- ପେଗାସସ୍ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଆଚରଣ ଓ ଉଚ୍ଚାରଣକୁ ନେଇ ସବୁଠି ଚର୍ଚ୍ଚା
- କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ଦାୟିତ୍ବ ଦେଇ ନିଜେ ଦୂରେଇ ରହିଲେ ନିରଞ୍ଜନ
- ରାଜନୈତିକ କାର୍ଯ୍ୟକ୍ରମ କଥା ଦୂୂରେଥାଉ, ଦଳ ସାମ୍ବାଦିକ ସମ୍ମିଳନୀଟିଏ ବି କଲାନାହିଁ
- ଏହି ପ୍ରସଙ୍ଗ ତୃଣମୂଳସ୍ତରକତୁ ନେବାକୁ ନେତୃତ୍ବ କୁନ୍ଥକୁନ୍ଥ, ରାଜ୍ୟପାଳ ଏଥିରେ କଣ କରିବେ?
- ଆଉ କେତେ ବଡ଼ ପ୍ରସଙ୍ଗ ଘଟିଲେ ଦଳ କଡା ଆଭିମୁଖ୍ୟ ଗ୍ରହଣ କରିବ, ରାସ୍ତାକୁ ଓହ୍ଲାଇବ?
ଭୁବନେଶ୍ବର: ପେଗାସସ୍ ମାମଲାରେ ଦେଶ ପଡୁଛି, ଉଠୁଛି। ଓଡ଼ିଶାରେ ଏହାର ସୋର୍ ଶଦ୍ଦ ନାହିଁ। ଗତକାଲି ଆର୍ଏନ୍ଏରେ ଏ ସଂକ୍ରାନ୍ତ ଖବର ପ୍ରକାଶ କରାଯିବା ସହିତ କଂଗ୍ରେସ ନେତାଙ୍କ ନିରବତା ନେଇ ପ୍ରଶ୍ନ କରାଯାଇଥିଲା। ଏହା ପରେ କଂଗ୍ରେସ ଦଳ ତରବରିଆ ଭାବେ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି ଗୋଟିଏ ସ୍ମାରକପତ୍ର ପ୍ରଦାନ କରିଛି।
କୌତୂହଳ କଥା ହେଉଛି, ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନ ଯାଇ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଗୋଟିଏ ଟିମ୍ ପଠାଇଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ଗଣମାଧ୍ୟମ କମିଟିର ଅଧ୍ୟକ୍ଷ ଗଣେଶ୍ବର ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଦଳ ସେଥିରେ ଦାବି କରିଛି ଯେ ଗୁପ୍ତ ଫୋନ୍ ଟ୍ୟାପିଂ କେନ୍ଦ୍ର ସରକାର ନିଜେ କରିଛନ୍ତି। ଏହା ଏକ ରାଷ୍ଟ୍ରଦୋହ ଅପରାଧ ଏବଂ କଂଗ୍ରେସ ଦଳ ଦାବି କରୁଛି ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯିବା ସହିତ ସେ ତୁରନ୍ତ ତାଙ୍କ ପଦବିରୁ ଓହରି ଆସନ୍ତୁ। ପ୍ରଧାନମନ୍ତ୍ରୀ ତାଙ୍କ ପଦବିର ଅପବ୍ୟବହାର କରିଛନ୍ତି ବୋଲି ମଧ୍ୟ କଂଗ୍ରେସ ଅଭିଯୋଗ କରିଛି।
ଏତେ ବଡ଼ ପ୍ରସଙ୍ଗରେ ରାଜ୍ୟରେ ରାଜନୈତିକ ବାତବରଣ ସୃୃଷ୍ଟି କରିବା ପରିବର୍ତ୍ତେ କଂଗ୍ରେସ ଦଳ ଏମିତି ହଠାତ୍ ରାଜ୍ୟପାଳଙ୍କୁ ଭେଟିବାକୁ କାହିଁକି ମନ କଲା? ଯେଉଁ ପ୍ରସଙ୍ଗଟି ସବୁଠୁ ଶେଷରେ ହେବା କଥା, ତାହା ଆରମ୍ଭରେ କରାଗଲା? ରାଜ୍ୟପାଳ ଏହି ପ୍ରସଙ୍ଗରେ କଣ କରିବେ? ରାଜ୍ୟ କଂଗ୍ରେସ ଏହି ପ୍ରସଙ୍ଗକୁ ଧରିବାକୁ ଚାହୁଁନାହିଁ କି? କାହିଁକି ନିରଞ୍ଜନ ନିଜେ ଏହି ପ୍ରସଙ୍ଗରୁ ଦୂରେଇ ରହିଲେ? ଆଉ କେତେ ବଡ଼ ଘଟଣା ଘଟିଲେ, ନିରଞ୍ଜନ ନିଜେ ରାସ୍ତାକୁ ଓହ୍ଲାଇବେ? କଂଗ୍ରେସ ସଭାପତି କାହିଁକି ବିଜେପି ବିରୋଧରେ ଖୋଲାଖୋଲି କହିବାକୁ ଡରୁଛନ୍ତି? ଗଣମାଧ୍ୟମ ସାମ୍ନାରେ ଏହି ପ୍ରସଙ୍ଗରେ ମତ ରଖି ଘଟଣାଟିକୁ ତୃଣମୂଳସ୍ତରକୁ ନେବା ଲାଗି ତାଙ୍କର ଅନାଗ୍ରହ ପଛରେ କାରଣ କଣ?
