ପ୍ରମୁଖ ଖବର

ସାତ ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଓଡ଼ିଶାର ଟିମ୍‌ ଖେଳିବ ମ୍ୟାଚ୍‌
ସୁପ୍ରିମକୋର୍ଟରୁ ଜାମିନ ମିଳିଲା ପରେ ମଧ୍ୟ ଜେଲରୁ ବାହାରି ପାରିବେନି କେଜ୍ରିୱାଲ
ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ
ରଥ ଉପରକୁ ମୋବାଇଲ ମନା; ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଅରବିନ୍ଦ ପାଢ଼ୀ
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ହେଲେ ସମୀର ଦେ
ରାଜଭବନ କର୍ମଚାରୀଙ୍କୁ ମାଡମାରିଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ
ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ

ଘର ଫେରାଇ ଦେଲା କରୋନା!

0

ଭୁବନେଶ୍ବର: ଓଡ଼ିଶା ଗାଁ ଗହଳିରେ ପିଲାମାନେ ସ୍କୁଲ ଫେରିବା ବେଳେ ଘରେ ଗୋଡ଼ ହାତ କହୁଣୀଯାଏ ଧୋଇ କି ଖାଇବାକୁ ମା’ ମାନେ ଏକରକମ ବାଧ୍ୟ କରିଥାନ୍ତି। ପୁଣି ଖେଳିକି ଆସିବା ପରେ ସନ୍ଧ୍ୟା ପ୍ରାର୍ଥନା ପୂର୍ବରୁ ବି ସେମିତି ଆଉଥରେ କରିବାକୁ କୁହାଯାଏ। ରାତିରେ ଶୋଇବାକୁ ଯିବା ପୂର୍ବରୁ ଗୋଡ଼ ହାତ ଧୋଇବା ତ ନିୟମିତ ଅଭ୍ୟାସ ପକାଇବାକୁ ପରାମର୍ଶ ମିଳିଥାଏ। ସକାଳେ ଉଠି ମୁହଁ ଧୋଇବା ଓ ସ୍କୁଲ ଯିବା ପୂର୍ବରୁ ଗାଧୋଇବା ଏହି ପ୍ରକ୍ରିୟାର ଗୋଟିଏ ଅଂଶ।

ଗାଁ ଗହଳିର ପୁରୁଣା କାଳିଆ ମା’ କେତେ ପାଠ ପଢିଥିଲେ, ତାହା ଅଲଗା କଥା। ଏହାକୁ ସଂସ୍କାରର ଅଂଶ ବିଶେଷ କହି ପରିଚ୍ଛନ୍ନତା ପ୍ରତି ସତର୍କ କରାଇ ଦେଉଥିଲେ। ଇତିମଧ୍ୟରେ ସାକ୍ଷରତା ବଢିଛି ଓ ଅଧିକାଂଶଙ୍କ ଘରେ ଉଚ୍ଚଶିକ୍ଷିତ ଅଛନ୍ତି। ହେଲେ ଏ ଅଭ୍ୟାସ ଏବେ ପ୍ରାୟ ଛାଡି ଯାଇଥିଲା। ସମସ୍ତେ ସବୁ କରୁଛନ୍ତି, କିନ୍ତୁ ନିଜ ଢଙ୍ଗରେ।

ପୂର୍ବରୁ ସପ୍ତାହରେ ଦୁଇଥର ହାଟ ବସୁଥିଲା, ଆଉ ଘରକୁ କଞ୍ଚା ପରିବା ଆସୁଥିଲା। ସଉଦା ମହାଜନ ଠାରୁ ସପ୍ତାହେ ଦୁଇ ସପ୍ତାହେ ପାଇଁ ଏକାଠି ଆଣୁଥିଲେ ବାପା। ଘରେ ପ୍ରାୟ ଅଧିକାଂଶ ରୋଷେଇ ହେଉଥିଲା। ବିଭିନ୍ନ ପର୍ବ ପାଳନ ଆଳରେ ଘରେ ଖାଇବା ପିଇବା ଭୁରି ଭୋଜନର ବ୍ୟବସ୍ଥା ଥିଲା। ଏବେ ଗାଁର ଚରିତ୍ର ବଦଳୁଛି। ହାଟ ଅଛି, ଆଉ ସେଥିପ୍ରତି ଆକର୍ଷଣ ନାହିଁ। ଅନେକ ତେଜରାତି ଦୋକାନ କାରଣରୁ ଘର ପାଖରେ ବି ରାସନ ଉପଲବ୍ଧ ହେଲାଣି। ରୋଷେଇ ବସାଇ ପରିବା, ସଉଦା ପାଇଁ ଚିନ୍ତା ପଶୁଛି। ପର୍ବ ପର୍ବାଣୀ ଘର ଭିତରେ ସୀମିତ। ଭଳିକି ଭଳି ପିଠା ଆଦି ତିଆରି କେଇ ଜଣକୁ ମାତ୍ର ମାଲୁମ୍। କର୍ମଜଞ୍ଜାଳ ଭିତରେ ଧନ୍ଦି ହେବା ଆଳରେ ସମସ୍ତେ ଏହାକୁ ପାସୋରି ଦେବା ଲାଗି ଢେର୍ ଉଦ୍ୟମ କରୁଛନ୍ତି।

