ତାହା ପରିଲକ୍ଷିତ ହେଉନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ ବେଧଡ଼କ ଭାବେ ବସିଯାଇଛନ୍ତି, ବାବୁମାନେ ବି।  କାହାକୁ ବି ଚିଲିକାର ଏହି ପରିବର୍ତ୍ତିତ ଚିତ୍ର ଆନ୍ଦୋଳିତ କରୁନାହିଁ। ଏ ସଂପର୍କରେ ନିଜେ ନ କଲେ ନାହିଁ, ବିଶେଷ ଅନୁଧ୍ୟାନ କରିବା ଲାଗି ମଧ୍ୟ ବିଶେଷଜ୍ଞ ଟିମ୍ ଗଠନ ଉପରେ ବି ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି। ପରିସ୍ଥିତି ଏମିତି ହେଲାଣି, ଆଗକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ।

ବିଶେଷଜ୍ଞମାନେ କହିଛନ୍ତି, ଚଳିତବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ସତ, ହେଲେ ଲକ୍ଷ୍ୟ କରାଯାଉଛି ଯେ ଡାଇଭିଂ ଡକ୍ ପ୍ରଜାତି ମଧ୍ୟରେ କମ୍‌ନ୍ ଅର୍କାଡ ଓ ଟୁପ୍‌ଟେଡ ଆଦିଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ୨୦୦୦ ମସିହା ବେଳକୁ ଯେବେ ପୂର୍ବ ଆଟଲାଣ୍ଟିକ୍ ମହାସାଗରୀୟ ଅଞ୍ଚଳରୁ ଚିଲିକାର ନଳବଣକୁ ଆସୁଥିବା ସୋର ବାର୍ଡ (୪୦ ପ୍ରଜାତି) ମାନଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ଥିଲା, ଏବେ ତାହା ୮୦% ଖସି ଆସିଲାଣି।  ନଳବଣରେ ସମୁଦ୍ର ଉଦ୍ଭିଦ ବା ଘାସମାନଙ୍କ ସଂଖ୍ୟା କମିଥିବାରୁ ଫ୍ଲେମିଙ୍ଗୋ ଓ ସୋରବାର୍ଡମାନଙ୍କ ଖାଦ୍ୟ ଅନ୍ୱେଷଣରେ ଅସୁବିଧା ସୃଷ୍ଟି ହୋଇଛି । ଫଳରେ କ୍ରମାଗତ ଭାବେ ଏହି ନିର୍ଦ୍ଦିଷ୍ଟ ପ୍ରଜାତି ପକ୍ଷୀଙ୍କ ଆଗମନ ଓଡିଶାକୁ କମିଛି ବୋଲି ଗବେଷକ ମତ ରଖୁଛନ୍ତି। କେବଳ ଏହି ଗୋଟିଏ ପକ୍ଷୀ ନୁହେଁ, ଲିଟିଲ୍ ଷ୍ଟି , କର୍ଲ୍ୟୁ ସାଣ୍ଡପିପର୍‌, ଗ୍ରେ ପ୍ଲୋଭର, ପିର୍ଡ ଆଭେସେଟ୍‌ସ୍‌, ଏସିଆନ୍ ଡ୍ୱିଚର ଆଦି ପ୍ରଜାତିଙ୍କ ସଂଖ୍ୟା ବି ୭୫% କମିଛି। ମୁମ୍ବାଇ ନାଚ୍ୟୁରାଲ ହିଷ୍ଟ୍ରି ସୋସାଇଟି ଦ୍ୱାରା ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ।

 ଏହି ରିପୋର୍ଟ ଆହୁରି କହୁଛି, ଚଳିତ ବର୍ଷ ଚିଲିକାରେ ସବୁଠାରୁ ଅଧିକ ଦେଖାଦେଇଥିବା ପ୍ରଜାତି ଥିଲେ ଗଡୱାଲ। ଏମାନଙ୍କ ସଂଖ୍ୟା ଥିଲା ୨ ଲକ୍ଷ ୨୨ ହଜାର ପାଖାପାଖି। ସେହିଭଳି ୟୁରାସିଆନ୍ ୱିଜନ୍ (୨ ଲକ୍ଷ ୧୦ ହଜାର),  ଲାଞ୍ଜିଗେଣ୍ଡି, ଚିତ୍ର ଖଡିହଂସ (କମନ୍‌ଟିଲ୍‌), ମାଟିଆ ଗେଣ୍ଡି (ଗଡୱାଲ), ଡାବଲିଂ ଡକ୍‌, ଗ୍ରେଟର ଫ୍ଲେମିଙ୍ଗୋ, ଜଟିଆ ଗେଣ୍ଡି, ତୁଳସା ଗେଣ୍ଡି (କମନ୍ ପୋର୍ଚାଡ) ମଧ୍ୟ କମ୍ ଦେଖାଯାଇଛନ୍ତି। କାଦୁଅ ଓ ଅଧିକ ଆର୍ଦ୍ରତା ଥିବା ଇକୋସିଷ୍ଟମରେ ରହୁଥିବା ପକ୍ଷୀ ଯେପରିକି ଛୋଟ ବାଲି ଗିରିଆ ଭଳି ପକ୍ଷୀମାନଙ୍କ ସଂଖା ବି କମିଛି।  ନଳବଣ ପକ୍ଷୀ ଅଭୟାରଣ୍ୟରେ ଦେଖାଯାଉଥିବା ୫ ପ୍ରକାର ପକ୍ଷୀ ଘନ ତାଳ ଘଙ୍ଗୋଇ ଆଦି କିଛି ପ୍ରଜାତି ଅନ୍ୟ ଅଞ୍ଚଳକୁ ପଳାଇଛନ୍ତି ।

