ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

ସୌମ୍ୟ ମାମଲା: ପୁଲିସର ଭାବପ୍ରୀତି ସରକାରକୁ ବିପଦ!

0
  • ମାମଲାର ଦଶଦିନ ପରେ ବି ପୁଲିସ ତଦନ୍ତକୁ ଦିଶା ଦେଇପାରିଲା ନାହିଁ
  • ଡିଏଫଓ କଣ ଏତେ କରିତକର୍ମା ଯେ ତାଙ୍କୁ ପଚାରିବାକୁ ଦଶଦିନ ଲାଗିବ?
  • ଡିଆଇଜିଙ୍କ ତନାଘନା ପରେ ଗତି ବଢିଲା, ପୁଲିସ କିନ୍ତୁ ସନ୍ଦେହମୁକ୍ତ ନୁହେଁ
  • ଆମ୍ବୁଲାନ୍ସ ଡ୍ରାଇଭରର ବୟାନ, ସୌମ୍ୟଙ୍କ ଡାଏରି ଅନେକ ସୂଚନା ଦେଲା

ଭୁବନେଶ୍ବର: ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇପାରିନଥିଲେ ହେଁ ଏହାରି ଭିତରେ ସୌମ୍ୟଙ୍କ ଦଶାହ କର୍ମ ସରିଯାଇଛି। କିନ୍ତୁ ପ୍ରଥମ ଦଶ ଦିନର ତଦନ୍ତର ଗତି ଓ ଫଳାଫଳ ଦେଖିଲେ ଏକଥା ଯେ କେହି କହିବେ ଯେ ଗଜପତି ଏସ୍‌ପିଙ୍କ ନେତୃତ୍ବରେ ଚାଲିଥିବା ଏହି ତଦନ୍ତ ଆଦୌ ଗ୍ରହଣୀୟ ନୁହେଁ। ତଦନ୍ତରେ ପାରଳାଖେମୁଣ୍ଡି ପୁଲିସର ପାରଦର୍ଶିତା ନାହିଁ, ଏମିତି ଗୋଟିଏ ସଙ୍କେତ ସେ ଦେଇସାରିଲେଣି। ଏକଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। ମାମଲାର ଦଶ ଦିନ ମଧ୍ୟରେ କୌଣସି ଗୋଟିଏ ଠୋସ୍ ରାସ୍ତାରେ ସେ ତଦନ୍ତକୁ ନେଇପାରିନାହାନ୍ତି।

ଆହୁରି ଆଚମ୍ବିତ ଲାଗୁଛି ଯେ ସବୁ କଥାରେ ଶ୍ରେୟ ନେବାକୁ ପୁଲିସ ଡିଜି ଅଭୟ ଗଣମାଧ୍ୟମ ସାମ୍ନାକୁ ବାରମ୍ବାର ଆସୁଛନ୍ତି। ଗଞ୍ଜେଇ, ବ୍ରାଉନସୁଗର ଜବତ ହେଉ କି ମାଓବାଦୀ ଆତ୍ମସମର୍ପଣ। ହେଲେ ଏହି ବିବଦମାନ ବା ଅତି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କ ପାଟିରୁ କାହିଁକି କିଛି ବାହାରୁନି? ଏହି ଘଟଣାଟି ଗୋଟିଏ ସାମାନ୍ୟ ପ୍ରସଙ୍ଗ ନୁହେଁ। ଏହା ସହିତ ଯଦି ଡିଏଫଓ ଯୋଡି ହୋଇଥିବା ଜଣାପଡେ, ତେବେ ଶାସନରେ କଳଙ୍କ ଲାଗିବ। ଏହି ପ୍ରସଙ୍ଗ ସହିତ ହଳାହଳ ବିଷ ଭରି ହୋଇ ରହିଛି। ଏକଥା ପୁଲିସ ମହାନିର୍ଦେଶକ ଭୁଲିଯାଉଛନ୍ତି କି? ପ୍ରଶାସକମାନଙ୍କ ପରକୀୟା ପ୍ରୀତି ସଂକ୍ରାନ୍ତ ସବୁ ମାମଲା ପୁଣି ଥରେ ଖୋଲିଯାଇପାରେ ଓ ସରକାର ବିରୋଧରେ ବଡ ପ୍ରସଙ୍ଗ ଠିଆ କରିବା ବିଚିତ୍ର ନୁହେଁ।

