ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଅକଳରେ ପକାଇ ଦେଇପାରେ ବିଜେପୁର ରାୟ

0

ବଡ଼ ବ୍ୟବଧାନରେ ବିଜୟ ଲାଭ କରିପାରେ ଶାସକ ବିଜେଡି

ବିଜେପି ପତିଆରା ପ୍ରଭାବିତ ହୋଇପାରେ, ଟିମ୍‍ ନେଇ ପ୍ରଶ୍ନ ଉଠିବ

ଭୋଟ କମିଲେ କଂଗ୍ରେସ ସମାଲୋଚିତ ହେବ, ବଢିଲେ ବାଟ ଫିଟିବ

ଭୁବନେଶ୍ୱର: ଗୁରୁବାର ବିଜେପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ବିଜେଡି ପ୍ରାର୍ଥୀ ରୀତା ସାହୁ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହେବା ସମ୍ଭାବନା ଉଜ୍ଜଳ, ତାହା ପୁଣି ବଡ଼ ଭୋଟ ବ୍ୟବଧାନରେ । ବିରୋଧୀଙ୍କ ନିର୍ବାଚନ ରଣନୀତିକୁ ନିରେଖି ଦେଖିଲେ, ଏକଥା ଜଳ ଜଳ ହୋଇ ଦିଶୁଛି ।

ତେବେ ବିଜେଡି ପାଇଁ ଏହି ବିଜୟ ବିଶେଷ କିଛି ଉଲ୍ଲସିତ କରିବା ଭଳି ଖବର ନୁହେଁ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ୧୧୨ ଆସନ ସହିତ କ୍ଷମତାକୁ ଫେରିବା ପରେ ଏଭଳି ଉପନିର୍ବାଚନ ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ରଖେ ନାହିଁ । ସମ୍ଭବତଃ ଏହି କାରଣରୁ ବିଜେଡି ଶିବିରରେ ନିର୍ବାଚନ ଫଳାଫଳକୁ ନେଇ ପୂର୍ବ କୋଳାହଳ ନାହିଁ । ହେଲେ ବିଜେପି ଓ କଂଗ୍ରେସ ପାଇଁ କିନ୍ତୁ ଏହିି ଉପନିର୍ବାଚନରୁ ଏକ ବଡ଼ ବାର୍ତା ଯିବ ।

ଯଦି ବିଜେପି ସାଧାରଣ ନିର୍ବାଚନ ତୁଳନାରେ କମ୍‍ ଭୋଟ ପାଇଲା, ତେବେ ସାମଗ୍ରିକ ଭାବେ ଦଳର ଅଭିବୃଦ୍ଧି କ୍ଷେତ୍ରରେ ଏହା କିଛି ଦିନ ପାଇଁ ଅନ୍ତତଃ ତୁଳନାତ୍ମକ ଚିତ୍ର ଭାବେ ବ୍ୟବହାର ହେବ । ଗତ ସାଧାରଣ ନିର୍ବାଚନରେ ଦଳ ସେଠାରେ ଲୋକସଭା ଆସନ ଜିତିଥିଲା ଓ ଭାରତ ନିର୍ବାଚନ ଇତିହାସରେ ଏହା ଏକ ରେକର୍ଡ ଥିଲା । କାରଣ ସମସ୍ତ ବିଧାନସଭା ଆସନ ଜିତିବା ପରେ ବି ବିଜେଡି ହାତରୁ ଏହି ଲୋକସଭା ନିର୍ବାଚନମଣ୍ଡଳୀଟି ଖସିଯାଇଥିଲା । ମାତ୍ର ୬ମାସ ବ୍ୟବଧାନରେ ଯଦି ବିଜେପି ବଢିବା ବଦଳରେ କମେ, ତେବେ ଏହା ସାମଗ୍ରିକ ଭାବେ ରାଜ୍ୟ ନେତୃତ୍ୱର ଟିମ୍‍ ସ୍ପିରିଟ୍‍ ଆଡକୁ ଆଙ୍ଗୁଠି ଉଠାଇବ । ଦଳ ତଥାପି ଏକାଠି ହୋଇପାରୁନାହିଁ, ଏମିତି ଏକ ସଙ୍କେତ ରାଜ୍ୟକୁ ଯିବ । ସମାନନ୍ତରାଳ ଭାବେ ସାଂସଦ ସୁରେଶ ପୂଜାରୀ ଦଳ ଭିତରେ ବି ଚାପରେ ରହିବେ ।

