ବେଙ୍ଗାଲୁରୁ: କର୍ଣ୍ଣାଟକ କୁମାରସ୍ୱାମୀ ସରକାର ଟଳମଟଳ ସ୍ଥିତିରେ । ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଧମକ ଦେଇଛନ୍ତି । ଚେତାବନୀ ଦେଇ କଂଗ୍ରେସକୁ କହିଛନ୍ତି, ଯଦି ବିଧାୟକମାନେ ସୀମା ଭିତରେ ନ ରହନ୍ତି, ତେବେ ସେ ପଦତ୍ୟାଗ କରିବାକୁ ପଛାଇବେ ନାହିଁ । କୁମାରସ୍ୱାମୀଙ୍କ ଏଭଳି ମନ୍ତବ୍ୟ କଂଗ୍ରେସ ଶୀର୍ଷସ୍ତରରେ କମ୍ପନ ସୃଷ୍ଟି କରିଛି । ଗୋଟିଏ ପଟେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ଅଭିଯାନ ରଖିଥିବା ବେଳେ ଅନ୍ୟପଟରେ ଭାଗୁଆଳି ସରକାରରେ ଦଳର ବିଧାୟକମାନଙ୍କ ବ୍ୟବହାର ନେତୃତ୍ୱ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।
ସିଦ୍ଧରମେୟାଙ୍କ କ୍ୟାମ୍ପର କିଛି ବିଧାୟକ ସରକାର ବିରୋଧରେ ମନ୍ତବ୍ୟ ଦେଇ ଆସୁଛନ୍ତି । ଏପରିକି କୁମାରସ୍ୱାମୀ ବି ତାଙ୍କ ଟାର୍ଗେଟରେ ଅଛନ୍ତି । ରବିବାର ବିଧାୟକ ଏସ ଟି ସୋମାଶେଖର କହିଥିଲେ ଯେ ସରକାର ଗଠନର ୭ମାସ ପରେ ବି ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ । ସେହିଭଳି ଆଉ କିଛି କଂଗ୍ରେସ ବିଧାୟକ ସିଦ୍ଧରମେୟାଙ୍କୁ ତାଙ୍କ ନେତା ଓ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ ।
ଏସବୁ ଘଟଣାକୁ ନେଇ କୁମାରସ୍ୱାମୀ କ୍ଷୁବ୍ଧ ହୋଇଥିବା ଜଣାପଡିଛି । ସେ କହିଛନ୍ତି ଯେ କଂଗ୍ରେସ ବିଧାୟକମାନେ ଯଦି ଏହିଭଳି ମନ୍ତବ୍ୟ ଦେବା ଜାରି ରଖନ୍ତି, ତେବେ ସେ ପଦତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି ।
କଂଗ୍ରେସ କିନ୍ତୁ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କର୍ଣ୍ଣାଟକ ଦାୟିତ୍ୱରେ ଥିବା ପ୍ରଭାରୀ କେ ସି ବେଣୁଗୋପାଳ ପ୍ରଦେଶ କଂଗ୍ରେସ କମିଟିକୁ ଏଥିରେ ହସ୍ତକ୍ଷେପ କରିବା ଲାଗି ନିର୍ଦେଶ ଦେଇଛନ୍ତି । ବିଧାୟକ ସୋମାଶେଖରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ କହିଛନ୍ତି । ଯଦି ତାଙ୍କ ଉତ୍ତର ସନ୍ତୋଷଜନକ ନ ହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି ସଙ୍କେତ ଦିଆଯାଇଛି । କୌଣସି ପରିସ୍ଥିତିରେ ଦଳରେ ବିଶୃଙ୍ଖଳାକାରୀଙ୍କୁ ସ୍ଥାନ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଦେଇଛି ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