ସହର ସ୍ଥିତି ନ କହିବା ଭଲ। ରୋଷେଇ କଷ୍ଟ ହେଲାଣି। ରେସ୍ତୋରାଁ ବା ସ୍ବିଗି କିମ୍ବା ଜମାଟୋ ଏବେ ବେଶୀ ପ୍ରଭାବୀ। ଫ୍ଲିପ୍ କାର୍ଟ, ଆମାଜନର ଖାତିର୍ କାହିଁରେ କେତେ। ଏମିତି ବହୁ ନୁଆ କଥା ମଣିଷ ଜୀବନରେ ପ୍ରବେଶ କରିସାରିଲେଣି। ମଲ୍, ସଭାସମିତି ଆଦିର ସଂଖ୍ୟା ବଢୁଛି, ମଣିଷ ଏଇ ନିର୍ଜୀବ ବ୍ୟବସ୍ଥା ଭିତରେ ନିଜ ଜୀବନକୁ ସବୁଜିମାରେ ଭର୍ତି କରିବାକୁ ଚାହୁଁଛି। ନିଜର ଛୋଟ କିଚେନ୍ ଗାର୍ଡେନ୍, ଫୁଲ ବଗିଚା କରିବା ପାଇଁ ସମୟ ନାହିଁ, ଆଗ୍ରହ ବି ନାହିଁ। ଅଳ୍ପ କିଛି ଜଣଙ୍କ ମଧ୍ୟରେ ଏହା ସୀମିତ।

କେବଳ ସେତିକି ନୁହେଁ, ଖଟି, ମଉଜ, ମଜଲିସ୍, ଫିଲ୍ମ ଦେଖା, ମଦ ପିଇବା ଏମିତି କେତେ କଣ ଅଭ୍ୟାସ ଭିତରେ ପଡିଯାଇଥିଲେ ଆଜିକାଲିକା ଯୁବକ ଯୁବତୀ। ଅଫିସରେ ବି ସବୁକିିଛି ରୁଟିନ୍ ଚାଲିଥିଲା। ଗଣମାଧ୍ୟମ ସଂସ୍ଥା ଅଫିସ ହେଉ କି ଆଇଟି କ୍ଷେତ୍ର ସମସ୍ତେ ଅଫିସରେ ଘଣ୍ଟା ଘଣ୍ଟା ବିତାଉଥିଲେ। ପିଲାମାନଙ୍କୁ ସ୍କୁଲ ଯିବା ଓ ଶିକ୍ଷକ ଥାନ୍ତୁ କି ନଥାନ୍ତୁ ସେଠାରେ ୪ଟା ଯାଏ ବସିରହିବା ଏକପ୍ରକାର ବାଧ୍ୟତାମୂଳକ ଥିଲା।