ଏଠାରେ ଉଲ୍ଲେଖଥାଉକି, , ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କଚ୍ଛପ ଗତିରେ ଚାଲିଥିବା ତଦନ୍ତ ପ୍ରକ୍ରିୟାରେ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବା ପରେ ଅନୁସନ୍ଧାନର ଗତି ଟିକେ କ୍ଷୀପ୍ର ହୋଇଛି। ଆଜି ସକାଳୁ ସୌମ୍ୟଙ୍କୁ ହସ୍ପିଟାଲ ନେଇ ଯାଇଥିବା ଆମ୍ବୁଲାନ୍ସ ଚାଳକଙ୍କୁ ପୁଲିସ ଓ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲେ। ଆମ୍ବୁଲାନ୍ସ ଚାଳକଙ୍କ କହିବା ଅନୁସାରେ, ଡିଏଫଓଙ୍କ ଅଫିସ ସାମନାରେ ସେଦିନ ଆମ୍ବୁଲାନ୍ସ ଅଟକିଥିଲା। ସୌମ୍ୟଙ୍କ ସହ ଆଟେଣ୍ଡାଣ୍ଟ ନଥିବାରୁ ଗାଡି ଯାଇନଥିଲା। ୧୦ରୁ ୧୫ ମିନିଟ ଯାଏ ଜଣେ ମହିଳା ପୁଲିସଙ୍କ ନିର୍ଦ୍ଦେଶରେ ଆମ୍ବୁଲାନ୍ସ ଅଟକି ରହିଥିଲା। ସୌମ୍ୟଙ୍କ ପତ୍ନୀ ଆସିବା ପରେ କଟକ ଅଭିମୁଖେ ବାହାରିଥିଲୁ। ପ୍ର୍ରାୟ ୭ଟା ବେଳେ ଆମ୍ବୁଲାନ୍ସ କଟକ ପହଞ୍ଚିଥିଲା ବୋଲି ସେ କହିଛନ୍ତି। ୧୦୮ ଆମ୍ବୁଲାନ୍ସର ଜିିପିଏସ ରେକର୍ଡ ମଧ୍ୟ ପୁଲିସ ସଂଗ୍ରହ କରିଛି।

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ପରେ ପ୍ରଥମରୁ ସନ୍ଦେହରେ ଥିବା ଡିଏଫଓଙ୍କ ଭୂମିକା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ଗୁରାଣ୍ଡି ଥାନା ଅଧିକାରୀଙ୍କ ଭୂମିକା ବି ଚର୍ଚ୍ଚାକୁ ଆସିଛି। ଉଭୟ ଆଜି ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ବିଦ୍ୟାଭାରତୀଙ୍କ ସହ ତାଙ୍କର କଣ ସଂପର୍କ? ସେ କାହିଁକି ଗାଡି ଅଟକାଇଥିଲେ ସେ ନେଇ ତାଙ୍କର ଉତ୍ତର ତଦନ୍ତରେ ଅନେକ ସହଯୋଗ କରିବ।

ସେପଟେ ବିଦ୍ୟାଭାରତୀଙ୍କ ଦୁଇଟି ହାତ ଲେଖା ପରେ ଏବେ ସୌମ୍ୟଙ୍କ ଡାଏରି ପଦାକୁକୁ ଆସିଛି । ଯେଉଁଥିରେ ସେ ଲେଖିଥିଲେ, ମୁଁ ମୋ ଚାକିରିରୁ ଇସ୍ତଫା ଦେଇ ତୁମ ଚାକର ହୋଇ ରହିବି। ମୁଁ କେବଳ ତୁମଠୁ ଭଲ ପତ୍ନୀର ବ୍ୟବହାର ଆଶା କରେ। ୨୦୨୧ ଫେବୁଆରି ୨୩ରେ ସେ ଏ କଥା ଡାଇରିରେ ଲେଖିଥିଲେ। ଫେବୁଆରି ୨୨ରେ ମଧ୍ୟ ଲେଖିଥିଲେ ଯେ, ତୁମେ ଯାହା ଚାହୁଁଛ ମୁଁ ନିଶ୍ଚିତରେ ତାହା ପୂରଣ କରିଦେବି। ଯାହା ନିଷ୍ପତି ନେବ ସ୍ୱାଧୀନ ଭାବେ ନେଇପାରିବ। ସୌମ୍ୟଙ୍କ ଓକିଲ ଏହି ଡାଏରିଟି ପୁଲିସକୁ ଦେଇଥିଲେ।

ଉଭୟ ଡାଏରି, ଏବଂ ଆମ୍ବୁଲାନ୍ସ ଚାଳକଙ୍କ ବୟାନ ମାମଲାର ଗମ୍ଭୀରତାକୁ ବଢାଇ ଦେଇଛି। ଡିଏଫଓ ଏହି ପ୍ରସଙ୍ଗଠାରୁ ଯଥେଷ୍ଟ ଦୂରରେ ନାହାନ୍ତି, ଏହାର ଅନେକ ଆଭାସ ମିଳୁଛି।