ପୂର୍ବରୁ କେନ୍ଦ୍ରାପଡା ପାଟକୁରା ଆସନରେ ପରାଜୟ ପାଇଁ ସାଧାରଣରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଯେତିକି ସମାଲୋଚନା କରାଯାଇନାହିଁ, ତା ଠାରୁ ଅଧିକ ଟୀକା ଟିପ୍ପଣୀ ଶ୍ରୀ ପୂଜାରୀଙ୍କୁ ସାମ୍‍୍ନା କରିବାକୁ ପଡିପାରେ । ଶ୍ରୀ ପଣ୍ଡା ନିର୍ବାଚନରେ ପରାଜୟ ବରଣ କରିଥିବା କାରଣରୁ ତାଙ୍କୁ କେନ୍ଦ୍ରାପଡା ବିଫଳତା ନେଇ ସାମଗ୍ରିକ ଭାବେ ଦାୟୀ କରାଯାଇପାରିଲା ନାହିଁ । ଏମିତିରେ ବି ବିଜୟ ମହାପାତ୍ର ନିଜେ ଜଣେ ବଡ ଯୋଦ୍ଧାଓ ଶାସକ ବିଜେଡି ସବୁ କଳ ବଳ କୌଶଳ ଖଟାଇଲେ । ଏଣୁ ବିଜେପୁର ଯୁଦ୍ଧରେ ବିଜେପି ପରାସ୍ତ ହେଲେ ସମାଲୋଚିତ ହେବ, ଭୋଟ ବ୍ୟବଧାନ କମିଲେ, ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ କଥା କଥାକେ ଏହି ଉପନିର୍ବାଚନ ଗଣିତକୁ ନେଇ ରାଜନୈତିକ ମହଲ କେତେ କଥା ନିଶ୍ଚୟ କହିବେ ।

କଂଗ୍ରେସ ପାଇଁ କ୍ଷତି ତା ଚାହିଁ ସାଂଘାତିକ । କାରଣ ଦଳ ଏଥର ପ୍ରାର୍ଥୀ ବଦଳାଇଛି । ଯଦି ଗତଥର ଅପେକ୍ଷା କଂଗ୍ରେସ ଅଧିକ ଭୋଟ ପାଏ, ତେବେ ନେତୃତ୍ୱ ପାଇଁ ଏହା ଶୁଭ ସଙ୍କେତ ହେବ । ପୂର୍ବତନ ବିଧାୟକ ରିପୁନାଥ ସେଠ୍‍ଙ୍କ ଗୋଷ୍ଠୀ ଆଙ୍ଗୁଠି ଉଠାଇ ପାରିବେ ନାହିଁ । କିନ୍ତୁ ଯଦି ଭୋଟ ବ୍ୟବଧାନ କମେ, ତେବେ ପଶ୍ଚିମ ଓଡ଼ିଶାରୁ ଅସନ୍ତୋଷର ସ୍ୱର ତୀବ୍ର ହୋଇପାରେ । ପିସିସିକୁ ସ୍ଥାନୀୟ ନେତାମାନେ ସମାଲୋଚନାରେ ପୋତି ଦେବା ଏକ ସ୍ୱାଭାବିକ କଥା ହେବ ।

ଅବଶ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅତ୍ୟନ୍ତ ଚତୁରତାର ସହିତ ପ୍ରାର୍ଥୀ ଚୟନ କରିଛନ୍ତି, ଯେଉଁଥିରେ ତାଙ୍କ ଭୂମିକା ଗୌଣ ବୋଲି ସଙ୍କେତ ଦେଇଛନ୍ତି । କିନ୍ତୁ ରାଜନୈତିକ ମହଲର କହିବା କଥା, କଂଗ୍ରେସ ଯଦି ଏହି ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିଯାଏ, ତେବେ ରାଜ୍ୟକୁ ଭଲ ବାର୍ତା ଯିବ । ଦଳ ପ୍ରତି ଆସ୍ଥା ବଢୁଥିବା ନେଇ କଂଗ୍ରେସ କହିବାକୁ ସୁଯୋଗ ପାଇବ, ପିିସିସି ବିରୋଧୀ ଶକ୍ତି ଦବିବେ । ଅନ୍ୟଥା ତିନି ନମ୍ୱର ସ୍ଥାନରେ କଂଗ୍ରେସ ଅଧିକ ବିପର୍ଯ୍ୟୟ ମୁହଁକୁ ଅଧିକ ଠେଲି ହୋଇଯିବ ଓ ଦଳରୁ କର୍ମୀ ଏବଂ ନେତା ଦ୍ରୁତ ବେଗରେ ଅନ୍ୟ ଦଳକୁ ଲମ୍ଫ ମାରିବା ସମ୍ଭାବନାକୁ ଆଦୌ ଏଡାଇ ଦିଆଯାଇପାରିବ ନାହିଁ । ସବୁଠାରୁ ବଡ କଥା ହେଲା, କଂଗ୍ରେସ ଉପରୁ ସାଧାରଣରେ ଆସ୍ଥା ସମ୍ପୂର୍ଣ୍ଣ ତୁଟିଯିବା ସମ୍ଭାବନା ବି ରହିଛି ।

Leave A Reply

Your email address will not be published.