ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

କାହିଁକି ଆଗ ହାଇସ୍କୁଲରୁ ରୂପାନ୍ତରୀକରଣ ପ୍ରକ୍ରିୟା?

0

ନବୀନଙ୍କ ରଣନୀତି ବିରୋଧୀଙ୍କ ପାଇଁ ଅବୁଝା

ଭୁବନେଶ୍ବର: ବିଦ୍ଯାଳୟର ରୂପାନ୍ତରୀଣକରଣ ଆରମ୍ଭ ହୋଇଛି; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୮ ହଜାର ହାଇସ୍କୁଲର କଳେବର ରାଜ୍ୟ ସରକାର ବଦଳାଇବାକୁ ମନସ୍ଥ କରିଛନ୍ତି। ୨୦୨୪ ମସିହା ସୁଦ୍ଧା ଏସବୁ ଶେଷ ହେବ। ୧୯୯୨-୯୩ ମସିହା ପରେ ଶିକ୍ଷାକୁ କୌଣସି ସରକାର ସମୟରେ ଆଉ ସେଭଳି ଫୋକସ୍ କରାଯାଇନଥିଲା। ସେବେ ବିଜୁ ବାବୁ ଅନେକ ଘରୋଇ ବିଦ୍ୟାଳୟକୁ ଗୋଟିଏ ଦସ୍ତଖତରେ ସରକାରୀ କରିଥିଲେ। ଏହା ପରେ ସର୍ବଶିକ୍ଷା ଅଭିଯାନ, ଶିକ୍ଷା ଅଧିକାର ଆଇନ ଏବଂ ଏବେ ଜାତୀୟ ଶିକ୍ଷାନୀତି ଭଳି ଅନେକ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟରେ କୋଠା ବଦଳିଛି, ପାଠପଢା ତରିକା ବି ପରିବର୍ତ୍ତନ ମୁହାଁ ଧରିଛି। ହେଲେ ଆଉ ଗୋଟିଏ ସ୍ତରକୁ ନିଆଯିବା ଲାଗି ଉଦ୍ୟମ ହୋଇନାହିଁ। ପରିଣାମ ହେଲା, ରାଜ୍ୟରେ ଏହି ସମୟ ମଧ୍ୟରେ ଅନେକ ଘରୋଇ ସ୍କୁଲ ମୁଣ୍ଡ ଟେକିଛନ୍ତି ଏବଂ ସଫଳ ହୋଇଛନ୍ତି। ଆଜି ଯାବତୀୟ ଅର୍ଥାଭାବ ସତ୍ତ୍ବେ ଅଭିଭାବକ ଉନ୍ନତ ଶିକ୍ଷାଦାନ କହିଲେ ଘରୋଇ ବିଦ୍ୟାଳୟକୁ ହିଁ ବୁଝୁଛନ୍ତି। ଏ ଦୃଷ୍ଟିକୋଣରୁ ସରକାରଙ୍କ ଏହି ଅଭିଯାନ ଅନେକ ଗୁରୁତ୍ବ ରଖେ।

ଏମିତିରେ ବି ଏଭଳି ନୂଆ ପଦକ୍ଷେପ ସଂପର୍କରେ ଆଲୋଚନା ବେଳେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଉଛି କି ଶିକ୍ଷାକୁ ପରବର୍ତ୍ତୀସ୍ତରରେ ପହଞ୍ଚାଇବା ଲାଗି ଏହା ଏକ ଉପକ୍ରମ, ଯାହା ‘୫ଟି’ର ଅଂଶବିଶେଷ । ଗୋଟିଏ ଧାଡିରେ କହିବାକୁ ଗଲେ, ହାଇସ୍କୁଲ ଶିକ୍ଷା କ୍ଷେତ୍ରରେ ସରକାର ଏକ ବଡ଼ ଧରଣର ନବକଳେବର ଲାଗି ପାଗ ଭିଡିଛନ୍ତି।

ହେଲେ ହାଇସ୍କୁଲ କାହିଁକି? ପ୍ରାଥମିକ ବିଦ୍ୟାଳୟରୁ କାହିଁକି ଆରମ୍ଭ ହେଲାନି? ଆଗକୁ ପଞ୍ଚାୟତ ଓ ସାଧାରଣ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସରକାରଙ୍କର ଏହି ପଦକ୍ଷେପ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବ କି? ୨୦୨୪ ନିର୍ବାଚନ ବେଳକୁ ଶିକ୍ଷା ପ୍ରସଙ୍ଗରେ ସରକାରୀ ସଫଳତା ବିଜେଡି ସପକ୍ଷରେ ଯିବ କି?