ଏସବୁର ତାଲିକା କଲେ ଲମ୍ବୁଥିବ। ହେଲେ ଗୋଟିଏ କରନା ଭୁତାଣୁର ଡର ମଣିଷର ସବୁ ବୁଦ୍ଧି, ବିଦ୍ୟା, ଟାଣପଣକୁ ଦୋହଲାଇ ଦେଇଛି। ମଣିଷର ଅକଲ ଗୁଡୁମ୍ ହେଇଗଲାଣି। ଏହି ଗୋଟିଏ ଭୁତାଣୁ ହ୍ୟାଣ୍ଡସେକ୍ ନୁହେଁ, ମୁଣ୍ଡ ନୁଆଁଇ ପ୍ରଣାମ କରିବା ନେଇ ବାପା ଅଜାଙ୍କ ନିର୍ଦେଶ ଯେମିତି ସତ ବୋଲି ପ୍ରମାଣ କରିଦେଇଛି, ଠିକ୍ ସେମିତି ଜଣାଇ ଦେଇଛି, ବେଶୀ ପାଠ ପଢିନଥିଲେ ବି ଘରେ ମାଆ ଜେଜେ ମାଆଙ୍କ ପରାମର୍ଶ ଆଦୌ ଭୁଲ ନୁହେଁ। ଘରେ ସମସ୍ତେ ଏକାଠି ବସି ଖାଇବା ଏକପ୍ରକାର ସ୍ବପ୍ନ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକଙ୍କ ଲକ୍ ଡାଉନ୍ ନିଷ୍ପତ୍ତିରେ ଏହା ଅଧିକାଂଶ ବ୍ୟକ୍ତିଙ୍କ ଘରକୁ ବହୁ ବର୍ଷ ପରେ ଫେରିଛି। ସ୍ବିଗି, ଜମାଟୋ ନୁହେଁ, ଘର ତିଆରି ଖାଦ୍ୟ ଉପରେ ଭରସା କରିବା ଆରମ୍ଭ ହୋଇଛି, ଯେଉଁଠି ପରିଚ୍ଛନ୍ନତାକୁ ପ୍ରାଥମିକତା ଦିଆଯାଇଛି।

ଘରେ ବସି ବହୁ ଦିନର ଦୁଃଖ ସୁଖ କଥାବାର୍ତା ଆରମ୍ଭ ହୋଇଛି। ମୋବାଇଲ୍ ଜାଲରୁ ବାହାରି କିଏ ଥଟ୍ଟା ମଜା କରୁଛି ତ ଆଉ କିଏ ନିଜର ନାତିନାତୁଣୀଙ୍କ ପାଖରେ ସମୟ କାଢୁଛି। ଘର ବାହାରେ ସମୟ ବିତାଇ ଏବେ ନିଜର ସ୍ବପ୍ନର ଘର ଭିତରେ ଭବିଷ୍ୟତର ସ୍ବପ୍ନ ଆଙ୍କୁଛି। ବିଳମ୍ବିତ ରାତିରେ ଶୋଇବା କମିଛି ଏବଂ ସକାଳର ସୂର୍ଯ୍ୟ ଅନେକ ଦେଖୁଛନ୍ତି।

କରୋନା ଗଣମାଧ୍ୟମ ସଂସ୍ଥାକୁ ସତର୍କ କରାଇ ଦେଇଛି ଯେ ନିୟମିତ ଛାପା ବ୍ୟତୀତ ବିକଳ୍ପ ଭାବେ ପୋର୍ଟାଲକୁ ଆଦରିବାକୁ ହେବ। ଏହା କମ୍ ବ୍ୟୟ ସାପେକ୍ଷ ଓ ପଢିବା ସହଜସାଧ୍ୟ। ଅଫିସରେ ନୁହେଁ, ଘରେ ରହି ସେମାନେ କାମ କରିବା ଲାଗି ମଧ୍ୟ ଭାବିବା ଦରକାର ବୋଲି ବାଟ ଖୋଲିଛି। ଆଇଟି ଶିଳ୍ପକୁ ବି ବାଟ ଦେଖାଇଛି ଯେ ଦିନେ ଦୁଇଦିନ ନୁହେଁ, ମାସ ମାସ ଧରି ମଧ୍ୟ ଘରକୁ ଅଫିସ ଭଳି ବ୍ୟବହାର କରିବା ଲାଗି ବୈଷୟିକ ବିଦ୍ୟାର ସମୃଦ୍ଧ ହେବା ଦରକାର। ୮ ଘଣ୍ଟାର କାମ ଯଥେଷ୍ଟ। ଏତକ ଭିତରେ ହିଁ ସବୁକିଛି ସୀମିତ ରହିଲେ, ସମାଜରେ ସୁସ୍ଥତା ଫେରିବ।

