ବେଙ୍ଗାଲୁରୁ: କର୍ଣ୍ଣାଟକ କୁମାରସ୍ୱାମୀ ସରକାର ଟଳମଟଳ ସ୍ଥିତିରେ । ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଧମକ ଦେଇଛନ୍ତି । ଚେତାବନୀ ଦେଇ କଂଗ୍ରେସକୁ କହିଛନ୍ତି, ଯଦି ବିଧାୟକମାନେ ସୀମା ଭିତରେ ନ ରହନ୍ତି, ତେବେ ସେ ପଦତ୍ୟାଗ କରିବାକୁ ପଛାଇବେ ନାହିଁ । କୁମାରସ୍ୱାମୀଙ୍କ ଏଭଳି ମନ୍ତବ୍ୟ କଂଗ୍ରେସ ଶୀର୍ଷସ୍ତରରେ କମ୍ପନ ସୃଷ୍ଟି କରିଛି । ଗୋଟିଏ ପଟେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ଅଭିଯାନ ରଖିଥିବା ବେଳେ ଅନ୍ୟପଟରେ ଭାଗୁଆଳି ସରକାରରେ ଦଳର ବିଧାୟକମାନଙ୍କ ବ୍ୟବହାର ନେତୃତ୍ୱ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।
ସିଦ୍ଧରମେୟାଙ୍କ କ୍ୟାମ୍ପର କିଛି ବିଧାୟକ ସରକାର ବିରୋଧରେ ମନ୍ତବ୍ୟ ଦେଇ ଆସୁଛନ୍ତି । ଏପରିକି କୁମାରସ୍ୱାମୀ ବି ତାଙ୍କ ଟାର୍ଗେଟରେ ଅଛନ୍ତି । ରବିବାର ବିଧାୟକ ଏସ ଟି ସୋମାଶେଖର କହିଥିଲେ ଯେ ସରକାର ଗଠନର ୭ମାସ ପରେ ବି ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ । ସେହିଭଳି ଆଉ କିଛି କଂଗ୍ରେସ ବିଧାୟକ ସିଦ୍ଧରମେୟାଙ୍କୁ ତାଙ୍କ ନେତା ଓ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ ।
ଏସବୁ ଘଟଣାକୁ ନେଇ କୁମାରସ୍ୱାମୀ କ୍ଷୁବ୍ଧ ହୋଇଥିବା ଜଣାପଡିଛି । ସେ କହିଛନ୍ତି ଯେ କଂଗ୍ରେସ ବିଧାୟକମାନେ ଯଦି ଏହିଭଳି ମନ୍ତବ୍ୟ ଦେବା ଜାରି ରଖନ୍ତି, ତେବେ ସେ ପଦତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି ।
କଂଗ୍ରେସ କିନ୍ତୁ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କର୍ଣ୍ଣାଟକ ଦାୟିତ୍ୱରେ ଥିବା ପ୍ରଭାରୀ କେ ସି ବେଣୁଗୋପାଳ ପ୍ରଦେଶ କଂଗ୍ରେସ କମିଟିକୁ ଏଥିରେ ହସ୍ତକ୍ଷେପ କରିବା ଲାଗି ନିର୍ଦେଶ ଦେଇଛନ୍ତି । ବିଧାୟକ ସୋମାଶେଖରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ କହିଛନ୍ତି । ଯଦି ତାଙ୍କ ଉତ୍ତର ସନ୍ତୋଷଜନକ ନ ହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି ସଙ୍କେତ ଦିଆଯାଇଛି । କୌଣସି ପରିସ୍ଥିତିରେ ଦଳରେ ବିଶୃଙ୍ଖଳାକାରୀଙ୍କୁ ସ୍ଥାନ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଦେଇଛି ।
ପ୍ରମୁଖ ଖବର
ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