ଏହିଭଳି ମାଳ ମାଳ ପ୍ରଶ୍ନ ଏବେ କଂଗ୍ରେସ କର୍ମୀଙ୍କ ଠାରୁ ଆରମ୍ଭ କରି ଦଳର ଛାମୁଆ ନେତା, ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କରୁଛି। ଏହି ପ୍ରସଙ୍ଗକୁ ଦେଶ ଏବେ ସର୍ବାଦୌ ଗୁରୁତ୍ବ ଦେଉଛି। ବ୍ୟକ୍ତିର ଅଧିକାର ଉପରେ ପ୍ରଚଣ୍ଡ ଆଘାତ ବସିଛି। କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀଙ୍କ ଉପରେ ଗୁଇନ୍ଦାଗିରି କରାଯାଇଥିଲା। ତା ପରେ ବି କଂଗ୍ରେସ ଏହି ପ୍ରସଙ୍ଗ ଧରୁନାହିଁ। ରାଜ୍ୟ କଂଗ୍ରେସ ପାଇଁ ତେବେ କେଉଁ ଘଟଣାଟି ବଡ?
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ରାଜ୍ୟ କଂଗ୍ରେସର ଆଚରଣ ଓ ଉଚ୍ଚାରଣ ଦେଖି ଯେତିକି ବିସ୍ମିତ ହେଉଛନ୍ତି, ତା ଠାରୁ ଅଧିକ ବିଚଳିତ। କାରଣ ଶତାଧିକ ବର୍ଷର ଏହି ଦଳର ଏଭଳି ଅବକ୍ଷୟ ଗାଁ ଗଣ୍ଡାରେ ଥିବା ହଜାର ହଜାର ପୁରୁଖା କଂଗ୍ରେସ କର୍ମୀଙ୍କୁ ଢେର୍ ଆଘାତ ଦେଉଛି। ଗାନ୍ଧୀ ବାଦ କଥା କହୁଥିବା ଦଳ ଏବେ ରାଜ୍ୟର ସବୁ ପ୍ରମୁଖ ପ୍ରସଙ୍ଗକୁ ଧରିବାକୁ ନାରାଜ, କେନ୍ଦ୍ରର ବି। କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଯେତିକି ପ୍ରସଙ୍ଗ ଉଠାଉଛନ୍ତି, ବିଜେଡିରୁ କଂଗ୍ରେସକୁ ଆସି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯେତିକି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ନିରଞ୍ଜନଙ୍କ ଠାରେ ତାହା ପରିଲକ୍ଷିତ ହେଉନାହିଁ।
ଆହୁରି ସାଂଘାତିକ କଥା ହେଲା, କୌଣସି ଗୋଟିଏ ପ୍ରସଙ୍ଗରେ ମତଟିଏ ସୃଷ୍ଟି କରାଯିବା କ୍ଷେତ୍ରରେ ପ୍ରଦେଶ କଂଗ୍ରେସ ଏବେ ବସ୍ତୁତଃ ବିଫଳ ହୋଇଛି। ଦରବୃଦ୍ଧି ପ୍ରସଙ୍ଗରେ ଦଳ ଯେଭଳି ହାଲ୍ଲା ବୋଲ୍ କରିବା କଥା ତାହା ଦେଖାଗଲା ନାହିଁ। ଭୁବନେଶ୍ବରର ତାତି ରାଜ୍ୟର ଅନ୍ୟ କେଉଁଠାରେ ପରିଲକ୍ଷିତ ହେଲା ନାହିଁ। ଅର୍ଥାତ୍ ଯେଉଁଠି ସ୍ଥାନୀୟ ନେତା ଟିକେ ସକ୍ରିୟ ଅଛନ୍ତି, ସେଇଠି ପ୍ରଭାବ ପଡୁଛି। ରାଜ୍ୟର ଅର୍ଧାଧିକ ଅଞ୍ଚଳରେ କଂଗ୍ରେସ ସତ୍ତା ହରାଇବାକୁ ବସିଲାଣି, ଏଥିରୁ ଗୋଟିଏ ସଙ୍କେତ ଏୟା ମିଳୁଛି।
ସଂପ୍ରତି ଭୋଟ ଓ ରାଜନୀତିକୁ ଏବେ ଯୁବବର୍ଗ ନିୟନ୍ତ୍ରଣ କରୁଛନ୍ତି। କଂଗ୍ରେସ ନେତୃତ୍ବ ସେଥିପାଇଁ ବିଫଳ ହେଉଛି କି? ନା ଦଳ ବା ନେତୃତ୍ବ ପାଇଁ ଅନ୍ୟ କିଛି ବାଧ୍ୟବାଧକତା ରହିଛି? କାହିଁକି ବା କାହା ସ୍ବାର୍ଥରେ କଂଗ୍ରେସ ଦଳ ନିଜେ ନିଜର ଅସ୍ତିତ୍ବ ହରାଇ ଦେବା ଲାଗି ଅଣ୍ଟାଭିଡିଛି? ପଦପଦବି ହାତେଇବାକୁ ଲବି କରିବା ବେଳର ତତ୍ପରତା ଦାୟିତ୍ବ ନେବା ପରେ କାହିଁକି ପରିଲକ୍ଷିତ ହେଉନାହିଁ?