ସରକାରଙ୍କ ବିକାଶକୁ ନିରେଖି ଦେଖୁଥିବା ରାଜନୈତିକ ପର୍ଯ୍ୟବେକ୍ଷକ ଏହା ଉପରେ ଅନୁଶୀଳନ ଆରମ୍ଭ କରିଛନ୍ତି। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସରକାର ପଞ୍ଚମ ପାଳିରେ ଏଭଳି ଏକ ଗୋଟିଚାଳନା କଲେ, ଏହା ପଛରେ କି ଯୁକ୍ତି ରହିଥାଇପାରେ, ତାହା ସେମାନଙ୍କ ପାଇଁ ଏବେ ଗବେଷଣାର ବିଷୟ ପାଲଟିଛି।

ଗୋଟିଏ ମହଲ ମତ ରଖୁଛନ୍ତି ଯେ ଦିଲ୍ଲୀ ସରକାର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦ୍ବାରା ଭୋଟ ବ୍ୟାଙ୍କ ଉପରେ ତାର ଗଭୀର ପ୍ରଭାବ ପଡିଥିଲା। ପୂରା ଭାରତ ବର୍ଷରେ ଦିଲ୍ଲୀ ମଡେଲ୍ ଚର୍ଚ୍ଚାକୁ ଆସିଲା। ଏଣୁ ଓଡ଼ିଶା ସରକାର ତାହାକୁ ଅନୁକରଣ କରିଥାଇପାରନ୍ତି। ଆଉ ଗୋଟିଏ ମତ ଆସୁଛି ଯେ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତାର ଅଭାବ ସରକାରଙ୍କ ଭାବମୂର୍ତିକୁ ପ୍ରଭାବିତ କରୁଛି। ଏଣୁ ଯେବେ ନୂଆ ଓଡ଼ିଶାର ପରିକଳ୍ପନା କରାଯାଉଛି, ସେବେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ପଛୁଆ ରହିବା, ଆଦୌ ଗୋଟିଏ ଭଲ ବାର୍ତ୍ତା ଦେବ ନାହିଁ। ସରକାରଙ୍କ ସତର୍କତା ପଛର ଏହା ଏକ ବଡ଼ କାରଣ।

ରାଜନୈତିକ ରଣନୀତିକାରମାନେ କିନ୍ତୁ ସରକାରଙ୍କ ପଦକ୍ଷେପ ଏତେ ସହଜ ଗଣିତ ଉପରେ ଆଧାରିତ ବୋଲି ମନେ କରୁନାହାନ୍ତି। ସେମାନଙ୍କର ମତ ହେଉଛି, ସରକାରଙ୍କ ଆଦର୍ଶ ବିଦ୍ୟାଳୟ କିଛି ପରିମାଣରେ ଘରୋଇ ବିଦ୍ୟାଳୟ ପ୍ରତି ଆକର୍ଷଣ କମାଇପାରେ, କିନ୍ତୁ ପୂରା ଦୂର କରି ପାରିବ ନାହିଁ। ଇଂରାଜି ମାଧ୍ୟମରୁ ପିଲାଙ୍କୁ ଦୂରେଇ ସରକାରୀ ମୁହାଁ କରିବାକୁ ହେଲେ, ଚିକ୍ ଚିକ୍ କୋଠାବାଡି ଗୋଟିଏ କୌଶଳ। ପ୍ରଥମେ ବିଦ୍ୟାଳୟ ପରିବେଶ ପରେ ଉପସ୍ଥାନ ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇପାରିଲେ, ଛାତ୍ରଛାତ୍ରୀ ଆପେ ସରକାରୀ ସ୍କୁଲ ପ୍ରତି ଆକର୍ଷିତ ହେବେ। ଦ୍ବିତୀୟ କଥାଟି ହେଲା, ରାଜ୍ୟରେ ଅଧିକରୁ ଅଧିକ ଖୋଲୁଥିବା ଶିଶୁମନ୍ଦିର ପିଲାଙ୍କୁ ମଧ୍ୟ ସରକାରଙ୍କ ବିଦ୍ୟାଳୟ ମୁହାଁ କରିବା ଆଉ ଏକ ଚ୍ୟାଲେଞ୍ଜ। ଉଭୟ କଥାକୁ ସରକାର ନଜରରେ ରଖି ଏଭଳି ଏକ ପଦକ୍ଷେପ ନେଇଥାଇପାରନ୍ତି ବା ଏଭଳି ଦାବି କରିବାରେ ଅପ୍ରାସଙ୍ଗିକତା ନାହିଁ। ଏହାବ୍ୟତୀତ ଉଚ୍ଚଶିକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ପରିପ୍ରେକ୍ଷୀରେ ହାଇସ୍କୁଲ ଶିକ୍ଷାର ମାନ ବୃଦ୍ଧି ହେବା ନିତ୍ୟାନ୍ତ ଆବଶ୍ୟକ ଥିଲା।