ଗବେଷକମାନେ କହୁଛନ୍ତି, ଚିଲିକା ହ୍ରଦର ପୁନରୁଦ୍ଧାର ଓ ଘେରି ଉଚ୍ଛେଦ ପାଇଁ ଯେ ସରକାର ଉଦ୍ୟମ କରିନାହାନ୍ତି ତାହା ନୁହେଁ, ବରଂ ତାହାକୁ ଅଧାପନ୍ତରିଆ ଭାବେ ରଖିଦିଆଗଲା। ଅଫିସର ବଦଳିଲେ, ସରକାରଙ୍କ କାର୍ଯ୍ୟ ତରିକା ବି ବଦଳିଯାଏ। ଏଣୁ ଚିଲିକାରେ ଘେରି ଉଚ୍ଛେଦ ପ୍ରକ୍ରିୟା ଆଜି ଦିନରେ ସେଭଳି ନାହିଁ, ପୂର୍ବରୁ ଯେଭଳି ସରକାର ଅତି ଗୁରୁତ୍ବ ଦେଇ ଏହି କାର୍ଯ୍ୟ ସମାହିତ କରୁଥିଲେ। ଆଜିର ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଯେବେ ଜଙ୍ଗଲ ସଚିବ ଥିଲେ, ସେବେ ଏହା ଉପରେ ଏକ ବଡ଼ ଅଭିଯାନ ଆରମ୍ଭ ହୋଇଥିଲା। ହେଲେ ଶେଷ ହୋଇପାରିଲା ନାହିଁ। ଏଣୁ ଏବେ ସେହି ଟିମ୍ ଲଗାଇ ସରକାର ଚାହିଁଲେ ଏହାକୁ ଏକ ନିର୍ଣ୍ଣାୟକ ରୂପ ଦେଇପାରିବେ। କେବଳ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ବୋଲି ନୁହେଁ, ବରଂ ଚିଲିକା ଓ ସେଠାକୁ ଆସୁଥିବା ପକ୍ଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହା ଅତ୍ୟନ୍ତ ଅପରିହାର୍ଯ୍ୟ।

ଆଉ କିଛି ବିଶେଷଜ୍ଞଙ୍କ ମତ ହେଉଛି, ଚିଲିକାକୁ ପ୍ରତିବର୍ଷ ଆସୁଥିବା ପକ୍ଷୀମାନେ ସମୁଦାୟ ହ୍ରଦର ସ୍ୱାସ୍ଥ୍ୟ ଓ ପରିମଳର ସୂଚକ ଭଳି କାମ କରନ୍ତି । ଅର୍ଥାତ ହ୍ରଦର ଯେଉଁ ଅଂଶ ପକ୍ଷୀମାନଙ୍କ ବଂଶବିସ୍ତାର ଓ ପ୍ରଜନନ ପାଇଁ ସୁହାଇଥାଏ ସେଠାରେ ସେମାନେ ରହିଥାନ୍ତି। ହେଲେ ବେଆଇନ ଘେରି ଓ ରସାୟନିକ ଦ୍ରବ୍ୟର ବ୍ୟବହାର ସେମାନଙ୍କ ପ୍ରତି ବିପଦ ସୃଷ୍ଟି କଲାଣି, ଯେଉଁଥିଲାଗି ସେମାନେ ଚିଲିକାକୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। କେଉଁ ନିର୍ଦ୍ଦିଷ୍ଟ ପ୍ରଜାତି ପକ୍ଷୀମାନଙ୍କ ସଂଖ୍ୟା କମୁଛି ଓ କାହିଁକି କମୁଛି ତାହା ଏବେ ବଡ଼ ଗବେଷଣାକୁ ଅପେକ୍ଷା ରଖୁଛି। ଏହା ସହିତ ସମାନ୍ତରାଳ ପକ୍ଷୀମାନଙ୍କ ପ୍ରାକୃତିକ ବାସସ୍ଥଳୀକୁ ସଂରକ୍ଷଣ କରି ରଖିବା ପାଇଁ ମଧ୍ୟ କାମ କରାଯିବା ଦରକାର। 

ହେଲେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କାହା ସୁରକ୍ଷାରେ ମାତିଛି କେଜାଣି?

Leave A Reply

Your email address will not be published.