ସୌମ୍ୟ ଓ ବିଦ୍ୟାଭାରତୀଙ୍କ ସଂପର୍କ ଠିକ୍ ଥିଲା ବୋଲି ଯେଉଁମାନେ ସଫେଇ ଦେଉଛନ୍ତି, ତାହା ଯେ ସମ୍ପୂର୍ଣ୍ଣ ମିଥ୍ୟା ଏକଥା ବୁଝାପଡିଗଲାଣି। ଉଭୟ ହାତଲେଖା ତଥ୍ୟ ଜଣାଇ ଦେଉଛି ଯେ କିଛି ବି ଠିକ୍ ଠାକ୍ ନଥିଲା। ବରଂ ଅତି ସାଂଘାତିକ ଅବସ୍ଥାରେ ପହଞ୍ଚିଥିଲା। କିଏ ସେମାନଙ୍କ ପାରିବାରିକ ଜୀବନରେ ବିଷ ମୁଞ୍ଜି ବୁଣିଲା, କେଉଁ ପରିସ୍ଥିତିରେ ଉଭୟଙ୍କ ସଂପର୍କରେ ଝଡ ସୃଷ୍ଟି ହେଲା?

ଏ ପରିପ୍ରେକ୍ଷୀରେ ଯେଉଁ ବଡ କଥାଟି ପୁଲିସକୁ ଅଡୁଆରେ ପକାଇବାକୁ ଯାଉଛି, ତାହା ହେଲା ମାମଲାର ଦଶ ଦିନ ଭିତରେ ଡିଏଫଓଙ୍କୁ ପଚରାଉଚରା କରିବାକୁ କାହିଁକି ଚାହିଁନାହାନ୍ତି ତଦନ୍ତକାରୀ ଅଧିକାରୀ। ଏହି କରିତକର୍ମା ଡିଏଫଓ ଜଣକ କାହା ଛତ୍ରଛାୟାରେ ଅଛନ୍ତି ଯେ ତାଙ୍କ ପାଖରେ ତଦନ୍ତକାରୀ ଟିମ୍ ପହଞ୍ଚିବାକୁ ଭୟ କରୁଛି। ଏହି ଡିଏଫଓଙ୍କର ଶାସନରେ ଟିକେ ପ୍ରଭାବ ଅଧିକ କି? ଦଶଦିନ ପରେ ପୁଲିସ ଏବେ ତାଙ୍କୁ କଣ ପଚାରିବ? ସେ ତ ଇତିମଧ୍ୟରେ ମାନସିକସ୍ତରରେ ଅନେକ କଥା ପ୍ରସ୍ତୁତି କରିସାରିଥିବେ ଯେ କଣ କହିବେ, କଣ ନ କହିବେ। ଓକିଲ ପରାମର୍ଶ ମଧ୍ୟ ନେଇଥାଇପାରନ୍ତି? ଏଥିରେ ପୁଲିସକୁ କଣ ଅଧିକ ମିଳିବ?

ଗୁରୁବାର ଉଭୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଯେଭଳି ଏତେ ଦିନ ପରେ ସୌମ୍ୟଙ୍କ କ୍ବାର୍ଟର୍ସ ତନାଘନା କରି ଦିନତମାମ ନାଟକବାଜି କରୁଥିଲେ, ଏବେ ଆଇଆଇସି ଓ ଡିଏଫଙ୍କ କ୍ଷେତ୍ରରେ ସେମିତି ହିଁ କରିବାକୁ ଚାହୁଁଛନ୍ତି? ପୁଲିସ ସେଠି କେବଳ ପୋଡାଦାଗ ଯଦି ଦେଖିଲା, ଆଉ ସବୁ କୁଆଡେ ଗଲା? ସୌମ୍ୟ ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇସାରିବା ପରେ ସେ ଯେ ସେଠାରେ ପୋଡି ହୋଇନାହାନ୍ତି,ଏ ନେଇ କାହାର ମନରେ ଦ୍ବନ୍ଦ୍ବ ଥିଲା ଯେ ପୁଲିସ ତାହା ସ୍ପଷ୍ଟ କରି ବାହାଦୁରୀ ନେଉଛି?

ଅସଲ ପ୍ରଶ୍ନଟି ହେଉଛି, ଏମିତି କଣ ଘଟିଲା ବା କେଉଁଭଳି ପରିସ୍ଥିତିରେ ସୌମ୍ୟ ପୋଡି ହେଲେ, ତାହା ହିଁ ସାମ୍ନାକୁ ଆସିବା ଦରକାର ବା ଏହା ହିଁ ତଦନ୍ତର ଏକମାତ୍ର ଦିଗ। ତାଙ୍କୁ ଆତ୍ମହତ୍ୟା ଆଡକୁ ଠେଲି ଦିଆଯାଇଛି କି? ଯଦି ହଁ, ଏଥିରେ କାହାର ଭୂମିକା ରହିଛି?




Leave A Reply

Your email address will not be published.