କରୋନା ରାଜ୍ୟ ସରକାରଙ୍କୁ ସଙ୍କେତ ଦେଇଛି, ମେଡିକାଲରେ ଯେତେ ବି ଶଯ୍ୟା ଅଛି ତାହା କେବେ ବି ନିଅଣ୍ଟ ହୋଇପାରେ। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯିବା ଦରକାର। ସେହିଭଳି ବିଦ୍ୟାଳୟ ଚାରିକାନ୍ଥ ଭିତରେ ପିଲାମାନଙ୍କୁ ରଖିବା ଯେତିକି ଦରକାର, ଗୁଣାତ୍ମକ ଶିକ୍ଷା ପାଇଁ ସ୍ମାର୍ଟ କ୍ଲାସ୍ ଉପରେ ସେତିକି ଧ୍ୟାନ ଦିଆଯିବା ଉଚିତ୍। ଘରୋଇ ବିଦ୍ୟାଳୟ ସିନା ଆଗରେ, ସରକାରୀ ବିଦ୍ୟାଳୟ ଓକଲେଜ ଏ କ୍ଷେତ୍ରରେ ମାଇଲ ମାଇଲ ପଛରେ। ଆବଶ୍ୟକ ନ ହେଲେ ଯାନ ବାହନ ଚଳାଚଳ କରିବା ଦରକାର ନାହିଁ, ଏକଥା ବି କରୋନା କଟକଣା ସଙ୍କେତ ଦେଇଛି। ବିଧାୟକମାନେ ରିଲିଫ୍ ପାଣ୍ଠିକୁ ଦାନ କରୁଛନ୍ତି ନିଜ ନିଜର ଦରମା, ଅନୁଦାନ ପାଣ୍ଠି ବି। ହେଲେ ସେମାନଙ୍କୁ ପୂର୍ବରୁ ନିଜ ଅଞ୍ଚଳରେ ଉନ୍ନତ ଭିତ୍ତିଭୂମି ପାଇଁ କେହି ମନା କରିନଥିଲା। କ୍ଲବ, ଗୋଷ୍ଠୀ କେନ୍ଦ୍ର, ରାସ୍ତା ଉପରେ ଅଧିକ ଧ୍ୟାନ ବ୍ୟତିରେକେ ନିଜ ଅଞ୍ଚଳକୁ ଗୋଟିଏ ଗୋଟିଏ ମଡେଲ୍ ନିର୍ବାଚନମଣ୍ଡଳୀ ଗଠନ କରିବା ଦରକାର, ଏକଥା ସେମାନେ ବିଳମ୍ବରେ ବି ହେଜିଥିବେ।

ମୋଟାମୋଟି ଭାବେ କରୋନା ମଣିଷ ପାଇଁ ଯେତିକି ଆତଙ୍କ ଆଣିଛି, ଏହି ବିପର୍ଯ୍ୟୟ ଭିତରେ ସମାଜକୁ ଆଗକୁ ନେବା ଲାଗି ସେତିକି ସମ୍ଭାବନା ବି ଦେଖାଇଛି। ମଣିଷର ଜୀବନ ଚର୍ଯ୍ୟା ବଦଳାଇ ଦେଇଛି। ପୁଳା ପୁଳା ଟଙ୍କା, ବିଶାଳ କୋଠା ଯେ ମଣିଷକୁ ବଡ଼ କରିପାରିବନି, ଏକଥା ଆମେରିକା, ଇଟାଲି ଭଳି ରାଷ୍ଟ୍ରରେ କରୋନାର ବିତ୍ପାତ ସଙ୍କେତ ଦେଇଛି। ବରଂ ଯେତିକି ବି ରୋଜଗାର ହେଉ, ଏକ ସୁସ୍ଥ ସମାଜ ସବୁବେଳେ ନିଜର ପ୍ରଜ୍ଞା ବଳରେ ଅନ୍ୟଠାରୁ ଭିନ୍ନ ବାରି ହୁଏ ଏକଥା ଭାରତ, ସର୍ବୋପରି ଓଡ଼ିଶା (ମାତ୍ର ୨ଟି ପଜିଟିଭ୍) ରେ କରୋନାର ଚିତ୍ର ବୁଝାଇ ଦେଉଛି। ସର୍ବୋପରି ଯେଉଁ ଘର ଖଣ୍ଡକ ପାଇଁ ମଣିଷ ଏତେ ଯୁଝୁଛି, ସେହି ଘରେ ନିଜ ପିଲାଙ୍କ ସହିତ ତିନି ସପ୍ତାହ ବିତାଇବା ବେଶୀ ମୁସ୍କିଲ୍ ନୁହେଁ, ବରଂ ନୂଆ ଧାରାରେ ବଞ୍ଚିବା ଲାଗି ନକ୍ସା ପ୍ରସ୍ତୁତିର ମାର୍ଗ ଦେଖାଇବ ବୋଲି ବୁଦ୍ଧିଜୀବୀ ମହଲ ବିଚାର କରୁଛନ୍ତି।

Leave A Reply

Your email address will not be published.