ହେଲେ ରାଜନୈତିକ ଗୋଟିଚାଳନାରେ ମାହିର୍ ନବୀନ କିନ୍ତୁ ଏସବୁକୁ ନେଇ ଯେ ଏତେ ବଡ଼ ଉଦ୍ୟମ କରିଛନ୍ତି ତା ନୁହେଁ।ରଣନୀତିକାରମାନେ ପ୍ରଥମ ଦିନର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନିରେଖି ଦେଖିବା ପରେ ଯେଉଁ ସିଦ୍ଧାନ୍ତ ଆଡକୁ ଯାଉଛନ୍ତି, ତାହା ହେଲା, ନବୀନଙ୍କୁ ପରବର୍ତ୍ତୀ ପିଢି ସହିତ ଏହାଦ୍ବାରା ପରିଚିତ କରାଯାଉଛି। ନୂଆ ପିଢି (ସ୍ତୁଲ ପିଲା) ଓ ନବୀନଙ୍କ ଭିତରେ ଦୂରତା କମାଇବା ଲାଗି ସରକାର ଏଭଳି ଏକ ଆକର୍ଷଣୀୟ ଓ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଉ ସରଳ ଭାବେ କହିବାକୁ ଗଲେ, ୨୦୨୪ ପାଇଁ ନୁହେଁ ବରଂ ୨୦୨୪ ପରର ପ୍ରସ୍ତୁତି ୨୦୨୧ରୁ ଆରମ୍ଭ କରିସାରିଲେଣି ବିଜେଡି।

ବର୍ତ୍ତମାନ ଯେଉଁମାନେ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀରେ ପଢୁଛନ୍ତି, ତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ୍ଷ ସଂପର୍କ ସ୍ଥାପନ ଜରିଆରେ ହେଉ କି ନୂଆ ଭିତ୍ତିଭୂମି ମାଧ୍ୟମରେ ସାମୟିକ ଭାବେ ୨୦୨୪ ନିର୍ବାଚନ ଲାଗି ସେମାନଙ୍କ ଅଭିଭାବକଙ୍କୁ ସରକାର ପ୍ରଭାବିତ କରିପାରନ୍ତି। ଅସଲରେ କିନ୍ତୁ ଏହି ତିନି ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ଶୈଶବ ଅବସ୍ଥାରେ ଅଛନ୍ତି, ଏବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ଏବଂ ତାଙ୍କୁ ସଶକ୍ତ ଭାବେ ଗଢିତୋଳିବା ଦିଗରେ ବିଜେଡି ସରକାରର ଅବଦାନ ସେମାନଙ୍କର ବିସ୍ମରଣ ହେବ ନାହିଁ। ସେମାନେ ନବୀନଙ୍କୁ ମନେ ରଖିଲେ, ଭୋଟ ରାଜନୀତିରେ ଏହାର ଜବରଦସ୍ତ ପ୍ରଭାବ ପଡିବ, ଭବିଷ୍ୟତରେ ବିଜେଡି ଆଡକୁ ହାତ ଯିବା ବେଶୀ ଦୂର ନୁହେଁ।

ନବୀନଙ୍କର ଏହି ରଣନୀତି ଆଜି କେବଳ ଏ କ୍ଷେତ୍ରରେ ହେଉଛି ତାହା ନୁହେଁ। ବରଂ ଗୋଟିଏ ନିର୍ବାଚନ ସରିଗଲା ପରେ ପରବର୍ତ୍ତୀ ଆଉ କେତାେଟି ନିର୍ବାଚନ ପାଇଁ ତାଙ୍କର ସଫଳ ଗୋଟିଚାଳନା ଆରମ୍ଭ କରିବାର ଅଭ୍ୟାସ ବିଜେଡିକୁ ଏକ ସଶକ୍ତ ଆଞ୍ଚଳିକ ଦଳରେ ପରିଣତ କରିଛି ଓ କ୍ଷମତାରେ ରଖିଛି। ଆଜି ଦିନରେ ହାଇସ୍କୁଲରେ ପାଠପଢୁଥିବା ପ୍ରତି ପିଲା ଜନ୍ମରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ହିଁ ଜାଣି ଆସିଛନ୍ତି। ଯେବେ ସେମାନଙ୍କୁ ନବୀନଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳୁଛି, ତାହା ତାଙ୍କ ପାଇଁ ଗୋଟିଏ ବଡ ଉପଲବ୍ଧି ନିଶ୍ଚୟ।

ବିଜେଡି ପାଇଁ ଏହାଠାରୁ ବଡ କଥା ଆଉ କଣ ହୋଇପାରେ।

Leave A Reply

Your email address will not be published.